/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728974137.jpg)
Impact Player Rule
କ୍ରିକେଟର ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଲା ବିସିସିଆଇ । ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରୁ ହଟିଲା ଇମ୍ପାକ୍ଟ ପ୍ଲେୟାର ନିୟମ । ତେବେ ଏହି ନିୟମ ଆଇପିଏଲରେ ଲାଗୁ ରହିବ । ଆଇପିଏଲର ଆଗାମୀ ତିନି ସିଜିନ୍ ପାଇଁ ଏହି ଇମ୍ପାକ୍ଟ ପ୍ଲେୟାର ନିୟମ ବଳବତ୍ତର ରହିବ । କିଛି ବର୍ଷ ପୂର୍ବେ ବିସିସିଆଇ ଏହି ଇମ୍ପାକ୍ଟ ପ୍ଲେୟାର ନିୟମ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଲାଗୁ କରିଥିଲା ଏବଂ ପରେ ଏହାକୁ ଇଣ୍ଡିଆନ୍ ପ୍ରିମିୟର ଲିଗରେ ମଧ୍ୟ କାର୍ଯ୍ୟକାରୀ କରିଥିଲା । ତେବେ ଚଳିତ ସିଜିନ ପାଇଁ 'ଇମ୍ପାକ୍ଟ ପ୍ଲେୟାର' ବ୍ୟବସ୍ଥାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିସିସିଆଇ ସୋମବାର ରାଜ୍ୟ କ୍ରିକେଟ ଆସୋସିଏସନକୁ ସୂଚନା ଦେଇଛି।
ଅଧିକ ପଢ଼ନ୍ତୁ: କ୍ରିକେଟରରୁ DSP ହେଲେ ମହମ୍ମଦ ସିରାଜ; ବଡ଼ ପଦବୀ ପାଇଥିବା ତାଲିକାରେ ଏହିସବୁ ଖେଳାଳି
ତେବେ ଆଇପିଏଲରେ ୨୦୨୭ ପର୍ଯ୍ୟନ୍ତ ଏହି ନିୟମ ରହିବ ବୋଲି ବିସିସିଆଇ ନିକଟରେ ଘୋଷଣା କରିଥିଲା । ୨୦୨୩ ସିଜିନରେ ଆଇପିଏଲରେ ଏହି ନିୟମ ଲାଗୁ ହେବା ପରେ ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଥିଲା । ଏହି ନିୟମ ପ୍ରକୃତରେ ଭାରତୀୟ କ୍ରିକେଟ୍ ପାଇଁ ଲାଭଦାୟକ କି ? ଏହି ନିୟମ ଦ୍ବାରା ଅଲରାଉଣ୍ଡର ବିକାଶକୁ କ୍ଷତି ପହଞ୍ଚାଉଛି ବୋଲି ଅନେକ ଯୁକ୍ତି ବାଢ଼ିଥିଲେ ।
ରୋହିତ ଶର୍ମା-ବିରାଟ କୋହଲିଙ୍କ ଭଳି ହାଇ-ପ୍ରୋଫାଇଲ ଖେଳାଳି ଏହି ନିୟମକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ସେମାନେ କହିଥିଲେ କହି ଏହି ନିୟମ ଲାଗୁ ହେବା ଦ୍ବାରା ଅଲରାଉଣ୍ଡର ଡେଭଲପମେଣ୍ଟରେ କ୍ଷତି ପହଞ୍ଚାଉଛି । ଅନ୍ୟପକ୍ଷରେ ରବିଚନ୍ଦ୍ରନ ଅଶ୍ୱିନ ଏହି ନିୟମକୁ ଖୋଲାଖୋଲି ପ୍ରଶଂସା କରିଥିଲେ ।
ରୋହିତ ସେତେବେଳେ ଏକ ପୋଡକାଷ୍ଟରେ କହିଥିଲେ - ମୁଁ ଭାବୁଛି ଏହି ନିୟମ ଅଲରାଉଣ୍ଡରଙ୍କ ବିକାଶରେ ବାଧା ସୃଷ୍ଟି କରିବ । କାରଣ କ୍ରିକେଟରେ ୧୧ ଖେଳାଳି ଖେଳନ୍ତି, ୧୨ ଜଣ ନୁହଁନ୍ତି । ମୁଁ ଇମ୍ପାକ୍ଟ ପ୍ଲେୟାର ନିୟମର ବଡ଼ ପ୍ରଶଂସକ ନୁହେଁ ବୋଲି ରୋହିତ କହିଥିଲେ ।
ତେବେ ଚଳିତ ବର୍ଷ ମେ’ ମାସରେ ବିସିସିଆଇ ସଚିବ ଜୟ ଶାହା ଏହି ନିୟମକୁ ଆଇପିଏଲରେ ପରୀକ୍ଷାମୂଳକ ଭାବେ ଲାଗୁ ହୋଇଛି ବୋଲି କହିଥିଲେ ଏବଂ ଏହା ସ୍ଥାୟୀ ନୁହେଁ ବୋଲି ସେ କହିଥଲେ ।
କ’ଣ ଏହି ଇମ୍ପାକ୍ଟ ପ୍ଲେୟାର ନିୟମ ?
'ଇମ୍ପାକ୍ଟ ପ୍ଲେୟାର ନିୟମ' ଆଇପିଏଲ୍ ୨୦୨୩ରେ ଲାଗୁ କରାଯାଇଥିଲା, କିନ୍ତୁ ଏହାପୂର୍ବରୁ ଏହି ନିୟମ ସୟଦ ମୁସ୍ତାକ୍ ଅଲି ଟ୍ରଫି ୨୦୨୨-୨୩ (SMAT 2022-23) ରେ କାର୍ଯ୍ୟକାରୀ କରାଯାଇଥିଲା । ଏହା ପରେ ଆଇପିଏଲରେ ଏହି ନିୟମ ଲାଗୁ କରାଯାଇଥିଲା । ଆଇପିଏଲରେ ଥିବା 'ଇମ୍ପାକ୍ଟ ପ୍ଲେୟାର ନିୟମ' ଅନୁଯାୟୀ, ଏକାଦଶ ଖେଳିବା ବ୍ୟତୀତ ଉଭୟ ଦଳକୁ ୫-୫ ଜଣ ଖେଳାଳିଙ୍କ ନାମ ଦେବାକୁ ପଡିବ । ଏହି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିପାରିବେ । ଇମ୍ପାକ୍ଟ ପ୍ଲେୟାର ଉଭୟ ବ୍ୟାଟିଂ ଏବଂ ବୋଲିଂ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)