Advertisment

Sports: କ୍ରମାଗତ ତୃତୀୟ ଥର ଡବ୍ଲ୍ୟୁଟିସି ଫାଇନାଲ୍‌ରେ ପହଞ୍ଚିପାରିବ କି ଭାରତ

ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍ ମ୍ୟାଚ୍‌କୁ ଆହୁରି ଆଠ ମାସ ବାକି ଥିବା ବେଳେ ଏବେ ଠାରୁ କିଏ ଫାଇନାଲ୍‌କୁ ଯିବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଦମ୍‌ଦାର ଫର୍ମରେ ଥିବା ଟିମ୍ ଇଣ୍ଡିଆ କ’ଣ କ୍ରମାଗତ ତୃତୀୟ ଥର ଫାଇନାଲ୍‌ରେ ପହଞ୍ଚିପାରିବ? ରୋହିତ ସେନା କ’ଣ ଟେଷ୍ଟରେ ଭାରତର ବିଶ୍ୱବିଜୟ ସ୍ୱପ୍ନକୁ ସାକାର କରିପାରିବ?

author-image
Biswajit Mohanty
ଅଦ୍ୟତନ ହୋଇଛି
Can India reach the WTC final for the third time in a row

Can India reach the WTC final for the third time in a row

ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (ଡବ୍ଲ୍ୟୁଟିସି) ୨୦୨୩-୨୫ ଚକ୍ରର ଫାଇନାଲ୍ ମ୍ୟାଚ୍‌କୁ ପ୍ରାୟ ଆଠ ମାସ ବାକି ଅଛି । ଏହା ପୂର୍ବରୁ ବିଭିନ୍ନ ଟିମ୍ ଅନେକ ଟେଷ୍ଟ ମ୍ୟାଚ୍ ଖେଳିବେ । ସେଥିମଧ୍ୟରେ ଭାରତ ଆଉ ନଅ ମ୍ୟାଚ୍ ଖେଳିବ । ଏବେ ଟିମ୍ ଘରେ ବାଂଲାଦେଶ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି ।

Advertisment

ତେବେ ଦମ୍‌ଦାର ଫର୍ମରେ ଥିବା ଟିମ୍ ଇଣ୍ଡିଆ କ’ଣ କ୍ରମାଗତ ତୃତୀୟ ଥର ଡବ୍ଲ୍ୟୁଟିସି ଫାଇନାଲ୍‌ରେ ପହଞ୍ଚିପାରିବ? ରୋହିତ ଶର୍ମାଙ୍କ ଟିମ୍ କ’ଣ ଟେଷ୍ଟରେ ଭାରତର ବିଶ୍ୱବିଜୟ ସ୍ୱପ୍ନକୁ ସାକାର କରିପାରିବ? ଏହାକୁ ନେଇ ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ପ୍ରଦର୍ଶନକୁ ବିଚାରକୁ ନେଲେ, ଭାରତ ଫାଇନାଲ୍‌ରେ ପହଞ୍ଚିବାର ସମ୍ଭାବନା ଅଧିକ । ପୂର୍ବ ଦୁଇ ଥର ଭାରତୀୟ ଟିମ୍ ଫାଇନାଲ୍‌କୁ ଯାଇଥିଲେ ବି ମୁକୁଟ ଜିତିପାରି ନ ଥିଲା । ପ୍ରଥମ ଥର ନ୍ୟୁଜିଲାଣ୍ଡ ଓ ଦ୍ୱିତୀୟ ଥର ଅଷ୍ଟ୍ରେଲିଆ ପ୍ରତିବନ୍ଧକ ସାଜିଥିଲା ।

Advertisment

ଏଥର ଫାଇନାଲ୍‌କୁ ଯିବା ସ୍ଥଳେ ଟିମ୍ ଠାରୁ ଟ୍ରଫି ଆଶା କରାଯିବା ସ୍ୱାଭାବିକ । ତେବେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଭାରତ ଟି-୨୦ ବିଶ୍ୱକପ୍ ମୁକୁଟ ଜିତିବା ପରେ ଏହି ଆଶା ଅନେକ ଗୁଣରେ ବଢ଼ିଯିବ ।

ଡବ୍ଲ୍ୟୁଟିସି ଟେବୁଲ୍ ଶୀର୍ଷରେ ଟିମ୍ ଇଣ୍ଡିଆ:

ଡବ୍ଲ୍ୟୁଟିସି ୨୦୨୩-୨୫ ଟେବୁଲ୍‌ରେ ଟିମ୍ ଇଣ୍ଡିଆ ଏବେ ୭୧.୬୭ ପଏଣ୍ଟ ପ୍ରତିଶତ ସହ ଶୀର୍ଷରେ ଥିବା ବେଳେ ପୂର୍ବ ସଂସ୍କରଣ (୨୦୨୧-୨୩) ଚାମ୍ପିଅନ୍ ଅଷ୍ଟ୍ରେଲିଆ ୬୨.୫୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି ।

ସିଂହଳୀ ଟିମ୍ ଇଂଲଣ୍ଡ ଗସ୍ତରେ ଗୋଟିଏ ଓ ଘରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଜିତିବା ପରେ ଡବ୍ଲ୍ୟୁଟିସିର ଗଣିତ ବଦଳିଯାଇଛି । ଶ୍ରୀଲଙ୍କା ଏବେ ୫୦ ପ୍ରତିଶତ ସହ ଦୁଇ ସ୍ଥାନ ଉଠି ତୃତୀୟ ସ୍ଥାନକୁ ଚାଲିଆସିଛି ।

ଏହି ଚକ୍ରରେ ରୋହିତ ସେନା ଚାରି ସିରିଜ୍‌ରେ ୧୦ ଟେଷ୍ଟ ଖେଳି ସାତ ମ୍ୟାଚ୍ ଜିତିଥିବା ବେଳେ ଦୁଇ ମ୍ୟାଚ୍ ହାରିଛି ଏବଂ ଗୋଟିଏ ଡ୍ର’ ରହିଛି । ଟିମ୍ ମୋଟ୍ ୮୬ ପଏଣ୍ଟ ପାଇଛି । ଦକ୍ଷିଣ ଆଫ୍ରିକା ଗସ୍ତରେ ଦୁଇ ପେନାଲ୍ଟି ପଏଣ୍ଟ ମିଳିଥିଲା ଅନ୍ୟଥା ଏହା ୮୮ ପଏଣ୍ଟ ହୋଇଥା’ନ୍ତା ।

ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍‌କୁ ୧-୦ରେ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌କୁ ୧-୧ରେ ଡ୍ର’ ରଖିଥିଲା । ଦୁଇ ବିଦେଶ ଗସ୍ତ ପରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍‌ରେ ଟିମ୍‌ର ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା । ଇଂଲଣ୍ଡର ‘ବାଜ୍‌ବଲ୍‌’ ରଣକୌଶଳକୁ ବିଫଳ କରି ଆୟୋଜକ ଟିମ୍ ୪-୧ରେ ବିଜୟୀ ହୋଇଥିଲା ।

ଏବେ ଚାଲିଥିବା ବାଂଲାଦେଶ ବିପକ୍ଷ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ୍ ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି । ଆଗକୁ ମଧ୍ୟ ଟିମ୍ ତା’ର ଜୋର୍‌ଦାର ଅଭିଯାନ ଜାରି ରଖିବ ବୋଲି ଆଶା କରାଯାଉଛି ।

ଭାରତକୁ ଚାରି ବିଜୟ ଓ ଗୋଟିଏ ଡ୍ର’ ଆବଶ୍ୟକ:

ଡବ୍ଲ୍ୟୁଟିସି ଟେବୁଲ୍‌ରେ ସୁରକ୍ଷିତ ରହିବା ପାଇଁ ଭାରତ ତା’ର ପଏଣ୍ଟ ପ୍ରତିଶତକୁ ୬୦ରୁ ଉପରେ ରଖିବାକୁ ଚାହିଁବ, ଯାହା ଫଳରେ ଟିମ୍ ଶୀର୍ଷ ଦୁଇ ମଧ୍ୟରେ ରହିପାରିବ । ସେଥିପାଇଁ ରୋହିତ ସେନାକୁ ବର୍ତ୍ତମାନର ୮୬ ପଏଣ୍ଟରେ ଆଉ ୫୧ ପଏଣ୍ଟ ଯୋଡ଼ିବାକୁ ହେବ ।

୬୦ ପ୍ରତିଶତରୁ ଉପରେ ରହିବା ପାଇଁ ଟିମ୍ ଇଣ୍ଡିଆକୁ ପରବର୍ତ୍ତୀ ନଅ ଟେଷ୍ଟ ମଧ୍ୟରୁ ଅତି କମ୍‌ରେ ଚାରି ବିଜୟ ଓ ଗୋଟିଏ ଡ୍ର’ ଆବଶ୍ୟକ । ଯଦି ଟିମ୍ ପାଞ୍ଚ ମ୍ୟାଚ୍ ଜିତେ, ତା’ହେଲେ ତା’ର ପ୍ରତିଶତ ୬୪.୦୩ରେ ପହଞ୍ଚିବ ।

