• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ଅଷ୍ଟ୍ରେଲିଆରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ତୃତୀୟ ଟେଷ୍ଟ ଶେଷ ସୁଦ୍ଧା ୧-୧ ବରାବର ସ୍ଥିତିରେ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (ଡବ୍ଲ୍ୟୁଟିସି)ରେ ସିଧାସଳଖ ଫାଇନାଲ୍‌ରେ ସ୍ଥାନ ପାଇବା ପାଇଁ ଟିମ୍ ଇଣ୍ଡିଆକୁ ସିରିଜ୍‌ର ଅବଶିଷ୍ଟ ଦୁଇ ମ୍ୟାଚ୍ ଜିତିବାକୁ ହେବ । ତେଣୁ କେବଳ ସିରିଜ୍ ବିଜୟ ଯଥେଷ୍ଟ ନୁହେଁ, ୩-୧ରେ ଜିତିବା ଆବଶ୍ୟକ ।

ଏ ଯାବତ ଏହି ସିରିଜ୍ ଭାରତ ପାଇଁ ଚାଲେଞ୍ଜ୍‌ପୂର୍ଣ୍ଣ ରହିଆସିଛି । ତେବେ ଉପ-ଅଧିନାୟକ ତଥା ପେସ୍ ବାହିନୀର ମୁଖ୍ୟ ଯଶପ୍ରୀତ ବୁମ୍‌ରା ନିଜର ଦମ୍‌ଦାର ବୋଲିଂ ପ୍ରଦର୍ଶନ ବଳରେ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ।

Bumrah has kept alive India's chances of entering the WTC final ଡବ୍ଲ୍ୟୁଟିସି ଫାଇନାଲ୍‌ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ବୁମ୍‌ରା

ସେ ଅଷ୍ଟ୍ରେଲୀୟ ବ୍ୟାଟର୍‌ଙ୍କ ପାଇଁ ଆତଙ୍କ ସାଜିଛନ୍ତି । ମେଲ୍‌ବର୍ଣ୍ଣ ଓ ସିଡ୍‌ନୀ ଠାରେ ମଧ୍ୟ ଟିମ୍ ତାଙ୍କ ଠାରୁ ଅନୁରୂପ ପ୍ରଭାବଶାଳୀ ପ୍ରଦର୍ଶନ ଆଶା କରିବ ।

ଯଦି କୌଣସି କାରଣରୁ ଏହି ତାରକା ପେସର୍ ସିରିଜ୍‌ରେ ଖେଳୁ ନ ଥା’ନ୍ତେ, ତା’ହେଲେ ଆଜି ଟିମ୍‌ର ଅବସ୍ଥା କ’ଣ ହୋଇଥା’ନ୍ତା? ଅନ୍ୟତମ ଅଭିଜ୍ଞ ପେସର୍ ମହମ୍ମଦ ଶାମୀ ବି ଟିମ୍‌ରେ ନାହାନ୍ତି ।

ତିନି ଟେଷ୍ଟରେ ୨୧ ୱିକେଟ୍ ହାସଲ

ବୁମ୍‌ରା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଏ ଯାବତ ଖେଳାଯାଇଥିବା ତିନି ମ୍ୟାଚ୍‌ରେ ସର୍ବାଧିକ ୨୧ ୱିକେଟ୍ ଅକ୍ତିଆର କରିଛନ୍ତି । ଏହି ପରିସଂଖ୍ୟାନ ତାଙ୍କ ଘାତକ ବୋଲିଂ ପ୍ରଦର୍ଶନର ପ୍ରମାଣ ଦେଉଛି ।

ଏହା ସହିତ ବୁମ୍‌ରା ଅଷ୍ଟ୍ରେଲିଆରେ ଭାରତର ସର୍ବାଧିକ ଟେଷ୍ଟ ୱିକେଟ୍ ହାସଲକାରୀ ହୋଇପାରିଛନ୍ତି । ସେ ତୃତୀୟ ଟେଷ୍ଟ ସମୟରେ ପୂର୍ବତନ ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍ କପିଳ ଦେବଙ୍କ ୫୧ ୱିକେଟ୍ ରେକର୍ଡ ଭାଙ୍ଗିଥିଲେ ।

Bumrah has kept alive India's chances of entering the WTC final ଡବ୍ଲ୍ୟୁଟିସି ଫାଇନାଲ୍‌ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ବୁମ୍‌ରା

