/odishatv-khabar/media/post_attachments/uploadimage/library/16_9/16_9_0/Mayank_1748097714.jpg)
Mayank
ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ୨୦୨୪ରେ ଜଣେ ଯୁବ ପେସର୍ ପ୍ରବେଶ କଲେ । ସିଜନ୍ରେ ସେ ଅଳ୍ପ ମ୍ୟାଚ୍ ଖେଳିଥିଲେ ବି ବୋଲିଂରେ ତାଙ୍କ ବେଗ ଭାରତୀୟ ଚୟନକାରୀଙ୍କୁ ପ୍ରଭାବିତ କଲା । ତାଙ୍କୁ ଟି-୨୦ ଆନ୍ତର୍ଜାତିକ ଟିମ୍ରେ ସୁଯୋଗ ମିଳିଲା । ଆଇପିଏଲ୍ ୨୦୨୫ ପାଇଁ ଲକ୍ଷ୍ନୌ ସୁପର୍ଜାଏଣ୍ଟ୍ସ ତାଙ୍କୁ ୧୧ କୋଟି ଟଙ୍କାର ଅପ୍ରତ୍ୟାଶିତ ଅର୍ଥରାଶି ଦେଇ ରିଟେନ୍ କଲା ।
ଏହି ଖେଳାଳି ହେଲେ ୨୨ବର୍ଷୀୟ ମୟଙ୍କ ଯାଦବ । ସେ ବେଶୀ ଘରୋଇ କ୍ରିକେଟ୍ ଖେଳି ନାହାନ୍ତି ଅଥଚ ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ କ୍ୟାରିଅରର ବିସ୍ମୟକର ଅଗ୍ରଗତି ଦେଖିବାକୁ ମିଳିଛି । କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ଏହି ଅଗ୍ରଗତି ତାଙ୍କ ସୁରକ୍ଷିତ ଭବିଷ୍ୟତର ଆଭାସ ଦେଉ ନାହିଁ । ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି ତାଙ୍କ କ୍ରିକେଟ୍ କ୍ୟାରିଅର୍ ।
ଆଇପିଏଲ୍ର ଦୁଇ (୨୦୨୪ ଓ ୨୦୨୫) ସିଜନ୍ରେ ସେ ମାତ୍ର ଛଅ ମ୍ୟାଚ୍ ଖେଳିଥିବା ବେଳେ ଟି-୨୦ ଆନ୍ତର୍ଜାତିକରେ ତିନି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ପ୍ରତି ଥର ଆଘାତ ତାଙ୍କ ଅଗ୍ରଗତିରେ ବାଧକ ସାଜିଛି ।
ଏହାଛଡ଼ା ସେ ଏ ଯାବତ ୧୭ ଲିଷ୍ଟ-ଏ ମ୍ୟାଚ୍ ଖେଳି ୩୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ୧୯ ଟି-୨୦ ମ୍ୟାଚ୍ରେ ୨୫ ୱିକେଟ୍ ନେଇଛନ୍ତି ।
ଅଧିକ ପଢ଼ନ୍ତୁ: ଇଂଲଣ୍ଡ ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା, କାହିଁକି ପ୍ରେସ ମିଟରେ ଉପସ୍ଥିତ ଥିଲେ ଶିବସୁନ୍ଦର
ଆଇପିଏଲ୍ ୨୦୨୪ରେ ସେ ଚାରି ମ୍ୟାଚ୍ ଖେଳି ଆଘାତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ । ଏଥର ବି ସେ ଆଘାତଜନିତ କାରଣରୁ ଦୁଇ ମ୍ୟାଚ୍ ହିଁ ଖେଳିପାରିଥିଲେ । ୨୦୨୪ରେ ସେ ଟି-୨୦ ଆନ୍ତର୍ଜାତିକ ଟିମ୍ରେ ସ୍ଥାନ ପାଇଥିଲେ, କିନ୍ତୁ ସେଠାରେ ବି ସମାନ ସମସ୍ୟା ଭୋଗିଥିଲେ ।
ଏହି କମ୍ ଅବଧି ମଧ୍ୟରେ ସେ ତିନି ଥର ଆହତ ହେବା ନିଶ୍ଚିତରୂପେ ଚିନ୍ତାର ବିଷୟ । ଏବେ ପ୍ରଶ୍ନ ଉଠୁଛି, ଆଘାତ ସମସ୍ୟା ତାଙ୍କ କ୍ୟାରିଅର୍କୁ ବୁଡ଼ାଇବନି ତ?
