• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇଂଲଣ୍ତ ବିପକ୍ଷ ଟେଷ୍ଟରେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ରେକର୍ଡ ବିଜୟ । ଦୀପ୍ତି ଶର୍ମାଙ୍କ ଅଲରାଉଣ୍ତ ପ୍ରଦର୍ଶନ ବଳରେ ଇଂଲଣ୍ତକୁ ଧୂଳି ଚଟାଇଛି ଟିମ୍‌ ଇଣ୍ତିଆ । ଟିମ୍‌ ଇଣ୍ତିଆର ବିଶାଳ ସ୍କୋର୍‌ ଆଗରେ ଇଂଲଣ୍ତ ଟିମ୍‌ ସରେଣ୍ତର କରିଛି । ଦୀପ୍ତି ଶର୍ମାଙ୍କ ସ୍ପିନ୍‌ରେ ଜଣକ ପରେ ଜଣେ ଇଂଲିସ୍‌ ବ୍ୟାଟ୍ସମ୍ୟାନ୍‌ ପାଭେଲିଅନ୍‌କୁ ଫେରିଥିଲେ । ଦୁଇ ଦେଶ ମଧ୍ୟରେ ଖେଳା ଯାଉଥିବା ଏକମାତ୍ର ଟେଷ୍ଟକୁ ମାତ୍ର ଅଢ଼େଇ ଦିନରେ ଶେଷ କରି ଭାରତୀୟ ମହିଳା ଟିମ୍‌ ନୂଆ ରେକର୍ଡ କରିଛି ।

ମୁମ୍ବାଇ ଡି.ୱାଇ ପାଟିଲ୍‌ ଷ୍ଟାଡିୟମରେ ଖେଳାଯାଇଥିଲା ଇଂଲଣ୍ତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ୩୪୭ ରନ୍‌ରେ ବିଜୟ ହାସଲ କରିଛି ଭାରତ । ମହିଳା ଟେଷ୍ଟରେ ଏହା ସର୍ବବୃହତ ବିଜୟ । ସେହିପରି ଭାରତୀୟ ମହିଳା ଟିମ ପ୍ରଥମଥର ପାଇଁ ଘରୋଇ ପରିବେଶରେ ଇଂଲଣ୍ଡକୁ ହରାଇବାକୁ ମଧ୍ୟ ସକ୍ଷମ ହୋଇଛି। ଏହାପୂର୍ବରୁ ଦୁଇ ଟିମ୍‌ ମଧ୍ୟରେ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳାଯାଇଥିଲା । ଯେଉଁଥିରେ ୧-୨ ରେ ଭାରତ ସିରିଜ୍‌ ହାରିଥିଲା ।

ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଭାରତୀୟ ଟିମର ଅଫ୍‌ ସ୍ପିନର୍‌ ଦୀପ୍ତି ଶର୍ମାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି । ସେ ଦୁଇଟି ଇନିଂସରେ ୯ଟି ୱିକେଟ୍‌ ନେଇଛନ୍ତି । ଟିମ୍‌ ଇଣ୍ତିଆ ପ୍ରଥମ ଇନିଂସରେ ୪୨୮ ରନ୍‌ର ବିଶାଳ ସ୍କୋର୍‌ ଠିଆ କରିଥିଲା । ଜବାବରେ ଇଂଲଣ୍ତ ମାତ୍ର ୧୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଟିମ୍‌ ଇଣ୍ତିଆ ଦ୍ୱିତୀୟ ଇନିଂସରେ ୧୮୬ ରନ୍‌ କରି ଇନିଂସ ଘୋଷଣା କରିଥିଲା । ବିଜୟ ପାଇଁ ଇଂଲଣ୍ତ ପାଇଁ ୪୭୯ ରନ୍‌ର ବିଶାଳ ସ୍କୋର୍‌ ରହିଥିଲା । ଦୀପ୍ତି ଶର୍ମାଙ୍କ ବଲ୍‌ରେ ଗୋଟିକ ପରେ ଗୋଟିଏ ଖେଳାଳି ଆଉଟ୍‌ ହୋଇଥିଲେ । ଯାହାଫଳରେ ଇଂଲଣ୍ତ କେବଳ ୧୩୧ ରନ୍‌ ହିଁ କରିପାରିଥିଲା ।

ଭାରତୀୟ ମହିଳା ଦଳ ଦୁଇ ବର୍ଷ ହେଲା କୌଣସି ଟେଷ୍ଟ ମ୍ୟାଚ୍‌ ଖେଳି ନଥିଲା । ସେହିପରି ୯ ବର୍ଷ ପରେ ଦଳ ଘରୋଇ ମାଟିରେ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳୁଥିଲା । ଏହି ମ୍ୟାଚ୍‌କୁ ଅଢ଼େଇ ଦିନରେ ଶେଷ କରି ଦଳ ତା’ର ପରାକ୍ରମ ଦେଖାଇଛି ।