• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ଗୋଲ୍ଡେନ୍ ଡେ । ଗୋଟିଏ ଦିନରେ ୪ଟି ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ସହ ମୋଟ ୧୪ଟି ମେଡାଲ୍ ହାତେଇଛି ଭାରତ । ଯାହା ଚଳିତ କମନ୍‌ୱେଲ୍ଥ ଗେମ୍‌ସରେ ଦିନକରେ ଏତେ ସଂଖ୍ୟକ ପଦକ ଜିତିବାରେ ପ୍ରଥମ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ନବମ ଦିନରେ ଭାରତକୁ କୁସ୍ତିରେ ୩ଟି ଏବଂ ଟେବୁଲ ଟେନିସ୍‌ରେ ଗୋଟିଏ ସ୍ୱର୍ଣ୍ଣ ମିଳିଛି ।

୫୩ କେଜି ବର୍ଗ ମହିଳା କୁସ୍ତିରେ ଭିନେଶ ଫୋଗଟ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଲଗାତାର ଭାବେ ତିନିଟି କମନ୍‌ୱେଲ୍ଥ ଗେମ୍‌ସରେ ଗୋଲ୍ଡ ମେଡାଲ୍ ହାସଲ କରିଛନ୍ତି ଭିନେଶ୍ । ୨୦୧୪ ଗ୍ଲାସଗୋ, ୨୦୧୮ ଗୋଲ୍ଡ କୋଷ୍ଟ ଏବଂ ୨୦୨୨ ବର୍ମିଂହାମ‌‌ରେ ବି ସ୍ୱର୍ଣ୍ଣ ହାସଲ କରିଛନ୍ତି । ଖାଲି ଏତିକି ନୁହେଁ ଭିନେଶ, ଭାରତର ପ୍ରଥମ ମହିଳା କୁସ୍ତି ଯୋଦ୍ଧା, ଯିଏ କମନ୍‌ୱେଲ୍ଥ ଓ ଏସିଆନ୍ ଗେମ୍‌ସରେ ସ୍ୱର୍ଣ୍ଣ ପଦକକୁ ନିଜ ନାଁରେ କରିଛନ୍ତି ।

ଖାଲି ସେତିକି ନୁହେଁ ୫୭ କେଜି ପୁରୁଷ ବର୍ଗରେ ରବି ଦାହିୟାଙ୍କୁ ବି ମିଳିଛି ସ୍ୱର୍ଣ୍ଣ ପଦକ । ୫୭ କେଜି ପୁରୁଷ ବର୍ଗର ପ୍ରଥମ ରାଉଣ୍ଡରେ ହିଁ ନାଇଜେରିଆନ୍ କୁସ୍ତି ଯୋଦ୍ଧାଙ୍କୁ ଚିତପଟାଙ୍ଗ କରିଛନ୍ତି ରବି । ପୁରୁଷ ୭୪ କିଲୋ ବର୍ଗରେ ଭାରତର ନବୀନ ମଧ୍ୟ ସ୍ୱର୍ଣ୍ଣ ହାତେଇଛନ୍ତି । ପାକିସ୍ତାନ ଖେଳାଳି ମହମ୍ମଦ ସରିଫ୍‌ଙ୍କୁ ୯-୦ରେ ମାତ୍ ଦେଇ ସ୍ୱର୍ଣ୍ଣ ଜିତିଛନ୍ତି ନବୀନ । ସେହିପରି ପାରା ଟେବୁଲ ଟେନିସ୍ ମହିଳା ସିଙ୍ଗଲ୍ସରେ ଭାରତର ଭାବିନା ପଟ୍ଟେଲ ମଧ୍ୟ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି ।

ସିଲ୍‌ଭର୍ ମେଡାଲ୍ କଥା ଦେଖିଲେ ନବମ ଦିନରେ ୩ଟି ସିଲ୍‌ଭର ମେଡାଲ୍ ମିଳିଛି । ଲନ୍‌ବଲ୍‌ସରେ ଭାରତର ପୁରୁଷ ଟିମ୍ ରୌପ୍ୟ ପଦକ ହାତେଇଛି । ପୁରୁଷ ୩ ହଜାର ମିଟର ଷ୍ଟିପଲ୍‌ଚେଜ୍‌ରେ ଭାରତର ଅବିନାଶ ସାବ୍‌ଲେଙ୍କୁ ମିଳିଛି ରୌପ୍ୟ । ସେହିପରି ମହିଳା ୧୦ ହଜାର ମିଟର ଚାଲିରେ ପ୍ରିୟଙ୍କା ଗୋସ୍ୱାମୀ ଜିତିଛନ୍ତି ରୌପ୍ୟ ପଦକ । ରେକର୍ଡ ୪୯ ମିନିଟ ୩୮ ସେକେଣ୍ଡରେ ୧୦ ହଜାର ମିଟର ପାର କରି ବ୍ୟକ୍ତିଗତ ରେକର୍ଡ ଭାଙ୍ଗିଛନ୍ତି ପ୍ରିୟଙ୍କା । ପ୍ରଥମ ଭାରତୀୟ ମହିଳା ଭାବେ ରେସ ଓ୍ୱାକ୍ ବା ଚାଲି ଇଭେଣ୍ଟରେ ପଦକ ଜିତିଛନ୍ତି ପ୍ରିୟଙ୍କା ।

