ନିକଟରେ ଯୁବ ବ୍ୟାଟର୍ ଶୁବମନ ଗିଲ୍ଙ୍କୁ ଭାରତୀୟ ଟେଷ୍ଟ ଟିମ୍ର ନୂଆ ଅଧିନାୟକ ମନୋନୀତ କରାଯାଇଛି । ସେ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ ହୋଇଛନ୍ତି । ଇତିମଧ୍ୟରେ ବିରାଟ କୋହଲି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇସାରିଛନ୍ତି । ଦେଶରେ ପ୍ରତିଭାଶାଳୀ ଯୁବ ଖେଳାଳିଙ୍କ ଅଭାବ ନାହିଁ, ଏହାସତ୍ତ୍ୱେ ଏହି ତିନି ପୁରୁଖାଙ୍କ ଅଭାବ ଅନୁଭୂତ ହେବ । ବିଶେଷକରି ବିରାଟଙ୍କ ଅନୁପସ୍ଥିତି ବ୍ୟାଟିଂ ଲାଇନ୍ଅପ୍କୁ ପ୍ରଭାବିତ କରିବ, ଯିଏ ଟେଷ୍ଟ କ୍ରିକେଟ୍ର ଜଣେ ବଡ଼ ଖେଳାଳି ଥିଲେ ।
ତେବେ ନୂଆ ଅଧିନାୟକ ଗିଲ୍ଙ୍କ ପାଇଁ ସମସ୍ୟା କେବଳ ଏତିକିରେ ସୀମିତ ନୁହେଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତୀୟ ଟେଷ୍ଟ ଟିମ୍ର ଦୁର୍ବଳ ସ୍ଥିତି । ଗତ ବର୍ଷ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍ ପୂର୍ବ ଯାଏଁ ସ୍ଥିତି ଠିକ୍ ଥିଲା । ଭାରତୀୟ ଟେଷ୍ଟ ଟିମ୍ ଏହା ପୂର୍ବରୁ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁ୍ୟଟିଏ)ର ପ୍ରଥମ ଦୁଇ ଚକ୍ରରେ ଫାଇନାଲ୍ରେ ସ୍ଥାନ ପାଇଥିଲା । କିନ୍ତୁ ୨୦୨୩-୨୫ ଚକ୍ରରେ ଭାରତ ଫାଇନାଲ୍ରେ ପହଞ୍ଚିପାରି ନ ଥିଲା ।
ପ୍ରଥମେ ନ୍ୟୁଜିଲାଣ୍ଡ ଓ ଏହାପରେ ଅଷ୍ଟ୍ରେଲିଆ ଠାରୁ ସିରିଜ୍ ହାରିବା ପରେ ଟିମ୍ ଇଣ୍ଡିଆର କ୍ରମାଗତ ତୃତୀୟ ଫାଇନାଲ୍ରେ ପ୍ରବେଶ-ସ୍ୱପ୍ନ ଧୂଳିସାତ୍ ହୋଇଥିଲା । ରୋହିତ ଓ ବିରାଟ ଅବସର ନେବା ପଛର ମୁଖ୍ୟ କାରଣ ଥିଲା, ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ସିରିଜ୍ରେ ଉଭୟଙ୍କ ବ୍ୟାଟିଂ ବିଫଳତା । ରୋହିତ ଅଧିନାୟକ ଥିବାରୁ ତାଙ୍କ ପାଇଁ ସମସ୍ୟା ଅଧିକ ଜଟିଳ ହୋଇଥିଲା । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି, ଭାରତୀୟ ଟେଷ୍ଟ ଟିମ୍କୁ ଟ୍ରାକ୍କୁ ଫେରାଇ ଆଣିପାରିବେ କି ନୂଆ ଅଧିନାୟକ ଗିଲ୍?
