Advertisment

South African Cricketer Hansie: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଦକ୍ଷିଣ ଆଫ୍ରିକାର କଳଙ୍କିତ ଅଧିନାୟକ ହାନ୍‌ସୀ କ୍ରୋନିଏ

ଆନ୍ତର୍ଜାତିକ କ୍ୟାରିଅର୍‌ର ମଧ୍ୟଭାଗରେ ନାୟକରୁ ଖଳନାୟକ ସାଜିଥିଲେ ଦକ୍ଷିଣ ଆଫ୍ରିକାର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ପରିଗଣିତ ହାନ୍‌ସୀ କ୍ରୋନିଏ । ମ୍ୟାଚ୍ ଫିକ୍ସିଂରେ ସମ୍ପୃକ୍ତି ଯୋଗୁଁ ତାଙ୍କ ଉଲ୍ଲେଖନୀୟ କ୍ୟାରିଅର୍‌ର ହୋଇଥିଲା ନାଟକୀୟ ପତନ । ଏହାପରେ ମାତ୍ର ୩୨ ବର୍ଷ ବୟସରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଏହି କଳଙ୍କିତ କ୍ରିକେଟର୍ ।

author-image
Biswajit Mohanty
ଅଦ୍ୟତନ ହୋଇଛି
କଳଙ୍କିତ କ୍ୟାପଟେନ୍

କଳଙ୍କିତ କ୍ୟାପଟେନ୍

ନିକଟରେ ଅହମଦାବାଦ ଠାରେ ସଂଘଟିତ ଘଟଣାକୁ ଇତିହାସର ସବୁଠାରୁ ମର୍ମନ୍ତୁଦ ବିମାନ ଦୁର୍ଘଟଣା ମଧ୍ୟରେ ଗଣନା କରାଯାଉଛି । ଏଥିରେ ଜଣେ ଯାତ୍ରୀ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତିଯାଇଥିଲେ, କିନ୍ତୁ କେବିନ୍ କ୍ରୁ’ଙ୍କ ସମେତ ବିମାନରେ ଯାତ୍ରା କରୁଥିବା ଅବଶିଷ୍ଟ ୨୪୧ ଜଣ ଲୋକ ପ୍ରାଣ ହରାଇଥିଲେ । ଏହା ଅନ୍ୟ ବିମାନ ଦୁର୍ଘଟଣାକୁ ମନେ ପକାଇଦେଉଛି । ସେଥିମଧ୍ୟରେ ଗୋଟିଏ ଘଟଣା ଥିଲା ୨୦୦୨ ଜୁନ୍ ୧ରେ ଦକ୍ଷିଣ ଆଫ୍ରିକାର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ ହାନ୍‌ସୀ କ୍ରୋନିଏଙ୍କ ବିମାନ ଦୁର୍ଘଟଣା, ଯେଉଁଥିରେ ମାତ୍ର ୩୨ ବର୍ଷ ବୟସରେ ଏହି କ୍ରିକେଟର୍‌ଙ୍କ ଅକାଳ ବିୟୋଗ ଘଟିଥିଲା ।  

Advertisment

କିନ୍ତୁ କ୍ରୋନିଏଙ୍କ ମୃତ୍ୟୁକୁ ନେଇ ବେଶୀ ଶୋକପ୍ରକଟ କରାଯାଇ ନ ଥିଲା । ଏହାର କାରଣ ଥିଲା ତାଙ୍କ କଳଙ୍କିତ ବ୍ୟକ୍ତିତ୍ୱ । ମ୍ୟାଚ୍ ଫିକ୍ସିଂରେ ସମ୍ପୃକ୍ତି ଯୋଗୁଁ ତାଙ୍କୁ କ୍ରିକେଟ୍‌ରୁ ଆଜୀବନ ବାସନ୍ଦ କରାଯାଇଥିଲା ଏବଂ ତାଙ୍କ ଉଲ୍ଲେଖନୀୟ କ୍ୟାରିଅର୍‌ର ନାଟକୀୟ ପତନ ଘଟିଥିଲା ।
ଦକ୍ଷିଣ ଆଫ୍ରିକାର ସବୁଠୁ ସଫଳ ଅଧିନାୟକଙ୍କ ମଧ୍ୟରେ ପରିଗଣିତ କ୍ରୋନିଏ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଇତିହାସର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି । ପଡ଼ିଆରେ ତାଙ୍କ ରଣନୀତିକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା ।  କ୍ରୋନିଏଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ୧୯୯୮ରେ ନକ୍‌ଆଉଟ୍ ଟ୍ରଫି ରୂପରେ ପ୍ରଥମ ଥର ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଥିଲା ।