ସେହିଭଳି ଜ୍ୟଗୋଷ୍ଠୀ କ୍ରୀଡ଼ାର ନବମ ଦିନରେ ଭାରତ ପାଇଛି ୭ଟି ବ୍ରୋଞ୍ଜ ମେଡାଲ୍ । ବକ୍ସିଂରେ ଭାରତର ରୋହିତ ଟୋକାସ୍, ମହମ୍ମଦ ହୁସାମୁଦ୍ଦିନ ଓ ଜସ୍ମିନ୍ ଲାମ୍ବୋରିଆ ବ୍ରୋଞ୍ଜ ଆଣିଛନ୍ତି । ସେହିପରି ପୁରୁଷ ୯୭ କେଜି ବର୍ଗ କୁସ୍ତିରେ ଭାରତର ଦୀପକ ନେହରା ପାକିସ୍ତାନର ତାୟବ ରାଜାଙ୍କୁ ହରାଇ ବ୍ରୋଞ୍ଜ ଜିତିଛନ୍ତି । ମହିଳା ଫ୍ରି ଷ୍ଟାଇଲ୍ ୭୬ କେଜି ବର୍ଗ କୁସ୍ତିରେ ଭାରତର ପୂଜା ସିହାଗ୍ ବ୍ରୋଞ୍ଜ ହାତେଇଛନ୍ତି । ସେହିପରି ମହିଳା ୫୦ କିଲୋଗ୍ରାମ ବର୍ଗ କୁସ୍ତିରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ପୂଜା ଗେହଲଟ୍ ପାରା ଟେବଲ ଟେନିସରେ ଭାରତର ସୋନାଲବେନ୍ ପଟ୍ଟେଲ ବ୍ରୋଞ୍ଜ ପଦକ ହାତେଇଛନ୍ତି । ଏଯାଏଁ ୧୩ଟି ସ୍ୱର୍ଣ୍ଣ, ୧୧ ରୌପ୍ୟ ଏବଂ ୧୬ଟି ବ୍ରୋଞ୍ଜ ସହ ମୋଟ ୪୦ଟି ମେଡାଲ୍ ପାଇ ଭାରତ ପଞ୍ଚମ ସ୍ଥାନରେ ରହିଛି ।

ଅନ୍ୟପଟେ ନିଜ ନିଜ ବର୍ଗରେ ଫାଇନାଲକୁ ଯାଇଛନ୍ତି ଭାରତର ତିନି ଜଣ ବକ୍ସର । ମହିଳା ମିନିମମ ୱେଟ୍ ବର୍ଗରେ ନୀତି ଗଙ୍ଘାସ ଏବଂ ଲାଇଟ୍ ଫ୍ଲାଇୱେଟ୍ ବର୍ଗରେ ନିଖତ ଜରୀନ୍ ଫାଇନାଲକୁ ଯାଇଛନ୍ତି । ପୁରୁଷ ଫ୍ଲାଇୱେଟ୍ ବର୍ଗରେ ଅମିତ ପଙ୍ଘଲ ଫାଇନାଲରେ ପ୍ରବେଶ କରିଛନ୍ତି । ସେପଟେ ଫାଇନାଲରେ ପହଁଚିଛନ୍ତି ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ସେମିରେ ଇଂଲଣ୍ଡକୁ ୪ ରନ୍‌ରେ ମାତ୍ ଦେଇ ରାଜ୍ୟଗୋଷ୍ଠୀ କ୍ରୀଡା ଫାଇନାଲକୁ କ୍ୱାଲିଫାଇ କରିଛି ମହିଳା ଟିମ୍ ।

ପୁରୁଷ ହକିରେ ଦକ୍ଷିଣ ଆଫ୍ରିକାକୁ ୩-୨ ଗୋଲ୍‌ରେ ହରାଇ ଫାଇନାଲ୍‌ରେ ପହଞ୍ଚିଛି ଭାରତ । ସେହିପରି ବକ୍ସିଂରେ ଭାରତର ସାଗର ଅହ୍ଲଓ୍ୱାତ୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ବ୍ୟାଡ୍‌ମିଣ୍ଟନ ମେନ୍‌ସ ସିଙ୍ଗଲ କ୍ୱାଲିଫାୟାରରେ ଇଂଲଣ୍ଡର ଟୋବ୍ୟଙ୍କୁ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା କାଦମ୍ବି ଶ୍ରୀକାନ୍ତ । ମ୍ୟାଲେସିଆର ଜେ ୟଙ୍ଗଙ୍କ ସହ ଆଜି ତାଙ୍କର ସେମି ଫାଇନାଲ୍ ମ୍ୟାଚ୍ ଅଛି । ସେହିପରି ମେନ୍‌ସ ସିଙ୍ଗଲ କ୍ୱାଲିଫାୟାରରେ ମୋରିସସ୍‌ର ଜୁଲିଆନ୍‌ଙ୍କୁ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତର ଲକ୍ଷ୍ୟ ସେନ୍ । ଆଜି ସେମି ଫାଇନାଲ୍‌ରେ ସିଙ୍ଗାପୁରର ଜିଆ ହେଙ୍ଗ ତେହଙ୍କ ସହ ତାଙ୍କର ମୁକାବିଲା ହେବ ।