Also Read
ଜୁନ୍-ଅଗଷ୍ଟରେ ଇଂଲଣ୍ଡ ଗସ୍ତରେ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ରୁ ଭାରତର ନୂଆ ଟେଷ୍ଟ ଚକ୍ର ଆରମ୍ଭ ହେବ । ଏହି ଗସ୍ତରେ ଟିମ୍ ନୂଆ ଅଧିନାୟକ ଗିଲଙ୍କ ନେତୃତ୍ୱରେ ଖେଳିବ । ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ରେ ସେ ଗୁଜରାଟ ଟାଇଟନ୍ସ ଟିମ୍ର ଅଧିନାୟକତ୍ୱ କରୁଛନ୍ତି । ତେବେ ଏକ ଆନ୍ତର୍ଜାତିକ ଟିମ୍ ବିଶେଷକରି ଟେଷ୍ଟ ଟିମ୍ର ନେତୃତ୍ୱ ନେବା ସାଧାରଣ କଥା ନୁହେଁ ।
ଇଂଲଣ୍ଡରେ ୧୮ ବର୍ଷ ଧରି ଟେଷ୍ଟ ସିରିଜ୍ ଜିତି ନାହିଁ ଭାରତ
ଟେଷ୍ଟ ଅଧିନାୟକ ଭାବେ ୨୫ବର୍ଷୀୟ ଗିଲଙ୍କ ପ୍ରଥମ କାର୍ଯ୍ୟଭାର ହେଉଛି ଇଂଲଣ୍ଡରେ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ । ଭାରତ ସେଠାରେ ୨୦୦୭ ପରଠାରୁ ଟେଷ୍ଟ ସିରିଜ୍ ଜିତିପାରି ନାହିଁ । ଟିମ୍ ୨୦୧୧, ୨୦୧୪ ଓ ୨୦୧୮ରେ ସିରିଜ୍ ହାରିଥିଲା । ଏହି ତିନି ଗସ୍ତରେ ଭାରତ ୧୪ରୁ ମାତ୍ର ଦୁଇ ଟେଷ୍ଟ ଜିତିଥିବା ବେଳେ ୧୧ରେ ପରାଜିତ ହୋଇଛି ଏବଂ ଅନ୍ୟ ଗୋଟିଏ ମ୍ୟାଚ୍ ଡ୍ର’ ରହିଛି ।
୨୦୨୧-୨୨ରେ ପୂର୍ବ ଇଂଲଣ୍ଡ ଗସ୍ତରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୨-୨ରେ ସିରିଜ୍କୁ ବରାବର ରଖିଥିଲା । ଏହାପରେ ଇଂଲଣ୍ଡ ଟିମ୍ ୨୦୨୪ରେ ଭାରତ ଆସିଥିଲା, ଯେଉଁଠି ଭ୍ରମଣକାରୀ ଟିମ୍ ୧-୪ରେ ସିରିଜ୍ ହାରିଯାଇଥିଲା । ଅର୍ଥାତ୍ ଇଂଲଣ୍ଡ ସାତ ବର୍ଷ ହେଲା ଭାରତକୁ ଟେଷ୍ଟ ସିରିଜ୍ରେ ହରାଇପାରି ନାହିଁ । ଗିଲ୍ଙ୍କ ଆଗରେ ଭାରତକୁ ୧୮ ବର୍ଷ ପରେ ଇଂଲଣ୍ଡରେ ସିରିଜ୍ ଜିତାଇବାର ଦାୟିତ୍ୱ ରହିଛି । ଏହାଛଡ଼ା ଇଂଲଣ୍ଡ ବିପକ୍ଷରେ ସାତ ବର୍ଷ ଧରି ସିରିଜ୍ ହାରି ନ ଥିବା ଟିମ୍ ଇଣ୍ଡିଆକୁ ଅପରାଜେୟ ରଖିବାର ଚାଲେଞ୍ଜ୍ ବି ଅଛି ।
ସନ୍ଧିକାଳରେ ଟିମ୍କୁ ସମ୍ଭାଳିବାର ଚାଲେଞ୍ଜ୍
ଗତ ବର୍ଷ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଟେଷ୍ଟ ଟିମ୍ ଘରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୦-୩ରେ ପରାଜିତ ହୋଇଥିଲା । ଟିମ୍ ଇଣ୍ଡିଆ ଏହା ପୂର୍ବରୁ ୧୨ ବର୍ଷ ହେଲା ଘରେ କୌଣସି ଟେଷ୍ଟ ସିରିଜ୍ ହାରି ନ ଥିଲା । ଏହାପରେ ଟିମ୍ ଅଷ୍ଟ୍ରେଲିଆ ଠାରୁ ମଧ୍ୟ ୧-୩ରେ ହାରିଯାଇଥିଲା। ଟେଷ୍ଟରେ କଙ୍ଗାରୁ ଟିମ୍ ବିପକ୍ଷରେ ଭାରତ ୧୦ ବର୍ଷ ପରେ ସିରିଜ୍ ହାରିଥିଲା । ଏହା ଫଳରେ ଟିମ୍ ଇଣ୍ଡିଆ ଟେଷ୍ଟ ମାନ୍ୟତା ତାଲିକାରେ ଚତୁର୍ଥ ସ୍ଥାନକୁ ଖସିଆସିଥିଲା । ଟେଷ୍ଟ ପ୍ରଦର୍ଶନରେ ସୁଧାର ଆଣି ଟିମ୍କୁ ଟ୍ରାକ୍କୁ ଫେରାଇ ଆଣିବା ଗିଲଙ୍କ ପାଇଁ ବଡ଼ ଦାୟିତ୍ୱ । ତାଙ୍କୁ ନୂଆ ରଣକୌଶଳ ସହ ଟିମ୍କୁ ଜିତାଇବା ଉପରେ ଫୋକସ୍ କରିବାକୁ ହେବ ।