ଏହାଛଡ଼ା ଟିମ୍ ୧୯୮୭ ପରେ ଭାରତ ମାଟିରେ ୨-୦ରେ ଟେଷ୍ଟ ସିରିଜ୍ ଜିତିବାରେ ସଫଳ ହୋଇଥିଲା । ସେ ୫୩ ଟେଷ୍ଟ ଓ ୧୩୮ ଦିନିକିଆ ଆନ୍ତର୍ଜାତିକରେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେଇଥିଲେ । ସେଥିମଧ୍ୟରୁ ଟିମ୍ ୨୭ ଟେଷ୍ଟ ଓ ୯୯ ଦିନିକିଆ ଆନ୍ତର୍ଜାତିକ ଜିତିଥିଲା । ୧୯୯୯ ବିଶ୍ୱକପ୍‌ରେ ତାଙ୍କ ଅଧିନାୟକତ୍ୱରେ ଟିମ୍ ସେମିଫାଇନାଲ୍‌ରେ ପହଞ୍ଚିଥିଲା । ଅଲ୍‌ରାଉଣ୍ଡର୍ କ୍ରୋନିଏ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍‌ରେ ୬୮ ଟେଷ୍ଟ ଓ ୧୮୮ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ସେ ଆଠ ଶତକ ସମେତ ୯୦୦୦ରୁ ଅଧିକ ଆନ୍ତର୍ଜାତିକ ରନ୍ କରିଥିବା ବେଳେ ବୋଲିଂରେ ୧୫୭ ୱିକେଟ୍ ନେଇଥିଲେ । ଏହାଛଡ଼ା ସେ ପ୍ରଥମ-ଶ୍ରେଣୀ କ୍ରିକେଟ୍‌ରେ ୧୨୦୦୦ରୁ ଅଧିକ ରନ୍ କରିଥିଲେ ଏବଂ ୧୦୦ରୁ ଅଧିକ ୱିକେଟ୍ ପାଇଥିଲେ ।

Advertisment

କ୍ରୋନିଏଙ୍କ ବୋଲିଂକୁ ଭୟ କରୁଥିଲେ ତେନ୍ଦୁଲକର !

‘କ୍ରିକେଟ୍‌ର ଭଗବାନ’ ବିବେଚିତ ସଚିନ ତେନ୍ଦୁଲକର ନିଜ କ୍ୟାରିଅର୍‌ରେ କେବେ ବି  ମିଡିଅମ୍ ପେସର୍ କ୍ରୋନିଏଙ୍କ ବୋଲିଂକୁ ବୁଝିପାରି ନ ଥିଲେ । ସେ ଅନେକ ଥର ଏ ବିଷୟରେ ଉଲ୍ଲେଖ କରିଛନ୍ତି । ଥରେ ସଚିନ କହିଥିଲେ, “ହାନ୍‌ସୀ ମୋତେ ଅନ୍ୟ ବୋଲର୍‌ଙ୍କ ତୁଳନାରେ ବେଶୀ ହଇରାଣ କରିଛନ୍ତି । ଯେତେବେଳେ ବି ଆମେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳୁଥିଲୁ, ହାନ୍‌ସୀ ମୋତେ ଆଉଟ୍ କରିବାରେ ଆଲାନ୍ ଡୋନାଲ୍ଡ ଓ ଶନ୍ ପୋଲକଙ୍କ ଠାରୁ ଆଗରେ ରହୁଥିଲେ ।”