ଆଇପିଏଲ୍ ୨୦୨୪ରେ ପ୍ରଭାବଶାଳୀ ପ୍ରଦର୍ଶନ
୨୦୨୩ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ମୟଙ୍କଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା । କିନ୍ତୁ ସେ ଫିଟ୍ ନ ଥିବାରୁ ସେହି ସିଜନ୍ରେ ଖେଳିପାରି ନ ଥିଲେ । ସେ ୨୦୨୪ରେ ଲକ୍ଷ୍ନୌ ପକ୍ଷରୁ ଆଇପିଏଲ୍ ପଦାର୍ପଣ କରିଥିଲେ ।
ସେ ପଦାର୍ପଣ ମ୍ୟାଚ୍ରେ ହିଁ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇଥିଲେ ଏବଂ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୨୭ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ସେହି ମ୍ୟାଚ୍ରେ ସେ ଘଣ୍ଟାପ୍ରତି ୧୫୫.୮ କିଲୋମିଟର ବେଗରେ ସିଜନ୍ର ସବୁଠାରୁ ଦ୍ରୁତ ବଲ୍ ପକାଇଥିଲେ । ସେ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ବି ଜିତିଥିଲେ ।
ପରବର୍ତ୍ତୀ ମ୍ୟାଚ୍ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ସେ ୧୪ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ସେଥିରେ ସେ ନିଜ ଦ୍ରୁତ ବଲ୍ ରେକର୍ଡକୁ ଭାଙ୍ଗି ଘଣ୍ଟାପ୍ରତି ୧୫୬.୭ କିଲୋମିଟର ବେଗରେ ବୋଲିଂ କରିଥିଲେ । ତାଙ୍କ ପ୍ରଦର୍ଶନକୁ ନେଇ ସେତେବେଳେ ଖୁବ୍ ଚର୍ଚ୍ଚା ହୋଇଥିଲା । ସେ ରାତାରାତି ତାରକା ପାଲଟି ଯାଇଥିଲେ ।
ସେହି ସିଜନ୍ରେ ସେ ଚାରି ମ୍ୟାଚ୍ ଖେଳି ସାତ ୱିକେଟ୍ ନେଇଥିଲେ । ଆଘାତ ଯୋଗୁଁ ସେ ଟୁର୍ଣ୍ଣାମେଣ୍ଟ ଅଧାରୁ ବିଦାୟ ନେଇଥିଲେ ।
ବାଂଲାଦେଶ ବିପକ୍ଷରେ ଆନ୍ତର୍ଜାତିକ ପଦାର୍ପଣ
ମୟଙ୍କଙ୍କ ବଲ୍ରେ ବେଗ ସହ ସଠିକତା ବି ଦେଖିବାକୁ ମିଳେ । ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଜାତୀୟ ଚୟନ କମିଟି ଏଥିରେ ପ୍ରଭାବିତ ହୋଇଥିଲା । ଏହି କାରଣରୁ ୨୦୨୪ ଜୁନ୍ରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ତାଙ୍କୁ ସ୍ୱତନ୍ତ୍ର ଦ୍ରୁତ ବୋଲିଂ ଚୁକ୍ତି ଦେଇଥିଲା ।
ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଥିଲା । ସେହି ସିରିଜ୍ରେ ମୟଙ୍କ ଡେବ୍ୟୁ କରିବା ସହ ନିଜ ବେଗରେ ଆତଙ୍କ ଖେଳାଇଥିଲେ । ସେ ସିରିଜ୍ର ତିନି ମ୍ୟାଚ୍ରେ ଚାରି ୱିକେଟ୍ ନେଇଥିଲେ, ଯେଉଁଥିରେ ତାଙ୍କ ଇକୋନମୀ ରେଟ୍ ୬.୯୧ ଥିଲା ।
ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ତାଙ୍କୁ ଟ୍ରାଭେଲିଂ ରିଜର୍ଭ ଭାବେ ଟିମ୍ରେ ସାମିଲ୍ କରାଯାଇଥିଲା । ନଭେମ୍ବରରେ ଭାରତୀୟ ଟି-୨୦ ଟିମ୍ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଆଘାତ ଯୋଗୁଁ ସେ ଟିମ୍ରୁ ବାଦ୍ ପଡ଼ିଥିଲେ । ବିସିସିଆଇ ଖୋଦ୍ ଏହାର ସୂଚନା ଦେଇଥିଲା ।
