• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କୁହାଯାଏ, ଜୀବନର ଗତି ଏକ ପୂର୍ଣ୍ଣ ବୃତ୍ତ ପରି । ୨୦୧୧ ଆଇସିସି ବିଶ୍ୱକପ ଭାରତରେ ଆୟୋଜନ ହୋଇଥିଲା ଓ ଭାରତ ବିଜୟୀ ମଧ୍ୟ ହୋଇଥିଲା, ମାତ୍ର ରୋହିତ ଶର୍ମାଙ୍କୁ ବିଶ୍ୱକପ୍ ସ୍କ୍ୱାଡ୍ ରେ ସାମିଲ କରାଯାଇନଥିଲା । ୧୨ ବର୍ଷ ତଳେ ବିସିସିଆଇ ଚୟନକର୍ତ୍ତା କମିଟି, ରୋହିତଙ୍କ ବଦଳରେ ସୁରେଶ ରୈନା ଓ ବିରାଟ କୋହଲିଙ୍କ ଉପରେ ଭରସା କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ଏବେ ବର୍ଷ ୨୦୨୩ରେ ରୋହିତ ବିଶ୍ୱକପରେ ମେନ୍ ଇନ୍ ବ୍ଲୁର ନେତୃତ୍ୱ ନେବେ । ଘରୋଇ ମାଟିରେ ଟୁର୍ଣ୍ଣାମେଣ୍ଟ ବିଜୟୀ ହେବାକୁ ଭାରତୀୟ ଟିମ ଅନ୍ୟତମ ଦାବିଦାର ରହିଛି ।

ରୋହିତ ଶର୍ମା, କ୍ରିକେଟ ଜଗତର ଏତ ଚର୍ଚ୍ଚିତ ତଥା ସଫଳ ନାମ । ଭାରତୀୟ କ୍ରିକେଟର ଅନ୍ୟତମ ମହାରଥୀ । ହେଲେ ୨୦୧୧ ବିଶ୍ୱକପ ସ୍କ୍ୱାଡରୁ ବାଦ୍ ପଡ଼ିଥିଲେ ରୋହିତ, ଏବେ ତାଙ୍କ ନେତୃତ୍ୱରେ ୨୦୨୩ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଖେଳିବ ଭାରତୀୟ ଟିମ ।

ଦିନିକିଆ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ଭାରତ । ଏଥିରେ ରୋହିତ ଦଳର ଅଧିନାୟକ ରହିଛନ୍ତି । ବିଶ୍ୱ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟରେ ସେ ଶକ୍ତିଶାଳୀ ମେନ୍ ଇନ୍ ବ୍ଲୁର ମଙ୍ଗ ଧରିବେ । ତେବେ ଠିକ୍ ୧୨ ବର୍ଷ ତଳେ ଏମିତି ଦିନେ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଥିଲା, ଯେଉଁଥିରେ ତାଙ୍କର ସ୍ଥାନ ନଥିଲା । ମାତ୍ର ରୋହିତ ଏହି ୧୨ ବର୍ଷ ଭିତରେ ନିଜ କ୍ୟାରିୟରରେ ସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । କାରଣ ସେ ଏବେ ଦଳର ପ୍ରମୁଖ ଖେଳାଳିଙ୍କ ମଧ୍ୟରୁ ଜଣେ । ପୂର୍ବ ଦୁଇଟି ବିଶ୍ୱକପ୍ ସଂସ୍କରଣରେ ସେ ଖେଳିଥିଲେ ମଧ୍ୟ ଏଥର ସେ ଅଧିନାୟକ ଦାୟିତ୍ୱ ତୁଲାଇବେ । ୨୦୨୩ ବିଶ୍ୱକପରେ ତାଙ୍କର ପ୍ରଦର୍ଶନ ଓ ନେତୃତ୍ୱ ଉପରେ ଭାରତର ବିଶ୍ୱକପ ବିଜୟ ଭାଗ୍ୟ ଅନେକାଂଶରେ ନିର୍ଭର କରିବ ।

