• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଶ୍ୱକପ୍‌ରେ ଘଟିଲା ବିରଳ ଘଟଣା । ଯାହା ଆଜି ଯାଏଁ କେବେ ହୋଇନଥିଲା, ଆଜି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଏହି ଘଟଣା ଦେଖିବାକୁ ମିଳିଛି । ଶ୍ରୀଲଙ୍କାର ଅଭିଜ୍ଞ ଖେଳାଳି ବିନା ବଲ୍‌ ଖେଳି ଆଉଟ୍‌ ହୋଇଛନ୍ତି । ଘଟଣାଟି ଅଡୁଆ ଲାଗୁଥିଲେ ବି ସତ । ନିୟମ ଉଲଙ୍ଘନ ଆଧାରରେ ତାଙ୍କୁ ଅମ୍ପାୟାର ଆଉଟ୍‌ ନିଷ୍ପତ୍ତି ଦେଇଛନ୍ତି ।

ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ବିଶ୍ୱକପରେ ମ୍ୟାଚରେ ଏକ ବିରଳ ଘଟଣା ଘଟିଛି । ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ପ୍ରଥମ ବ୍ୟାଟର ଭାବେ ମାଥ୍ୟୁସ ‘ଟାଇମ୍ ଆଉଟ୍’ ହୋଇଛନ୍ତି । 'ଟାଇମ ଆଉଟ୍' କ୍ରିକେଟ ମ୍ୟାଚରେ ଏମିତି ଏକ ଶବ୍ଦ ଯାହା ପ୍ରାୟ ଜାଣିନଥିବେ । ସାଧାରଣ କ୍ରିକେଟ ପ୍ରେମୀଙ୍କ ଧାରଣା ଯେ ମ୍ୟାଚ୍ ମଝିରେ କିଛି ସମୟର ବିରତି ହେଉଛି ଟାଇମ ଆଉଟ । କିନ୍ତୁ ବାସ୍ତବରେ ତା ନୁହେଁ । ଏହା କ୍ରିକେଟର ଏକ ନିଷ୍ଠୁର ନିୟମ । ତେବେ ଅନ୍ତର୍ଜାତୀୟ କ୍ରିକେଟରେ ଏଯାବତ ଏହାର ଆବଶ୍ୟକତା ପଡ଼ିନଥିଲା । କିନ୍ତୁ କ୍ରିକେଟ ବିଶ୍ୱକପ ୨୦୨୩ରେ ଏହାର ଆବଶ୍ୟକତା ପଡ଼ିଛି ଓ ଏହାର ଶିକାର ହୋଇଛନ୍ତି ଅଭିଜ୍ଞ ଅଲରାଉଣ୍ଡର ଓ ଶ୍ରୀଲଙ୍କା କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ଆଞ୍ଜେଲୋ ମାଥ୍ୟୁସ୍ ।

 

