• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବେ ଭାରତୀୟ ପୂର୍ବତନ କ୍ରିକେଟର୍‌ ଅରୁଣ ଲାଲ୍‌ । ୬୬ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅରୁଣ । ନିଜ ଠାରୁ ୨୮ ବର୍ଷ ସାନ ଝିଅ ବୁଲବୁଲ୍ ଶାହାଙ୍କ ସହ ତାଙ୍କର ବିବାହ ହେବାକୁ ଯାଉଛି । ବୁଲବୁଲ୍‌ଙ୍କୁ ଏବେ ମାତ୍ର ୩୮ ବର୍ଷ ହୋଇଥିବା ଶୁଣିବାକୁ ମିଳିଛି ।

ସୂଚନାନୁସାରେ ଅରୁଣ ଓ ବୁଲବୁଲ୍‌ ଦୁହେଁ ପରସ୍ପରକୁ ବହୁଦିନରୁ ଚିହ୍ନିଛନ୍ତି । ତାଙ୍କ ବନ୍ଧୁତ୍ୱ ମଧ୍ୟ ବେଶ୍‌ ଦିନ ଧରି ରହିଛି । ଅରୁଣ ଲାଲ ନିଜର ବାହାଘର କାର୍ଡ ଛାପିବା ସହ ବନ୍ଧୁମାନଙ୍କୁ ବାଣ୍ଟିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଛନ୍ତି । ମେ ୨ ତାରିଖରେ କୋଲକାତାର 'ପିୟରଲେସ୍‌ ଇନ୍‌ ହୋଟେଲ' ରେ ଦୁହିଁଙ୍କ ବିବାହ ହେବାକୁ ଯାଉଛି ।

ଅରୁଣ ଲାଲ୍‌ ପ୍ରଥମେ ରୀନାଙ୍କ ସହ ବିବାହ କରିଥିଲେ । ଦୁହେଁ ପରସ୍ପର ବୁଝାମଣା ଓ ସହମତିରେ ଅଲଗା ହେବା ସହ ଛାଡପତ୍ର ମଧ୍ୟ ଦେଇଥିଲେ । ସୂଚନାନୁସାରେ ଦୀର୍ଘଦିନ ଧରି ରୀନା ଅସୁସ୍ଥ ରହିଛନ୍ତି । ରୀନାଙ୍କ ଇଚ୍ଛାନୁସାରେ ହିଁ ଅରୁଣ ବୁଲବୁଲ୍‌ଙ୍କ ସହ ଦ୍ୱିତୀୟ ବିବାହ କରୁଥିବାର ଶୁଣିବାକୁ ମିଳିଛି । ନିକଟରେ ଅର୍ଥାତ ମାସେ ତଳେ ହିଁ ଅରୁଣ ଓ ବୁଲବୁଲ୍‌ଙ୍କ ନିର୍ବନ୍ଧ ହୋଇଥିଲା । ଅରୁଣ ନିଜ ବାହାଘରରେ କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବେଙ୍ଗଲର ସମସ୍ତ କାର୍ଯ୍ୟକର୍ତ୍ତା, ଖେଳାଳିଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି ।

Arun Lal Marriage CardArun Lal Marriage Card

୨୦୧୬ ରେ ଅରୁଣ କ୍ୟାନ୍‌ସର ରୋଗରେ ପୀଡିତ ଥିଲେ । ସେଥିପାଇଁ ସେ କମେଣ୍ଟ୍ରି କରିବା ମଧ୍ୟ ଛାଡି ଦେଇଥିଲେ । ଏହାପରେ ସେ କ୍ୟାନ୍‌ସର ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣିଥରେ ବେଙ୍ଗଲ ଟିମ୍‌ର କୋଚ୍‌ ଦାୟିତ୍ୱ ନେଇଥିଲେ । ୧୯୫୫ ଉତ୍ତରପ୍ରଦେଶର ମୁରାଦାବାଦ୍‌ରେ ଅରୁଣ ଜନ୍ମଗ୍ରହଣ କରିଥିଲେ । ସେ ବେଙ୍ଗଲ୍‌ ଟିମ୍‌ ପକ୍ଷରୁ ଫାର୍ଷ୍ଟ କ୍ଲାସ୍‌ କ୍ରିକେଟ୍‌ ଖେଳୁଥିଲେ । ଅରୁଣ ଭାରତ ପାଇଁ ମୋଟ ୧୬ଟି ଟେଷ୍ଟ ଓ ୧୩ଟି ୱାନଡେ ମ୍ୟାଚ୍‌ ଖେଳିଛନ୍ତି । ସେ ଟେଷ୍ଟରେ ୭୨୯ ରନ୍‌ ଓ ୱାନଡେରେ ୧୨୨ ରନ୍‌ ସଂଗ୍ରହ କରିଛନ୍ତି । ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଗୋଟିଏ ବି ଶତକ ମାରି ନାହାନ୍ତି ।