Advertisment

Sports: ଚାମ୍ପିଅନ୍ସ ଟ୍ରଫି ଯାଏଁ ଅଲ୍ଟିମେଟମ୍‌; ଗୌତମ ଗମ୍ଭୀରଙ୍କ ପାଇଁ ବଡ଼ ଚାଲେଞ୍ଜ୍

ଅଷ୍ଟ୍ରେଲିଆରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ବି ଆଶାଜନକ ପ୍ରଦର୍ଶନ କରିପାରି ନାହିଁ ଟିମ୍ ଇଣ୍ଡିଆ । ଏହାପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ଗାଦି ବଞ୍ଚାଇବା ହୋଇଛି ବଡ଼ ଚାଲେଞ୍ଜ୍। ତାଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫।

author-image
Biswajit Mohanty
ଅଦ୍ୟତନ ହୋଇଛି
Can Team India's head coach Gautam Gambhir save the seat

Can Team India's head coach Gautam Gambhir save the seat

ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ଠାରୁ ୧-୨ରେ ପଛରେ ରହିବା ଓ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଦୌଡ଼ରୁ ଆପାତତଃ ବାଦ୍ ପଡ଼ିବା ପରେ ଭାରତୀୟ ଟିମ୍‌ରେ ଏବେ ଗାଦି ବଞ୍ଚାଇବା ପାଇଁ ସଂଘର୍ଷ ଆରମ୍ଭ ହୋଇଛି ।

Advertisment

ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଆସିବା ପରେ ଟିମ୍‌ର ପ୍ରଦର୍ଶନରେ ଅବନତି ଦେଖିବାକୁ ମିଳିଛି । କୋଚିଂ ଟିମ୍‌ରେ ଥିବା ସହାୟକ କୋଚ୍ ଅଭିଷେକ ନାୟର, ମୋର୍ଣ୍ଣେ ମର୍କଲ ଓ ରାୟନ୍ ଟେନ୍ ଡଶକାଟେଙ୍କୁ ବି ତାଙ୍କ ପ୍ରସ୍ତାବ ଯୋଗୁଁ ରଖାଯାଇଥିଲା । ଏବେ ଗମ୍ଭୀରଙ୍କ ସମେତ ପୂରା କୋଚିଂ ଟିମ୍‌ର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ।

Can Team India's head coach Gautam Gambhir save the seatଗାଦି ବଞ୍ଚାଇପାରିବେ କି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର

ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ମଧ୍ୟ ଟେଷ୍ଟ ଅଧିନାୟକତ୍ୱ ବଞ୍ଚାଇବା କଷ୍ଟକର । ସେ କ୍ରିକେଟ୍‌ର ପାରମ୍ପରିକ ଫର୍ମାଟ୍‌ରେ ଉଭୟ ବ୍ୟାଟିଂ ଓ ଅଧିନାୟକତ୍ୱରେ କ୍ରମାଗତ ବିଫଳ ହେଉଛନ୍ତି ।

Advertisment

ଏପରି ସ୍ଥଳେ ସିରିଜ୍ ଶେଷ ହେବା ପରେ ସେ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କେବଳ ରୋହିତ ନୁହନ୍ତି, ବିରାଟ କୋହଲିଙ୍କ ପ୍ରଦର୍ଶନ ବି ଚିନ୍ତାର ବିଷୟ ହୋଇଛି ।

ଯଶପ୍ରୀତ ବୁମ୍‌ରାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପର୍ଥରେ ପ୍ରଥମ ଟେଷ୍ଟ ଜିତିବା ପରେ ରୋହିତ ପୁନର୍ବାର ନେତୃତ୍ୱ ଦାୟିତ୍ୱ ସମ୍ଭାଳିଥିଲେ । ଏହାପର ଠାରୁ ଟିମ୍‌ର ସଙ୍କଟ ବଢ଼ିଯାଇଛି । ଭାରତୀୟ ଟିମ୍ ଆଡିଲେଡ୍ ଠାରେ ପିଙ୍କ୍ ବଲ୍ ଓ ମେଲ୍‌ବର୍ଣ୍ଣ ଠାରେ ବକ୍ସିଂ ଡେ’ ଟେଷ୍ଟରେ ପରାଜିତ ହୋଇଥିଲା । ବ୍ରିସ୍‌ବେନ୍‌ରେ ହୋଇଥିବା ବର୍ଷା ବାଧାପ୍ରାପ୍ତ ଟେଷ୍ଟ କୌଣସିମତେ ଡ୍ର’ ରହିଥିଲା ।

ଟିମ୍‌କୁ ସବୁ ସୁବିଧା ଦିଆଯାଉଛି । ପର୍ଯ୍ୟାପ୍ତ ସପୋର୍ଟ ଷ୍ଟାଫ୍ ରହିଛନ୍ତି ଅଥଚ ପ୍ରଦର୍ଶନରେ ଅବନତି ହେଉଛି ।