ଏହି ଘଟଣା ଶ୍ରୀଲଙ୍କା ଇଂନିସର ୨୫ତମ ଓଭରରେ ଘଟିଛି । ଶ୍ରୀଲଙ୍କାର ସ୍କୋର ରହିଥିଲା ୧୩୫-୪ । ସମରବିକ୍ରମା ଆଉଟ ହେବାପରେ ବ୍ୟାଟିଂ ପାଇଁ ଶୀଘ୍ର କ୍ରିଜ୍‌ରେ ପହଞ୍ଚ ନଥିଲେ ମାଥ୍ୟୁସ୍ । କ୍ରିଜ୍‌ରେ ପହଞ୍ଚିବାର ନିର୍ଦ୍ଧାରିତ ସମୟ ୩ ମିନିଟ୍ ବିତିଯିବା ପରେ ମାଥ୍ୟୁସ କ୍ରିଜରେ ପହଞ୍ଚିଥିଲେ । ନିଜ ହେଲମେଟରେ କିଛି ସମସ୍ୟା ଥିବା ଅନୁଭବ କରି ସାଥୀ ଖେଳାଳିଙ୍କୁ ଆଉ ଏକ ହେଲମେଟ୍ ଆଣିବାକୁ ସେ ଇଶାରା କରିଥିଲେ । ଏହା ମଧ୍ୟରେ ୩ ମିନିଟ୍ ବିତିଯାଇଥିଲା । ଆଉ ଏହାର ସୁଯୋଗ ନେଇ ବାଂଲାଦେଶ କ୍ୟାପଟେନ ସାକିବ ଅଲ ହସନ ଅମ୍ପାୟରଙ୍କୁ ଆଉଟ୍ ପାଇଁ ଅପିଲ୍ କରିଥିଲେ । ଅମ୍ପାୟାର ଅନ୍ତର୍ଜାତୀୟ କ୍ରିକେଟ ନିୟମକୁ ପାଳନ କରିବାକୁ ଯାଇ ମାଥ୍ୟୁସଙ୍କୁ ଆଉଟ ଦେଇଥିଲେ । ନିଷ୍ପତ୍ତିରେ ଖୁସି ହୋଇ ବାଂଲାଦେଶ ଖେଳାଳି ସେଲିବ୍ରେସନ କରିଥିଲେ ।

ମାଥ୍ୟୁସ୍ ବାଂଲାଦେଶ କ୍ୟାପଟେନ ସାକିବଙ୍କ ସହ ଆଲୋଚନା କରିଥିଲେ କିନ୍ତୁ ବାଂଲାଦେଶ କ୍ୟାପଟେନ ନିଜ ଆଉଟ ଅପିଲରୁ ଓହରି ନଥିଲେ । ନିୟମ 40.1.1 ଅନୁଯାୟୀ ଗୋଟିଏ ୱିକେଟର ପତ୍ତନ ପରେ କିମ୍ବା କୌଣସି ବ୍ୟାଟରଙ୍କ ରିଟାୟରମେଣ୍ଟ ପରେ ବ୍ୟାଟିଂ କରିବାକୁ ଆସିଥିବା ଥିବା ପରବର୍ତ୍ତୀ ବ୍ୟାଟର ୩ ମିନିଟ୍ ମଧ୍ୟରେ ପହଞ୍ଚିବା ଜରୁରୀ । ଏତିସହିତ ବୋଲରଙ୍କ ପରବର୍ତ୍ତୀ ବଲ୍ କୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ହେବ ବୋଲି ନିୟମ ରହିଛି । ଯଦି ଏପରି ନହୁଏ, ବ୍ୟାଟିଂ ପାଇଁ ଆସିଥିବା ବ୍ୟାଟର ଆଉଟ ଘୋଷିତ ହେବ । ଦିନିକିଆ କ୍ରିକେଟରେ ଏହି ନିୟମ ଜୁନ୍ ୨୦୨୩ ଠାରୁ ଲାଗୁ ହୋଇଛି । 

ଟେଷ୍ଟ ମ୍ୟାଚ୍ ଓ ଟି୨୦ ମ୍ୟାଚ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ । ତେବେ ଟେଷ୍ଟ ମ୍ୟାଚରେ କ୍ରିଜରେ ପହଞ୍ଚିବାର ସମୟ ୩ ମିନିଟ୍ ଓ ଟି୨0ରେ ୯୦ ସେକେଣ୍ଡ ରହିଛି । ଏହାକୁ ମିଶାଇ ପୁରୁଷ କ୍ରିକେଟ ମ୍ୟାଚରେ ଏହି ଘଟଣା ମୋଟ ୭ ଥର ଘଟିଥିଲେ ମଧ୍ୟ ପ୍ରଥମ ଥର ୫୦ ଓଭର ମ୍ୟାଚରେ ଘଟିଛି । ପୂର୍ବରୁ ୬ଥର ପ୍ରଥମ ଶ୍ରେଣୀ କ୍ରିକେଟରେ ଘଟିଛି ।