/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651684842.jpg)
Wriddhiman Saha
ଭାରତୀୟ କ୍ରିକେଟର୍ ରିଦ୍ଧିମାନ ସାହାଙ୍କୁ ଧମକ ଘଟଣାରେ ବିସିସିଆଇର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଅଭିଯୁକ୍ତ ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ୨ ବର୍ଷ ପାଇଁ ବ୍ୟାନ୍ କରିଛି ବିସିସିଆଇ । ଏହି ବାସନ୍ଦର ଅର୍ଥ, ଭାରତର କୌଣସି ଘରୋଇ କିମ୍ବା ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ସେ ପ୍ରେସ୍ ସଦସ୍ୟ ମାନ୍ୟତା ପାଇବେ ନାହିଁ । ଭାରତର କୌଣସି ପଞ୍ଜିକୃତ ଖେଳାଳିର ସାକ୍ଷାତକାର ନେଇପାରିବେ ନାହିଁ । ବିସିସିଆଇ କିମ୍ବା କୌଣସି ସଦସ୍ୟ ସଂଘ ପକ୍ଷରୁ ମିଳୁଥିବା ସୁବିଧାର ଲାଭ ନେଇପାରିବେ ନାହିଁ ।
ଇଣ୍ଟରଭ୍ୟୁ ନଦେବାରୁ ତାଙ୍କୁ ହ୍ୱାଟ୍ସଆପ୍ରେ ଜଣେ ସାମ୍ବାଦିକ ଧମକ ଦେଇଥିଲେ ବୋଲି ଗତ ଫେବୃଆରୀ ମାସରେ ଅଭିଯୋଗ ଆଣିଥିଲେ ୱିକେଟ୍କିପର୍ ରିଦ୍ଧିମାନ । ଏଥିସହ ମୋବାଇଲ୍ ସ୍କ୍ରିନ୍ସଟ୍ ମଧ୍ୟ ଟୁଇଟ୍ କରିଥିଲେ । ସେଥିରେ ଲେଖାଥିଲା ଯେ, ‘ତୁମେ ମୋ କଲ୍ ରିସିଭ୍ କଲ ନାହିଁ । ମୁଁ ଆଉ ତୁମ ଇଣ୍ଟରଭ୍ୟୁ ନେବି ନାହିଁ । ମୁଁ ଅପମାନକୁ ସହଜରେ ଗ୍ରହଣ କରେନାହିଁ । ଏହାକୁ ମନେ ରଖିବି । ତୁମର ଏଭଳି କରିବା ଆଦୌ ଉଚିତ ନଥିଲା’।
ରିଦ୍ଧିମାନଙ୍କ ଅଭିଯୋଗ ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଏହି ଅଭିଯୋଗର ତଦନ୍ତ ପାଇଁ ୩ଜଣିଆ କମିଟି ଗଠନ କରିଥିଲା । ତେବେ ବୋରିଆ ମଜୁମଦାର ଅଭିଯୋଗକୁ ପୂର୍ବରୁ ଖଣ୍ଡନ କରିଥିଲେ । ଏହି କମିଟିରେ ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା, କୋଷାଧ୍ୟକ୍ଷ ଅରୁଣ ଧୁମାଲ ଓ କାଉନସିଲର ପ୍ରଭଜୀତ ସିଂହ ଭାଟିଆ ରହିଥିଲେ। ତଦନ୍ତ ବେଳେ ୩ ଜଣିଆ କମିଟି ବୋରିଆ ଓ ସାହାଙ୍କ ବୟାନ ରେକର୍ଡ କରିଥିଲେ। ଏହାପରେ ବିସିସିଆଇର ଆପେକ୍ସ ବଡିକୁ ବୋରିଆଙ୍କ ଉପରେ ୨ ବର୍ଷର ବ୍ୟାନ ଲଗାଇବାକୁ ସୁପାରିସ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)