ବିଶ୍ୱକପ ଦଳରୁ ବାଦ୍ ପଡ଼ିବା ପରେ ୨୦୧୧ ଜାନୁଆରୀ ମାସର ସନ୍ଧ୍ୟା ୬.୫୯ରେ ରୋହିତ ଏକ ଭାବପୂର୍ଣ୍ଣ ଟ୍ୱିଟ୍ ଜରିଆରେ ନିଜର ଦୁଃଖ ପ୍ରକାଶ କରିଥିଲେ । ରୋହିତ ଲେଖିଥିଲେ, "ବିଶ୍ୱକପ ସ୍କ୍ୱାଡ୍ ର ଅଂଶ ନ ହୋଇପାରିନଥିବାରୁ ଅତ୍ୟନ୍ତ ଦୁଃଖିତ । ଏହା ମୋ ପାଇଁ ବଡ଼ ଝଟକା । ମାତ୍ର ଏହିଠାରୁ ମୋତେ ଆଗକୁ ବଢିବାର ଅଛି ।"

ଏମିତି କି କିଛିଦିନ ତଳେ ଏକ ଇଣ୍ଟରଭିୟୁରେ ରୋହିତ ଏନେଇ ଖୁଲାସା ମଧ୍ୟ କରିଥିଲେ । ରୋହିତ କହିଥିଲେ, "ବିଶ୍ୱକପ ସ୍କ୍ୱାଡ୍ ରୁ ବାଦ୍ ପଡ଼ିବା ପରେ ବହୁତ ଦୁଃଖି ଥିଲି । ରୁମ୍ ରେ ଏକୁଟିଆ ବସିଥିଲି ଆଉ ଆଗକୁ କଣ କରିବି କିଛି ଭାବିପାରୁନଥିଲି । ମାତ୍ର ଯୁବରାଜ ସିଂହ(ପୂର୍ବତନ ଭାରତୀୟ କ୍ରିକେଟର) ରୁମ୍ କୁ ଡାକି କଥା ହୋଇଥିଲେ ଓ ଡିନର ପାଇଁ ନେଇଯାଇଥିଲେ । ଆଉ ବୁଝାଇଥିଲେ ଯେ, ଟିମରୁ ବାଦ୍ ପଡ଼ିଲେ ଖେଳାଳିଙ୍କୁ କେତେ ଦୁଃଖ ହୁଏ । ସେଦିନ ଯୁବରାଜ ଆଉ ଏକ କଥା କହିଥିଲେ, ଯେ ତୁମ ପାଖରେ ବହୁତ ବର୍ଷର ସମୟ ରହିଛି । ପରିଶ୍ରମ କର, ଦକ୍ଷତାକୁ ଆହୁରି ବଢାଅ ଏବଂ ପ୍ରତ୍ୟାବର୍ତ୍ତନ କର । ଏମିତି ନୁହେଁ ଯେ, ଭାରତ ପାଇଁ ବିଶ୍ୱକପ ଖେଳିବାର ରାସ୍ତା ତୁମ ପାଇଁ ବନ୍ଦ ହୋଇଯାଇଛି ।"

୧୨ ବର୍ଷ ପରେ ସମୟ ବଦଳିଛି, ପ୍ରଥମ ଥର ପାଇଁ ୫୦ ଓଭର ବିଶ୍ୱକପ ଏକାକୀ ଆୟୋଜନ କରୁଛି ଭାରତ । ଏହି ଅବସରରେ ଘରୋଇ ଦର୍ଶକଙ୍କ ସାମ୍ନାରେ ରୋହିତଙ୍କ ନେତୃତ୍ୱରେ କ୍ରିକେଟର ସବୁଠୁ ବଡ଼ ଆଇସିସି ଟ୍ରଫି ଆଉଥରେ ଉଠାଇବାକୁ ଲକ୍ଷ୍ୟ ରଖିଛି ଭାରତ । ୨୦୨୧ରେ ବିରାଟ କୋହଲିଙ୍କ ବଦଳରେ ରୋହିତ ଶର୍ମାଙ୍କୁ ଭାରତୀୟ କ୍ରିକେଟ ଟିମର ନେତୃତ୍ୱ ଭାରତ ପ୍ରଦାନ କରିଥିଲା ବୋର୍ଡ ।

(ରିପୋର୍ଟ - ସଂଗ୍ରାମ କେଶରୀ ବେହେରା)