• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଇପିଏଲର ଆଗାମୀ ସିଜନ୍‌ର ମୁଖ୍ୟ ପ୍ରାୟୋଜକ ହେବ ଟାଟା ଗ୍ରୁପ୍ସ ଅଫ୍ କମ୍ପାନୀ । ଭିଭୋ ବଦଳରେ ଏବେ ଟାଟା ଆଇପିଏଲ୍‌ର ଟାଇଟଲ ସ୍ପନସର୍ ହୋଇଛି । ଏନେଇ ଆଜିଆଇପିଏଲର ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି।ବର୍ତ୍ତମାନ ଆଇପିଏଲର ଚଳିତ ସିଜନରୁ ଟାଟା ଟାଇଟଲ୍ ସ୍ପନସର୍ ଦାୟିତ୍ୱ ନେବ ।

ଭାରତର ସବୁଠାରୁ ବଡ ବ୍ୟବସାୟୀ କମ୍ପାନୀ ତାଲିକାରେ ଶୀର୍ଷରେ ରହୁଥିବା ଟାଟା ଗ୍ରୁପ୍ସ ଅଫ କମ୍ପାନୀ ଆଇପିଏଲ୍‌ର ଚଳିତ ସିଜନର ଟାଇଟଲ ସ୍ପନସର୍ ହେବ ବୋଲି ଆଇପିଏଲର ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି। ଆଉ ଚାଇନିଜ୍ କମ୍ପାନୀ ଭିଭୋ ଆଇପିଏଲର ସ୍ପନସର ରହିବ ନାହିଁ ।

ମଙ୍ଗଳବାର ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇପିଏଲ୍ ସହ ଭିଭୋର ଚୁକ୍ତି ଶେଷ ହୋଇନଥିଲା। ଭିଭୋ ସହ ଚୁକ୍ତି ଆହୁରି ଦୁଇ ବର୍ଷ ଥିଲା। କିନ୍ତୁ ଏହା ପୂର୍ବରୁ ଭିଭୋ ଆଇପିଏଲରୁ ହଟିଯାଇଛି। ଏବେ ଟାଟା ଆଗାମୀ ଦୁଇ ବର୍ଷ ପାଇଁ ଆଇପିଏଲର ଟାଇଟଲ୍ ସ୍ପନସର୍ ହେବ। ଅର୍ଥାତ୍ ଏଣିକି ଭିଭୋ ବଦଳରେ ଟାଟା ଆଇପିଏଲ୍ ସମ୍ବୋଧନ କରାଯିବ।

ଭିଭୋ ଗତ ୨୦୧୮ରୁ ୨୦୨୨ ଯାଏଁ ଆଇପିଏଲର ଟାଇଟଲ୍ ସ୍ପନସର୍ ଭାବେ ଚୁକ୍ତି କରିଥିଲା। ଟାଇଟଲ ସ୍ପନସର୍ ବାବଦକୁ ଭିଭୋ ବର୍ଷକୁ ୪୪୦ କୋଟି ଅର୍ଥାତ୍ ୫ ବର୍ଷକୁ ୨୨୦୦ କୋଟି ଟଙ୍କାର ଡିଲ୍ କରିଥିଲା। କିନ୍ତୁ ୨୦୨୦ରେ ଗଲୱାନ୍ ଘାଟିରେ ଭାରତ ଓ ଚାଇନାର ସେନା ମଧ୍ୟରେ ସଂଘର୍ଷ ପରେ ଭିଭୋ ବର୍ଷକ ପାଇଁ ବ୍ରେକ୍ ନେଇଥିଲା। ଯେଉଁ କାରଣରୁ ୨୦୨୦ ଆଇପିଏଲ ସଂସ୍କରଣରେ ଡ୍ରିମ୍-୧୧ ଟାଇଟଲ୍ ସ୍ପନନର୍ ଥିଲା। ହେଲେ ୨୦୨୧ରେ ପୁଣି ଭିଭୋ ଆଇପିଏଲର ଟାଇଟଲ୍ ସ୍ପନସର୍ ହୋଇଥିଲା।

ଆଇପିଏଲର ୧୫ଶ ସଂସ୍କରଣରେ ୧୦ ଟିମ୍ ଭାଗ ନେବେ। ପରବର୍ତ୍ତୀ ସଂସ୍କରଣ ପାଇଁ ଦୁଇ ନୂଆ ଟିମ୍ ଭାବେ ଅହମଦାବାଦ ଓ ଲକ୍ଷ୍ନୌ ଏଣ୍ଟ୍ରୀ ମାରିଛନ୍ତି। ଅହମ୍ମଦାବାଦକୁ ସିଭିସି କ୍ୟାପିଟାଲ ପାର୍ଟନର୍ସ ଗ୍ରୁପ୍ କିଣିଥିବା ବେଳେ ଲକ୍ଷ୍ନୌର ଟିମକୁ ଆରପିଏସଜି ଗ୍ରୁପ୍ କିଣିଛି। ଅହମ୍ମଦାବାଦର ଟିମକୁ ସିଭିସି କ୍ୟାପିଟାଲ୍ସ ୫୬୨୫ କୋଟି ଟଙ୍କାରେ କିଣିଛି ଏବଂ ଲକ୍ଷ୍ନୌର ଟିମ ୭୦୯୦ କୋଟି ଟଙ୍କାରେ ଆରପିଏସଜି ଗ୍ରୁପ୍ ହାତକୁ ଯାଇଛି। ଏହି ଦୁଇ ନୂଆ ଟିମ୍ ଦ୍ୱାରା ବିସିସିଆଇକୁ ପାଖାପାଖି ୧୨ ହଜାର କୋଟି ଟଙ୍କାରୁ ଅଧିକ ଆୟ ହୋଇଛି, ଯାହା ଆଶା ଠାରୁ ବହୁତ ଅଧିକ ବୋଲି କୁହାଯାଉଛି।