ଆଗକୁ ଭାରତୀୟ ଟିମ୍ ଘରେ ବାଂଲାଦେଶ ବିପକ୍ଷରେ ଗୋଟିଏ (ସିରିଜ୍‌ର ଶେଷ ମ୍ୟାଚ୍‌) ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଟେଷ୍ଟ ଖେଳିବ । ଏହାପରେ ରୋହିତ ସେନା ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ପାଞ୍ଚ ଟେଷ୍ଟ ବିଶିଷ୍ଟ ସିରିଜ୍ ଖେଳିବ, ଯାହା ନଭେମ୍ବର ୨୨ରୁ ଆରମ୍ଭ ହେବ । କିଏ ଡବ୍ଲ୍ୟୁଟିସି ଟେବୁଲ୍‌ର ଶୀର୍ଷରେ ରହିବ, ତାହା ଏହି ସିରିଜ୍‌ରୁ ସ୍ଥିର ହୋଇପାରେ ।

ଅଷ୍ଟ୍ରେଲିଆ ସାତରୁ ଚାରି ଓ ଶ୍ରୀଲଙ୍କା ପାଞ୍ଚରୁ ଚାରି ଟେଷ୍ଟ ଜିତିବା ଜରୁରୀ:

ଅଷ୍ଟ୍ରେଲିଆ ଏ ଯାବତ ଚାରି ସିରିଜ୍‌ରେ ୧୨ ମ୍ୟାଚ୍ ଖେଳି ୯୦ ପଏଣ୍ଟ ପାଇଛି । ସେଥିମଧ୍ୟରୁ କଙ୍ଗାରୁ ଟିମ୍ ଆଠ ମ୍ୟାଚ୍ ଜିତିଥିବା ବେଳେ ତିନି ମ୍ୟାଚ୍ ହାରିଛି ଏବଂ ଗୋଟିଏ ଡ୍ର’ ରହିଛି ।

୨୦୨୩-୨୫ ଚକ୍ରରେ ଅବଶିଷ୍ଟ ସାତ ଟେଷ୍ଟ ମଧ୍ୟରୁ ପାଟ୍ କମିନ୍ସଙ୍କ ଟିମ୍ ଘରେ ଭାରତ ବିପକ୍ଷରେ ପାଞ୍ଚ ଓ ଶ୍ରୀଲଙ୍କାରେ ଦୁଇ ମ୍ୟାଚ୍ ଖେଳିବ । ୬୦ ପ୍ରତିଶତରୁ ଉପରେ ରହିବା ପାଇଁ ଅଷ୍ଟ୍ରେଲିଆକୁ ସେଥିମଧ୍ୟରୁ ଚାରି ମ୍ୟାଚ୍ ଜିତିବାକୁ ହେବ । ଅବଶ୍ୟ ଟିମ୍ ତିନି ବିଜୟ ଓ ତିନି ଡ୍ର’ ସହ ମଧ୍ୟ ଏତିକି ପ୍ରତିଶତ ହାସଲ କରିପାରିବ । ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ହିଁ ତା’ର ଚୂଡ଼ାନ୍ତ ସ୍ଥାନ ନିରୂପିତ ହେବ ।

ଶ୍ରୀଲଙ୍କା ଏ ଯାବତ ଚାରି ସିରିଜ୍‌ରେ ଆଠ ମ୍ୟାଚ୍ ଖେଳି ଚାରି ବିଜୟ ଓ ଚାରି ପରାଜୟ ସହ ୪୮ ପଏଣ୍ଟ ପାଇଛି । ଏବେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍‌ରେ ସିଂହଳୀ ଟିମ୍ ପ୍ରଥମ ମ୍ୟାଚ୍‌ରେ ରୋମାଞ୍ଚକ ବିଜୟ ହାସଲ କରିଛି ।

ଏହି ସିରିଜ୍‌ରେ ଆୟୋଜକ ଟିମ୍ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଉ ଏକ ମ୍ୟାଚ୍ ଖେଳିବ । ଏହାପରେ ଧନଞ୍ଜୟ ଡି’ ସିଲ୍‌ଭାଙ୍କ ଟିମ୍ ଘରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇ ଓ ଦକ୍ଷିଣ ଆଫ୍ରିକାରେ ଦୁଇ ଟେଷ୍ଟ ଖେଳିବ ।

ଏହି ଦୁଇ ସିରିଜ୍ ଟିମ୍ ପାଇଁ କଷ୍ଟସାଧ୍ୟ ହେବ । ୬୦ ପ୍ରତିଶତରୁ ଉପରେ ରହିବା ପାଇଁ ଶ୍ରୀଲଙ୍କା ଅବଶିଷ୍ଟ ପାଞ୍ଚ ଟେଷ୍ଟ ମଧ୍ୟରୁ ଚାରି ମ୍ୟାଚ୍ ଜିତିବା ନିହାତି ଜରୁରୀ ।