ଯଦି ପ୍ରଦର୍ଶନରେ ସୁଧାର ନ ହୁଏ, ତା’ହେଲେ ଗମ୍ଭୀରଙ୍କ ସ୍ଥିତି ବି ସୁରକ୍ଷିତ ନୁହେଁ । ତାଙ୍କୁ ଫେବ୍ରୁଆରୀ-ମାର୍ଚ୍ଚରେ ଦିନିକିଆ ଫର୍ମାଟ୍‌ରେ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ଯାଏଁ ଅଲ୍ଟିମେଟମ୍ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଇଂଲଣ୍ଡ ଟିମ୍ ଭାରତ ଗସ୍ତରେ ଆସି ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବ ।

ଖେଳାଳିଙ୍କ ସହ ଗମ୍ଭୀରଙ୍କ ଏକତରଫା ଯୋଗାଯୋଗ

ଭାରତୀୟ ଟିମ୍‌ର ଏକ ସୂତ୍ରରୁ ପ୍ରକାଶ ଯେ ଖେଳାଳିଙ୍କ ସହ ମୁଖ୍ୟ କୋଚ୍ ଗମ୍ଭୀରଙ୍କ ଯୋଗାଯୋଗ ପ୍ରାୟତଃ ଏକତରଫା । ରବି ଶାସ୍ତ୍ରୀ ଓ ରାହୁଲ ଦ୍ରାବିଡ଼ଙ୍କ ସମୟରେ ସେମିତି ନ ଥିଲା ।

ପର୍ଥ ଟେଷ୍ଟର ଦିନକ ପୂର୍ବରୁ ସେ ଏହି ୧୧ ଜଣ ଖେଳାଳି ଖେଳିବେ ବୋଲି ରୋକ୍‌ଠୋକ୍ ଜଣାଇ ଦେଇଥିଲେ । ସେହି ମ୍ୟାଚ୍‌ରୁ ବାଦ୍ ପଡ଼ିଥିବା ଜଣେ ଖେଳାଳି ସେଥିରେ ଅସନ୍ତୁଷ୍ଟ ଥିଲେ ।

ମେଲ୍‌ବର୍ଣ୍ଣରେ ଶୁଭମନ ଗିଲ୍‌ଙ୍କୁ ବାଦ୍ ଦିଆଯିବା ପରେ ସମସ୍ୟା ବଢ଼ିଗଲା । ସେହି ମ୍ୟାଚ୍ ପୂର୍ବରୁ ଟିମ୍ ବୈଠକରେ ଅଧିନାୟକ ରୋହିତ ଶର୍ମା କହିଥିଲେ ଯେ ସେ ମ୍ୟାଚ୍‌ରେ ଓପନିଂ କରିବେ ଏବଂ ଲୋକେଶ ରାହୁଲ ତିନି ନମ୍ବରରେ ଖେଳିବେ ।

ସିରିଜ୍ ଆରମ୍ଭରୁ ଭଲ ପ୍ରଦର୍ଶନ କରୁଥିବା ନୀତୀଶ କୁମାର ରେଡ୍ଡୀଙ୍କୁ କୁହାଯାଇଥିଲା ଯେ ସେ ଖେଳିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ରହନ୍ତୁ । ଗିଲ୍‌ଙ୍କୁ କଢ଼ାଯିବାର ସଙ୍କେତ ଦିଆଯାଇଥିଲା । ଡିସେମ୍ବର ୨୫ରେ ଡ୍ରେସିଂ ରୁମ୍‌ର ଏହି ଖବର ପଦାକୁ ଆସିଥିଲା । ଏମିତି ପୂର୍ବରୁ କ୍ୱଚିତ୍ ହେଉଥିଲା।

Can Team India's head coach Gautam Gambhir save the seatଗାଦି ବଞ୍ଚାଇପାରିବେ କି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର

ପ୍ରଥମ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ୱାଶିଂଟନ୍ ସୁନ୍ଦରଙ୍କୁ ଅଗ୍ରାଧିକାର ହେଉ କିମ୍ବା ଗିଲ୍‌ଙ୍କ ଠାରୁ ରେଡ୍ଡୀଙ୍କୁ ପ୍ରାଥମିକତା - ଟିମ୍ ମ୍ୟାନେଜ୍‌ମେଣ୍ଟର ସମସ୍ତେ ସେଥିରେ ଏକମତ ନ ଥିଲେ ।

