/odishatv-khabar/media/post_attachments/uploadimage/library/16_9/16_9_0/Divya_1754900443.jpg)
Divya
ମାତ୍ର ପାଞ୍ଚ ବର୍ଷ ବୟସରୁ ଆରମ୍ଭ ହୋଇଥିବା ଏକ ଚେସ୍ ଯାତ୍ରା ୧୫ ବର୍ଷ ପରେ ଉତ୍ତୁଙ୍ଗ ଶିଖର ଛୁଇଁଛି । ଅନେକାଂଶରେ ଅପ୍ରତ୍ୟାଶିତ ଏହି ଉଲ୍ଲେଖନୀୟ ଯାତ୍ରା ଆଗକୁ କେତେଦୂର ଯିବ, ତାହାର କଳନା କରିବା କଷ୍ଟକର ।
ପ୍ରଚଣ୍ଡ ପ୍ରତିଭାଶାଳୀ ୧୯ବର୍ଷୀୟା ଦିବ୍ୟା ଦେଶମୁଖ ଚେସ୍ରେ ପ୍ରଥମ ଭାରତୀୟ ଭାବେ ଫିଡେ ମହିଳା ବିଶ୍ୱକପ୍ ମୁକୁଟ ଜିତିବାର ଗୌରବ ଅର୍ଜନ କରିଛନ୍ତି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ସବୁ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ତେବେ ଏହି ଯାତ୍ରା ଏତେ ସହଜ ନ ଥିଲା । ଦିବ୍ୟାଙ୍କୁ କେତେବେଳେ ଧୈର୍ଯ୍ୟର ପରୀକ୍ଷା ଦେବାକୁ ପଡ଼ିଛି ତ କେତେବେଳେ ଆକ୍ରମଣାତ୍ମକ ଖେଳକୁ ଚରମ ସ୍ତରକୁ ନେବାକୁ ପଡ଼ିଛି । ପୁଣି କେତେବେଳେ ଭିନ୍ନ ପିଢ଼ିର ଖେଳାଳିଙ୍କ ବ୍ୟାପକ ଅଭିଜ୍ଞତାକୁ ନିଷ୍କ୍ରିୟ କରିବାର ଆହ୍ୱାନ ଆସିଛି - ସବୁଠି ସେ ନିଜର ପ୍ରତିଭାର ପରାକାଷ୍ଠା ଦେଖାଇବାକୁ ପ୍ରୟାସ କରିଛନ୍ତି ।
ରାକେଟ୍ ଛାଡ଼ି ଧରିଲେ ଚେସ୍ଗୋଟି
ବିଶ୍ୱବିଜୟିନୀ ଦିବ୍ୟା କହିଛନ୍ତି, “ମୋ ବଡ଼ ଭଉଣୀ ବ୍ୟାଡ୍ମିଣ୍ଟନ ଖେଳୁଥିଲା ଏବଂ ବାପା-ମା’ ତା’ ସହିତ ଯାଉଥିଲେ । ମୋତେ ସେତେବେଳେ ଚାରି-ପାଞ୍ଚ ବର୍ଷ ବୟସ ହୋଇଥିଲା ଏବଂ ମୁଁ ମଧ୍ୟ ସାଙ୍ଗରେ ଯାଉଥିଲି । ମୁଁ ବ୍ୟାଡ୍ମିଣ୍ଟନ ଖେଳିବା ପାଇଁ ଚେଷ୍ଟା କଲି, କିନ୍ତୁ ନେଟ୍ ଯାଏଁ ବି ପହଞ୍ଚିପାରି ନ ଥିଲି । ଏହି କାରଣରୁ ବ୍ୟାଡ୍ମିଣ୍ଟନ ଛାଡ଼ି ସେହି ହଲ୍ରେ ହେଉଥିବା ଚେସ୍ ଖେଳକୁ ଯାଇ ଦେଖିଲି ।”
