• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୂତି ଚାନ୍ଦଙ୍କ ଏକ ପୋଷ୍ଟକୁ ନେଇ ବିବାଦ ଆରମ୍ଭ ହୋଇଛି । ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଦୂତିଙ୍କ ପୋଷ୍ଟର ଜବାବରେ ଟୁଇଟ୍ ମାଧ୍ୟମରେ ଏହାର ତୀବ୍ର ନିନ୍ଦା କରିଛନ୍ତି । ଦୂତୀ ନିଜ ଫେସବୁକ୍‌ରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଖେଳାଳିଙ୍କ ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଉନଥିବା କହି ସେ ସମାଲୋଚନା କରିଥିଲେ । ହେଲେ ଫେସବୁକ୍ ପୋଷ୍ଟ କରିବାର କିଛି ସମୟ ପରେ ପୋଷ୍ଟକୁ ଡିଲିଟ୍‌ କରିଛନ୍ତି ଦୂତୀ ।

ଏହାର ଜବାବରେ ହକି ତାରକା ଦିଲ୍ଲୀପ ତିର୍କୀ ଟୁଇଟ୍‌ କରିଛନ୍ତି, “ଜଣେ ଖେଳାଳି ଭାବେ ମୁଁ ଆଉ ଜଣେ ଖେଳାଳିଙ୍କ ଏଭଳି ମନ୍ତବ୍ୟକୁ ଘୋର ନିନ୍ଦା କରୁଛି। ରାଜ୍ୟ ସରକାର ପ୍ରତ୍ୟେକ ଖେଳକୁ ସମାନ ଗୁରୁତ୍ଵ ଦେଇ ଆସୁଛନ୍ତି। ସେ ହକି ହେଉ କିମ୍ବା ଅନ୍ୟ କୌଣସି ଖେଳ। ଅଲମ୍ପିକ୍ସରେ ମେଡାଲ ଜିତିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ। ଆଜି ଭୁବନେଶ୍ୱରକୁ (ଓଡ଼ିଶା) କାହିଁକି ସ୍ପୋର୍ଟସ କ୍ୟାପିଟାଲ କୁହାଯାଉଛି ତାହା କାହାକୁ ଅଛପା ନାହିଁ। କ୍ରୀଡା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରଥମ ପରିଚୟ ହକି ହିଁ ଦେଇଛି । ବୋଧ ହୁଏ ଅନେକ ଖେଳାଳି ଏହା ଜାଣି ନାହାନ୍ତି। ଏହି ଭଳି ମନ୍ତବ୍ୟ ଅନ୍ୟ ଖେଳାଳିଙ୍କ ପ୍ରତି ଗ୍ରହଣୀୟ ନୁହେଁ । ନିଜେ ଜଣେ ଖେଳାଳି ହେଇ ଅନ୍ୟ ଖେଳାଳିଙ୍କୁ ସମ୍ମାନ ଦେଇ ଶିଖିବା ଉଚିତ୍”।

ପୁଣି ବାହାରିଲା ଦୂତୀଙ୍କ ବାଚାଳାମି । ପ୍ରଥମେ ସରକାରଙ୍କୁ ଟାର୍ଗେଟ୍‌ କଲେ ପରେ ଭୁଲିଗଲେ । ଆମେ କହୁଛୁ ଓଡ଼ିଆ ଧାବିକା ତଥା ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ କଥା । ଦୂତୀ ନିଜ ଫେସ୍‌ବୁକ୍‌ରେ ଲେଖିଥିଲେ ଯେ, ‘ରାଜ୍ୟ ସରକାର କୋଟି କୋଟି ଟଙ୍କାର ଭିତ୍ତିଭୂମି ପ୍ରସ୍ତୁତ କରିବାରେ ବ୍ୟସ୍ତ । କିନ୍ତୁ ଏପଟେ କ୍ରୀଡ଼ାବିତ୍‌ମାନେ ଦିନକୁ ଦିନ ହଜିଗଲେଣି । ଖେଳକୁ ନେଇ ରାଜ୍ୟରେ ରାଜନୀତି ଚାଲିଛି । ଆପଣ ଖାଲି ସେହି ହକି ଇଣ୍ଡିଆକୁ ଧରି ନାଚୁଥାନ୍ତୁ । ବାକି ଖେଳ ସବୁ ଚୁଲିକୁ ଯାଉ । ହକି ଟିମ୍‌ ଇଣ୍ଡିଆ ପାଇଁ ଖର୍ଚ୍ଚ କରିବାକୁ କୋଟି କୋଟି ଟଙ୍କା ରହିଛି, ହେଲେ ଆଥ୍‌ଳେଟିକ୍ସ ପାଇଁ କିଛି ନାହିଁ । ଏ ହକି ବାଡ଼ି କେତେ ଦିନ ଚାଲିବ ? ପୁରୁଣା ହେଲେ ଆପେ ଆପେ ଫାଟିଯିବ । ସବୁ ପ୍ରହସନ ।’

ଖାଲି ସେତିକି ନୁହେଁ, ‘ସେ ଆହୁରି ଲେଖିଥିଲେ, ସରକାର କ’ଣ ଏଇ ସବୁ ଲୋକାଲ ମିଟ୍‌ରେ ମେଡାଲ ଜିତିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ।ରିଲାଏନ୍ସ ପିଲାଙ୍କ ପାଇଁ ଭଲ ଟ୍ରେନିଂ ସେଣ୍ଟର ଚାଲିଛି ଓଡ଼ିଶାରେ । ଏତେ ସବୁ ସୁବିଧା ପାଇବା ପରେ ବି ୪ ବର୍ଷ ହେଲା ଜଣେ ବି ଆନ୍ତର୍ଜାତୀୟ ଖେଳାଳି ବାହାରି ନାହନ୍ତି । ଶେଷରେ ସେ ଲେଖିଛନ୍ତି ଖେଳ ନାଁରେ ଓଡ଼ିଶା ସରକାରଙ୍କ ଟଙ୍କାକୁ ଖୋଳ କରିସାରିଲେଣି ।’

ସବୁଠାରୁ ବଡ଼ କଥା ହେଲା ଦୂତୀ ଏଭଳି ପୋଷ୍ଟ କରିବା ପରେ ଏହା ଉପରେ ନଜର ମଧ୍ୟ ରଖିଥିଲେ । ଆଉ ସେହି ପୋଷ୍ଟରେ ଯେଉଁ ସବୁ କମେଣ୍ଟ କିମ୍ବା ପ୍ରଶ୍ନ ଆସୁଥିଲା ତାର ଉତ୍ତର ମଧ୍ୟ ରଖିଥିଲେ ।

ଦୂତୀ ନିଜ ପୋଟ ଡିଲିଟ୍‌ କରିଥିଲେ ମଧ୍ୟ ଏହାର ସ୍କ୍ରିନ୍‌ ସଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତିକି ହକି ପ୍ରତି ଦୂତୀଙ୍କ ଏଭଳି ମନୋଭାବକୁ ଦେଖି ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି । କିଛି ହକି ଖେଳ ପ୍ରେମୀ ଦୂତୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now