• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାସ୍ତା ଉପରେ ଅଭିନେତ୍ରୀଙ୍କ ଉତ୍ପାତ । ମଦ ପିଇ ମାତାଲ । ରାସ୍ତାରେ କଲେ ହଙ୍ଗାମା । ପୋଲିସ ନାକେଦମ୍‌ । ପୋଲିସକୁ ଉଠାଇଲେ ହାତ । ଧମକ ଚମକ ବି ଦେଲେ । ଗୋଟିଏ ଚାପୁଡ଼ା ମାରିଲେ, ୫ ଚାପୁଡ଼ା ଖାଇଲେ । ଏମିତି କିଛି ଘଟଣା ଘଟିଛି ଗୁଜରାଟର ଭଦୋଦରାରେ ।

ଜଣେ ମହିଳା ରାତି ଅଧରେ ମଦ ପିଇ ଗାଡ଼ି ଚଲାଇ ଆସୁଥିଲେ । ଆଉ ଭାରସାମ୍ୟ ହରାଇ ଅନ୍ୟ ଏକ ଗାଡ଼ିକୁ ଧକ୍କା ଦେଲେ । ଧକ୍କା ଦେବା ପରେ ଘଟଣାସ୍ଥଳରେ ଉତ୍ପାତ ଆରମ୍ଭ କଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି, ମହିଳାଙ୍କୁ ବୁଝା ସୁଝା କରିବାକୁ ଚେଷ୍ଟା କଲା । ହେଲେ ମହିଳା ଜଣକ ପୋଲିସ କଥା ଶୁଣିବାକୁ ନାରାଜ । ପରେ କିଛି ମହିଳା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କାବୁ କରିବାକୁ ଚେଷ୍ଟା କଲେ । ହେଲେ ନାକେଦମ ହେଲେ ।

 

ପୋଲିସ ଓ ମହିଳାଙ୍କ ମଧ୍ୟରେ କଥା କଟାକଟି ହେଲା । ପରିସ୍ଥିତି ଏମିତି ହେଲା ଯେ ଶେଷରେ ମହିଳାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିବାକୁ ବାଧ୍ୟ ହେଲା ପୋଲିସ । କାରଣ ମହିଳା ଜଣକ ଏମିତି ନିଶାରେ ଥିଲେ ଯେ ସେ କ’ଣ କହୁଛନ୍ତି କ’ଣ କରୁଛନ୍ତି କିଛି ବୁଝିପାରୁ ନଥିଲେ । ପ୍ରଥମେ ଉକ୍ତ ନିଶାଗ୍ରସ୍ତ ମହିଳା ପୋଲିସ ଉପରକୁ ହାତ ଉଠାଇଥିଲେ । ପରେ ପୋଲିସକୁ ନିଚା ଦେଖାଇବା ପାଇଁ ଚେଷ୍ଟା କରିଥିଲେ । ତାପରେ ନିଜର ରୁବାବ ବି ଦେଖାଇଥିଲେ । ବଡ଼ ବଡ଼ିଆଙ୍କ ନାଁରେ ପୋଲିସକୁ ଡରାଇବାକୁ ବି ଚେଷ୍ଟା କରିଥିଲେ ।

ଏମିତି ଦୀର୍ଘ ସମୟ ଧରି ରାତି ଅଧରେ ରାସ୍ତା ଉପରେ ମହିଳାଙ୍କ ହାଇଡ୍ରାମା ଚାଲିଥିବା ବେଳେ ଶେଷରେ ତାଙ୍କୁ ପୋଲିସ ଗାଡ଼ିରେ ବସାଇ, ଜୋର ଜବରଦସ୍ତ ଥାନାକୁ ନେଇଥିଲା  । ଏହି ପୁରା ଘଟଣା ରବିବାର ବିଳମ୍ବିତ ରାତିରେ ଘଟିଛି । ଏନେଇ ମହିଳାଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛି ପୋଲିସ ।

ପୁରା ଘଟଣାର ଭିଡିଓ ଏବେ ସୋସିଲ ମିଡିଆରେ ଭାଇରାଲ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଉତ୍ପାତ କରୁଥିବା ମହିଳା ଜଣକ ଜଣେ ଅଭିନେତ୍ରୀ ବୋଲି ସୋସିଆଲ ମିଡିଆରେ ଅନେକ ମତ ଦେଇଛନ୍ତି । ମହିଳାଙ୍କ ଉତ୍ପାତ ଦେଖି ରାତିରେ ବି ସେଠାରେ ଅନେକ ଲୋକଙ୍କ ଭିଡ଼ ଜମିଥିଲା । ସମସ୍ତେ ମୋବାଇଲରେ ବିଭିନ୍ନ ପ୍ରକାର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।