ଚେସ୍ ଦେଖିବା ପରେ ଦିବ୍ୟା ଏହି ଖେଳ ଆଡ଼କୁ ଆକର୍ଷିତ ହୋଇଥିଲେ ଏବଂ ରାକେଟ୍ ଛାଡ଼ି ଚେସ୍ଗୋଟି ଧରିଥିଲେ । ତାଙ୍କ ବଡ଼ ଭଉଣୀ ପରବର୍ତ୍ତୀ ସମୟରେ ବ୍ୟାଡ୍ମିଣ୍ଟନ ଖେଳିବା ଛାଡ଼ି ଦେଇଥିଲେ; ହେଲେ ସେ ନିଜ ଇଚ୍ଛାଶକ୍ତି ବଳରେ ଏଭଳି ଲକ୍ଷ୍ୟସ୍ଥଳରେ ଯାଇ ପହଞ୍ଚିଥିଲେ, ଯେଉଁଠି ତାଙ୍କ ପୂର୍ବରୁ କୌଣସି ଭାରତୀୟ ମହିଳା ପହଞ୍ଚିପାରି ନ ଥିଲେ ।
ଚେସ୍ରେ ଦିବ୍ୟାଙ୍କ ଆଗ୍ରହ ଦେଖି ତାଙ୍କ ବାପା ଡାଃ ଜିତେନ୍ଦ୍ର ଦେଶମୁଖ ଓ ମା’ ଡାଃ ନମ୍ରତା ଦେଶମୁଖ ନାଗପୁରରେ ନିଜ ଘର ନିକଟସ୍ଥ ଚେସ୍ ଏକାଡେମୀରେ ଝିଅର ନାମ ପଞ୍ଜୀକୃତ କରାଇଥିଲେ । ଦିବ୍ୟା ଦୁଇ ବର୍ଷର ପ୍ରଶିକ୍ଷଣରେ ହିଁ ସୁନାମ ଅର୍ଜନ କରିଥିଲେ । ୨୦୧୨ରେ ସେ ପୁଡୁଚେରୀ ଠାରେ ଆୟୋଜିତ ଜାତୀୟ ଚେସ୍ରେ ସାତ ବର୍ଷରୁ କମ୍ ମୁକୁଟ ଜିତିଥିଲେ । ଏହାପରେ ସେ ପଛକୁ ଫେରି ଚାହିଁ ନ ଥିଲେ ଏବଂ ଧୀରେ ଧୀରେ ଆନ୍ତର୍ଜାତିକ ଚେସ୍ରେ ବି ତାଙ୍କ ଚମକ ଦେଖିବାକୁ ମିଳିଥିଲା ।
୨୦୨୦ ବେଳକୁ ସେ ଭାରତୀୟ ଚେସ୍ ଅଲିମ୍ପିଆଡ୍ ଟିମ୍ର ନିୟମିତ ସଦସ୍ୟ ହୋଇଯାଇଥିଲେ । ସେ ପାଞ୍ଚ ଥର ବିଶ୍ୱବିଜେତା ବିଶ୍ୱନାଥନ ଆନନ୍ଦଙ୍କ ଠାରୁ ଟିପ୍ସ ପାଇଥିଲେ, ଯାହା ଫଳରେ ତାଙ୍କ ଖେଳରେ ସୁଧାର ହୋଇଥିଲା । ୨୦୨୩ରେ ସେ ପ୍ରଥମେ ମହିଳା ଗ୍ରାଣ୍ଡ୍ମାଷ୍ଟର ଓ ଏହାପରେ ଆନ୍ତର୍ଜାତିକ ମାଷ୍ଟର ଉପାଧି ପାଇଥିଲେ ।
ଧୋନିଙ୍କ ସହ ତୁଳନା କଲେ କୋଚ୍
ଦିବ୍ୟାଙ୍କ ପ୍ରାରମ୍ଭିକ କୋଚ୍ ଶ୍ରୀନାଥ ନାରାୟଣନ୍ ନୂଆ ବିଶ୍ୱବିଜୟିନୀଙ୍କୁ ଖୁବ୍ ପ୍ରତିଭାଶାଳୀ ଅଭିହିତ କରିବା ସହ ତାଙ୍କୁ ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ତୁଳନା କରିଛନ୍ତି ।
ଶ୍ରୀନାଥଙ୍କ କହିବାନୁଯାୟୀ, “ଦିବ୍ୟା ଖୁବ୍ ଆକ୍ରମଣାତ୍ମକ ଖେଳାଳି । ଏବେ ସେ ଅଲ୍ରାଉଣ୍ଡର୍ ଓ ବହୁମୁଖୀ ହୋଇଗଲେଣି । ମୋତେ ଲାଗୁଛି ଯେ ସେ ସମସ୍ତ ଫର୍ମାଟ୍ (କ୍ଲାସିକାଲ୍, ରାପିଡ୍ ଓ ବ୍ରିଜ୍)ରେ ସମାନ ରୂପରେ ଉତ୍ତମ ଖେଳାଳି ।”
