Advertisment

Challenge Before Shubnam Gill: ଇଂଲଣ୍ଡରେ ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫି ଜିତିପାରିବ କି ଟିମ୍ ଇଣ୍ଡିଆ

ଇଂଲଣ୍ଡରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ଜିତିପାରିବ କି ଟିମ୍ ଇଣ୍ଡିଆ? ଶୁବମନ ଗିଲ୍‌ଙ୍କ ନୂଆ ନେତୃତ୍ୱ ଓ ଗୌତମ ଗମ୍ଭୀରଙ୍କ ମାର୍ଗଦର୍ଶନରେ ୧୮ ବର୍ଷ ପ୍ରତୀକ୍ଷାର ଘଟିବ କି ଅନ୍ତ? ଭାରତୀୟ ଟିମ୍ ବଡ଼ ବ୍ୟବଧାନରେ ଦ୍ୱିତୀୟ ଟେଷ୍ଟ ଜିତିବା ପରେ କ୍ରିକେଟ୍ ମହଲରେ ଏହାକୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା ।

author-image
Biswajit Mohanty
Shubman Gill

Shubman Gill

ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ‘ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫି’ ଖେଳୁଛି । ଲିଡ୍ସରେ ଆୟୋଜିତ ପ୍ରଥମ ମ୍ୟାଚ୍ ହାରିବା ପରେ ଟିମ୍‌ର ଚିନ୍ତା ବଢ଼ିଯାଇଥିଲା । ତେବେ ବର୍ମିଂହାମ୍‌ରେ ଦ୍ୱିତୀୟ ଟେଷ୍ଟ ଜିତି ଶୁବମନ ଗିଲ୍‌ଙ୍କ ଟିମ୍ ସିରିଜ୍‌ରେ ପ୍ରଶଂସନୀୟ ପ୍ରତ୍ୟାବର୍ତ୍ତନ କରିଛି ।

Advertisment

ଏହାପରେ କ୍ରିକେଟ୍ ମହଲରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ୧୮ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଜିତିପାରିବ କି ଟିମ୍ ଇଣ୍ଡିଆ? ଗିଲ୍‌ଙ୍କ ନୂଆ ନେତୃତ୍ୱ ଓ ଗୌତମ ଗମ୍ଭୀରଙ୍କ ମାର୍ଗଦର୍ଶନରେ ଟିମ୍ ଏହି ବଡ଼ ଚାଲେଞ୍ଜ୍‌କୁ କରିପାରିବ କି ପ୍ରତିହତ?

ଗିଲ୍ ଯେ ଜଣେ ଦକ୍ଷ ବ୍ୟାଟର୍‌, ଏଥିରେ ସନ୍ଦେହ ନାହିଁ । ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରେ ସେ ଏହାର ଝଲକ ବି ଦେଖାଇସାରିଛନ୍ତି । ସେ ପ୍ରଥମ ମ୍ୟାଚ୍‌ରେ ୧୫୫ ରନ୍ ଓ ଦ୍ୱିତୀୟ ମ୍ୟାଚ୍‌ରେ ଏକ ଦ୍ୱିଶତକ ସହାୟତାରେ ୪୩୦ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ନେତୃତ୍ୱ ନେବା ଭିନ୍ନ କଥା । ପାରମ୍ପରିକ ଫର୍ମାଟ୍‌ରେ ଇଂଲଣ୍ଡ ସିରିଜ୍ ତାଙ୍କ ନେତୃତ୍ୱ-ଦକ୍ଷତାର ପ୍ରଥମ ପରୀକ୍ଷା ।

