• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେହି ଭିଡିଓରେ ଦେଖାଯାଇଛି ଯେ, କିଛି ବ୍ୟକ୍ତି କାର୍‌ ନେଇକି ଯାଉଛନ୍ତି । ହଠାତ୍‌ ରାସ୍ତାରେ ଗୋଟିଏ ଛୋଟ ଛୁଆ ଗାଡ଼ି ପାଖକୁ ଆସୁଛି । ଏକ କପଡ଼ା ଧରି ଗାଡ଼ିର ସାମ୍ନା କାଚ ସଫା କରୁଛି । ଏହାର କିଛି ସମୟ ପରେ ସେହି ଛୁଆଟି ନିଜ ହାତରେ ପିନ୍ଧିଥିବା ଘଣ୍ଟାକୁ ଗାଡ଼ିରେ ଲାଗିଥିବା ଫାଷ୍ଟଟାଗ୍‌ ଉପରେ ରଖୁଛି । ଏହାପରେ ସଙ୍ଗେସଙ୍ଗେ ଘଣ୍ଟାରେ ଲାଇଟ୍‌ ଜଳୁଛି ।

ଏମିତି କିଛି ସମୟ କାର୍‌ର ସାମ୍ନା କାଚ ପୋଛିବା ପରେ ପିଲାଟି ହଠାତ୍‌ ଗାଡ଼ିର ବନେଟ୍‌ ଉପରୁ ତଳକୁ ଆସୁଛି । ଆଉ ଯିବାକୁ ବାହାରୁଛି । ଏହି ସମୟରେ ଗାଡ଼ିରେ ବସିଥିବା ଯୁବକମାନେ ତାକୁ ପାଖକୁ ଡାକୁଛନ୍ତି । ଆଉ ପଚାରୁଛନ୍ତି ଗାଡ଼ିର କାଚ ସଫା କରିଲ କିନ୍ତୁ ଟଙ୍କା ମାଗୁନ ତ ? ଏହାପରେ ପିଲାଟି ଥଙ୍ଗ ଥଙ୍ଗ ହୋଇ ତାଙ୍କୁ ଟଙ୍କା ମାଗିଲା ।

ଏହି ସମୟରେ ହଠାତ ଯୁବକମାନଙ୍କ ନଜର ପିଲାଟିର ଘଣ୍ଟା ଉପରେ ପଡ଼ିଥିଲା । ଆଉ ତାକୁ ପଚାରିଥିଲେ ଏହି ଘଣ୍ଟା କାହାର ? ପିଲାଟି କିଛି ଉତ୍ତର ନଦେଇ ସେଠାରୁ ଦୌଡ଼ି ପଳାଇଥିଲା । ପିଲାଟିର ପିଛା କରିବାକୁ ଯାଇ ଜଣେ ଯୁବକ କାରରୁ ବାହାରି ଦୌଡ଼ିଥିଲେ । ହେଲେ ପିଲାଟିକୁ ନପାଇ ଶେଷରେ ଯୁବକ ଜଣକ ନିରାଶ ହୋଇ ଫେରିଥିଲେ ।

ଏହି ଭାଇରାଲ ଭିଡିଓରେ କୁହାଯାଇଛି ଯେ, ସେହି ଘଣ୍ଟା ଜରିଆରେ ଗାଡ଼ିରେ ଲାଗିଥିବା ଫାସ୍‌ଟ୍ୟାଗ୍‌ ସ୍କାନ୍‌ କରି ଆକାଉଣ୍ଟରୁ ଟଙ୍କା ଚୋରି କରିବାକୁ ଚେଷ୍ଟା କରାଯାଇଥିଲା । 

 

ତେବେ ଏଠାରେ ଆମେ କହି ରଖୁଛୁ ଯେ, ଏହି ଭିଡିଓରେ ଯେଉଁ ଦାବି କରାଯାଇଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । ପିଆଇବି ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହି ଘଟଣାର ଫ୍ୟାକ୍ଟ ଚେକ୍‌ କରି ପିଆଇବି ଏହି ଭାଇରାଲ ଭିଡିଓକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛି । ପିଆଇବି ପକ୍ଷରୁ କୁହାଯାଇଛି ଯେ, ଏଭଳି କୌଣସି ଘଣ୍ଟା ନାହିଁ କିମ୍ବା ଡିଭାଇସ୍‌ ନାହିଁ ଯାହା ଦ୍ୱାରା ଏତେ ସହଜରେ ଫାସ୍‌ଟ୍ୟାଗ୍‌ରୁ ଟଙ୍କା ଚୋରି ହୋଇପାରିବ । କାରଣ ଟୋଲଗେଟ୍‌ରେ ଫାସ୍‌ଟ୍ୟାଗ୍‌ରୁ ଯେଉଁ ଟଙ୍କା କଟୁଛି ସେଥିପାଇଁ ଅନେକ ନିୟମ କାନୁନ ରହିଛି । ଏଥିପାଇଁ ବ୍ୟାଙ୍କିଂ ପକ୍ଷରୁ ଏକ ସିକ୍ୟୋର ସିଷ୍ଟମ ରହିଛି । ତେଣୁ ଏଥିରୁ ଚୋରି ହେବା ସହଜ ନୁହେଁ । ପ୍ରତି ଟୋଲଗେଟ୍‌ର ଏକ ସ୍ୱତନ୍ତ୍ର କୋଡ୍‌ ରହିଛି ।