• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଏସିଆ କପ୍ ସୁପର ୪ ପର୍ଯ୍ୟାୟରେ ଦେଶବାସୀଙ୍କ ହୃଦୟ ଜିତିଲା ଟିମ୍ ଇଣ୍ଡିଆ । ପାକିସ୍ତାନକୁ ଜବରଦସ୍ତ ମାତ୍ ସହ ରୋହିତ ସେନାର ବିପୁଳ ବିଜୟ । କଲୋମ୍ବୋର ପ୍ରେମଦାଶା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଜବରଦସ୍ତ ବିଜୟ ଭେଟି ଦେଇଠି ଭାରତୀୟ କ୍ରିକେଟ୍ ଦଳ । ବର୍ଷା ପାଇଁ ରବିବାରର ଅସମ୍ପୂର୍ଣ୍ଣ ୧୪୭ରୁ ଖେଳ ଆରମ୍ଭ କରିଥିଲା ଭାରତ । ଓପନର କ୍ୟାପଟେନ୍ ରୋହିତ ଶର୍ମା ଓ ଶୁଭମନ୍ ଗିଲଙ୍କ ଯୋଡ଼ି, ଉଭୟ ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ୱିକଟ ଯୋଡ଼ିରେ ୧୪୭ ରନ କରି ପାଭିଲିୟନ୍ ଫେରିଥିଲେ ।

ପରେ ଦ୍ୱିତୀୟ ୱିକେଟ୍ ଯୋଡ଼ିରେ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବା ସହ ପାକିସ୍ତାନୀ ବୋଲରଙ୍କୁ ଧୁଲେଇ କରିଥିଲେ । ସେ ୧୨୨ ରନ କରିଥିଲେ । ସେହିଭଳି କେ.ଏଲ ରାହୁଲ ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ । ଏହି ଦୁଇ ବ୍ୟାଟରଙ୍କ ଯୋଡ଼ିଙ୍କ ଡଲବ ସେଞ୍ଚୁରୀ ବଳରେ ଭାରତ ୩୫୬ ରନର ବିଶାଳ ସ୍କୋର କରିଥିଲା । ୩୫୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ପାକିସ୍ତାନ ।

ତେବେ ଦଳ ଭାରତୀୟ ବୋଲରଙ୍କୁ ମୁକାବିଲା କରିନପାରି ଗୋଟିଏ ପରେ ଗୋଟିଏ ୱିକେଟ ଫିଙ୍ଗି ଚାଲିଥିଲା । କୁଲଦୀପ ଯାଦବ ୫ଟି ୱିକେଟ୍ ନେଇଥିଲେ । ସେ ୮ ଓଭର ବୋଲି କରି ମାତ୍ର ୨୫ ରନ୍ ଦେବା ସହ ୫ ୱିକେଟ୍ ନେବା ସହ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ପାକିସ୍ତାନ ଦଳ ୩୨ତମ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୨୮ ରନ କରିଥିଲା ।

ସେପଟେ ଗତକାଲିର ବିଜୟ ସହ ଏସିଆ କପର ଏହି ମ୍ୟାଚରେ ବହୁ ରେକର୍ଡ ଭାରତ ଓ ଭାରତୀୟ ଖେଳାଳିଙ୍କ ନାଁକୁ ଯାଇଛି । ଦିନିକିଆ କ୍ରିକେଟରେ ଦୃତତମ ୧୩ ହଜାର ରନ୍ କରିବାର ରେକର୍ଡକୁ ଯାଇଛି ବ୍ୟାଟର ବିରାଟ କୋହଲିଙ୍କ ନାଁ । ୨୬୭ଟି ପାଳି ଖେଳି ସେ ୧୩ ହଜାର ରନ୍ କଲବରେ ସାମିଲ ହୋଇଛନ୍ତି । ତାଙ୍କ ପୂର୍ବରୁ କୀମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର ୩୨୧ଟି ପାଳି ଖେଳି ୧୩ ହଜାର ରନ୍ କ୍ଲବରେ ପ୍ରବେଶ କରିଥିଲେ । ସେହିଭଳି ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୩୪୧ ପାଳିରେ ୧୩ ହଜାର ରନ୍ କ୍ଲବରେ ସାମିଲ ହୋଇଥିଲେ ।

ସେହିଭଳି କଲୋମ୍ବୋର ପ୍ରେମଦାସା ଷ୍ଟାଡିୟରେ କୋହଲି ଲଗାତର ଚତୁର୍ଥ ଶତକ ମାରି ଆଉ ଏକ ବିରଳ ରେକର୍ଡ କରିଛନ୍ତି । ସେପଟେ କୋହଲି ଓ ରାହୁଲଙ୍କ ତୃତୀୟ ୱିକେଟ ଯୋଡ଼ିରେ ୨୩୩ ରନର ନଟ ଆଉଟ୍ ସ୍କୋର ମଧ୍ୟ ଏସିଆ କପ୍ ଇତିହାସରେ ପ୍ରଥମ ।

ଅନ୍ୟପଟେ ପାକିସ୍ତାନଠୁ ବିଶାଳ ବିଜୟ ପରେ ଏସିଆ କପର ଚତୁର୍ଥ ମ୍ୟାଚରେ ଆଜି ଶ୍ରୀଲଙ୍କାକୁ ଭେଟିବ ଟିମ୍ ଇଣ୍ଡିଆ । କଲୋମ୍ବରେ ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଖେଳାଯିବ । ଶ୍ରୀଲଙ୍କା ଏଯାଏଁ ଦୁଇଟି ମ୍ୟାଚ୍ ଖେଳି ଉଭୟ ମ୍ୟାଚରେ ବିଜୟ ହାସଲ କରିବା ସହ ୪ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି।...