ବିଶ୍ୱକପ୍‌ରେ ବଡ଼ ବିପର୍ଯ୍ୟୟ ! ବାଦ ପଡ଼ିଲା ଅଷ୍ଟ୍ରେଲିଆ, ସେମିରେ ଅଫଗାନିସ୍ତାନ

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବଡ଼ ବିପର୍ଯ୍ୟୟ । ବାଂଲାଦେଶକୁ ହରାଇ ସେମି ଫାଇନାଲରେ ପହଞ୍ଚିଲା ଆଫଗାନିସ୍ତାନ ।

T20 World Cup

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବଡ଼ ବିପର୍ଯ୍ୟୟ । ବାଂଲାଦେଶକୁ ହରାଇ ସେମି ଫାଇନାଲରେ ପହଞ୍ଚିଲା ଆଫଗାନିସ୍ତାନ । ବାଂଲାଦେଶକୁ ୮ ରନରେ ହରାଇ ସେମିରେ ଆଫଗାନିସ୍ତାନ । ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ ଡିଏଲ୍‌ ମେଥଡରେ ୮ ରନରେ ଜିତିନେଇଛି ଅଫଗାନିସ୍ତାନ । ଅନ୍ୟପଟେ ଅପଗାନିସ୍ତାନର ଏହି ବିଜୟ ଫଳରେ ଗତ ବର୍ଷର ଦିନିକିଆ ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ ସେମିଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି ।

ଆସନ୍ତା ୨୭ ତାରିଖରେ ଦକ୍ଷିଣ ଆଫ୍ରିକା ସହ ସେମି ଫାଇନାଲ୍ ମୁକାବିଲା ଖେଳିବ ଅଫଗାନିସ୍ତାନ । ନିର୍ଦ୍ଧାରିତ ୨୦ ଓଭର୍‌ରେ ଅଫଗାନିସ୍ତାନ ପାଞ୍ଚ ୱିକେଟ ହରାଇ ୧୧୫ ରନ କରିଥିଲା । ତେବେ ବାଂଲାଦେଶ ଖରାପ ବ୍ୟାଟି କରି ଏହି ମ୍ୟାଚକୁ ହାରି ଯାଇଥିଲା । ଏହି ମ୍ୟାଚରେ ୪ ୱିକେଟ ନେଇଥିବାରୁ ନବୀନ ଉଲ୍ ହକ୍‌ଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

ଅଫଗାନିସ୍ତାନ ତରଫରୁ ରହମାନଉଲ୍ଲା ଗୁରବାଜ୍ ୪୩ ରନ କରିଥିବା ବେଳେ ଇବ୍ରାହିମ୍ ୧୮ ଓ ରସିଦ୍ ଖାନ୍ ୧୯ ରନ୍ କରିଥିଲେ । ସେହିପରି ବାଂଲାଦେଶ ତରଫରୁ ଲିଟନ୍ ଦାସ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟ କେହି କ୍ରିଜ୍‌ରେ ବେଶୀ ସମୟ ରହିପାରିନଥିଲେ । ଫଳରେ ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚକୁ ବାଂଲାଦେଶ ହାରିଯାଇଥିଲା ।

ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ପରାସ୍ତ କଲା ଟିମ୍‌ ଇଣ୍ତିଆ; ସେମିରେ ଇଂଲଣ୍ଡ ସହ ସୁପର ଫାଇଟ୍

ସେହିପରି ଗତକାଲି ଭାରତଠାରୁ ହାରି ଯାଇଥିଲା ଅଷ୍ଟ୍ରେଲିଆ । ସେମିଫାଇନାଲ ଖେଳିବା ପାଇଁ ଅଷ୍ଟ୍ରେଲିଆକୁ ଉକ୍ତ ମ୍ୟାଚ ଜିତିବା ନିହାତି ଆବଶ୍ୟକ ଥିଲା । ତେବେ ଭାରତ ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ବାନ୍ଧି ରଖିବାରେ ସଫଳ ହୋଇଥିଲା । ବିଶ୍ୱକପ ଫାଇନାଲ ପରାଜୟର ପ୍ରତିଶୋଧ ସ୍ୱରୂପ ସୁପର-୮ର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇଲା ଭାରତ । ସେମି-ଫାଇନାଲରେ ଭାରତର ମୁକାବିଲା ଇଂଲଣ୍ଡ ସହ ହେବ । ଆସନ୍ତା ୨୭ ତାରିଖରେ ଏହି ମ୍ୟାଚ ଖେଳାଯିବ ।

ଉକ୍ତ ମ୍ୟାଚରେ ପ୍ରଥମେ ଟସ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତ ଶର୍ମାଙ୍କ ଧୂଆଁଧାର ୯୨ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୦୫ ରନ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ୩୧ ରନର ବିସ୍ଫୋରକ ଇନିଂସ କରିଥିଲେ । ୨୦୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରାଭେସ୍ ହେଡ୍ ୭୬ ରନ କରିଥିବା ବେଳେ ମିଚେଲ ମାର୍ଶ ୩୭ ରନ କରିଥିଲେ ।