• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏମିତି ବି ମଣିଷ ଥାନ୍ତି ! ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯାହା କି ସତ ଘଟଣା । ଯାହାକୁ ଦେଖିଲେ ଯେକେହି ବି କହିବେ, ଏମିତି ବି ଥାନ୍ତି ମଣିଷ । ସାଧାରଣତଃ ଆପଣ ଅନେକ ହତ୍ୟାକାଣ୍ଡ ବିଷୟରେ ଶୁଣିଥିବେ । କାରଣ ହତ୍ୟାକାଣ୍ଡ ହେଉ କି ଜଘନ୍ୟ ହତ୍ୟାକାଣ୍ଡ, ଆଜିକାଲି ଏଭଳି ଅନେକ ଖବର ସାମ୍ନାକୁ ଆସୁଛି । ମଣିଷ ରାଗି ଯାଇ କ’ଣ କରିଦିଏ, ତାହା ,ସେ ନିଜେ ବି ଜାଣିପାରିନି । କାରଣ କଥାରେ ଅଛି ରାଗ ହେଉଛି ବ୍ରହ୍ମ ଚଣ୍ଡାଳ । ଆଉ ସେଇ ରାଗ ହିଁ ମଣିଷର ସବୁଠୁ ବଡ଼ ଶତ୍ରୁ ।

ତେବେ ଠିକ୍‌ ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି । ଯାହାକି ସିସିଟିଭିରେ ପୁରା  ରେକର୍ଡ ହୋଇଛି । ଆଉ ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଜଣେ ବ୍ୟକ୍ତି ଓ ଜଣେ ମହିଳା ରେଳ ଷ୍ଟେସନ୍‌ରେ, ଟ୍ରାକ୍‌ ପାଖରେ  କିଛି ସମୟ କଥା ହେଉଛନ୍ତି । ଆଉ ତା’ପରେ ହଠାତ୍‌ ଏମିତି କିଛି ଘଟୁଛି ତାହା ସେହି ମହିଳା ଜଣକ କେବେ ବି ଭାବିନଥିବେ ।

କିଛି ସମୟ ଉଭୟ କଥା ହେବା ମଧ୍ୟରେ ଟ୍ରାକ୍‌ରେ ଟ୍ରେନ୍‌ ଆସୁଛି । ଟ୍ରେନ୍‌ର ଗତି ଖୁବ୍‌ ତୀବ୍ର ରହିଛି । ଆଉ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ ଆଗକୁ ହଠାତ୍‌ ମହିଳାଙ୍କୁ ଠେଲି ଦେଉଛନ୍ତି ଯୁବକ । ଏହି ପୁରା ଘଟଣା ଷ୍ଟେସନ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ବାରି ହେଉଛି । ମହିଳାଙ୍କୁ ନେଇ ଟ୍ରେନ୍‌ ଆଗକୁ ଧକ୍କା ମାରିବା ପରେ ହଠାତ୍ ପୁରୁଷ ଜଣକ ସେହି ପାଖରେ ବସିଥିବା ଦୁଇ ଜଣ ଶିଶୁଙ୍କୁ ଧରି ଦୌଡ଼ୁଛନ୍ତି ।

ତେବେ ଏନେଇ ରେଲୱେ ପୋଲିସ ପାଖରେ ଖବର ପହଞ୍ଚିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଆଉ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଉଭୟ ପୁରୁଷ ଓ ମହିଳା ସମ୍ପର୍କରେ ପତି-ପତ୍ନୀ । ଆଉ କୁନି ଛୁଆ ଦୁଇ ଜଣ ହେଲେ ସେମାନଙ୍କ ସନ୍ତାନ । ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ବା କଥା କଟାକଟିରୁ ସେଠାରେ ବଚସା ହୋଇଥିଲା । ଆଉ ସ୍ୱାମୀ ରାଗି ଯାଇ ସ୍ତ୍ରୀଙ୍କୁ ଟ୍ରେନ୍‌ ଆଗକୁ ଠେଲି ଦେଲେ ।

ଏହି ଖବର ପ୍ରଚାରିତ ହେବା ପରେ ବା ଭିଡିଓ ଦେଖିବା ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ‘କି ନିଷ୍ଠୁର ସ୍ୱାମୀ । ଛୋଟ ଛୋଟ ପିଲାଙ୍କୁ ମା ଛେଉଣ୍ଡ କରିଦେଲା ।’

ଏହି ଘଟଣା ମୁମ୍ବାଇ ନିକଟରେ ଥିବା ଭସାଇ ରେଲୱେ ଷ୍ଟେସନ୍‌ରେ ସୋମବାର ସକାଳ ପ୍ରାୟ ୪ଟା ସମୟରେ ଘଟିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ବା ମୃତକଙ୍କ ସ୍ୱାମୀକୁ ଗିରଫ କରାଯାଇଛି ।