Advertisment

ମେହନତି ମଣିଷ ବୁଝିଲା ଭୋକର ଦୁଃଖ: ଆପଣାର ଭାବି ଭୋକିଲାକୁ ବଢାଇ ଦେଲେ ଖାଇବା ପ୍ଲେଟ

ଅଙ୍ଗେ ନିଭେଇଥିବା ମଣିଷ ହିଁ ବୁଝି ପାରେ ଭୋକର ଦୁଃଖ । ଏ ଭୋକ ବିଶେଷ କିଛି ଖୋଜେନି। ଖୋଜିଥାଏ ମୁଠାଏ ମାତ୍ର ଖାଦ୍ୟ। ତଥାପି ତାକୁ ସେତକ ମିଳି ନ ଥାଏ।

author-image
Minati Mishra
ଅଦ୍ୟତନ ହୋଇଛି
street vendor shows humanity

street vendor shows humanity

ଅଙ୍ଗେ ନିଭେଇଥିବା ମଣିଷ ହିଁ ବୁଝି ପାରେ ଭୋକର ଦୁଃଖ । ଏ ଭୋକ ବିଶେଷ କିଛି ଖୋଜେନି। ଖୋଜିଥାଏ ମୁଠାଏ ମାତ୍ର ଖାଦ୍ୟ। ଭୋକିଲା ମଣିଷଟିଏ ଖାଦ୍ୟରେ ସ୍ୱାଦ ବି ଖୋଜେନି । ଶୁଖିଲା ରୁଟି ବା ବାସି ପଖାଳ ରାଜ ପରସାଠାରୁ ବି ଅଧିକ ମୂଲ୍ୟବାନ। ହେଲେ ସେତିକି ବି ସମସ୍ତଙ୍କ ଭାଗ୍ୟରେ ଜୁଟେନି। ସରକାର ଯେତେ ଯୋଜନା କଲେ ବି ଅନେକ ଅଭାବି ମଣିଷଙ୍କ ଘରେ ଏବେ ବି ସବୁଦିନ ଚୁଲି ଜଳି ନଥାଏ। ହେଲେ କେଉଁଠି ଅଳିଆ ଗଦାରେ ଖାଦ୍ୟର ଭଣ୍ଡାର ଭାସୁଥାଏ । କିନ୍ତୁ ଏ ମଣିଷ ଦେଖି ପାରେନି। ବୁଝି ପାରେନି, ଫିଙ୍ଗି ଦେଉଥିବା ଏ ଖାଦ୍ୟ କାହାପାଇଁ ଅମୃତ ବୋଲି। 

Advertisment

ସୋଶିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଇନ୍‌ଷ୍ଟାରେ ସେୟାର କରାଯାଇଥିବା ଏହି ଭିଡିଓଟି ଦେଖିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ। ଏ ଭିଡିଓଟି କହୁଛି ଭିନ୍ନ ଏକ କଥା। ଦେଉଛି ଭିନ୍ନ ଏକ ବାର୍ତ୍ତା। ତାହା ହେଉଛି ମାନବତାର ବାର୍ତ୍ତା। ମେହନତି ମଣିଷଟିଏ ଏଠି ଭୋକର ଦୁଃଖକୁ ବୁଝି ପାରେ। ଏ ଷ୍ଟ୍ରିଟ ଭେଣ୍ଡର ଜଣକ ନିଜେ ଖାଦ୍ୟ ବିକିଲେ ୨ ପଇସା ରୋଜଗାର କରିବେ। ନିଜ ପରିବାର ଚଳାଇବେ। ହେଲେ ହୃଦୟବାନ ମଣିଷ ସବୁବେଳେ ବେପାର କରେନି। ସେ ହୃଦୟକୁ ଚିହ୍ନେ। ବେପାର ନ ହେଉ ପଛେ, କାହା ମୁହଁରେ ହସଟିକିଏ ଫୁଟୁ। ଏହା ହିଁ ସେ ଭାବିଥାଏ। ଠିକ ସେଇଆ ହିଁ କରିଛନ୍ତି ଏହି ବ୍ୟକ୍ତି ଜଣକ।