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ କ୍ଲିନ୍ ସୁଇପ୍‌ର ଶିକାର ହେବା ପରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଆସିଛି । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ନିୟମିତ ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ କାରଣରୁ ଖେଳିପାରି ନ ଥିଲେ । ଏପରି ସ୍ଥଳେ ପର୍ଥର ବାଉନ୍ସିଂ ୱିକେଟ୍‌ରେ ବୁମ୍‌ରା ଟିମ୍‌ର ନେତୃତ୍ୱ ନେଇଥିଲେ ।

ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୨୯୫ ରନ୍‌ର ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଥିଲା । ବୁମ୍‌ରା କେବଳ ସଫଳ ନେତୃତ୍ୱ ନେଇ ନ ଥିଲେ, ୮ ୱିକେଟ୍ ନେଇ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ମଧ୍ୟ ବିବେଚିତ ହୋଇଥିଲେ ।

ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍‌ରେ ସେ ମାତ୍ର ୩୦ ରନ୍ ଦେଇ ୫ ୱିକେଟ୍ ନେଇଥିଲେ, ଯେଉଁଥିରେ ତାଙ୍କ ଇକନମୀ ରେଟ୍ ଥିଲା ୧.୬୭ । ଦ୍ୱିତୀୟ ଇନିଂସ୍‌ରେ ସେ ୩ ୱିକେଟ୍ ପାଇଥିଲେ ।

ଆଡିଲେଡ୍ ଠାରେ ଖେଳାଯାଇଥିବା ଦ୍ୱିତୀୟ (ପିଙ୍କ୍ ବଲ୍‌) ଟେଷ୍ଟରେ ସେ ପ୍ରଥମ ଇନିଂସ୍‌ରେ ୪ ୱିକେଟ୍ ନେଇଥିଲେ । କିନ୍ତୁ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ଯୋଗ୍‌ୁଁ ଟିମ୍ ଏହି ମ୍ୟାଚ୍ ହାରିଯାଇଥିଲା ।

ଏହାପରେ ଗାବା ଠାରେ ହୋଇଥିବା ବର୍ଷା-ବାଧାପ୍ରାପ୍ତ ତୃତୀୟ ଟେଷ୍ଟ ଡ୍ର’ ରହିଥିଲା । ଏଥିରେ ବି ବୁମ୍‌ରା ଟିମ୍ ପକ୍ଷରୁ ଉଜ୍ଜ୍ୱଳ ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ଇନିଂସ୍‌ରେ ୬ ଓ ଦ୍ୱିତୀୟ ଇନିଂସ୍‌ରେ ୩ ୱିକେଟ୍ ନେଇଥିଲେ ।

ଏହାଛଡ଼ା ଟିମ୍‌କୁ ଫଲୋଅନ୍‌ରୁ ବଞ୍ଚାଇବାରେ ମଧ୍ୟ ତାଙ୍କର ଭୂମିକା ଥିଲା । ସେ ଆକାଶ ଦୀପଙ୍କ ସହ ୧୦ତମ ୱିକେଟ୍ ପାଇଁ ୪୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ । ଆକାଶ ୩୧ ରନ୍ କରି ଆଉଟ୍ ହୋଇଥିବା ବେଳେ ବୁମ୍‌ରା ୧୦ ରନ୍ କରି ଅପରାଜିତ ଥିଲେ ।

 

Bumrah has kept alive India's chances of entering the WTC finalଡବ୍ଲ୍ୟୁଟିସି ଫାଇନାଲ୍‌ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ବୁମ୍‌ରା

ମେଲ୍‌ବର୍ଣ୍ଣରେ ରେକର୍ଡ ଭାଙ୍ଗିବାର ସୁଯୋଗ

ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ପ୍ରଭାବଶାଳୀ ପ୍ରଦର୍ଶନ ବଜାୟ ରଖିଥିବା ବୁମ୍‌ରା ମେଲ୍‌ବର୍ଣ୍ଣ ଟେଷ୍ଟରେ ଏକ ରେକର୍ଡ ଭାଙ୍ଗିପାରନ୍ତି । ସେ ଚତୁର୍ଥ ମ୍ୟାଚ୍‌ରେ ମାତ୍ର ଗୋଟିଏ ୱିକେଟ୍ ନେଲେ, ମେଲ୍‌ବର୍ଣ୍ଣ ଗ୍ରାଉଣ୍ଡରେ ଭାରତ ପକ୍ଷରୁ ସର୍ବାଧିକ ଟେଷ୍ଟ ୱିକେଟ୍ ହାସଲକାରୀ ହୋଇପାରିବେ ।

