• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିରଳ କାହାଣୀ । ଏମିତି କାହାଣୀ ଆପଣ କେବେ ଶୁଣିନଥିବେ କିମ୍ବା କେବେ ବି ଚିନ୍ତା କରିନଥିବେ । ଆପଣ କେବଳ ଫିଲ୍ମରେ ଦେଖିଥିବେ ଖଳନାୟକ ନିଜ ମୃତ୍ୟୁ ପୂର୍ବରୁ ନିଜର ଶ୍ରାଦ୍ଧା ଦେବା ବା ପିଣ୍ଡ ଦେବା । କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ କାହାଣୀ କହିବୁ ତାହା କୌଣସି ଫିଲ୍ମର କାହାଣୀ ନୁହେଁ । ତାହା ସତ୍ୟ ଘଟଣା । ଆଉ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଆଉ କହିବେ ଏଭଳି କାର୍ଯ୍ୟ କୌଣସି ସୁସ୍ଥ ମାନସିକତାର ବ୍ୟକ୍ତି କେବେ ବି କରିପାରିବ ନାହିଁ ।

ପୁରା ଘଟଣାଟି ହେଲା, ଜଣେ ୬୮ ବର୍ଷିୟ ବ୍ୟକ୍ତି ନିଜ ପାଇଁ ନିଜେ ପ୍ରସ୍ତୁତ କଲେ ଜୁଇ । ଆଉ ସେହି ଜୁଇରେ କଲେ ଆତ୍ମହତ୍ୟା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଘଟଣା ଘଟିଛି କେରଳର କୋଲାମ ପୁଥୁର ଅଞ୍ଚଳରେ । ଏନେଇ ଗୁରୁବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସର କହିବାନୁଯାୟୀ, ବ୍ୟକ୍ତି ଜଣକ ନିଜେ ନିଜ ପାଇଁ ଜୁଇ ପ୍ରସ୍ତୁତ କଲେ । ଆଉ ସେଥିରେ ନିଆଁ ଲଗାଇଲେ । ସେହି ନିଆଁରେ ନିଜକୁ ଝାସ ଦେଲେ । ଏହି ବ୍ୟକ୍ତି ଜଣକ ହେଲେ ସେହି ଅଞ୍ଚଳର ମାରାନଡର ବିଜୟ କୁମାର । ନିଜ ପୈତୃକ ସମ୍ପତ୍ତି ବା ନିଜ ଜାଗାରେ ସେ ଏଭଳି ଆତ୍ମହତ୍ୟା କରିଛନ୍ତି ।

ବିଜୟ କୁମାର କୌଣସି କାରଣରୁ ଦୀର୍ଘ ଦିନ ହେବ ଚିନ୍ତାରେ ଥିଲେ କିମ୍ବା ମାନସିକ ଅଶାନ୍ତିରେ ଥିଲେ । ତାଙ୍କର କୌଣସି ଏକ ରୋଗ ଥିଲା ଯାହା ଭଲ ହେଉନଥିଲା । ତେଣୁ ସେ ନିଜ କାମକୁ ବି ଯାଉନଥିଲେ । ଏନେଇ ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । 

ସେହି ଘରେ ଏବେ ଏକା ରହୁଥିବା ବିଜୟ କୁମାରଙ୍କ ଭଉଣୀ କହିଛନ୍ତି, ‘ହଠାତ ରାତି ଅଧରେ କାଠ ଗଦା ଜଳୁଥିବା ମୁଁ ଦେଖିଲି । ଭାବିଲି କୌଣସି କାରଣରୁ ଭୁଲ୍‌ରେ ନିଆଁ ଲାଗିଯାଇଥିବ । ତେଣୁ ମୁଁ ତାକୁ ଲିଭାଇବାକୁ ଚେଷ୍ଟା କରିଲି । ଜଣେ ପଡ଼ୋଶୀ ତଥା ସମ୍ପର୍କୀୟ ମଧ୍ୟ ନିଆଁ ଲିଭାଇବା ପାଇଁ ସହଯୋଗ କଲେ । ହେଲେ ସକାଳୁ ଉଠି ଦେଖିଲି ସେଠାରେ ଏକ ମୃତ ଦେହ ପଡ଼ିଛି ।’

ଏହି ଘଟଣାରେ ପୋଲିସ ଏକ ସୁଇସାଇଡ୍ ନୋଟ୍‌ ମଧ୍ୟ ଜବତ କରିଛି । ବିଜୟ କୁମାର ନିଜ ବନ୍ଧୁଙ୍କ ଉଦେଶ୍ୟରେ ଏହି ଚିଠି ଲେଖିଥିଲେ । ସେ ତାଙ୍କ ସାଙ୍ଗକୁ ଚିଠିରେ କହିଛନ୍ତି ଯେ, ମୁଁ ଆଉ ପାରୁନି । ମୁଁ ଆଉ କୌଣସି କାମ କରିବା ପାଇଁ ସକ୍ଷମ ନୁହେଁ । ମୋ ସ୍ୱାସ୍ଥ୍ୟ ମୋତେ ସାଥ୍‌ ଦଉନି ।