• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କର୍ଣ୍ଣାଟକରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଏକ କଲରାପତରିଆ ବାଘକୁ ବାଇକ୍‌ ପଛରେ ବାନ୍ଧି ନେଉଥିବା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଆମେ ସମସ୍ତେ ଜାଣିଛନ୍ତି କଲରାପତରିଆ ବାଘ ଏକ ହିଂସ୍ର ପ୍ରଜାତିର ଜୀବ । ମଣିଷ ତା ହାବୁଡ଼ରେ ପଡ଼ିଲେ ଜୀବନ ଚାଲିଯିବାର ସମ୍ଭାବନା ଅଧିକ ଥାଏ । କାରଣ ମଣିଷ ଦେଖିବା ମାତ୍ରେ ସେ ଶିକାର କରିବାକୁ ଝାମ୍ପ ମାରିଥାଏ ।

ଖାଲି ସେତିକି ନୁହେଁ କଲରାପତରିଆ ବାଘ ଖୁବ୍‌ ଜୋରରେ ଦୌଡ଼ିପାରେ । ତେଣୁ ତାକୁ ଧରିବା ବି ମଣିଷ ପକ୍ଷେ କଷ୍ଟକର । କିନ୍ତୁ ଏଠାରେ ତାକୁ ବ୍ୟକ୍ତି ଜଣକ କାବୁ କରିବା ସହ ତାର ୪ ଗୋଡ଼କୁ ବାନ୍ଧି ବାଇକ୍‌ ପଛରେ ଝୁଲାଇ ନେଉଥିବା ଦେଖାଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ମିଳିଥିବା ସୂଚନା ଅନୁସାରେ, କଲରାପତରିଆ ବାଘର ବୟସ ଅତି ବେଶିରେ ୯ ମାସ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ତାକୁ ଧରିଥିବା ବ୍ୟକ୍ତି ଜଣକ ହେଉଛି ମୁଥୁ । ହାସନ ଜିଲ୍ଲାର ବାଗିଭାଲୁ ଗାଁରେ ତାଙ୍କର ଘର । ମୁଥୁଙ୍କ କହିବାନୁଯାୟୀ, ସେ ବାଘକୁ ଧରି ବନ ବିଭାଗ ନିକଟକୁ ହସ୍ତାନ୍ତର କରିବାକୁ ନେଉଥିଲେ। ନିଜର ସୁରକ୍ଷା ପାଇଁ ସେ କାବୁ କରିଥିଲେ ।

ମୁଥୁଙ୍କ ଫାର୍ମରେ ବାଘଟି ବୁଲୁଥିଲା । ସେ କିଛି କ୍ଷତି କରିବା ପୂର୍ବରୁ ମୁଥୁ ତାକୁ ପ୍ରଥମେ ଗୁଳି କରିଥିଲେ । ଆଉ ଗୁଳିମାଡ଼ରେ ଅଚେତ୍‌ ହେବା ପରେ ତାର ଚାରି ଗୋଡ଼କୁ ବାନ୍ଧି ଏକ ରସିରେ ବାନ୍ଧିଥିଲେ । ତା’ପରେ ବାଇକ୍‌ ପଛରେ ବାନ୍ଧି ବନ ବିଭାଗକୁ ହସ୍ତାନ୍ତର କରିବାକୁ ନେଉଥିଲେ । ଗୁଳିମାଡ଼ରେ ବାଘର ବିଶେଷ କ୍ଷତି ହୋଇନଥିବା କହିଛନ୍ତି ମୁଥୁ ।

ବନ ବିଭାଗ ପକ୍ଷରୁ କୁହଯାଇଛି ଯେ, ମୁଥୁ କୌଣସି ଖରାପ ଉଦେଶ୍ୟ ରଖି ବାଘକୁ ଆକ୍ରମଣ କରିନଥିଲେ । ସେ ନିଜକୁ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ । କିନ୍ତୁ ସେ ବାଘ ସହ ଯେଉଁଭଳି ଭାବେ ବ୍ୟବହାର କରିଛନ୍ତି ତାହା ଖରାପ । ଏହା କେବଳ ସଚେତନତା ଅଭାବ କାରଣରୁ ହୋଇଛି ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି ।

ଏବେ ବାଘକୁ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି । ସେଠାରେ ସେ ଧିରେ ଧିରେ ସୁସ୍ଥ ହେଉଛି । ସମ୍ପୂଣ୍ଣ ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛଡ଼ାଯିବ ।