• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏସିଆନ୍ ଗେମ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦିଗରେ ଭାରତ । ୨୦୧୮ର ପ୍ରଦର୍ଶନକୁ ଅତିକ୍ରମ କରି ହାଙ୍ଗଝୌରେ ଇତିହାସ ସୃଷ୍ଟି କରିବାକୁ ଯାଉଛି ଟିମ୍ ଇଣ୍ଡିଆ । ଗତକାଲି ସୁଦ୍ଧା ୧୫ ସ୍ୱର୍ଣ୍ଣ ସହ ୬୯ ପଦକ ହାସଲ କରିଥିବା ଭାରତୀୟ ଆଥଲେଟ୍ ମାନେ ଆଜି ଏଥିରେ ଆହୁରି ପଦକ ଯୋଡିବା ସମ୍ଭାବନା ରହିଛି । ୨୦୧୮ ଏସିଆନ ଗେମ୍ସରେ ଭାରତ ମୋଟ ୭୦ଟି ପଦକ ପାଇଥିଲା। ଆଜି ଏସିଆନ୍ ଗେମ୍ସରେ ସମସ୍ତଙ୍କ ନଜରରେ ରହିବେ ଅଲିମ୍ପିକ୍ସ ଓ ୱାର୍ଲଡ ଚାମ୍ପିୟନ୍ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ।

ଆଜି ସେ ଟ୍ରାକକୁ ଓହ୍ଲାଇବେ । ୨୦୧୮ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ଜିତିସାରିଥିବା ନୀରଜ କ୍ରମାଗତ ଦ୍ବିତୀୟ ଥର ଲାଗି ଏହାକୁ ବଜାୟ ରଖିବାକୁ ଚେଷ୍ଟା କରିବେ। ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଅର୍ଶଦ ନଦୀମ ଆହତ କାରଣରୁ ଓହରିଯିବା ପରେ ନୀରଜଙ୍କ ବିଜୟ ସମ୍ଭାବନା ଅଧିକ ରହିଛି । ସେହିପରି ଜାଭେଲିନ୍ ଥ୍ରୋରେ ଓଡ଼ିଆ ପୁଅ କିଶୋର ଜେନା ମଧ୍ୟ ଭାଗ ନେବେ। ସେହିପରି ଆଥଲେଟିକ୍ସରେ ଭାରତୀୟ ଖେଳାଳିଙ୍କଠାରୁ ଅନେକ ଗୁଡିଏ ପଦକ ଆଶା କରାଯାଉଛି । ଗତକାଲି ମଧ୍ୟ ଆଥଲେଟିକ୍ସରେ ଭାରତକୁ ୨ଟି ସ୍ୱର୍ଣ୍ଣ ସହ ୬ଟି ପଦକ ମିଳିଥିଲା ।

ଏଥିସହ ବକ୍ସିଂରେ ୨ଟି ଏବଂ କାନୋଇଂରେ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିଲେ ଭାରତୀୟ ଖେଳାଳିମାନେ । ମହିଳା ଜାଭଲିନ ଥ୍ରୋରେ ଅନୁ ରାଣୀ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ପ୍ରଥମ ଥର ଲାଗି କୌଣସି ଭାରତୀୟ ମହିଳା ଏସିଆନ ଗେମ୍ସର ଜାଭେଲିନ୍ ଥ୍ରୋରେ ଗୋଲଡ ମେଡାଲ ପାଇଛନ୍ତି । ସେହିପରି ମହିଳା ୫ ହଜାର ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ପାରୁଲ ଚୌଧୁରୀ। ଚଳିତ ଏସିଆନ୍ ଗେମରେ ଏହା ତାଙ୍କର ଦ୍ୱିତୀୟ ପଦକ । ପୂର୍ବରୁ ସେ ୩୦୦୦ ମହିଳା ଷ୍ଟିପଲଚେଜରେ ରୌପ୍ୟ ପଦକ ଜିତିଥିଲେ ।

ସେହିପରି ପୁରୁଷ ୮ଶହ ମିଟର ଦୌଡ଼ରେ ମହମ୍ମଦ ଅଫସଲ୍, ଡେକାଥ୍ଲନରେ ତେଜସ୍ୱୀନ୍ ଶଙ୍କର ରୌପ୍ୟ ପାଇଥିବା ବେଳେ ପୁରୁଷ ଟ୍ରିପଲ୍ ଜମ୍ପରେ ପ୍ରବୀଣ ଚିତ୍ରାଭେଲ୍ ଓ ୪ଶହ ମିଟର ମହିଳା ହର୍ଡଲ୍ସରେ ଭିତ୍ୟ ବ୍ରୋଞ୍ଜ ପାଇଛନ୍ତି । ୯୨ କେଜି ପୁରୁଷ ବକ୍ସିଂରେ ନରେନ୍ଦରଙ୍କୁ ଏବଂ କାନୋଇଂ ଅର୍ଜ୍ଜୁନ ସିଂ ଓ ସୁନୀଲ ସିଂ ଯୋଡିଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ...ଏଥିସହ ୧୫ ସ୍ୱର୍ଣ୍ଣ, ୨୬ ରୌପ୍ୟ ଓ ୨୮ ବ୍ରୋଞ୍ଜ ସହ ମୋଟ ୬୯ ପଦକ ପାଇ ଭାରତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ...