/odishatv-khabar/media/post_attachments/uploadimage/library/16_9/16_9_0/IAS_1753852828.jpg)
IAS
ଉତ୍ତରପ୍ରଦେଶର ଶାହଜାହାନପୁର ଜିଲ୍ଲାରେ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ (ଏସଡିଏମ) ଭାବେ ଯୋଗଦେବାର ପ୍ରଥମ ଦିନରେ ଆଇଏଏସ ଅଫିସର ରିଙ୍କୁ ସିଂହ ରାହି ସଫାସୁତୁରାର ଅଭାବକୁ ନେଇ ଆନ୍ଦୋଳନ କରୁଥିବା ଆଇନଜୀବୀମାନଙ୍କ ସାମ୍ନାରେ କାନଧରି ଉଠବସ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ସେ ଅପରିସ୍କାର ଓ ଅପରିଚ୍ଛନ୍ନତାର ଅଭାବକୁ ସ୍ୱୀକାର କରିଥିବାର ନଜର ଆସିଛନ୍ତି।
ଘଟଣାଟି ମଙ୍ଗଳବାର ଦିନ ଘଟିଥିଲା। ତହସିଲ୍ ପରିସର ବୁଲି ଦେଖିବା ସମୟରେ ରିଙ୍କୁ ସିଂହ ଚାରିଆଡ଼େ ମଇଳା ଦେଖିଥିଲେ ଏବଂ କିଛି ବ୍ୟକ୍ତିଙ୍କୁ ଖୋଲା ସ୍ଥାନରେ ପରିସ୍ରା କରୁଥିବା ଦେଖିଥିଲେ। ଏହାର ପ୍ରତିକାର ସ୍ୱରୂପ, ସେ ଉକ୍ତ ଅମାନିଆମାନଙ୍କୁ ଉଠବସ କରାଇଥିଲେ।
ରାହି କହିଥିଲେ, “ମୁଁ ପୂର୍ବରୁ ଲୋକଙ୍କୁ ଶୌଚାଳୟ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲି, କିନ୍ତୁ କିଛି ଲୋକ ମାନି ନଥିଲେ ଏବଂ ଖୋଲାରେ ପରିସ୍ରା କରୁଥିଲେ, ତେଣୁ ମୁଁ ସେମାନଙ୍କୁ ଉଠବସ କରାଇଥିଲି।”
ସେ ଆହୁରି ଉଲ୍ଲେଖ କରିଥିଲେ ଯେ କିଛି ସ୍କୁଲ ପିଲା ବିନା କାରଣରେ ତହସିଲ୍ ପରିସରରେ ବୁଲୁଥିବା ଦେଖାଯାଇଥିଲା। ତେଣୁ ସେମାନଙ୍କ ପିତାମାତାଙ୍କୁ ମଧ୍ୟ ଡକାଯାଇ ଦାୟିତ୍ୱ ପାଳନ କରିବା ପାଇଁ ସମସ୍ତଙ୍କ ସାମନାରେ ଉଠବସ କରାଯାଇଥିଲା।
କିନ୍ତୁ, ଏହି କାର୍ଯ୍ୟ ତହସିଲରେ ଉପସ୍ଥିତ ଆଇନଜୀବୀମାନଙ୍କ ମଧ୍ୟରୁ ଏକ ଦଳରେ ବିରୋଧ ସୃଷ୍ଟି କରିଥିଲା। ଜଣେ ଆଇନଜୀବୀ ବୀରେନ୍ଦ୍ର କୁମାର ଯାଦବ କହିଥିଲେ, “ଆଜି ଏସଡିଏମ ତହସିଲ ପରିସର ନିରୀକ୍ଷଣ କରୁଥିବା ସମୟରେ ଆମର କ୍ଲର୍କ ପରିସ୍ରା କରୁଥିବା ଦେଖାଯାଇଥିଲା। ସେ ତାଙ୍କୁ ଅଟକାଇ ଉଠବସ କରାଇଥିଲେ। ଆମେ ତାଙ୍କୁ ପଚାରିଥିଲୁ କାହିଁକି ଆମ ଲୋକଙ୍କୁ ଏପରି କରାଇଲେ।”
ପ୍ରତିବାଦୀ ଆଇନଜୀବୀମାନଙ୍କୁ ସାମ୍ନା କରି ରିଙ୍କୁ ସିଂହ କହିଥିଲେ, “ଆଇନଜୀବୀମାନେ ଧର୍ମଘଟରେ ଥିଲେ। ଯେତେବେଳେ ମୁଁ ସେମାନଙ୍କୁ ଭେଟିଲି, ସେମାନେ ମୋତେ ଉଠବସ ବିଷୟରେ ପଚାରିଲେ। ମୁଁ ବୁଝାଇଲି ଯେ ଏହି ଘଟଣାର ପୁନରାବୃତ୍ତି ନ ହେବା ପାଇଁ କରାଯାଇଥିଲା। ସେମାନେ ତା’ପରେ କହିଲେ ଯେ ତହସିଲ ପରିସର ମଧ୍ୟ ଅପରିଷ୍କାର ଅଛି ଏବଂ ମୋତେ ପଚାରିଲେ ଯେ ମୁଁ ତାହା ପାଇଁ ମଧ୍ୟ ଉଠବସ କରିବି କି? ମୁଁ କହିଲି ହଁ, ଯେହେତୁ ଏହା ଆମର ଭୁଲ, ତେଣୁ ମୁଁ ତାହା କଲି।”
ରିଙ୍କୁ ସିଂହ କହିଥିଲେ, “ଜଣେ ଅଧିକାରୀ ମୋତେ କହିଥିଲେ ଯେ ୧୦ ଦିନ ପୂର୍ବେ ଏଠାରେ ବହୁତ ମଇଳା ଥିଲା, ସେ ଅଧିକାଂଶ ମଇଳା ସଫା କରାଇଛନ୍ତି। ତଥାପି, ଯଦି ଆଉ କିଛି ବାକି ରହିଛି, ତେବେ ଏହା ଆମର ଭୁଲ ଏବଂ ମୁଁ ତାହା ସ୍ୱୀକାର କରୁଛି।”
ଏସଡିଏମ ରିଙ୍କୁ ସିଂହ କାନ ଧରି ଆଇନଜୀବୀମାନଙ୍କ ପାଖରେ ଉଠବସ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।