ମେଲ୍‌ବର୍ଣ୍ଣରେ ସେ ଏ ଯାବତ ଟେଷ୍ଟରେ ୧୫ ୱିକେଟ୍ ଅକ୍ତିଆର କରିଛନ୍ତି । ପୂର୍ବତନ ଲେଗ୍ ସ୍ପିନର୍ ଅନିଲ କୁମ୍ବଲେ ମଧ୍ୟ ଏହି ଭେନ୍ୟୁରେ ୧୫ (ଛଅ ଇନିଂସ୍‌ରେ) ୱିକେଟ୍ ନେଇଛନ୍ତି ।

ଏହି ତାଲିକାରେ ଥିବା ପୂର୍ବତନ ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍ କପିଳ ଓ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ ୧୪ ଲେଖାଏଁ ୱିକେଟ୍ ନେଇଥିବା ବେଳେ ପେସର୍ ଉମେଶ ଯାଦବ ୧୩ ୱିକେଟ୍ ପାଇଛନ୍ତି ।

ପରବର୍ତ୍ତୀ ଟେଷ୍ଟ ଅଧିନାୟକ ଦୌଡ଼ରେ ବି ଆଗରେ

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଲାନ୍ ବର୍ଡର ପେସର୍ ବୁମ୍‌ରାଙ୍କ ବିରଳ ବୋଲିଂ ଶୈଳୀ ଓ ପର୍ଥରେ ଅଧିନାୟକତ୍ୱକୁ ପ୍ରଶଂସା କରିଛନ୍ତି । ବର୍ଡରଙ୍କ କହିବାନୁଯାୟୀ ବୁମ୍‌ରା ପର୍ଥରେ ଅଧିନାୟକ ଭାବେ ଖୁବ୍ ସୁନ୍ଦର ଭୂମିକା ତୁଲାଇଛନ୍ତି । ସେ ଯେଭଳି ପଡ଼ିଆ ସଜେଇଥିଲେ, ତାଙ୍କୁ କେହି ଦୋଷ ଦେଇପାରିବେନି ।

ରୋହିତ ଶର୍ମାଙ୍କ ପରେ ଭାରତର ଟେଷ୍ଟ ଅଧିନାୟକ ଦୌଡ଼ରେ ବୁମ୍‌ରା, ୱିକେଟ୍‌କିପର୍‌-ବ୍ୟାଟର୍ ରିଷଭ ପନ୍ତ ପ୍ରମୁଖ ରହିଛନ୍ତି । ପର୍ଥରେ ବୁମ୍‌ରା ନିଜ ନେତୃତ୍ୱ-ଦକ୍ଷତା ସାବ୍ୟସ୍ତ କରିଥିଲେ । ଭବିଷ୍ୟତକୁ ଆଖି ଆଗରେ ରଖି ତାଙ୍କୁ ଟିମ୍‌ର ଉପ-ଅଧିନାୟକ କରାଯାଇଛି ।

ଗୋଟିଏ-ଦୁଇଟି ମ୍ୟାଚ୍ ପାଇଁ ଠିକ୍ ଅଛି, କିନ୍ତୁ ସବୁବେଳେ ଦ୍ୱୈତ ଭୂମିକା (ଅଧିନାୟକତ୍ୱ ଓ ବୋଲିଂ) ତୁଲାଇବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ । ଏହାଦ୍ୱାରା ତାଙ୍କ ବୋଲିଂ ପ୍ରଦର୍ଶନ ବି ପ୍ରଭାବିତ ହୋଇପାରେ ।

ଅଷ୍ଟ୍ରେଲିଆ ଗସ୍ତ ଟେଷ୍ଟରେ ଅଧିନାୟକ ରୋହିତଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିପାରେ, କାରଣ ସେ ଆଶାଜନକ ବ୍ୟାଟିଂ ପ୍ରଦର୍ଶନ କରିପାରୁ ନାହାନ୍ତି । ଟିମ୍‌ର ସାମଗ୍ରିକ ପ୍ରଦର୍ଶନ ଉପରେ ଏହାର ପ୍ରଭାବ ପଡ଼ୁଛି । ଶୀର୍ଷକ୍ରମ ଓ ମଧ୍ୟକ୍ରମ - ଉଭୟ ସ୍ଥାନରେ ସେ ବିଫଳ ହେଉଛନ୍ତି ।

