Advertisment

CSK's IPL 2025 Failure Analysis: ଆଇପିଏଲ୍ ୨୦୨୫ ସିଜନ୍‌ରେ ପ୍ଲେଅଫ୍ ଦୌଡ଼ରୁ କାହିଁକି ବାଦ୍ ପଡ଼ିଲା CSK ?

ଆଇପିଏଲ୍ ୨୦୨୫ ସିଜନ୍‌ରେ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି ଚେନ୍ନାଇ ସୁପର୍ କିଙ୍ଗ୍‌ସ । ସିଜନ୍ ମଝିରେ ଅଧିନାୟକତ୍ୱକୁ ଫେରିଥିବା ମହେନ୍ଦ୍ର ସିଂହ ଧୋନି ବି ବଦଳାଇପାରି ନାହାନ୍ତି ଟିମ୍‌ର ଭାଗ୍ୟ । ତେବେ କାହିଁକି ବିଫଳ ହୋଇଛି ଟିମ୍‌? କ’ଣ ରହିଛି ଏହା ପଛର କାରଣ ?

author-image
Biswajit Mohanty
ଅଦ୍ୟତନ ହୋଇଛି
CSK ବିଫଳତାର କାରଣ

CSK ବିଫଳତାର କାରଣ

ପାଞ୍ଚ ଥର ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ) ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ୨୦୨୫ ସିଜନ୍‌ରେ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି । ଏପ୍ରିଲ୍ ୩୦ରେ ପଞ୍ଜାବ କିଙ୍ଗ୍‌ସ (ପିବିକେଏସ୍‌) ବିପକ୍ଷ ମ୍ୟାଚ୍ ହାରିବା ସହିତ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍‌ର ସବୁ ଆଶା ଧୂଳିସାତ୍ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସିଏସ୍‌କେ କ୍ରମାଗତ ଦ୍ୱିତୀୟ ସିଜନ୍‌ରେ ପ୍ଲେଅଫ୍ ପର୍ଯ୍ୟାୟରେ ପହଞ୍ଚିପାରି ନାହିଁ । ପଏଣ୍ଟ ଟେବୁଲ୍‌ରେ ଟିମ୍ ଏ ଯାବତ (ମେ’ ୧ ସୁଦ୍ଧା) ୧୦ ମ୍ୟାଚ୍ ଖେଳି ୪ ପଏଣ୍ଟ ସହ ସର୍ବନିମ୍ନ ୧୦ମ ସ୍ଥାନରେ ରହିଛି ।

Advertisment

ଲିଗ୍ ଇତିହାସରେ ସିଏସ୍‌କେ ଭଲ ଟିମ୍ ରହିଆସିଛି ଏବଂ ୧୦ ଥର ଫାଇନାଲ୍‌ରେ ସ୍ଥାନ ପାଇଛି । ଟିମ୍ ଶେଷ ଥର ୨୦୨୩ରେ ଚାମ୍ପିଅନ୍ ହୋଇଥିଲା । କିନ୍ତୁ ପୂର୍ବ ଦୁଇ ସିଜନ୍‌ରେ ଟିମ୍‌ର ପ୍ରଦର୍ଶନରେ ବଡ଼ ଅବନତି ଦେଖିବାକୁ ମିଳିଛି । ସିଜନ୍ ମଝିରେ ଅଧିନାୟକତ୍ୱକୁ ଫେରିଥିବା ମହେନ୍ଦ୍ର ସିଂହ ଧୋନି ବି ଟିମ୍‌ର ଭାଗ୍ୟ ବଦଳାଇପାରି ନାହାନ୍ତି । ତେବେ ଟିମ୍ କାହିଁକି ବିଫଳ ହୋଇଛି? ଏହା ପଛର କାରଣ କ’ଣ?