“କଠିନ ପରିସ୍ଥିତିରେ ତାଙ୍କ ଖେଳରେ ଅଧିକ ପରିପକ୍ୱତା ଆସିଥାଏ । ସେ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି, ଯିଏ ଶେଷ ଓଭର୍ଗୁଡ଼ିକରେ ମ୍ୟାଚ୍ର ଦିଗ ବଦଳାଇ ଦେଉଥିଲେ । ଧୋନିଙ୍କ ସହ ତାଙ୍କ ଧୈର୍ଯ୍ୟର ତୁଳନା କରାଯାଇପାରିବ । ମୁଁ ଅନେକ ସମୟରେ ଦେଖିଛି ଯେ ଦିବ୍ୟା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ଗୁଡ଼ିକରେ ଚାପରେ ଅବିଶ୍ୱସନୀୟ ଭାବରେ ଭଲ ପ୍ରଦର୍ଶନ କରିଥା’ନ୍ତି ।”
ବିଶ୍ୱକପ୍ ଫାଇନାଲ୍: ଦୁଇ ପିଢ଼ି ମଧ୍ୟରେ ଶ୍ରେଷ୍ଠତାର ଲଢ଼େଇ
ନିକଟରେ ଜର୍ଜିଆର ବାତୁମି ଠାରେ ଆୟୋଜିତ ଫିଡେ ମହିଳା ବିଶ୍ୱକପ୍ ୨୦୨୫ରେ ଦିବ୍ୟା ଟପ୍ ଫେଭରିଟ୍ଙ୍କ ମଧ୍ୟରେ ନ ଥିଲେ । କିନ୍ତୁ ନିର୍ଭୀକ ଭାବେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଅନେକ ଟପ୍ ରାଙ୍କ୍ର ଖେଳାଳିଙ୍କୁ ହରାଇଥିଲେ । ତାଙ୍କ ସଫଳତା ବିଶ୍ୱ ମଞ୍ଚରେ ଭାରତୀୟ ଚେସ୍ର ନବୋଦିତ ପିଢ଼ିର ଉତ୍ସାହ ବର୍ଦ୍ଧନ କରିଥିଲା ।
ବିଶ୍ୱ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା କୋନେରୁ ହମ୍ପି ଓ ୧୮ତମ ସ୍ଥାନରେ ଥିବା ଦିବ୍ୟା ଦେଶମୁଖଙ୍କ ମଧ୍ୟରେ ଫାଇନାଲ୍ ମୁକାବିଲା ହୋଇଥିଲା । ଏହା ଦୁଇ ପିଢ଼ି ମଧ୍ୟରେ ଶ୍ରେଷ୍ଠତାର ଲଢ଼େଇ ଥିଲା । ଦିବ୍ୟା ନିଜଠାରୁ ଦୁଇ ଗୁଣ ବୟସର ଅଭିଜ୍ଞ ତଥା କେତେକ ଗୁରୁତ୍ୱପୂର୍ଣ୍ଣ ମୁକୁଟ ଜିତିଥିବା ହମ୍ପିଙ୍କୁ ପରାଜିତ କରିଥିଲେ ।
ହମ୍ପିଙ୍କୁ ୩୮ ବର୍ଷ ବୟସ ଆଉ ଦିବ୍ୟାଙ୍କୁ ୧୯ ବର୍ଷ । ଖାଲି ସେତିକି ନୁହେଁ, ହମ୍ପି ୨୦୧୪ରେ ବିବାହ କରିସାରିଛନ୍ତି ଏବଂ ତାଙ୍କର ଗୋଟିଏ ଝିଅ ବି ଅଛି । ଝିଅ ଜନ୍ମ ଯୋଗୁଁ ସେ ପ୍ରାୟ ଦୁଇ ବର୍ଷ ଧରି ପ୍ରତିଦ୍ୱନ୍ଦ୍ୱିତାମୂଳକ ଚେସ୍ ଠାରୁ ଦୂରରେ ଥିଲେ ।
ହମ୍ପିଙ୍କ ଚେସ୍ କ୍ୟାରିଅର ଦୀର୍ଘ, କିନ୍ତୁ ୨୦୧୭ରେ ଝିଅ ଜନ୍ମ ପରେ ହିଁ ତାଙ୍କୁ ବଡ଼ ସଫଳତା ମିଳିଥିଲା । ସେ ୨୦୧୯ ଓ ୨୦୨୪ରେ ବିଶ୍ୱ ରାପିଡ୍ ଚେସ୍ ମୁକୁଟ ଜିତିଥିଲେ । ୩୭ ବର୍ଷ ବୟସରେ ପହଞ୍ଚିବା ଓ ସଫଳତା ମିଳିବା ବନ୍ଦ ହୋଇଯିବା ପରେ ସେ ଅବସର ନେବା ବିଷୟରେ ଚିନ୍ତା କରିଥିଲେ, କିନ୍ତୁ ବିଶ୍ୱ ରାପିଡ୍ ଚେସ୍ ଜିତିବା ପରେ ଖେଳ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ ।
ହମ୍ପି ଓ ଦିବ୍ୟା ଉଭୟ ସେମିଫାଇନାଲ୍ରେ ଚୀନା ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଥିଲେ । କିନ୍ତୁ ଦିବ୍ୟାଙ୍କ ତୁଳନାରେ ହମ୍ପିଙ୍କୁ ଅଧିକ ସଂଘର୍ଷ କରିବାକୁ ପଡ଼ିଥିଲା । ଫାଇନାଲ୍ରେ ଦୁଇ କ୍ଲାସିକାଲ୍ ଗେମ୍ ଡ୍ର’ ରହିବା ପରେ ମୁକାବିଲା ରାପିଡ୍ ଟାଇଟ୍ରେକ୍କୁ ଯାଇଥିଲା । ଶେଷରେ ଦିବ୍ୟା ବାଜିମାତ୍ କରିଥିଲେ ।
ଦିବ୍ୟା ବିଶ୍ୱ ମୁକୁଟ ଜିତିବା ସହିତ ଭାରତର ଚତୁର୍ଥ ମହିଳା ଓ ଓଭରାଲ୍ ୮୮ତମ ଖେଳାଳି ଭାବେ ଗ୍ରାଣ୍ଡମାଷ୍ଟର ଉପାଧି ପାଇଛନ୍ତି । ସେ ଆସନ୍ତା ବର୍ଷ ହେବାକୁ ଥିବା ମହିଳା କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଗତ କିଛି ବର୍ଷ ଧରି ଭାରତୀୟ ଚେସ୍ ସ୍ୱର୍ଣ୍ଣିମ ସମୟ ଦେଇ ଗତି କରୁଛି । ଆନ୍ତର୍ଜାତିକ ସ୍ତରରେ ଅନେକ ପ୍ରତିଯୋଗିତାରେ ଭାରତର ଯୁବ ଖେଳାଳି ନିଜ ଛାପ ଛାଡ଼ିପାରିଛନ୍ତି । ଏହି କ୍ରମରେ ବିଶ୍ୱ ମୁକୁଟ ଜିତି ଦିବ୍ୟା ମଧ୍ୟ ଏକ ଚମକପ୍ରଦ ଅଧ୍ୟାୟ ଯୋଡ଼ିଛନ୍ତି ।
ଦୃଢ଼ ମନୋବଳ ଓ ପ୍ରଦର୍ଶନରେ ନିରନ୍ତରତା ବଜାୟ ରଖିଲେ, ତାଙ୍କ କ୍ୟାରିଅର୍ ଦୀର୍ଘସ୍ଥାୟୀ ହୋଇପାରିବ ଏବଂ ସେ ଅଧିକରୁ ଅଧିକ ସଫଳତା ହାସଲ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)