• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମାଆ...ପିଲାଙ୍କୁ ଦୁନିଆର ଆଲୋକ ଦେଖାଏ । ଜନ୍ମ ହେବା ଦିନଠାରୁ ଲାଳନ ପାଳନ କରେ । ଆଉ ବଡ ହେଲେ ପ୍ରଥମେ ହାତ ଧରି ପାଠ ପଢା ଶିଖାଏ । ସେଇଥି ଲାଗି ତ କୁହାଯାଏ ଦୁନିଆର ପ୍ରଥମ ଗୁରୁ ହେଉଛି ମାଆ । ଆଉ ମାଆର ତୁଳନା କରିବାକୁ ଶବ୍ଦ ବା କାହିଁ?

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଭିଡିଓରେ ଦେଖିବାକୁ ମିଳୁଛି କି ଦୋକାନରେ ଫଳ ବିକ୍ରି କରିବାରେ ବ୍ୟସ୍ତ ଅଛନ୍ତି ମାଆ ଜଣକ । ହେଲେ ବି ନିଜ ପିଲାଙ୍କୁ ଶିକ୍ଷିତ କରିବାରେ ସେ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ସାକାର କରିବାକୁ ଟିକିଏ ବି ଅବହେଳା କରିନାହାନ୍ତି । ଦୋକାନରେ ଫଳ ବିକ୍ରି କରିବା ସହିତ ଫୁରସତ ପାଇବା ମାତ୍ରେ ପଢାଉଛନ୍ତି ପାଠ ।

ରାସ୍ତା କଡରେ ଦୋକାନ ଲାଗିଛି । ଆଉ ସେହି ଦୋକାନ ପାଖରେ ହିଁ ପିଲାଙ୍କୁ ପାଠ ପଢା ଚାଲିଛି । ଏମିତି ଦୃଶ୍ୟ ଦେଖିଲେ ଆପଣଙ୍କୁ ବିଚଳିତ ଲାଗିପାରେ । କହିପାରନ୍ତି, ଜନଗହଳି ପୂର୍ଣ୍ଣ ସ୍ଥାନରେ ପିଲାଙ୍କୁ ପାଠ ପଢାଇଲେ ସେମାନେ କେମିତି ବୁଝିବେ? କେମିତି ମନେ ରଖିବେ? ହେଲେ ମାଆ ପାଖରେ ଉପାୟ କିଛି ନାହିଁ । କାରଣ ଦୋକାନରେ ଖଟିଲେ ଯେଉଁ ଦୁଇ ପଇସା ରୋଜଗାର ହେବ ସେତିକିରେ ଦୁଇ ପିଲାଙ୍କ ମୁହଁରେ ଆହାର ଦେବା ସହିତ ପାଠପଢା ବି ହେବ । ତେଣୁ ଦୋକାନରେ କାମ କରିବା ସହିତ ପିଲାଙ୍କୁ ପଢାଉଛନ୍ତି ପାଠ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୋସିଆଲ ମିଡିଆରୁ ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କର ସ୍ୱାମୀ ସକାଳୁ କାମ କରିବା ଲାଗି ବାହାରିଯାଆନ୍ତି । ଘରେ ଆଉ କେହି ନାହାନ୍ତି । ତେଣୁ କୁନି ପିଲାଙ୍କୁ ଘରେ ଛାଡି ଆସିବା ବଦଳରେ ସାଙ୍ଗରେ ନେଇ ଆସୁଛନ୍ତି । ଆଉ ପାଠ ବି ପଢାଉଛନ୍ତି । ଆଉ ମାଆ ଜଣକ କହିଛନ୍ତି ମୁଁ ଯେମିତି ପାଠ ନପଢି ଏମିତି କଷ୍ଟ ପାଇଲି ମୁଁ କେବେ ଚାହିଁବି ନାହିଁ ମୋ ପିଲାମାନେ ସେମିତି କଷ୍ଟ ପାଆନ୍ତୁ । ତେଣୁ ପିଲାଙ୍କ ପାଠ ପଢାରେ ମୁଁ କେବେ ହେଲେ ଅବହେଳା କରିବି ନାହିଁ । ସତରେ ମାଆ ମମତା ଆଗରେ ସବୁ କିଛି ଫିକା...ସେଇଥି ପାଇଁ ତ କଥାରେ କୁହାଯାଉଛି ମାଆ ପରି କିଏ ହେବ?