ସିଏସ୍‌କେର ପୁରୁଣା ବ୍ୟାଟିଂ ଶୈଳୀ

ଆଜିକାଲି ଟି-୨୦ କ୍ରିକେଟ୍‌ରେ ଟିମ୍‌ଗୁଡ଼ିକ ୨୨୦ରୁ ଅଧିକ ସ୍କୋର୍ କରୁଛନ୍ତି । ଗୋଟିଏ ଗୋଟିଏ ଟିମ୍‌ର ସ୍କୋର୍ ତ ୨୫୦ ପାଖାପାଖି ପହଞ୍ଚିଯାଉଛି । କିନ୍ତୁ ସିଏସ୍‌କେର ବ୍ୟାଟିଂ କରିବାର ଶୈଳୀ ବଦଳି ନାହିଁ । ଚଳିତ ସିଜନ୍‌ରେ ଟିମ୍ ଏ ଯାବତ ପ୍ରଥମେ ବ୍ୟାଟିଂ କରି କେବେ ବି ୨୦୦ ରନ୍ କରି ନାହିଁ । ଟିମ୍ ଥରେ ରନ୍ ଚେଜ୍ କରିବା ବେଳେ ୨୦୦ରୁ ଅଧିକ ରନ୍ କରିଥିଲା । ଶିବମ୍ ଦୁବେ ଓ ଧୋନିଙ୍କୁ ଛାଡ଼ିଦେଲେ, ଅନ୍ୟ କାହା ମଧ୍ୟରେ ସେମିତି ପାୱାର-ହିଟିଂ ଉଦ୍ଦେଶ୍ୟ ଥିବା ଭଳି ଜଣାପଡ଼ୁ ନାହିଁ । ସିଏସ୍‌କେ ପାଖରେ ଭଲ ଖେଳାଳି ଅଛନ୍ତି । କିନ୍ତୁ ଟିମ୍‌ର ଚିନ୍ତାଧାରାରେ ଯେଉଁ ପରିବର୍ତ୍ତନ ଓ ଆକ୍ରମଣାତ୍ମକତାର ଆବଶ୍ୟକତା ରହିଛି, ତାହା ଦେଖିବାକୁ ମିଳୁ ନାହିଁ । ଏହା ଟିମ୍ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

Advertisment

ଶୀର୍ଷକ୍ରମରେ ଆକ୍ରମଣାତ୍ମକତାର ଅଭାବ ଓ ଦୁର୍ବଳ ବୋଲିଂ

ଗତ ବର୍ଷ ହୋଇଥିବା ଆଇପିଏଲ୍ ମେଗା ନିଲାମରେ ସିଏସ୍‌କେ ପାଖରେ ୫୫ କୋଟି ଟଙ୍କା ଥିଲା । କିନ୍ତୁ ଟିମ୍‌କୁ ମଜଭୁତ କରିବା ପାଇଁ ଫ୍ରାଞ୍ଚାଇଜ୍ ପକ୍ଷରୁ ବିଶେଷ ପ୍ରୟାସ କରାଯାଇ ନ ଥିଲା । ଋତୁରାଜ ଗାଏକୱାଡ଼, ରବୀନ୍ଦ୍ର ଜାଡ଼େଜା, ଧୋନି, ମଥୀଶା ପଥିରାନା ଓ ଦୁବେଙ୍କୁ ପୂର୍ବରୁ ଟିମ୍‌ରେ ରଖାଯାଇଥିଲା । ତେବେ ମେଗା ନିଲାମରେ ଫ୍ରାଞ୍ଚାଇଜ୍ ଏଭଳି ଖେଳାଳିଙ୍କୁ କିଣି ନ ଥିଲା, ଯେଉଁମାନେ ମ୍ୟାଚ୍ ଜିତାଇପାରିବେ । ଶୀର୍ଷକ୍ରମରେ ଆସି ଦ୍ରୁତ ଗତିରେ ରନ୍ କରିପାରିବା ଭଳି ବ୍ୟାଟର୍ ଟିମ୍‌ରେ ନାହାନ୍ତି । ରଚିନ ରବୀନ୍ଦ୍ର, ଡେଭନ୍ କନୱେ, ରାହୁଲ ତ୍ରିପାଠୀଙ୍କ ଉପରେ ଭରସା କରାଗଲା ।