ମ୍ୟାଚ୍ ଫିକ୍ସିଂରେ ସମ୍ପୃକ୍ତି ଓ କ୍ୟାରିଅର୍‌ର ପତନ

ନାୟକରୁ ଖଳନାୟକ ହେବାରେ କ୍ରୋନିଏଙ୍କୁ ବେଶୀ ସମୟ ଲାଗି ନ ଥିଲା । ଦକ୍ଷିଣ ଆଫ୍ରିକୀୟ କ୍ରିକେଟ୍‌କୁ ତୁଙ୍ଗ ଶିଖରରେ ପହଞ୍ଚାଇଥିବା ଜଣେ ନାୟକ ଅଚାନକ ଖଳନାୟକ ପାଲଟିଥିଲେ । ତାଙ୍କ ବିରୋଧରେ ଭାରତ ବିପକ୍ଷ ମ୍ୟାଚ୍‌କୁ ଫିକ୍ସ କରିବାର ଅଭିଯୋଗ ଆସିଥିଲା ପ୍ରଥମାବସ୍ଥାରେ କ୍ରୋନିଏ ମ୍ୟାଚ୍ ଫିକ୍ସ କରିବା ପାଇଁ ଭାରତୀୟ ବେଟିଂ ସିଣ୍ଡିକେଟ୍‌ର ଜଣେ ପ୍ରତିନିଧିଙ୍କ ଠାରୁ ଅର୍ଥ ନେଇଥିବା କଥାକୁ ଅସ୍ୱୀକାର କରିଥିଲେ, ହେଲେ ପରେ ସେ ଏହାକୁ ମାନିଥିଲେ । ସେ ଦକ୍ଷିଣ ଆଫ୍ରିକାର କ୍ରିକେଟ୍ ବୋର୍ଡ ଆଗରେ ନିଜ ବିରୋଧରେ ଆଗତ ଅଭିଯୋଗକୁ ସ୍ୱୀକାର କରିଥିଲେ । ୨୦୦୦ରେ ଏହାକୁ ନେଇ କ୍ରିକେଟ୍ ଜଗତରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।

ପରବର୍ତ୍ତୀ ସମୟରେ କିଙ୍ଗ୍ କମିଶନ୍‌ଙ୍କ ତଦନ୍ତ ସମୟରେ କ୍ରୋନିଏ କାନ୍ଦି ପକାଇଥିଲେ ଏବଂ ନିଜ ଅପରାଧକୁ ସ୍ୱୀକାର କରିଥିଲେ । ଦକ୍ଷିଣ ଆଫ୍ରିକାର ଏହି ଅଧିନାୟକଙ୍କୁ ମ୍ୟାଚ୍ ଫିକ୍ସିଂ ଅପରାଧ ପାଇଁ କଠୋର ଦଣ୍ଡ ଦିଆଯାଇଥିଲା । ତାଙ୍କୁ କ୍ରିକେଟ୍ ସହ ସଂଶ୍ଳିଷ୍ଟ କାର୍ଯ୍ୟକଳାପ ଠାରୁ ଆଜୀବନ ବାସନ୍ଦ କରାଯାଇଥିଲା । ଏହା ଫଳରେ ତାଙ୍କ କ୍ରିକେଟ୍ କ୍ୟାରିଅର୍ ଅଧାରୁ ଅଟକି ଯାଇଥିଲା । ଏହି ମାମଲାରେ ହର୍ଶଲ ଗିବ୍ସ, ନିକୀ ବୋଏଙ୍କ ଭଳି ଖେଳାଳିଙ୍କ ନାମ ବି ଉଜାଗର ହୋଇଥିଲା । ତେବେ କେବଳ କ୍ରୋନିଏ ହିଁ ଆଜୀବନ ବାସନ୍ଦ ହୋଇଥିଲେ ।  

କ୍ରିକେଟ୍‌ରୁ ବାସନ୍ଦ ହେବା ପରେ ଅକାଳ ବିୟୋଗ

କ୍ରିକେଟ୍‌ରୁ ବାସନ୍ଦ ହେବା ପରେ କ୍ରୋନିଏ ଏକ ବିମାନ ଦୁର୍ଘଟଣାରେ  ପ୍ରାଣ ହରାଇଥିଲେ । ମୃତ୍ୟୁବେଳକୁ ତାଙ୍କ ବୟସ ହୋଇଥିଲା ମାତ୍ର ୩୨ ବର୍ଷ । ଦକ୍ଷିଣ ଆଫ୍ରିକାରେ ଏକ ପର୍ବତଶୃଙ୍ଗ ଅତିକ୍ରମ କରୁଥିବା ବେଳେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ସହିତ ସେ ସତେ ଯେମିତି କ୍ରିକେଟ୍‌ର ଇତିହାସ ପୃଷ୍ଠାରୁ ହଜିଯାଇଥିଲେ । କିନ୍ତୁ ତାଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଯାଇଛି । ହାନ୍‌ସୀ ଓ ତାଙ୍କ ପତ୍ନୀ ବର୍ଥାଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ । ହାନ୍‌ସୀଙ୍କ ମୃତ୍ୟୁ ପରେ ବର୍ଥା ୨୦୦୩ରେ ଦ୍ୱିତୀୟ ବିବାହ କରିଥିଲେ ।

South Africa International Cricket Plane Crash
Advertisment
Advertisment