ସିରିଜ୍ ମଝିରୁ ଅଭିଜ୍ଞ ଅଫ୍ ସ୍ପିନ୍ ଅଲ୍‌ରାଉଣ୍ଡର୍ ଅଶ୍ୱିନଙ୍କ ଅଚାନକ ଅବସର ଘୋଷଣା ମଧ୍ୟ ଦର୍ଶାଉଛି ଯେ ଟିମ୍‌ରେ ସବୁକିଛି ଠିକ୍‌ଠାକ୍ ନାହିଁ । ଟିମ୍‌ରେ ଏଭଳି କେତେକ ଖେଳାଳି ଅଛନ୍ତି ଯେଉଁମାନେ ଗମ୍ଭୀରଙ୍କ ଚୂଡ଼ାନ୍ତ ଏକାଦଶ ସହିତ ପ୍ରୟୋଗ କରିବାର ପ୍ରବୃତ୍ତି ଯୋଗୁଁ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।

ମୁଖ୍ୟ କୋଚ୍ ପାଇଁ ନ ଥିଲେ ପ୍ରଥମ ପସନ୍ଦ

ଟି-୨୦ ବିଶ୍ୱକପ୍ ବିଜୟ ସହ ଭାରତୀୟ କ୍ରିକେଟ୍ ଟିମ୍‌ର ତତ୍କାଳୀନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ସମ୍ପ୍ରସାରିତ କାର୍ଯ୍ୟକାଳ ଶେଷ ହୋଇଥିଲା । ଏହାପରେ ପୂର୍ବତନ ଓପନର୍ ଗମ୍ଭୀରଙ୍କୁ ମୁଖ୍ୟ କୋଚ୍ କରାଯାଇଥିଲା ।

ଗତ ବର୍ଷ ଜୁଲାଇ-ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷ ହ୍ୱାଇଟ୍ ବଲ୍ ସିରିଜ୍‌ରୁ ମୁଖ୍ୟ କୋଚ୍ ଭାବେ ଗମ୍ଭୀରଙ୍କ ଅଭିଯାନ ଆରମ୍ଭ ହୋଇଥିଲା । ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍‌କୁ ୩-୦ରେ କ୍ଲିନ୍ ସୁଇପ୍ କରିଥିଲା, କିନ୍ତୁ ଦିନିକିଆ ସିରିଜ୍‌ରେ ସିନିଅର୍ ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ୦-୨ରେ ହାରିଯାଇଥିଲା ।

ଏହାପରେ ଟିମ୍ ଇଣ୍ଡିଆ ଘରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌କୁ ୨-୦ ଓ ଟି-୨୦ ସିରିଜ୍‌କୁ ୩-୦ରେ କ୍ଲିନ୍ ସୁଇପ୍ କରିଥିଲା । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ରେ ଟିମ୍‌ର ଦୁର୍ବଳତା ପଦାରେ ପଡ଼ିଥିଲା । ଟିମ୍ ୦-୩ରେ କ୍ଲିନ୍ ସୁଇପ୍‌ର ଶିକାର ହୋଇଥିଲା ।

ଏହି ବଡ଼ ବିପର୍ଯ୍ୟୟ ପରେ ଭାରତୀୟ ଟେଷ୍ଟ ଟିମ୍ ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆ ଆସିଛି । ଏଠାରେ ବି ସଙ୍କଟ ଥମିବାର ନାଁ ଧରୁନି । ଚତୁର୍ଥ ଟେଷ୍ଟ ଶେଷ ସୁଦ୍ଧା ଟିମ୍ ୧-୨ରେ ପଛରେ ଅଛି ।

ଏହା ସହିତ ଟିମ୍ ସିଧାସଳଖ ଡବ୍ଲ୍ୟୁଟିସି ଫାଇନାଲ୍‌କୁ ଯାଇପାରି ନାହିଁ । ଅନ୍ୟ ସମୀକରଣରୁ ବି ଫାଇନାଲ୍‌କୁ ଯିବାର ସମ୍ଭାବନା କମ୍ ।

ଗମ୍ଭୀରଙ୍କ କାର୍ଯ୍ୟକାଳରେ ଟିମ୍ ଦ୍ୱିପାକ୍ଷିକ ସିରିଜ୍‌ରେ ବିଫଳ ହେବା ଚିନ୍ତାର ବିଷୟ । ମନେ ହେଉଛି ଯେମିତି ଖେଳାଳି ଓ କୋଚ୍‌ଙ୍କ ମଧ୍ୟରେ ଉତ୍ତମ ତାଳମେଳ ରହୁ ନାହିଁ ।