କିନ୍ତୁ କାହା ପ୍ରଦର୍ଶନରେ ନିରନ୍ତରତା ନ ଥିଲା । ଋତୁରାଜଙ୍କ ଅନୁପସ୍ଥିତି ମଧ୍ୟ ପ୍ରଭାବିତ କରିଥିଲା । ଏହାଛଡ଼ା ଚଳିତ ସିଜନ୍‌ରେ ଅଧିକାଂଶ ମ୍ୟାଚ୍‌ରେ ସିଏସ୍‌କେର ବୋଲିଂ ଦୁର୍ବଳ ଜଣାପଡ଼ୁଥିଲା । ପଥିରାନା (ଯେତେବେଳେ ଫିଟ୍ ଥିଲେ) ଓ ଖଲୀଲ ଅହମଦଙ୍କୁ ଛାଡ଼ିଦେଲେ, ଅନ୍ୟ କୌଣସି ବୋଲର୍‌ଙ୍କ ପ୍ରଦର୍ଶନରେ ଦମ୍ ଦେଖିବାକୁ ମିଳୁ ନାହିଁ । ଏହି କାରଣରୁ ସିଏସ୍‌କେ ବେଳେବେଳେ ଭଲ ସ୍କୋର୍ କରୁଥିଲେ ବି ତାହାକୁ ଡିଫେଣ୍ଡ କରିପାରୁ ନାହିଁ ।

ଧୋନିଙ୍କ ଉପରେ ଅଧିକ ନିର୍ଭରଶୀଳତା

ଗୋଟିଏ ସମୟରେ ଜାଡ଼େଜାଙ୍କୁ ଧୋନିଙ୍କ ଉତ୍ତରାଧିକାରୀ କରାଯିବା ପାଇଁ ସ୍ଥିର କରାଯାଇଥିଲା । କିନ୍ତୁ ଏହି ବାମହାତି ଅଲ୍‌ରାଉଣ୍ଡର୍ ଅଧିନାୟକ ଦାୟିତ୍ୱ ତୁଲାଇପାରିଲେନି । ପରେ ଋତୁରାଜଙ୍କୁ ସିଏସ୍‌କେର ନୂଆ ଅଧିନାୟକ କରାଗଲା । ଚଳିତ ସିଜନ୍‌ରେ ଋତୁରାଜ ହିଁ ଟିମ୍‌ର ନେତୃତ୍ୱ ନେଉଥିଲେ । କିନ୍ତୁ ସିଜନ୍ ମଝିରେ ଏହି ଯୁବ ବ୍ୟାଟର୍ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ । ଏହାପରେ ଧୋନିଙ୍କୁ ପୁଣି ଥରେ ଅଧିନାୟକ କରିବାକୁ ପଡ଼ିଥିଲା, କାରଣ ସିଏସ୍‌କେ ପାଖରେ ନେତୃତ୍ୱ ନେବା ପାଇଁ ଆବଶ୍ୟକ ବିକଳ୍ପ ନାହିଁ । ଫ୍ରାଞ୍ଚାଇଜ୍ ଋତୁରାଜଙ୍କ ବିକଳ୍ପକୁ ବି ପ୍ରସ୍ତୁତ ରଖିବା ଦରକାର । ୪୩ବର୍ଷୀୟ ଧୋନିଙ୍କ ଉପରେ ଅଧିକ ନିର୍ଭରଶୀଳତା କେତେଦୂର ଯଥାର୍ଥ ? ଏବେ ତାଙ୍କ ପ୍ରଦର୍ଶନର ଚମକ କେବଳ ୱିକେଟ୍‌କିପିଂ ମଧ୍ୟରେ ସୀମିତ ହୋଇଗଲାଣି ।  ନା ସେ ପୂର୍ବ ଭଳି ବ୍ୟାଟିଂ କରିପାରୁଛନ୍ତି ନା ଅଧିନାୟକ ଭାବେ ତାଙ୍କ ରଣନୀତି କାମ କରୁଛି - ଏ କଥା ବି ଫ୍ରାଞ୍ଚାଇଜ୍ ବୁଝିବା ଦରକାର ।