ଠେଲା ଗାଡି ପାଖରେ ଛିଡା ହୋଇଛନ୍ତି ଜଣେ ଯୁବକ। ହାତରେ କିଛି ଚପଲର ସୋଲ। ମୋଚି କାମ କରନ୍ତି। ସେ ପୁଣି ବୁଲି ବୁଲି। ଚେହେରାରେ ଦାରିଦ୍ର୍ୟର ଛାପ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ମୋଚି କାମ କରୁଥିଲେ ବି ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ କରିବା ତାଙ୍କ ପକ୍ଷେ ସମ୍ଭବ ହେଉନି। ତେଣୁ ଭୋକରେ ରହିବା ଛଡା କିଛି ଉପାୟ ନାହିଁ। ମୁହଁ ଶୁଖି ଯାଇଛି। କିନ୍ତୁ କାହାକୁ ମାଗିବାକୁ ବୋଧହୁଏ ତାଙ୍କ ପାଟି ଖୋଲୁନି। ରାସ୍ତା କଡ଼ରେ ଖାଦ୍ୟ ବିକୁଥିବା ଏହି ବ୍ୟକ୍ତି ଜଣକ ଯୁବକଙ୍କୁ ଦେଖି ପାଖକୁ ଡାକୁଛନ୍ତି। ତାଙ୍କୁ ଭାତ, ରୁଟି, ଡାଲି, ସବ୍‌ଜି ପ୍ଲେଟ୍‌ରେ ସଜେଇ ଖାଇବାକୁ ଦେଉଛନ୍ତି। ସେତିକି ନୁହେଁ, ଖୁବ୍‌ ଆପଣାର ପରି କହୁଛନ୍ତି, ‘ବେଟା, ଖାଇବାକୁ ନେଇ କେବେ ମନ ଦୁଃଖ କରିବୁନି। ମୋ ପାଖକୁ ପଳାଇ ଆସିବୁ। ମୁଁ ଖାଇବାକୁ ଦେବି। କିଛି ଅସୁବିଧା ନାହିଁ।’ 

Advertisment

ଆହୁରି ଆତ୍ମୀୟତା ଭରା ସ୍ୱରରେ ଦୋକାନୀ ପଚାରୁଛନ୍ତି ପିଲାଟି କ‘ଣ କାମକରୁଛି, କେତେ ରୋଜଗାର କରୁଛି ଆଉ ଏଥିରେ ଗୁଜରାଣ ମେଣ୍ଟୁଛି କି ନାହିଁ.. ଇତ୍ୟାଦି ଇତ୍ୟାଦି..।  ସବୁ ଶୁଣିବା ପରେ କହୁଛନ୍ତି, ‘ମନ ଦୁଃଖ କରନା। ଯେତେବେଳେ ବେପାର ନ ହେବ, ଖାଇବାକୁ ନ ଥିବ ମୋ ପାଖକୁ ଚାଲି ଆସିବୁ। ମୁଁ ଏଠାରେ ୩ରୁ ୪ ଟା ଯାଏ ରହୁଛି।’

ତାଙ୍କ ସ୍ୱରରେ ଆତ୍ମପ୍ରଚାର ବା ବଦାନ୍ୟତାର ଝଲକ ନ ଥିଲା । ଥିଲା କେବଳ ଆପଣାର ଭାବ। ଅନ୍ୟର ଦୁଃଖକୁ ବୁଝି ପାରିବାର ଭାବ। ମଣିଷ ଭାବେ ଆଉ ଗୋଟିଏ ଅସହାୟ ମଣିଷକୁ ସହାୟତାର ହାତ ସ୍ୱତସ୍ପୃତ ଭାବେ ବଢାଇ ଦେବାର ଭାବ। ତାଙ୍କର ଏଇ କେଇପଦ ପ୍ରତିଶ୍ରୃତି ଭିୟୁର୍ସଙ୍କ ମନକୁ ଛୁଇଁ ଯାଇଛି। ଖୁବ ଭାଇରାଲ ହୋଇଛି ଭିଡିଓଟି। ବହୁତ ସୁନ୍ଦର କମେଣ୍ଟ ବି ଆସିଛି। ଜଣେ କମେଣ୍ଟରେ ଲେଖିଛନ୍ତି, ଏତିକି କହିବା ବହୁତ ବଡ କଥା । ସମସ୍ତେ ଏତିକି କହି ବି ପାରନ୍ତିନି। ଅନେକ ୟୁଜର୍ସ ଦୋକାନୀଙ୍କୁ ଆର୍ଶୀବାଦ ବି ଦେଇଛନ୍ତି।

Street Vendor Hungry
Advertisment
Advertisment