Advertisment

ଅନ୍ୟପଟେ, ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ଏହି ଚାଲେଞ୍ଜ୍ ଅଧିକ ବଡ଼, କାରଣ ସେ ଦାୟିତ୍ୱ ନେବା ପରେ ଟେଷ୍ଟରେ ଟିମ୍‌ର ଅପ୍ରତ୍ୟାଶିତ ଅବନତି ଘଟିଛି । ସିରିଜ୍‌ରେ ଟିମ୍‌ର ବିଫଳତା ସ୍ଥଳେ ମୁଖ୍ୟ କୋଚ୍ ହୋଇଥିବାରୁ ଓ ପୂର୍ବ ରେକର୍ଡ ଦୃଷ୍ଟିରୁ ଗମ୍ଭୀର ଅଧିକ ସମାଲୋଚିତ ହେବେ ଯେତେବେଳେ କି ଗିଲ୍‌ଙ୍କ ଆଦ୍ୟ ନେତୃତ୍ୱକୁ ସର୍ବକ୍ଷମା ମିଳିଯାଇପାରେ ।

ସକାରାତ୍ମକ ପଥରେ ଗିଲ୍‌ଙ୍କ ନେତୃତ୍ୱ

ଟେଷ୍ଟରେ ଗିଲ୍ ଏଭଳି ଟିମ୍‌ର ନେତୃତ୍ୱ ନେଉଛନ୍ତି, ଯିଏ ସନ୍ଧିକାଳ ଦେଇ ଗତି କରୁଛି । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ପୁରୁଖାଙ୍କ ଅବସର ପରେ ଟିମ୍‌ର ନେତୃତ୍ୱ ନେବା ସହଜ ନୁହେଁ । ଏପରି ସ୍ଥିତିରେ ସେ ଟିମ୍‌କୁ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ପ୍ରୟାସ କରୁଛନ୍ତି ।

ଇତିମଧ୍ୟରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରେ ଅଧିନାୟକଙ୍କ ସମେତ କେତେକ ଭାରତୀୟ ବ୍ୟାଟର୍ ଯେଉଁଭଳି ଉତ୍ସାହ ଓ କୌଶଳ ସହ ରନ୍ କରିଛନ୍ତି, ସେଥିରେ କେଉଁଠି ନା କେଉଁଠି ବିରାଟଙ୍କ ଲଢ଼ୁଆ ମାନସିକତା ଓ ରୋହିତଙ୍କ କଳାତ୍ମକ ସଂଯମତାର ଝଲକ ଦେଖିବାକୁ ମିଳିଛି ।

ତେବେ ପ୍ରଥମ ଟେଷ୍ଟରେ ଗିଲ୍‌ଙ୍କ ଅଧିନାୟକୀୟ ଦକ୍ଷତାକୁ ନେଇ କିଛିଟା ପ୍ରଶ୍ନ ଉଠିଥିଲା । ରଣନୈତିକ ସ୍ପଷ୍ଟତା, ଫିଲ୍ଡିଂରେ ସ୍ମାର୍ଟ ନିଷ୍ପତ୍ତି ଓ ବୋଲିଂ ରୋଟେସନ୍‌ର ଜ୍ଞାନ - ଏସବୁ ଦିଗରେ ଟିମ୍ ଦୁର୍ବଳ ଜଣାପଡ଼ୁଥିଲା ।

ମନେ ହେଉଥିଲା ଯେମିତି ଭାରତୀୟ ଟିମ୍ ପାଖରେ ଭବିଷ୍ୟତ ପାଇଁ କୌଣସି ବଳିଷ୍ଠ ଯୋଜନା ନାହିଁ । ପଡ଼ିଆରେ ଗିଲ୍‌ଙ୍କ ତୁଳନାରେ ବରିଷ୍ଠ ଖେଳାଳି ଲୋକେଶ ରାହୁଲ ଓ ଉପ-ଅଧିନାୟକ ରିଷଭ ପନ୍ତ ଫିଲ୍ଡ ସେଟ୍ ସମୟରେ ଅଧିକ ସକ୍ରିୟ ରହୁଥିବା ଦେଖିବାକୁ ମିଳିଥିଲା ।

ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହସୈନ ସ୍କାଏ ସ୍ପୋର୍ଟ୍ସରେ ଗିଲ୍‌ଙ୍କ ନେତୃତ୍ୱ କୌଶଳକୁ ସମାଲୋଚନା କରିଥିଲେ । ସେତେବେଳେ ସେ କହିଥିଲେ ଯେ ସେ ଏଭଳି ଜଣେ ଅଧିନାୟକଙ୍କୁ ଦେଖୁଛନ୍ତି, ଯିଏ ନିଜକୁ ଖୋଜୁଛନ୍ତି । ପଡ଼ିଆରେ ଗିଲ୍ ପ୍ରତିକ୍ରିୟାଶୀଳ ଥିଲେ, ସକ୍ରିୟ ନୁହେଁ । ତାଙ୍କ ନେତୃତ୍ୱରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ଜ୍ୟୋତି ନାହିଁ ।

କିନ୍ତୁ ଦ୍ୱିତୀୟ ଟେଷ୍ଟ ପରେ ନାସିର ୟୁ-ଟର୍ଣ୍ଣ ନେଇ ଚମକପ୍ରଦ ନେତୃତ୍ୱ ଓ ସ୍ପଷ୍ଟତାର ପ୍ରଦର୍ଶନ ପାଇଁ ଏହି ଯୁବ ଭାରତୀୟ ଅଧିନାୟକଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କ ମତାନୁଯାୟୀ ବର୍ତ୍ତମାନର ଭାରତୀୟ ଅଧିନାୟକ ପଡ଼ିଆରେ ‘କୋହଲି-ଟାଇପ୍ କ୍ୟାରେକ୍ଟର”ହେବାର ସମ୍ଭାବନା ନାହିଁ । ଗିଲ୍‌ଙ୍କ ‘ଶାନ୍ତ ଓ ସଂଯମଶୀଳ’ ବ୍ୟବହାର ଏବେ ଭାରତ ପାଇଁ ସବୁଠାରୁ ଉପଯୁକ୍ତ ।

୧-୧ ବରାବର ସ୍ଥିତିରେ ଥିବା ସିରିଜ୍‌ରେ ଏବେ ଆହୁରି ତିନି ମ୍ୟାଚ୍ ବାକି ଅଛି । ଗିଲ୍‌ଙ୍କୁ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ମଧ୍ୟ ଟିମ୍‌ର ଦୃଢ଼ ନେତୃତ୍ୱ ନେବାକୁ ହେବ । ଏହା ସହିତ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନରେ ବି ନିରନ୍ତରତା ରହିବା ଜରୁରୀ ।

ଗୌତମଙ୍କ ‘ଗମ୍ଭୀର ଟେଷ୍ଟ’

ଗତ ବର୍ଷ ଜୁଲାଇରେ ମୁଖ୍ୟ କୋଚ୍ ହେବା ପରଠାରୁ ବିଶେଷକରି ଟେଷ୍ଟ କ୍ରିକେଟ୍‌ରେ ଗୌତମ ଗମ୍ଭୀରଙ୍କ ଭାଗରେ ଫୁଲ କମ୍‌, କଣ୍ଟା ଅଧିକ ଆସିଛି । ତାଙ୍କ ଉପରେ ଟିମ୍‌କୁ ଇଂଲଣ୍ଡ ବିପକ୍ଷ ସିରିଜ୍ ଜିତାଇବାର ଚାପ ରହିଛି । ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ର ପରାଜୟ ପରେ ଗମ୍ଭୀରଙ୍କ ପାଇଁ ଚାଲେଞ୍ଜ୍ ରୂପୀ ସୂଚକାଙ୍କ ଚରମ ସ୍ଥାନରେ ପହଞ୍ଚିଥିଲା । ତେବେ ଦ୍ୱିତୀୟ ମ୍ୟାଚ୍‌ରେ ବିଜୟ ତାଙ୍କୁ ଆଶ୍ୱସ୍ତି ଦେଇଛି ।

