• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାତି ପ୍ରାୟ ୧୦ ଟା । ଖାଇ ପିଇ ଲୋକେ ଗାଁରେ ସବୁ ଶୋଇଲେଣି । ଠିକ୍ ଏତିକି ବେଳେ ଘରେ ପଶିଲା କିମ୍ଭୀର । ଏତେ ରାତିରେ ହଠାତ୍‌ କୁମ୍ଭୀରକୁ ଦେଖି ପରିବାର ଲୋକେ ଛାନିଆ । କ’ଣ କରିବେ କ’ଣ ନକରିବେ କେହି କିଛି ବୁଝି ପାରୁ ନାହାନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଜାଇତିଆରେ ।

ଘରେ ପଶିଥିବା କୁମ୍ଭୀରର ଲମ୍ବ ପ୍ରାୟ ୮ ଫୁଟ୍ । ଆଉ କୁମ୍ଭୀର ଦେଖିବା ପରେ ପୁରା ପରିବାର ଲୋକ ରାତି ତମାମ ଠିଆ ଅନିଦ୍ରା । ତାଙ୍କ ଆଖିକୁ ବା ନିଦ ଆସିବ କେମିତି ? କାରଣ କୁମ୍ଭୀର ଦେଖି ସମସ୍ତେ ଭୟରେ ଥରୁଛନ୍ତି । ପରିବାର ମୁଖିଆ ହରନାମ୍‌ ସିଂହଙ୍କ କହିବାନୁଯାୟୀ, ରାତି ପ୍ରାୟ ସାଢ଼େ ୧୦ଟାରେ କୁମ୍ଭୀରଟି ଘରେ ପଶିଥିଲା । କୁମ୍ଭୀର ଦେଖିବାପରେ ସେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ୱାଇଲ୍ଡ ଲାଇଫ୍‌ ଏକ୍ସପର୍ଟ ଡକ୍ଟର ଆଶିଷ ତ୍ରିପାଠିଙ୍କୁ ସୂଚନା ଦେଇଥିଲେ । ସେ ଘରର କବାଟ ବନ୍ଦ କରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ତାଙ୍କ ପରାମର୍ଶକୁ ପୁରା ପରିବାର ଅକ୍ଷରେ ଅକ୍ଷରେ ପାଳନ କରିଥିଲା । କୁମ୍ଭୀର ଘର ଭିତରେ ପଶିବା ପରେ କବାଟ ବନ୍ଦ କରିଦିଆଯାଇଥିଲା । ଆଉ ସମସ୍ତେ ଘରେ ବାହାରେ ରାତି ତମାମ ଅନିଦ୍ରା ରହି ଅପେକ୍ଷା କରିଥିଲେ ।

ତେବେ ଏହି ଖବର ପୁରା ଗାଁରେ ପ୍ରଚାରିତ ହେବା ପରେ ହରନାମଙ୍କ ଘର ଆଗରେ ଗାଁ ଲୋକଙ୍କ ଭିଡ଼ ଜମିଥିଲା । ସମସ୍ତେ ସକାଳ ଯାଏଁ ସେମିତି ରାତି ଅନିଦ୍ରା ରହି ହରନାମଙ୍କ ଘର ଆଗରେ ଗହଳି କରିଥିଲେ । ତେବେ ସକାଳ ପ୍ରାୟ ୬ଟା ସମୟରେ ଉଦ୍ଧାରକରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାୟ ଏକ ଘଣ୍ଟାର କଠିନ ପରିଶ୍ରମ ପରେ କୁମ୍ଭୀରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ୱାଇଲ୍ଡ ଲାଇଫ୍‌ ଏକ୍ସପର୍ଟ । ଏହାପରେ ତାକୁ ବନ ବିଭାଗକୁ ହସ୍ତାନ୍ତର କରିଦିଆଯାଇଛି ।

ତେବେ କୁମ୍ଭୀରଟି କେମିତି ଘର ଭିତରେ ପ୍ରବେଶ କଲା ତାହା କାହାରିକୁ ଜଣା ନାହିଁ । ଘର ଆଗରେ ବନ୍ଧା ଥିବା ଛେଳି ବିକଳ ହୋଇ ଯେତେବେଳେ ରଡ଼ି ଛାଡ଼ିବାକୁ ଲାଗିଲା, ସେତେବେଳେ ପରିବାର ଲୋକଙ୍କୁ ଲାଗିଲା କିଛି ଗୋଟେ ଅଘଟଣ ହୋଇଛି । କବାଟ ଖୋଲି ଆସିବା ବେଳକୁ ଦେଖାଗଲା କୁମ୍ଭୀର ପଶିଛି ଘରେ ।

ମା ଯେତେବେଳେ ଚିତ୍କାର କଲେ ସେତେବେଳେ ଝିଅ ଦଉଡ଼ି ଆସିଲା । ଆଉ କବାଟ ଖୋଲିଦେଲା । ଏହି ସମୟରେ ଘର ଭିତରକୁ ପଶିଗଲା କୁମ୍ଭୀର । ଏହି କୁମ୍ଭୀରର ବୟସ ପାଖାପାଖି ଦେଢ଼ରୁ ଦୁଇ ବର୍ଷ ହେବ । ଗାଁ ଲୋକେ ଏହାକୁ ଦେଖି ଭୟରେ ଥିଲେ ।