/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687000598.jpg)
Viral Story
ତିନି ବର୍ଷ ପରେ କୋମାରୁ ଉଠିଲେ ସ୍ୱାମୀ । ସ୍ୱାମୀଙ୍କ ଚିକିତ୍ସା ପାଇଁ ମିଳିଥିବା ମୋଟା ଅଙ୍କର ପବ୍ଲିକ ଫଣ୍ତକୁ ଫେରାଇଦେବା ପାଇଁ ନିଷ୍ପତ୍ତି ନେଲେ ସଚ୍ଚୋଟ ପତ୍ନୀ । ଜଣେ କି ଦୁଇ ଜଣଙ୍କୁ ନୁହେଁ ବରଂ ୪ ହଜାରରୁ ଅଧିକ ଲୋକଙ୍କୁ ମୋଟ ୨୧ ଲକ୍ଷ ଟଙ୍କା ଫେରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଜଣେ ଚାଇନିଜ୍ ମହିଳା ।
୨୦୨୦ ରେ ଏକ ଭୟଙ୍କର କାର୍ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ ଜିଆଙ୍ଗ୍ । ପୁଣି ଥରେ ସେ ନିଜ ପାଦରେ ଛିଡ଼ା ହୋଇପାରିବେ କି ନାହିଁ, ସେନେଇ ଡାକ୍ତର ବି ଆଶା ଛାଡ଼ିଦେଇଥିଲେ । କାରଣ ସେ କଥା କହିପାରୁନଥିଲେ କି ଚାଲି ପାରୁନଥିଲେ । ଏମିତିକି ନିଜ ଦୈନନ୍ଦିନ ନିତ୍ୟକର୍ମ କରିବାକୁ ବି ଅସମର୍ଥ ଥିଲେ । କୋମାରୁ କେବେ ଫେରିବେ ସେନେଇ ଡାକ୍ତର ବି କିଛି କହିନଥିଲେ । ଆର୍ଥିକ ଅବସ୍ଥା ଖରାପ କାରଣରୁ ପତ୍ନୀ ଡିଙ୍ଗ୍ ଲୋକଙ୍କଠୁ ସହାୟତା ଭିକ୍ଷା କରିଥିଲେ । ଜଣେ କି ଦୁଇଜଣ ନୁହେଁ, ବରଂ ୪୦୦୫ ଜଣ ଲୋକ ଡିଙ୍ଗ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ।
ଦିନ ରାତି ସ୍ୱାମୀଙ୍କ ସେବା ପରେ ଶେଷରେ କୋମାରୁ ବାହାରିଲେ ଜିଆଙ୍ଗ୍ । ସ୍ୱାମୀଙ୍କ ଭଲ ହୋଇଯିବା ଦେଖି ତାଙ୍କ ଚିକିତ୍ସା ପାଇଁ ଲୋକଙ୍କଠୁ ଆଣିଥିବା ଟଙ୍କାକୁ ଫେରାଇବେ ବୋଲି ନିଷ୍ପତ୍ତି ନେଲେ । ଡିଙ୍ଗ୍ କହିଛନ୍ତି ଯେ, ସେ ପ୍ରତିଟି ଲୋକଙ୍କୁ ଖୋଜି ସେମାନେ ଦେଇଥିବା ଟଙ୍କାକୁ ଫେରାଇବେ । ତାଙ୍କର ଏହି ପ୍ରୟାସକୁ ଲୋକେ ବେଶ୍ ପ୍ରଶଂସା କରିଛନ୍ତି ।
ଜିଆଙ୍ଗ୍ଙ୍କ ଚିକିତ୍ସା ପାଇଁ ମେଡିକାଲ୍ ବିଲ୍, ମେଡିସିନ୍ ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ମୋଟ୍ ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ହଜାର ହଜାର ଲୋକ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ । ଯାହାଫଳରେ ଆଜି ଜିଆଙ୍ଗ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି । ଡିଙ୍ଗ ଖୁବଶୀଘ୍ର ଟଙ୍କା ଫେରାଇଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)