ଭେଟେରାନ୍ ଖେଳାଳିଙ୍କ ବିଫଳତା

ସିଏସ୍‌କେ ଇତିହାସର ଅଧିକାଂଶ ଭାଗ ତା’ର ଭେଟେରାନ୍‌ମାନଙ୍କ ସାମର୍ଥ୍ୟରେ ଗଢ଼ା । କିନ୍ତୁ ୨୦୨୫ ସିଜନ୍‌ରେ ସେମାନେ ଆଉ ପୂର୍ବ ଭଳି ପ୍ରଦର୍ଶନ କରିପାରୁ ନାହାନ୍ତି । ୯.୭୫ କୋଟି ଟଙ୍କାରେ କିଣାଯାଇଥିବା ରବିଚନ୍ଦ୍ରନ ଅଶ୍ୱିନ ଏ ଯାବତ ସାତ ମ୍ୟାଚ୍‌ରେ ମାତ୍ର ପାଞ୍ଚ ୱିକେଟ୍ ନେଇଥିବା ବେଳେ ବ୍ୟାଟିଂରେ ସମ୍ପୂର୍ଣ୍ଣ ନିରାଶ କରିଛନ୍ତି । ସିଏସ୍‌କେ ଇତିହାସର ଅନ୍ୟତମ ସଫଳ ଖେଳାଳି ରବୀନ୍ଦ୍ର ଜାଡ଼େଜା ମଧ୍ୟ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନାହାନ୍ତି । ସେ ଏ ଯାବତ ୧୦ ମ୍ୟାଚ୍‌ରେ ୧୮୩ ରନ୍ କରିବା ସହ ୭ ୱିକେଟ୍ ନେଇଛନ୍ତି । ସେହିପରି ଧୋନି ୧୦ ମ୍ୟାଚ୍‌ରେ ୧୫୧ ରନ୍ କରିଛନ୍ତି । ଧୋନି ଓ ଅଶ୍ୱିନ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇସାରିଥିବା ବେଳେ ଜାଡ଼େଜା ଟି-୨୦ ଆନ୍ତର୍ଜାତିକ ଛାଡ଼ିସାରିଛନ୍ତି ।

ଯୁବ ଖେଳାଳିଙ୍କ ଉପରେ କମ୍ ଭରସା

ଆଇପିଏଲ୍ ୨୦୨୫ରେ ନବାଗତଙ୍କ କମାଲ୍ ଦେଖିବାକୁ ମିଳୁଛି । ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଶତକ ଠାରୁ ନେଇ ପ୍ରିୟାଂଶ ଆର୍ଯ୍ୟଙ୍କ ସିଏସ୍‌କେ ବିପକ୍ଷରେ ସ୍ତବ୍ଧଭରା ଇନିଂସ୍ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି । ଟିମ୍‌ଗୁଡ଼ିକ ଯୁବ ତାରକାଙ୍କ ଉପରେ ଭରସା ବ୍ୟକ୍ତ କରୁଥିବା ବେଳେ ସିଏସ୍‌କେ ଏ ଦିଗରେ ପଛରେ ଅଛି । ସିଜନ୍‌ର ଦ୍ୱିତୀୟାର୍ଦ୍ଧରେ ଶେଖ୍ ରଶୀଦ୍ ଓ ଆୟୁଷ ମହାତ୍ରେଙ୍କ ଭଳି ଯୁବ ବ୍ୟାଟର୍ ଅର୍ଥପୂର୍ଣ୍ଣ ସୁଯୋଗ ପାଇଲେ । ପିବିକେଏସ୍ ବିପକ୍ଷ ମ୍ୟାଚ୍‌ରେ ଉଭୟଙ୍କୁ ପ୍ରଥମ ଥର ନୂଆ ଓପନିଂ ଯୋଡ଼ି ଭାବେ ପଠାଗଲା । କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇଗଲାଣି । ଯେଉଁ ସିଜନ୍‌ରେ ଯୁବ ଖେଳାଳିମାନେ ପ୍ରଭାବିତ କରୁଛନ୍ତି, ସେଥିରେ ରକ୍ଷଣଶୀଳତା ସିଏସ୍‌କେକୁ ବ୍ୟାକ୍‌ଫୁଟ୍‌କୁ ଠେଲିଦେଇଛି ।

MS Dhoni Chennai Super Kings CSK IPL 2025 PBKS
Advertisment
Advertisment