• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣିମ ଦିନ । ଗୋଟିଏ ଦିନରେ ମିଳିଲା ତିନିଟି ସ୍ୱର୍ଣ୍ଣ ସହ ୬ଟି ପଦକ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଷ୍ଟମ ଦିନରେ ଭାରତକୁ ତିନିଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ମିଳିଛି । ସମସ୍ତ ୬ଟି ଯାକ ପଦକ କୁସ୍ତିରେ ହିଁ ମିଳିଛି । ୬୫ କେଜି ବର୍ଗ କୁସ୍ତିରେ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ଜିତିଛନ୍ତି । ପୁରୁଷ ଫ୍ରି ଷ୍ଟାଇଲ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ଫାଇନାଲନରେ କାନାଡ଼ାର ମାକଲେନ୍ ଲାଚଲାନ୍‌ଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି ।ସେହିପରି ୬୨ କେଜି ବର୍ଗ ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ମିଳିଛି ସ୍ୱର୍ଣ୍ଣ । ୮୬ କେଜି ବର୍ଗ ପୁରୁଷରେ ଦୀପକ ପୁନିଆ ମଧ୍ୟ ସ୍ୱର୍ଣ୍ଣ ଜିତିଛନ୍ତି ।

ଅନ୍ୟପଟେ ୫୭ କେଜି ବର୍ଗ ମହିଳା କୁସ୍ତିରେ ଅଂଶୁ ମଲ୍ଲିକ ରୌପ୍ୟ ପଦକ ହାତେଇଛନ୍ତି । ସେ ତାଙ୍କ ନାଇଜେରୀୟ ପ୍ରତିପକ୍ଷ ଓଜୁନାୟୋ ଆଦେକୁରୋଏଙ୍କୁ ହରାଇଛନ୍ତି । ୬୮ କେଜି ବର୍ଗ ମହିଳା କୁସ୍ତିରେ ଦିବ୍ୟା କାକ୍ରନଙ୍କୁ ମିଳିଛି ବ୍ରୋଞ୍ଜ । ୧୨୫ କେଜି ବର୍ଗ ପୁରୁଷରେ ମୋହିତ ଗ୍ରେଓ୍ୱାଲ ମଧ୍ୟ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୯ଟି ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ମେଡାଲ୍ ସହ ମୋଟ ୨୬ଟି ପଦକ ପାଇ ଭାରତ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଅନ୍ୟପଟେ ଲନ୍‌ବଲ୍‌ସ ପୁରୁଷ ବିଭାଗରେ ସେମିଫାଇନାଲ୍‌ରେ ଇଂଲଣ୍ଡକୁ ହରାଇ ଭାରତ ଫାଇନାଲ୍‌ରେ ପ୍ରବେଶ କରିସାରିଥିବାରୁ ଆଉ ଏକ ମେଡାଲ ପକ୍କା ହୋଇଛି । ଭାରତୀୟ ଖେଳାଳିଙ୍କର ସଫଳତା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।