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀଙ୍କ କହିବାନୁଯାୟୀ, “ଗମ୍ଭୀର ମୁଖ୍ୟ କୋଚ୍ ଭାବରେ କେବେ ବି ବୋର୍ଡର ପ୍ରଥମ ପସନ୍ଦ ନ ଥିଲେ (ଭିଭିଏସ୍ ଲକ୍ଷ୍ମଣ ଥିଲେ) ଏବଂ କେତେକ ଜଣାଶୁଣା ବିଦେଶୀ ନାଁ ତିନି ଫର୍ମାଟ୍‌ର କୋଚ୍ ହେବାକୁ ଚାହୁଁ ନ ଥିଲେ । ତେଣୁ ଏହା ଏକ ବୁଝାମଣା ଥିଲା । ଅନ୍ୟ କିଛି ବାଧ୍ୟବାଧକତା ବି ଥିଲା ।”

Can Team India's head coach Gautam Gambhir save the seatଗାଦି ବଞ୍ଚାଇପାରିବେ କି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର

ଚାମ୍ପିଅନ୍ସ ଟ୍ରଫି ହୋଇପାରେ ଶେଷ ସୁଯୋଗ

କାର୍ଯ୍ୟକାଳର ଚାରି ମାସ ମଧ୍ୟରେ ଭାରତୀୟ ଟିମ୍ ଶ୍ରୀଲଙ୍କାରେ ଦିନିକିଆ ସିରିଜ୍ ଓ ଘରେ ନ୍ୟୁଜିଲାଣ୍ଡ ଠାରୁ ଟେଷ୍ଟ ସିରିଜ୍ ହାରିବା ପରେ ମୁଖ୍ୟ କୋଚ୍ ଗମ୍ଭୀର ଜାଣିଥିଲେ ଯେ ଅଷ୍ଟ୍ରେଲିଆ ଗସ୍ତ ତାଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ । କିନ୍ତୁ ସେ ଟିମ୍‌କୁ ଉଚିତ ମାର୍ଗଦର୍ଶନ କରାଇବାରେ ବିଫଳ ହୋଇଛନ୍ତି ।

ଯଦି ସିଡ୍‌ନୀ ଠାରେ ପଞ୍ଚମ ତଥା ଶେଷ ଟେଷ୍ଟରେ ଭାରତ ହାରିବ କିମ୍ବା ମ୍ୟାଚ୍ ଡ୍ର’ ରହିବ, ତା’ହେଲେ ସିରିଜ୍ ହାତଛଡ଼ା ହେବ । ଯଦି ଜିତିବ, ତା’ହେଲେ ସିରିଜ୍ ବରାବର ରହିବ ଏବଂ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ପହଞ୍ଚିବାର ସାମାନ୍ୟ ଆଶା ସଞ୍ଚାର ହେବ । ଅନ୍ତତଃ ଟିମ୍‌ର ସମ୍ମାନ ବଞ୍ଚିଯିବ ।

ତେବେ ଟିମ୍‌ର ମୁଖ୍ୟ ଲକ୍ଷ୍ୟ ଡବ୍ଲ୍ୟୁଟିସି ଫାଇନାଲ୍‌, ସିରିଜ୍ ବଞ୍ଚାଇବା ନୁହେଁ । ତେଣୁ ସିରିଜ୍ ବରାବର ରହିଲେ ବି ଚାମ୍ପିଅନ୍ସ ଟ୍ରଫି ଗମ୍ଭୀରଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ । ଏଥିରେ ବିଫଳ ହେବା ସ୍ଥଳେ ଗମ୍ଭୀରଙ୍କ ସମେତ ପୂରା କୋଚିଂ ଷ୍ଟାଫ୍ ବଦଳିପାରନ୍ତି ।

ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଜିତିଲେ ବି ଗମ୍ଭୀରଙ୍କ ମୁଣ୍ଡ ଉପରେ ଝୁଲୁଥିବା ଖଣ୍ଡା ସମ୍ପୂର୍ଣ୍ଣ ରୂପେ ଅପସରି ଯିବ ନାହିଁ । ଡବ୍ଲ୍ୟୁଟିସିର ନୂଆ ଚକ୍ରରେ ସେ ଟେଷ୍ଟ ଟିମ୍‌ର ମୁଖ୍ୟ କୋଚ୍ ରହିବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ ।

ଭାରତୀୟ ବୋର୍ଡ ରେଡ୍ ଓ ହ୍ୱାଇଟ୍ ବଲ୍ ପାଇଁ ଅଲଗା ଅଲଗା କୋଚ୍ ରଖିବା ଉପରେ ବିଚାର କରିପାରେ । ଅତଏବ, ଟେଷ୍ଟ ପାଇଁ ନୂଆ ମୁଖ୍ୟ କୋଚ୍ ନିଯୁକ୍ତ କରାଯାଇ ଗମ୍ଭୀରଙ୍କୁ ଦୁଇ ସୀମିତ ଓଭର୍ (ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକ) ଟିମ୍‌ର ଦାୟିତ୍ୱ ଦିଆଯାଇପାରେ ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Indian Cricket Gautam Gambhir Indian Cricket Team
Advertisment
Advertisment