• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇଂଲଣ୍ତ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ୨ଟି ଟେଷ୍ଟ ଖେଳିବେନି ଟିମ୍‌ ଇଣ୍ତିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି । ଇଂଲଣ୍ତ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ଟେଷ୍ଟ ଖେଳିବେନି ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବ୍ୟକ୍ତିଗତ କାରଣରୁ ମ୍ୟାଚ୍‌ ଖେଳିବେନି ବୋଲି ବିରାଟ ଉଭୟ ବିସିସିଆଇ ଓ କ୍ୟାପଟେନ୍‌ ରୋହିତ ଶର୍ମାଙ୍କୁ ଜଣାଇଛନ୍ତି ବୋଲି ସୂଚନା ମିଳିଛି ।

ଇଂଲଣ୍ଡ ବିପକ୍ଷ ହାଇପ୍ରୋଫାଇଲ୍ ସିରିଜର ପ୍ରଥମ ଦୁଇଟି ଟେଷ୍ଟରେ ରୋହିତ ବାହିନୀ ବ୍ୟାଟିଂ ଆଇକନ୍ ବିରାଟ କୋହଲିଙ୍କ ଅନୁପସ୍ଥିତିକୁ ଅନୁଭବ କରିବେ । ନିକଟରେ ଆଫଗାନିସ୍ତାନ ଟି-୨୦ ସିରିଜରେ ବିରାଟ କମ୍‌ବ୍ୟାକ୍‌ କରିଥିବା ବେଳେ ଇଂଲଣ୍ତ ବିପକ୍ଷ ଟେଷ୍ଟ ସିରିଜ୍‌ର ୨ଟି ମ୍ୟାଚ୍‌ ଖେଳିବେନି । ବିରାଟଙ୍କ ବଦଳରେ ଦଳରେ କୌଣସି ଖେଳାଳିଙ୍କୁ ଏଯାଏ ସାମିଲ କରାଯାଇନାହିଁ । ପୂର୍ବରୁ ମଧ୍ୟ କୋହଲି ଆଫଗାନିସ୍ତାନ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରୁ ବ୍ୟକ୍ତିଗତ କାରଣ ଯୋଗୁ ଓହରି ଯାଇଥିଲେ ।

ତେବେ ବିରାଟ କଣ ପାଇଁ ଖେଳିବେନି, ସେନେଇ ସେ ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କୁ ଜଣାଇଛନ୍ତି । ଯାହାକୁ ରୋହିତ ମଧ୍ୟ ସମର୍ଥନ ଜଣାଇଛନ୍ତି । ବିରାଟଙ୍କ ଅନୁପସ୍ଥିତି ଟିମ୍‌ ଇଣ୍ତିଆକୁ ଭାରି ପଡ଼ିପାରେ । ବିଶେଷ କରି ଯୁବ ଖେଳାଳି ଯଶସ୍ୱୀ ଜଏସୱାଲ୍‌, ଶୁବମନ ଗିଲ ଓ ଶ୍ରେୟସ ଅୟରଙ୍କ ଉପରେ ଦାୟିତ୍ୱ ବଢ଼ିଯିବ ।

 

BCCI ପକ୍ଷରୁ କୁହାଯାଇଛି ଯେ, କୋହଲି ଟିମ୍‌ ମ୍ୟାନେଜମେଣ୍ଟ, କ୍ୟାପଟେନ୍‌ ଓ ସିଲେକ୍ଟର କମିଟିଙ୍କୁ ନିଜ ଅନୁପସ୍ଥିତି ବିଷୟରେ ଜଣାଇଛନ୍ତି । ସେ କହିଛନ୍ତି ନିଜକୁ ଦେଶ ପାଇଁ ସମର୍ପଣ କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ । କିନ୍ତୁ କିଛି ବ୍ୟକ୍ତିଗତ କାରଣ ତାଙ୍କୁ ମ୍ୟାଚ୍‌ ନ ଖେଳିବାକୁ ବାଧ୍ୟ କରିଛି । ତେବେ କୋହଲିଙ୍କୁ ଵିସିସିଆଇ ପକ୍ଷରୁ ଅନୁମତି ମିଳିସାରିଛି ।

ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ତିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଯାହାର ପ୍ରଥମ ମ୍ୟାଚ୍‌ ଜାନୁଆରୀ ୨୫ ରେ ହାଇଦ୍ରାବାଦରେ ଖେଳାଯିବ । ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୨ ରେ ଭାଇଜାଗ୍‌ରେ ଖେଳାଯିବ । ସିରିଜର ଅବଶିଷ୍ଟ ତିନୋଟି ମ୍ୟାଚ୍ ପାଇଁ ବିରାଟ କୋହଲି ଫେରିବେ ବୋଲି ଆଶା କରାଯାଉଛି ।