• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଜି ଦୁଇଟି ସ୍ୱର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ମିଳିଛି । ଲନ୍ ବୱଲସ୍‌ରେ ଦଳୀୟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ପାଇଛି ଭାରତୀୟ ମହିଳା ଟିମ୍ । ଦକ୍ଷିଣ ଆଫ୍ରିକାକୁ ୧୭-୧୦ ପଏଣ୍ଟରେ ହରାଇ ଭାରତୀୟ ଟିମ୍ ଏହି ସଫଳତା ହାସଲ କରିଛି । ସିଙ୍ଗାପୁରକୁ ୩-୧ରେ ହରାଇ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ଟେବୁଲ ଟେନିସ ଦଳ । ୯୬ କେଜି ବର୍ଗରେ ରୌପ୍ୟ ପଦକ ଜିତିଲେ ବିକାଶ ଠାକୁର ।

ରୂପାରାଣୀ ତିର୍କୀ, ନୟନମୋଣି ସାଇକିଆ, ଲଭଲି ଚୌବେ ଓ ପିଙ୍କୀ ସିଂଙ୍କୁ ନେଇ ଭାରତୀୟ ଓମେନ୍ସ ଫୋର ଆଜି ଆଉ ଏକ ଗୋଲ୍ଡ ଜିତିବାରେ ସଫଳ ହୋଇଛନ୍ତି । ଭାରତକୁ ୫ଟି ସ୍ୱର୍ଣ୍ଣ ସହ ଏପର୍ଯ୍ୟନ୍ତ ମୋଟ ୧୨ଟି ପଦକ ମିଳିପାରିଛି । ବୱଲସରେ ଭାରତ ଇତିହାସ ରଚିଥିବା ବେଳେ ଦେଶରେ ଏତେ ପରିଚିତ ନଥିବା ଏ ଖେଳ ପ୍ରତି ପରବର୍ତ୍ତୀ ପିଢି ଆଗ୍ରହୀ ହେବେ ବୋଲି କୁହାଯାଉଛି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସ୍‌ରେ ମଧ୍ୟ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ସିଙ୍ଗାପୁରକୁ ୩-୧ରେ ହରାଇ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ଟେବୁଲ ଟେନିସ ଦଳ । ଆଜିର ସ୍ୱର୍ଣ୍ଣ ଲଢ଼େଇର ପ୍ରଥମ ଟାଇରେ ହରମିତ ଦେଶାଇ ଓ ସାଥିୟାନ ଗଣଶେଖରନଙ୍କ ଯୋଡ଼ି ୩-୦ରେ ସିଙ୍ଗାପୁରର ୟୋଙ୍ଗ ଇଜାକ କ୍ୟୁ ଓ ୱା ପାଙ୍ଗଙ୍କୁ ହରାଇଥିଲେ। ତେବେ ଦ୍ୱିତୀୟ ଟାଇରେ ଅଭିଜ୍ଞ ଶରତ କମଲ ୩-୧ ସେଟରେ ହାରି ଯାଇଥିଲେ। ଫଳରେ ସ୍ଥିତି ୧-୧ରେ ବରାବର ହୋଇ ଯାଇଥିଲେ।

ଏହାପରେ ସାଥିୟାନ ନିଜର ଏକକ ବର୍ଗରେ ଦମଦାର ପ୍ରଦର୍ଶନ କରି ୩-୧ରେ ଟାଇକୁ ଜିତି ପୁଣି ଭାରତକୁ ଆଗୁଆ କରି ଦେଇଥିଲେ। ୪ର୍ଥ ଟାଇରେ ଦେଶାଇଙ୍କ ମୁକାବିଲା ଶରତ କମଲଙ୍କୁ ହରାଇଥିବା ଝେ ଚେୱିଙ୍କ ସହ ହୋଇଥିଲା। କିନ୍ତୁ ଦେଶାଇ ନିଜର ଜଲୱା ଦେଖାଇ ତାଙ୍କୁ ୩-୦ରେ ପରାସ୍ତ କରି ଦେଇଥିଲେ। ଏଥିସହ ଆଉ ଗୋଟିଏ ଟାଇ ପୂର୍ବରୁ ହିଁ ଭାରତୀୟ ଟିମ୍‌ ସ୍ୱର୍ଣ୍ଣ ପଦକୁ କବଜା କରି ନେଇଥିଲା।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ମଧ୍ୟ ଭାରତକୁ ପୁଣି ଏକ ରୌପ୍ୟ ପଦକ ମିଳିଛି । ୯୬ କେଜି ବର୍ଗରେ ରୌପ୍ୟ ପଦକ ଜିତିଲେ ବିକାଶ ଠାକୁର । ସ୍ନାଚ୍‌ରେ ୧୫୫, କ୍ଲିନ୍ ଆଣ୍ଡ ଜର୍କରେ ୧୯୧ କେଜି ଉଠାଇଲେ । ମୋଟ ୩୪୬ କେଜି ଉଠାଇ ବିକାଶ ଜିତିଲେ ରୌପ୍ୟ ପଦକ ।