• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାପା ! ଆକାଶ ଠାରୁ ବି ବେଶୀ ପ୍ରଶସ୍ତ ତାଙ୍କ ହୃଦୟ । ନିଜ ପେଟରୁ କାଟି ଆହାର ଯୋଗାଉଥିବା ମଣିଷ ଟିଏ । ସେ ଜୀବନର ଅସଲି ନାୟକ କହିଲେ ଚଳେ । ହେଲେ ବୟସର ଅପରାହ୍ନରେ ପିଲାମାନେ ବାପାଙ୍କୁ ଯେପରି ଅନାଦର କରି ଅପମାନିତ କରୁଛନ୍ତି, ତାହା ଅତି କଷ୍ଟଦାୟକ । ଏଥିପାଇଁ କେଉଁଠି ବାପାମା’ ଆତ୍ମହତ୍ୟା କରି ଦେଉଛନ୍ତି ତ ପୁଣି କେଉଁଠି କୁଳାଙ୍ଗାର ପୁଅ ଜୀବନ୍ତ ଦେବତାଙ୍କୁ ଘରୁ ବାହାର କରିଦେଉଛି । ନିକଟରେ ଏପରି ଏକ ଘଟଣା ଘଟିଛି । ଯେଉଁଥି ପାଇଁ ବୁଢ଼ା ବାପା ଥାନାର ଦ୍ୱାରସ୍ଥ ହୋଇଛି ।

ମଧ୍ୟପ୍ରଦେଶର ଗୁଆଲିୟରରେ ଏପରି ଏକ ଘଟଣା ଘଟିଛି । ପୁଅର ଅଭିଯୋଗ ନେଇ ପୋଲିସ ପାଖରେ ପହଞ୍ଚିଥିଲେ ଜଣେ ବୁଢ଼ା ବାପା। ମଦ୍ୟପାନ କରିବା ସହ ପୁଅ ତାଙ୍କୁ ଓ ସ୍ତ୍ରୀକୁ ସବୁବେଳେ ମାରଧର କରୁଥିବା ପୋଲିସ୍ ବାବୁଙ୍କୁ ଜଣାଇଥିଲେ । ତେବେ ସମସ୍ୟା ଶୁଣିବା ମାତ୍ରେ ଡିଏସପି ସନ୍ତୋଷ ପଟେଲ ବୃଦ୍ଧଙ୍କୁ ନିଜ କାରରେ ବସାଇ ତାଙ୍କ ଗାଁରେ ପହଞ୍ଚି ଯାଇଥିଲେ । ପୋଲିସକୁ ଦେଖି ମଦୁଆ ପୁଅ ଛାନିଆ ହୋଇଯାଇଥିଲା । ବାବୁଙ୍କ ଗାଡ଼ିରେ ବୁଢ଼ା ବାପା ବସିଥିବା ଦେଖି ଦଉଡ଼ି ଯାଇ ଗୋଡ଼ ତଳେ ପଡ଼ିଯାଇଥିଲା । ଆଉ କ୍ଷମା କରିଦେବାକୁ ବୁଢ଼ା ବାପା ଆଗରେ ନେହୁରା ହୋଇଥିଲା । ଡିଏସପି ନିଜେ ଏହି ଘଟଣାର ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଭିୟୁ ମିଳିସାରିଛି ।

ସୂଚନାଯୋଗ୍ୟ ଏବେ ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତ ଡିଏସପି ସନ୍ତୋଷ ପଟେଲ । ସୋସିଆଲ ମିଡିଆରେ ସବୁବେଳେ ସେ ବହୁତ ସକ୍ରିୟ । ନିକଟରେ ସେ ଏହି ଭିଡିଓ ସେୟାର କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓର କ୍ୟାପସନରେ ଲେଖିଥିଲେ- ସାଧାରଣତଃ ବୟସ୍କ ଲୋକମାନେ ଅଭିଯୋଗ କରିବା ପାଇଁ ଆସିଲେ ଥାନା ବାହାରେ ଚପଲ ଖୋଲି ଆସନ୍ତି । ବୋଧହୁଏ ପୋଲିସ ପ୍ରତି ସେମାନଙ୍କର ଅଗାଧ ବିଶ୍ୱାସ ଥାଏ । ଜଣେ ବୃଦ୍ଧଙ୍କୁ ମଦ୍ୟପ ପୁଅ ମାଡ଼ ମାରୁଥିଲେ, ହେଲା ଘଟଣାସ୍ଥଳକୁ ପହଞ୍ଚିବା ପରେ ପାଦତଳେ ପଡ଼ିଯାଇ କ୍ଷମା ମାଗିବାରେ ଲାଗିଥିଲା ପୁଅ । କେବଳ ପୋଲିସ୍ ଚାକିରିରେ ଏହା ସମ୍ଭବ ବୋଲି ଅନୁଭବ କରୁଥିବା ସେ ଲେଖିଛନ୍ତି ।