• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌କୁ ୩-୦ରେ କ୍ଲିନ୍ ସୁଇପ୍ କରିଛି । ଏହି ସଫଳତା ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଟିମ୍ ପାଇଁ ‘ସଞ୍ଜୀବନୀ’ ହୋଇଛି । ଏହା ସହିତ ଏହି ଆଇସିସି ମୁକୁଟ ପାଇଁ ଭାରତର ଦାବିଦାରୀ ବି ମଜଭୁତ ହୋଇଛି । ଇଂଲଣ୍ଡ ବିପକ୍ଷରେ ଭାରତୀୟ ଖେଳାଳିମାନେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ଏବଂ ଟିମ୍ ସମସ୍ତ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଥିଲା । ଏହି ସିରିଜ୍‌ରେ ଟିମ୍‌କୁ ଅନେକ ପ୍ରଶ୍ନର ଉତ୍ତର ବି ମିଳିଯାଇଛି । ଅବଶ୍ୟ ଅନ୍‌ଫିଟ୍ ଥିବା ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତି ଚାମ୍ପିଅନ୍ସ ଟ୍ରଫି ସମୟରେ ଅନୁଭୂତ ହୋଇପାରେ ।  

ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏହି ସିରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହା ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଥିଲା । ପ୍ରଥମତଃ, ଟି-୨୦ ବିଶ୍ୱକପ୍ ୨୦୨୪ ପରଠାରୁ ଭାରତର ଦିନିକିଆ ଟିମ୍ ଇଂଲଣ୍ଡ ସିରିଜ୍ ପୂର୍ବରୁ ମାତ୍ର ଗୋଟିଏ ଦ୍ୱିପାକ୍ଷିକ ସିରିଜ୍ ଶ୍ରୀଲଙ୍କା ଗସ୍ତରେ ଖେଳିଥିଲା । ଦୁର୍ଭାଗ୍ୟବଶତଃ, ସିନିଅର୍‌ଙ୍କ ଉପସ୍ଥିତି ସତ୍ତ୍ୱେ ଟିମ୍ ସେହି ସିରିଜ୍‌ରେ ୦-୨ରେ ହାରିଯାଇଥିଲା । ତେଣୁ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ସିରିଜ୍ ନିଜ ସାମର୍ଥ୍ୟକୁ ପରଖିବା ପାଇଁ ଶେଷ ସୁଯୋଗ ଥିଲା ।

ଦ୍ୱିତୀୟତଃ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଠାରୁ ଟେଷ୍ଟ ସିରିଜ୍ ହାରିବା ପରେ ଟିମ୍‌ରେ ଉଠାପକାର ବାତାବରଣ ଦେଖାଦେଇଥିଲା । ସିନିଅର୍ ଖେଳାଳିଙ୍କ ଆନ୍ତର୍ଜାତିକ ଭବିଷ୍ୟତ ସହ ସବୁ ଫର୍ମାଟ୍‌ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଅବଶ୍ୟ ପ୍ରକୃତ ଚାଲେଞ୍ଜ୍ ହେଉଛି ଚାମ୍ପିଅନ୍ସ ଟ୍ରଫି । ତେବେ ଏହା ପୂର୍ବରୁ ଏକ ସକାରାତ୍ମକ ବାତାବରଣ ସୃଷ୍ଟି ହେବା ଜରୁରୀ ଥିଲା ।

ସ୍ପଷ୍ଟ ହୋଇଛି ଚୂଡ଼ାନ୍ତ ଏକାଦଶର ଚିତ୍ର

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଚୂଡ଼ାନ୍ତ ଏକାଦଶର ଚିତ୍ର ଆପାତତଃ ସ୍ପଷ୍ଟ ହୋଇଯାଇଛି । ବିଶେଷଜ୍ଞ ବ୍ୟାଟର୍‌୍ ଭାବେ ପାଞ୍ଚ ଖେଳାଳି ରହିବେ । ଏହାଛଡ଼ା ତିନି ଅଲ୍‌ରାଉଣ୍ଡର୍‌, ଦୁଇ ପେସର୍ ଓ ଜଣେ ସ୍ପିନର୍ ରହିବା ପ୍ରାୟତଃ ନିଶ୍ଚିତ ।
ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ୍ ଓପନିଂ କରିବେ । ଏହାପରେ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ସ୍ଥାନ ସୁରକ୍ଷିତ । ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ଲୋକେଶ ରାହୁଲ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବେ । ରିଷଭ ପନ୍ତ ତାଙ୍କ ବିକଳ୍ପ ଭାବେ ରହିଛନ୍ତି ।

