/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683543824.jpg)
Cyber Crime, Black mail, Whatsapp Hack
ଛାତ୍ରୀଙ୍କୁ ବ୍ଲାକ୍ମେଲ୍ କରୁଛନ୍ତି ପ୍ରଫେସର ! ଏମିତି ଖବର ଆପଣ ଆଗରୁ ବି ଶୁଣିଥିବେ । ହେଲେ ଆମେ ଆଜି ଏମିତି କିଛି ଘଟଣା କହିବୁ ଯାହା ଶୁଣିଲେ ପ୍ରତ୍ୟେକ ପ୍ରଫେସରଙ୍କ ମନରେ ଭୟ ଆସିବ । ଆଉ ସମସ୍ତେ ସାବଧାନ ରହିବେ । ସଚେତନ ହେବେ । ଖାଲି ସେତିକି ନୁହେଁ ହ୍ୱାଟ୍ସଆପ୍ରେ ଡିପି ଦେବାକୁ ବି ଭୟ କରିବେ । ଆପଣ ଏବେ ଟିକେ ଦ୍ୱନ୍ଦ୍ୱରେ ପଡ଼ୁଥିବ...।
ତେବେ ପୁରା ଘଟଣା ଆଗ୍ରାର ଏକ କଲେଜରୁ ସାମ୍ନାକୁ ଆସିଛି । ହ୍ୱାଟ୍ସଆପ୍ ଡିପିରେ ପ୍ରଫେସରଙ୍କ ଫଟୋ ବ୍ୟବହାର କରି ଜଣେ ଦୁର୍ବୃତ୍ତ ଛାତ୍ରୀଙ୍କ ପାଖକୁ ପଠାଉଥିଲା ଅଶ୍ଲିଳ ଫଟୋ- ଭିଡିଓ । ଖାଲି ସେତିକି ନୁହେଁ, ଅସଭ୍ୟ ମେସେଜ୍ ମଧ୍ୟ କରୁଥିଲା ଛାତ୍ରୀଙ୍କୁ । ତାପରେ କରୁଥିଲା ବ୍ଲାକ୍ମେଲ୍ । ଏକଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ଛାତ୍ରୀ ଏନେଇ ପ୍ରଫେସରଙ୍କ ପାଖକୁ ଆସି ଅଭିଯୋଗ କରିବାକୁ ସାହସ କଲେ । ଆଉ ପୁରା ଘଟଣା ପ୍ରଫେସରଙ୍କୁ ଜଣାଇଲେ ।
ତେବେ ଏଭଳି ଘଟଣା ଜାଣିବା ପରେ ପ୍ରଫେସର ତୁରନ୍ତ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସାଇବର ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ମାମଲାର ତଦନ୍ତ କରୁଛି । ଅନ୍ୟପଟେ କିଛି ଛାତ୍ରୀ ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଉକ୍ତ ହ୍ୱାଟ୍ସଆପ୍ ନମ୍ବରର ଇତିହାସ ବାହାର କରୁଛି । ପ୍ରଥମେ ସେହି ହ୍ୱାଟ୍ସଆପ୍ ନମ୍ବରଟି କେଉଁ ନେଟ୍ୱର୍କ ଅଧିନରେ ଯାଉଛି ତାହା ଜାଣିବା ପରେ ସେଥିରେ କେଉଁମାନଙ୍କୁ କଲ କରାଯାଇଛି, ଏମିତିକି ସେହି ସିମ୍ କାହା ନାଁରେ କିଣାଯାଇଛି, ଏନେଇ ପୁରା ତଥ୍ୟ ଏକାଠି କରୁଛି ସାଇବର ପୋଲିସ ।
ପୋଲିସର କହିବାନୁଯାୟୀ, ଦୁର୍ବୃତ୍ତ ଜଣକ ପ୍ରଫେସରଙ୍କ ଡିପି ଲଗାଇ ପ୍ରଥମେ ଛାତ୍ରୀଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ହ୍ୟାକ୍ କରିବାକୁ ଚେଷ୍ଟା କରୁଥିଲା । ଆଉ ଏହି ଚେଷ୍ଟାରେ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଛି । ପ୍ରଥମେ ଛାତ୍ରୀଙ୍କ ପାଖକୁ ଏକ ଓଟିପି ଯାଉଥିଲା । ପରେ ଫେକ୍ ଆକାଉଣ୍ଟରୁ ଛାତ୍ରୀଙ୍କୁ ମେସେଜ କରି ଓଟିପି ମାଗୁଥିଲା । ଯେଉଁ ଛାତ୍ରୀମାନେ ବିଶ୍ୱାସ କରି ଓଟିପି ଦେଉଥିଲେ ସେମାନଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ ହେଉଥିଲା । ଆଉ ତାପରେ ଦୁର୍ବୃତ୍ତ ଜଣକ ଛାତ୍ରୀଙ୍କ ପର୍ସନାଲ ମେସେଜ୍ ଖୋଲି ତାର ସ୍କ୍ରିନ୍ ସଟ୍ ନେଉଥିଲା ।
ଏଭଳି ପ୍ରାୟ ୬ ଜଣ ଛାତ୍ରୀଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ କରିଥିବା ସୂଚନା ରହିଛି । ତେବେ ସେହି ସବୁ ପର୍ସନାଲ ଚାଟ୍ର ସ୍କ୍ରିନ୍ ସଟ୍କୁ ଉକ୍ତ ଛାତ୍ରୀଙ୍କୁ ପଠାଇ ବ୍ଲାକ୍ମେଲ୍ କରୁଥିଲା ଦୁର୍ବୃତ୍ତ । ଆଉ ସେ ଯାହା କହୁଥିଲା ସେହି ଅନୁସାରେ କାମ କରିବାକୁ ବାଧ୍ୟ କରୁଥିଲା । ଆଉ ତା’କଥା ନମାନିଲେ ପର୍ସନାଲ ଚାଟ୍ ସବୁ ଭାଇରାଲ କରିଦେବାର ଧମକ ଦେଉଥିଲା ।
ଅନ୍ୟପଟେ ପ୍ରଫେସରଙ୍କ ଅଭିଯୋଗ ଅନୁଯାୟୀ, ଏପ୍ରିଲ ୨୨ ତାରିଖରେ ତାଙ୍କ ଫଟୋ ବ୍ୟବହାର କରି ଏହି ଫେକ୍ ହ୍ୱାଟ୍ସଆପ୍ ଖୋଲାଯାଇଛି । ତାଙ୍କ କଣ୍ଟାକ୍ଟରେ ଥିବା ପ୍ରାୟ ଅଧ ଡଜନ ଛାତ୍ରୀଙ୍କୁ ଏଭଳି ମେସେଜ୍ କରାଯାଇଛି । ଏଭଳି ଘଟଣା ପରେ ଛାତ୍ରୀମାନେ କଲେଜ ଆସିବାକୁ ଭୟ କରୁଛନ୍ତି । କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)