ଚଳିତ ବର୍ଷ ଜାନୁଆରୀ-ଫେବ୍ରୁଆରୀରେ ଭାରତରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଖେଳାଯାଇଥିଲା । ଟିମ୍ ଘୋଷଣା ପୂର୍ବରୁ ଖବର ଆସିଥିଲା ଯେ ମୟଙ୍କ ଏବେ ବି ଆହତ ଅଛନ୍ତି । ଏହାପରେ ସେ ଜାତୀୟ କ୍ରିକେଟ୍ ଏକାଡେମୀକୁ ରିହାବ୍ ପାଇଁ ଯାଇଥିଲେ ।
ତରବରିଆ ଭାବେ ଖେଳିଲେ କି ଆଇପିଏଲ୍ ୨୦୨୫
ଇତିମଧ୍ୟରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ମୟଙ୍କଙ୍କୁ ୧୧ କୋଟି ଟଙ୍କାରେ ରିଟେନ୍ କରିଥିଲା । ୨୦୨୫ ଫେବ୍ରୁଆରୀରେ ତାଙ୍କ ଆଇପିଏଲ୍ ପ୍ରତ୍ୟାବର୍ତ୍ତନ ନେଇ ଖବର ଆସିଥିଲା ।
ଆଇପିଏଲ୍ ୨୦୨୫ର ପ୍ରାରମ୍ଭିକ ମ୍ୟାଚ୍ଗୁଡ଼ିକରେ ମୟଙ୍କ ଗାଏବ ଥିଲେ । ଅବଶ୍ୟ ପରେ ସେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହୋଇଥିଲେ, ହେଲେ ତାହା ପୂର୍ବ ଭଳି ସ୍ମରଣୀୟ ହୋଇପାରି ନ ଥିଲା ।
ମୟଙ୍କ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୪୦ ରନ୍ ଦେଇ ୨ ୱିକେଟ୍ ନେଇଥିବା ବେଳେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୬୦ ରନ୍ ଦେଇଥିଲେ, ହେଲେ ଗୋଟିଏ ବି ୱିକେଟ୍ ପାଇ ନ ଥିଲେ । ଉଭୟ ମ୍ୟାଚ୍ରେ ସେ ମୋଟ୍ ୪୮ ବଲ୍ ପକାଇ ୧୦୦ ରନ୍ ଦେଇଥିଲେ ।
ଏହି ସମୟରେ ତାଙ୍କ ବୋଲିଂରେ ବେଗର ଯାଦୁ ଦେଖିବାକୁ ମିଳି ନ ଥିଲା । ସେ ଧିମା ବଲ୍ ଓ କଟର୍ ଭଳି ବିକଳ୍ପ ବାଛିଥିଲେ ।
ଲକ୍ଷ୍ନୌ ଟିମ୍ର ମେଣ୍ଟର ଜାହିର ଖାନ୍ ଆଇପିଏଲ୍ ୨୦୨୫ ଆରମ୍ଭ ପୂର୍ବରୁ କହିଥିଲେ ଯେ ମୟଙ୍କ ଯାଦବଙ୍କୁ ଠିକ୍ ବାତାବରଣ ମିଳୁ, ଯାହା ଫଳରେ ସେ କୌଣସି ବ୍ରେକ୍ ନ ନେଇ ଦୀର୍ଘ ସମୟ ଯାଏଁ ଖେଳିବା ପାଇଁ ପ୍ରସ୍ତୁତ ରହିବେ । ସେ ୧୦୦ ପ୍ରତିଶତ ନୁହେଁ, ୧୫୦ ପ୍ରତିଶତ ଫିଟ୍ ରହନ୍ତୁ । ଏଥିପାଇଁ ତାଙ୍କୁ ସେହି ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଯଥାସମ୍ଭବ ପ୍ରୟାସ କରାଯିବ ।
କିନ୍ତୁ ଚଳିତ ସିଜନ୍ରେ ସେ ମାତ୍ର ଦୁଇଟି ମ୍ୟାଚ୍ ଖେଳିବା ପରେ ପିଠି ଯନ୍ତ୍ରଣା ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ । ଏହାପରେ ତାଙ୍କ ଫିଟ୍ନେସ୍କୁ ନେଇ ପୁଣି ପ୍ରଶ୍ନ ଉଠିଛି ।
‘ସ୍ପିଡ୍ଷ୍ଟାର୍’ ମୟଙ୍କଙ୍କୁ କ’ଣ ତରବରିଆ ଭାବେ ଏହି ସିଜନ୍ରେ ଖେଳାଗଲା? ସେ କ’ଣ ଶତ ପ୍ରତିଶତ ଫିଟ୍ ନ ଥିଲେ? ତାଙ୍କ ପାଇଁ କ’ଣ ଉଚିତ ରିହାବ୍ ଯୋଜନା ଆବଶ୍ୟକ?
ଆଗାମୀ ଦିନରେ ଚିତ୍ର ଅଧିକ ସ୍ପଷ୍ଟ ହେବ । ତେବେ ଏ କଥା ଅଧିକ ଗୁରୁତ୍ୱ ରଖେ ଯେ ମୟଙ୍କଙ୍କୁ ଉଚିତ ମାର୍ଗଦର୍ଶନ ଲୋଡ଼ା । ଏହାଛଡ଼ା ତାଙ୍କୁ ଆଇପିଏଲ୍ ନୁହେଁ, ଭାରତୀୟ ଟିମ୍କୁ ପ୍ରତ୍ୟାବର୍ତ୍ତନ ଉପରେ ଫୋକସ୍ କରିବାକୁ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)