ଅଲ୍‌ରାଉଣ୍ଡର୍ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା (ପେସ୍ ବୋଲିଂ) ଏବଂ ଅକ୍ଷର ପଟେଲ୍ ଓ  ରବୀନ୍ଦ୍ର ଜାଡ଼େଜା (ସ୍ପିନ୍ ବୋଲିଂ) ରହିବେ । ବିଶେଷଜ୍ଞ ପେସର୍ ଭାବେ ମହମ୍ମଦ ଶାମୀ ଯୁବ ଖେଳାଳି ହର୍ଷିତ ରାଣାଙ୍କ ସହ ଦାୟିତ୍ୱ ସମ୍ଭାଳିବେ । ଉଭୟଙ୍କ ମଧ୍ୟରୁ ଯଦି କେହି ଅନ୍‌ଫିଟ୍ କିମ୍ବା ବିଫଳ ହୁଅନ୍ତି, ତା’ହେଲେ ବାମହାତି ପେସର୍ ଅର୍ଶଦୀପ ସିଂହ ସୁଯୋଗ ପାଇବେ । ବିଶେଷଜ୍ଞ ସ୍ପିନର୍ ଭାବେ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ଜଣଙ୍କୁ ସାମିଲ୍ କରାଯିବ । ବ୍ୟାଟିଂ କ୍ରମ ନେଇ କୌଣସି ସମସ୍ୟା ନାହିଁ । ବାମ-ଡାହାଣ କମ୍ବିନେସନ୍‌କୁ ଦୃଷ୍ଟିରୁ ରଖି ପଞ୍ଚମ ସ୍ଥାନରେ ପରିବର୍ତ୍ତନ କରାଯାଇ ଅକ୍ଷର ପଟେଲ୍‌ଙ୍କୁ ଉପରକୁ ପଠାଯାଇପାରେ ।

ରୋହିତ ଓ ବିରାଟଙ୍କ ଫର୍ମ ହାସଲ ପ୍ଲସ୍ ପଏଣ୍ଟ

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋହିତ ଶର୍ମା ଓ ବିରାଟ କୋହଲି ଫର୍ମ ହାସଲ କରିଛନ୍ତି । ରୋହିତ ଦୀର୍ଘ ଦିନ ପରେ ଦିନିକିଆ ଆନ୍ତର୍ଜାତିକରେ ଶତକ ହାସଲ କରିଥିବା ବେଳେ ବିରାଟ ମଧ୍ୟ ଶେଷ ମ୍ୟାଚ୍‌ରେ ୫୨ ରନ୍‌ର ଇନିଂସ୍ ଖେଳି ଫର୍ମକୁ ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଛନ୍ତି ।

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଉଭୟ ଫର୍ମ ହାସଲ କରିବା ଟିମ୍ ପାଇଁ ପ୍ଲସ୍ ପଏଣ୍ଟ । ଏହାଦ୍ୱାରା ଯୁବ ବ୍ୟାଟର୍‌ଙ୍କ ଉପରେ ଅଧିକ ଚାପ ପଡ଼ିବନି । ଅନ୍ୟପଟେ, ଚର୍ଚ୍ଚା ହେଉଛି ଯେ ଚାମ୍ପିଅନ୍ସ ଟ୍ରଫି ଆନ୍ତର୍ଜାତିକ କ୍ରିକେଟ୍‌ରେ ଏହି ଦୁଇ ଭେଟେରାନ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରେ ।
ରୋହିତ ଅଧିନାୟକ ହୋଇଥିବାରୁ ତାଙ୍କ ଆଗରେ ଦ୍ୱୈତ ଦାୟିତ୍ୱ ରହିଛି - ତାଙ୍କୁ  ଭଲ ବ୍ୟାଟିଂ ପ୍ରଦର୍ଶନ କରିବା ସହ ଟିମ୍‌କୁ ବିଜୟ ପଥରେ ଆଗେଇ ନେବାକୁ ହେବ । ସେ ଦ୍ୱିତୀୟ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ, ହେଲେ ଅନ୍ୟ ଦୁଇ ମ୍ୟାଚ୍‌ରେ ଦୁଇ ଅଙ୍କ ବି ଛୁଇଁପାରି ନ ଥିଲେ । ତେବେ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କୁ ନିରନ୍ତର ଭଲ ପ୍ରଦର୍ଶନ କରିବାକୁ ହେବ ।