ପ୍ରଥମ ସଂସ୍କରଣ (୨୦୧୯-୨୧) ଚାମ୍ପିଅନ୍ ନ୍ୟୁଜିଲାଣ୍ଡ ଏବେ ଶ୍ରୀଲଙ୍କା ଗସ୍ତରେ ପ୍ରଥମ ଟେଷ୍ଟ ହାରିବା ପରେ ୪୨.୮୫ ପ୍ରତିଶତ ସହ ଟେବୁଲ୍‌ରେ ଗୋଟିଏ ସ୍ଥାନ ହରାଇ ଚତୁର୍ଥ ସ୍ଥାନକୁ ଖସିଆସିଛି ।

୩୬ ପଏଣ୍ଟ ପାଇଥିବା କିୱି ଟିମ୍ ଏ ଯାବତ ଚାରି ସିରିଜ୍‌ରେ ସାତ ଟେଷ୍ଟ ଖେଳି ତିନି ମ୍ୟାଚ୍ ଜିତିଥିବା ବେଳେ ଚାରି ମ୍ୟାଚ୍ ହାରିଛି । ଶ୍ରୀଲଙ୍କାରେ ଆଉ ଗୋଟିଏ ଓ ଭାରତରେ ତିନି ମ୍ୟାଚ୍ ଖେଳିବା ପରେ ନ୍ୟୁଜିଲାଣ୍ଡ ଘରେ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍‌ର ସିରିଜ୍ ଆୟୋଜନ କରିବ ।

୬୦ ପ୍ରତିଶତରୁ ଉପରେ ରହିବା ପାଇଁ ନ୍ୟୁଜିଲାଣ୍ଡକୁ ଅବଶିଷ୍ଟ ସାତରୁ ଛଅ ଟେଷ୍ଟ ଜିତିବାକୁ ହେବ । ଟିମ୍ ପାଇଁ ପାଞ୍ଚ ବିଜୟ ଓ ଗୋଟିଏ ଡ୍ର’ ଯଥେଷ୍ଟ ନୁହେଁ । ଟିମ୍ ସାଉଦୀଙ୍କ ସେନା ପାଇଁ ଭାରତ ଓ ଇଂଲଣ୍ଡ ବିପକ୍ଷ ସିରିଜ୍ ଆହ୍ୱାନପୂର୍ଣ୍ଣ ହେବ ।

ଏହାଛଡ଼ା ଷଷ୍ଠ ସ୍ଥାନରେ ଥିବା ବାଂଲାଦେଶ (୩୯.୨୯ ପ୍ରତିଶତ) ଓ ସପ୍ତମରେ ଥିବା ଦକ୍ଷିଣ ଆଫ୍ରିକା (୩୮.୮୯ ପ୍ରତିଶତ) ପାଖରେ ବି ସୁଯୋଗ ରହିଛି ।

ବାଂଲାଦେଶ ତା’ର ଅବଶିଷ୍ଟ ପାଞ୍ଚ ଟେଷ୍ଟ ମଧ୍ୟରୁ ଭାରତରେ ଆଉ ଗୋଟିଏ ଓ ୱେଷ୍ଟଇଣ୍ଡିଜ୍‌ରେ ଦୁଇ ଏବଂ ଘରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ୍ ଖେଳିବ । ଟିମ୍ ପାଇଁ ଏବେ ସମସ୍ତ ମ୍ୟାଚ୍ ଜିତିବା ଜରୁରୀ ହୋଇଯାଇଛି ।

ସେହିପରି ଆଫ୍ରିକୀୟ ଟିମ୍ ଘରେ ଶ୍ରୀଲଙ୍କା ଓ ପାକିସ୍ତାନ ବିପକ୍ଷରେ ଦୁଇ ଲେଖାଏଁ ଏବଂ ବାଂଲାଦେଶରେ ଦୁଇ ଟେଷ୍ଟ ଖେଳିବ । ତେମ୍ବା ବାଭୁମାଙ୍କ ଟିମ୍ ପାଇଁ ୬୦ ପ୍ରତିଶତରୁ ଉପରେ ରହିବା ଲାଗି ଅବଶିଷ୍ଟ ଛଅ ମ୍ୟାଚ୍‌ରୁ ଅତି କମ୍‌ରେ ପାଞ୍ଚ ବିଜୟ ଆବଶ୍ୟକ । ତେବେ ଏହି ଦୁଇ ଟିମ୍‌ର ପଥ ଏତେ ସୁଗମ ନୁହେଁ ।

ଅନ୍ୟପଟେ, ପଞ୍ଚମ ସ୍ଥାନରେ ଥିବା ଇଂଲଣ୍ଡ ଓ ଅଷ୍ଟମରେ ଥିବା ପାକିସ୍ତାନ ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ରୁ ଆପାତତଃ ବାଦ୍ ପଡ଼ିଥିବା ବେଳେ ସର୍ବନିମ୍ନ ନବମରେ ଥିବା ୱେଷ୍ଟଇଣ୍ଡିଜ୍‌ର ସମ୍ଭାବନା ନାହିଁ ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Indian Cricket WTC Final Indian Cricket Team
Advertisment
Advertisment