ଏହି ସିରିଜ୍‌ରୁ ଭାରତର ୨୦୨୫-୨୭ ଚକ୍ର ଆରମ୍ଭ ହୋଇଛି । ଏବେ ଟିମ୍‌ରେ ରୋହିତ କି ବିରାଟ ନାହାନ୍ତି । ଏହା ବି ଅନେକାଂଶରେ ସ୍ପଷ୍ଟ ଯେ ଗମ୍ଭୀର ଏହି ଗସ୍ତରେ ପ୍ରାୟ ୯୦ ପ୍ରତିଶତ ମନମୁତାବକ ଖେଳାଳି ପାଇଛନ୍ତି । କିନ୍ତୁ ପ୍ରଥମ ଟେଷ୍ଟରେ ରଣନୈତିକ ଦୃଷ୍ଟିକୋଣରୁ ସେ କେଉଁଠି ଦେଖିବାକୁ ମିଳିଲେନି, ହେଲେ ଦ୍ୱିତୀୟ ଟେଷ୍ଟରେ ସେ ଟିମ୍‌କୁ ଉଚିତ ମାର୍ଗଦର୍ଶନ କରିଥିଲେ ।

ଯେତେବେଳେ ଅଧିନାୟକ ନୂଆ ଓ ଟିମ୍ ଅନଭିଜ୍ଞ, ସେତେବେଳେ ରଣନୀତିର ଗୁରୁତ୍ୱ ବଢ଼ିଯାଏ । ଗମ୍ଭୀର ଏ କଥା ଭଲ ଭାବେ ଜାଣିଛନ୍ତି ଏବଂ ସିରିଜ୍ ଶେଷ ଯାଏଁ ତାଙ୍କୁ ଏହା ଧ୍ୟାନରେ ରଖି ଚାଲିବାକୁ ହେବ ।

ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ଏଯାବତ (ଜୁଲାଇ ୬ ସୁଦ୍ଧା) ୧୨ ଟେଷ୍ଟ ଖେଳି ମାତ୍ର ଚାରି ମ୍ୟାଚ୍ ଜିତିଥିବା ବେଳେ ସାତ ମ୍ୟାଚ୍ ହାରିଛି । ଅନ୍ୟ ଏକ ମ୍ୟାଚ୍ ଡ୍ର’ ରହିଛି । ସେଥିମଧ୍ୟରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପରାଜୟ ରହିଛି, ଯାହା ଫଳରେ ଭାରତ ପୂର୍ବ ଟେଷ୍ଟ ଚକ୍ରରେ ଫାଇନାଲ୍‌ରେ ପହଞ୍ଚିପାରି ନ ଥିଲା ।

ନିକଟ ଅତୀତରେ ଶୁଣିବାକୁ ମିଳିଥିଲା ଯେ ବିସିସିଆଇ ରେଡ୍‌-ବଲ୍ ଫର୍ମାଟ୍‌ରେ ଭିନ୍ନ କୋଚ୍‌ଙ୍କୁ ନିଯୁକ୍ତ କରିପାରେ । ଆଗାମୀ ଦିନରେ ବି ଏଭଳି ଚର୍ଚ୍ଚା ହୋଇପାରେ । ତେଣୁ ଏହି ଫର୍ମାଟ୍‌ରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଗମ୍ଭୀରଙ୍କୁ ଯେକୌଣସି ସ୍ଥିତିରେ ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଜିତିବାକୁ ହେବ, ଯାହା ଫଳରେ ସିରିଜ୍ ପରେ ବିସିସିଆଇ ଅଧିକାରୀ ଓ ପୂର୍ବତନ କ୍ରିକେଟର୍ ତାଙ୍କୁ କାଠଗଡ଼ାରେ ଛିଡ଼ା କରାଇବେନି ।

India-England Test Match Gautam Gambhir Shubman Gill
Advertisment
Advertisment