ଗିଲଙ୍କୁ ଏ କଥା ବି ମନେ ରଖିବାକୁ ହେବ ଯେ ଭାରତୀୟ ଟେଷ୍ଟ ଟିମ୍ ଏବେ ସନ୍ଧିକାଳ ଦେଇ ଗତି କରୁଛି । ବିରାଟ କୋହଲି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ଖେଳାଳି ଆଉ ଟେଷ୍ଟ ଟିମ୍ରେ ନାହାନ୍ତି । ଅଭିଜ୍ଞ ପେସର୍ ମହମ୍ମଦ ଶାମୀ ଆଘାତଜନିତ କାରଣରୁ ଟିମ୍ରେ ସ୍ଥାନ ପାଇ ନାହାନ୍ତି । ଇଂଲଣ୍ଡରେ ଭାରତର ସବୁଠାରୁ ଯୁବ ଟିମ୍ ଖେଳିବାକୁ ଯାଉଛି । ନଅ ଜଣ ଖେଳାଳିଙ୍କ ବୟସ ୨୧ରୁ ୨୮ ବର୍ଷ ମଧ୍ୟରେ । ଏପରି ସ୍ଥଳେ ଗିଲ୍ଙ୍କ ଆଗରେ ସନ୍ଧିକାଳରେ ଟିମ୍କୁ ସମ୍ଭାଳିବାର ଚାଲେଞ୍ଜ୍ ବି ରହିଛି ।
ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ବି ଫୋକସ୍ କରିବା ଜରୁରୀ
ଜଣେ ଅଧିନାୟକଙ୍କୁ ଟିମ୍ର ପ୍ରଦର୍ଶନ ସହିତ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ । ଯେତେବେଳେ ବାକି ଖେଳାଳି ବିଫଳ ହୁଅନ୍ତି, ସେତେବେଳେ ଅଧିନାୟକ ନିଜ ବ୍ୟକ୍ତିଗତ ପ୍ରଦର୍ଶନ ବଳରେ ଟିମ୍କୁ ସଙ୍କଟରୁ ମୁକୁଳାଇ ଆଗକୁ ନେଇଥା’ନ୍ତି । ଗିଲ୍ ଏ କଥା ହୃଦୟଙ୍ଗମ କରିଥିବେ । ୨୦୨୦ରେ ଟେଷ୍ଟରେ ପଦାର୍ପଣ କରିଥିବା ଗିଲ୍ ଏ ଯାବତ ୩୨ ମ୍ୟାଚ୍ ଖେଳି ୩୫.୦୫ ଆଭରେଜ୍ରେ ୧୮୯୩ ରନ୍ କରିଛନ୍ତି । ତାଙ୍କ ପଦାର୍ପଣ ପରଠାରୁ ହିଁ ଡବ୍ଲୁ୍ୟଟିଏ ଯୋଗୁଁ ବିଶ୍ୱବ୍ୟାପୀ ପିଚ୍ଗୁଡ଼ିକ ବୋଲରଙ୍କ ପାଇଁ ଅନୁକୂଳ ହୋଇଛି । ଏହାସତ୍ତ୍ୱେ ଗିଲ୍ ପାଞ୍ଚ ଶତକ ଓ ସାତ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅବଶ୍ୟ ବିଦେଶରେ ତାଙ୍କ ଫର୍ମ ଘର ତୁଳନାରେ ଟିକେ ଦୁର୍ବଳ ।
ଗିଲ୍ ଭାରତରେ ୧୭ ଟେଷ୍ଟ ଖେଳି ୪୨.୦୩ ଆଭରେଜ୍ରେ ୧୧୭୭ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଚାରି ଶତକ ଓ ପାଞ୍ଚ ଅର୍ଦ୍ଧଶତକ ରହିଛି । କିନ୍ତୁ ସେ ବିଦେଶରେ ୧୫ ଟେଷ୍ଟରେ ଗୋଟିଏ ଶତକ ଓ ଦୁଇ ଅର୍ଦ୍ଧଶତକ ହାସଲ କରିପାରିଛନ୍ତି । ତାଙ୍କ ଆଭରେଜ୍ ମାତ୍ର ୨୭.୫୩ ରହିଛି । ତେଣୁ ଇଂଲଣ୍ଡ ଗସ୍ତରେ ତାଙ୍କୁ ଭଲ ବ୍ୟାଟିଂ ପ୍ରଦର୍ଶନ ବି କରିବାକୁ ହେବ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଇଂଲଣ୍ଡ ଗସ୍ତ ନୂଆ ଅଧିନାୟକ ଗିଲ୍ଙ୍କ ପାଇଁ ଅଗ୍ନିପରୀକ୍ଷା ହେବ । ଯଶପ୍ରୀତ ବୁମ୍ରା, ଲୋକେଶ ରାହୁଲ, ରିଷଭ ପନ୍ତଙ୍କ ଠାରୁ ତାଙ୍କୁ ଅଗ୍ରାଧିକାର ଦିଆଯାଇ ଟିମ୍ର ଦାୟିତ୍ୱ ଦିଆଯାଇଛି । ଏହି ଟେଷ୍ଟ ସିରିଜ୍ରେ ହିଁ ତାଙ୍କ ନେତୃତ୍ୱ ଦକ୍ଷତାର ଆଭାସ ମିଳିବ ।