ଶୁବମନ ଓ ଶ୍ରେୟସଙ୍କ ଦମ୍‌ଦାର ପ୍ରଦର୍ଶନ

ଜଣେ ଓପନିଂ ବ୍ୟାଟର୍ ହୋଇଥିବା ଦୃଷ୍ଟିରୁ ଶୁବମନ ଗିଲ୍ ସିରିଜ୍‌ରେ କିଭଳି ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ଥିଲା । ସେ ଇଂଲଣ୍ଡ ଟିମ୍ ବିପକ୍ଷରେ ନିଜ ଦକ୍ଷତା ଅନୁରୂପ ପ୍ରଦର୍ଶନ କରି ‘ପ୍ଲେୟର୍ ଅଫ୍ ଦ ସିରିଜ୍‌’ ବିବେଚିତ ହୋଇଥିଲେ । ସେ ତୃତୀୟ ମ୍ୟାଚ୍‌ରେ ୧୧୨ ରନ୍‌ର ଶତକୀୟ ଇନିଂସ୍ ଖେଳିଥିବା ବେଳେ ପ୍ରଥମ ମ୍ୟାଚ୍‌ରେ ୮୭ ଓ ଦ୍ୱିତୀୟ ମ୍ୟାଚ୍‌ରେ ୬୦ ରନ୍ କରିଥିଲେ । ସେହିପରି ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟସ ଆୟରଙ୍କ ଉପରେ ବି ନଜର ଥିଲା, କାରଣ ଏବେ ତାଙ୍କୁ ଅନ୍ୟ ଫର୍ମାଟ୍ ପାଇଁ ଟିମ୍‌ରେ ନିଆଯାଉ ନାହିଁ । ସେ ସିରିଜ୍‌ରେ ଦୁଇ ଅର୍ଦ୍ଧଶତକ ସହାୟତାରେ ମୋଟ୍ ୧୮୧ ରନ୍ କରିଥିଲେ । ଟିମ୍‌ରେ ତାଙ୍କର ଗୁରୁତ୍ୱ କେତେ, ତାହା ସେ ପ୍ରମାଣିତ କରିଛନ୍ତି ।ଏହାଛଡ଼ା ଦୁଇ ନବାଗତ - ପେସର୍ ହର୍ଷିତ ରାଣା ଓ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ନିଜ ନିଜ ପ୍ରଦର୍ଶନ ଦ୍ୱାରା ପ୍ରଭାବିତ କରିଛନ୍ତି ।

ସଂଗଠିତ ହେଲା ଟିମ୍ ଇଣ୍ଡିଆ

ଟେଷ୍ଟରେ କ୍ରମାଗତ ବିଫଳତା ପରେ ଟିମ୍ ଇଣ୍ଡିଆ ପ୍ରଥମ ଥର ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ରୁ ବାଦ୍ ପଡ଼ିଥିଲା । ଏହାପରେ ଟିମ୍‌ର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଆଲୋଚନା ହୋଇଥିଲା । ରୋହିତ ଶର୍ମା ଉଭୟ ଅଧିନାୟକ ଓ ବ୍ୟାଟର୍ ଭାବେ ନିରାଶ କରିଥିଲେ । ଏହି କାରଣରୁ ସେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍‌ରୁ ଓହରି ଯାଇଥିଲେ ।

ଏମିତି ବି ଚର୍ଚ୍ଚା ହୋଇଥିଲା ଯେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପରେ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଯିବେ । ବିରାଟ କେବଳ ପ୍ରଥମ ଟେଷ୍ଟକୁ ଛାଡ଼ିଦେଲେ, ଅନ୍ୟ ସମସ୍ତ ମ୍ୟାଚ୍‌ରେ ବିଫଳ ହୋଇଥିଲେ । ଗୌତମ ଗମ୍ଭୀର ମଧ୍ୟ ସମାଲୋଚନାର ଶରବ୍ୟ ହୋଇଥିଲେ ।
ଟେଷ୍ଟ ସିରିଜ୍ ମଝିରୁ ଅଫ୍ ସ୍ପିନ୍ ଅଲ୍‌ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଥିଲେ । ଡ୍ରେସିଂ ରୁମ୍ କଥା ପଦାକୁ ଆସିଥିଲା । ତେବେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଦ୍ୱାରା ସବୁ କିଛି ଠିକ୍ ହୋଇଯିବା ଭଳି ଜଣାପଡ଼ୁଛି । ଭାରତୀୟ ଟିମ୍ ପୁଣି ଥରେ ସଂଗଠିତ ହୋଇଛି । ଟିମ୍‌କୁ ସକାରାତ୍ମକ ବାତାବରଣ ଫେରିଛି । ଏହା ସହିତ ରୋହିତ ସେନା ଚାମ୍ପିଅନ୍ସ ଟ୍ରଫି ‘ରିହର୍ସଲ’ରେ ଫୁଲ୍ ମାର୍କ ପାଇଛି ।

 

OTV is now on Whatsapp

Join and get latest news update delivered to you via whatsapp

Join Now