ଯଦି ଭାରତୀୟ ଟିମ୍ କୌଣସିମତେ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ସ୍ଥାନ ପାଇବାରେ ବିଫଳ ହୁଏ, ତା’ହେଲେ ରୋହିତ ଅଧିନାୟକତ୍ୱ ହରାଇପାରନ୍ତି । ଅନ୍ୟଥା ସେ ଅଧିନାୟକତ୍ୱ ଛାଡ଼ିପାରନ୍ତି । ଏପରିକି ଟେଷ୍ଟ କ୍ରିକେଟ୍‌ରୁ ବି ଦୂରେଇ ଯାଇପାରନ୍ତି । ଏପରି ସ୍ଥଳେ ନୂଆ ଡବ୍ଲ୍ୟୁଟିସି ଚକ୍ରରେ ଟିମ୍‌କୁ ନୂଆ ଅଧିନାୟକ ମିଳିପାରେ ।

Bumrah has kept alive India's chances of entering the WTC final ଡବ୍ଲ୍ୟୁଟିସି ଫାଇନାଲ୍‌ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ବୁମ୍‌ରା

ଭାରତ ଶେଷ ଦୁଇ ଟେଷ୍ଟ ଜିତିବା ଜରୁରୀ

ଏବେ ଡବ୍ଲ୍ୟୁଟିସି ଟେବୁଲ୍‌ରେ ଭାରତ ୫୫.୮୮ ପଏଣ୍ଟ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି । ଟିମ୍ ୧୭ ମ୍ୟାଚ୍ ଖେଳି ନଅ ବିଜୟ, ଛଅ ପରାଜୟ ଓ ଦୁଇ ଡ୍ର’ ସହ ୧୧୪ ପଏଣ୍ଟ ପାଇଛି । ଦକ୍ଷିଣ ଆଫ୍ରିକା (୬୩.୩୩ ପଏଣ୍ଟ ପ୍ରତିଶତ) ପ୍ରଥମ ଓ ଅଷ୍ଟ୍ରେଲିଆ (୫୮.୮୯) ଦ୍ୱିତୀୟ ସ୍ଥାନରେ ରହିଛି ।

ସିଧାସଳଖ ଫାଇନାଲ୍‌ରେ ପହଞ୍ଚିବା ପାଇଁ ଟିମ୍ ଇଣ୍ଡିଆ ଚଳିତ ଟେଷ୍ଟ ଚକ୍ରରେ ଅଷ୍ଟ୍ରେଲିଆ ଗସ୍ତରେ ହେବାକୁ ଥିବା ନିଜର ଶେଷ ଦୁଇ ମ୍ୟାଚ୍ ଜିତିବା ଜରୁରୀ ।

ଅନ୍ୟପଟେ, ଅଷ୍ଟ୍ରେଲିଆ ତା’ର ଅବଶିଷ୍ଟ ଚାରି ଟେଷ୍ଟ ମଧ୍ୟରୁ ତିନି ମ୍ୟାଚ୍ ଜିତିଲେ ଟପ୍‌-୨ ମଧ୍ୟରେ ରହିପାରିବ । କଙ୍ଗାରୁ ଟିମ୍ ଶ୍ରୀଲଙ୍କାରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ସେହିପରି ଦକ୍ଷିଣ ଆଫ୍ରିକୀୟ ଟିମ୍ ପାକିସ୍ତାନ ବିପକ୍ଷରେ ନିଜର ଶେଷ ଦୁଇ ଟେଷ୍ଟ ମଧ୍ୟରୁ ଅନ୍ତତଃ ଗୋଟିଏ ମ୍ୟାଚ୍ ଜିତିବା ଆବଶ୍ୟକ ।

ଭାରତୀୟ ଟିମ୍ ୩-୧ରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଲେ, ୬୦.୫୩ ପଏଣ୍ଟ ପ୍ରତିଶତ ସହ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବ । ଯଦି ଭାରତ ୨-୧ରେ ସିରିଜ୍ ଜିତେ ଅଥବା ସିରିଜ୍ ୨-୨ରେ ବରାବର ରହେ, ତା’ହେଲେ ଟିମ୍‌କୁ ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା-ପାକିସ୍ତାନ ସିରିଜ୍‌ର ଫଳାଫଳକୁ ଅପେକ୍ଷା କରିବାକୁ ହେବ ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now