• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଣିଷପଣିଆ ହରାଉଛି ମଣିଷ । ଭୁଲିଯାଉଛି ମାନବିକତା । ପଶୁଠୁ ବି ହୀନ କରୁଛି ନିଜ ବ୍ୟବହାର । ବର୍ତ୍ତମାନ ସମୟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ । କାରଣ ଗୋଟିଏ ଅସୁସ୍ଥ ଚିତାବାଘକୁ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ନେଉଛନ୍ତି କିଛି ଲୋକେ । ଯାହାର ଭିଡିଓ ବର୍ତ୍ତମାନ ସୋଇସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

ଖାଲି ସେତିକି ଯେ ତାହା ନୁହେଁ, ଚିତାବାଘ ସହ ଲୋକମାନେ ସେଲଫି ମଧ୍ୟ ନେଉଛନ୍ତି । ଯେଉଁ ଚିତାବାଘର ସାମାନ୍ୟ ନଜରରେ ମଣିଷର ହୃଦୟ ଥରି ଉଠେ ସେହି ମଣିଷ ଆଜି ତା’ର ଅସୁସ୍ଥତାର ଫାଇଦା ଉଠାଉଛି । ନିଜର ମଣିଷପଣିଆକୁ ଦେଖାଇ ଚିତାବାଘଟିକୁ ଚିକିତ୍ସା କରାଇବ କ’ଣ ଓଲଟା ତା’କୁ ଚଲାଇ ଚଲାଇ ନିଜର ଖୁସି ସାଉଁଟୁଛି ।

ଏପରି ଏକ ଘଟଣା ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି l ଗତ ମଙ୍ଗଳବାର ଦିନ ଅପରାହ୍ନ ସମୟରେ ସୋନକାଚର କାଳୀ ସିନ୍ଧ ନଦୀ କୂଳରେ ଚିତାବାଘଟି କୌଣସି କାରଣରୁ ନିସ୍ତେଜ ହୋଇ ପଡ଼ିରହିଥିଲା । ସତେ ଯେମିତି ତା’ ଶରୀରରେ କୌଣସି ଶକ୍ତି ନଥିଲା କି ଠିକ୍‌ରେ ମଧ୍ୟ ଚାଲିପାରୁନଥିଲା ।

ସେହି ସମୟରେ ଚିତାବାଘଟିକୁ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଦେଖିଥିଲେ । ତା’କୁ ବଞ୍ଚାଇବାକୁ ପ୍ରୟାସ କରିବା ବଦଳରେ ଓଲଟି ତା’ ସହ ମନୋରଞ୍ଜନ କରିଥିଲେ । ଚିକିତ୍ସା କରାଇବା ବଦଳରେ ବାଘକୁ ଚଲାଇ ଚଲାଇ ନେଇଥିଲେ ସ୍ଥାନୀୟ ଲୋକ । ତା’ ସହିତ ଅସୁସ୍ଥ ଚିତାବାଘଟି ଉପରେ ବସିବାକୁ ମଧ୍ୟ ଉଦ୍ୟମ କରିଥିଲେ l ପରେ ପରେ ଚତାବାଘଟିର ଖବର କୌଣସି ସୂତ୍ରରୁ ପାଇଥିଲା ରେସ୍କ୍ୟୁ ଟିମ୍ । ଉଜ୍ଜୟିନୀରୁ ଏକ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚତାବାଘଟିକୁ ଉଦ୍ଧାର କରିଥିଲା । ପରେ ତାକୁ ସୁରକ୍ଷିତ ଭାବେ ରଖିବା ସହ ତାର ଚିକିତ୍ସା କରାଇଥିଲା ।