• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତରେ ବିଭିନ୍ନ ପ୍ରକାର ମାନସିକତାର ଲୋକ ରହିଥାନ୍ତି । କୁହାଯାଏ ଏଠି କୋଶେ ଦୂରରେ ଲୋକଙ୍କ ଚାଲିଚଳନ, ହାବଭାବ ବଦଳିଯାଏ । ଭାଷା କଥା ତ ନକହିବା ଭଲ । ଆମ ଦେଶରେ ଏମିତି କିଛି ପରମ୍ପରା ରହିଛି ଯାହା ଜାଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବେ । ଏମିତି ପରମ୍ପରା ଯାହାକି ଆମ ଦେଶରେ ଆମକୁ ବି ଆଶ୍ଚର୍ଯ୍ୟ କରିବ । ଗାଁ ଗାଁରେ ଗ୍ରାମଦେବୀକୁ ନେଇ ନାନା କଥା ରହିଛି । ଯଦି ଆପଣ ଦେଶର ବିଭିନ୍ନ କୋଣ ଅନୁକୋଣକୁ ଯାଇ ଏହି ସବୁ ନିଆରା ପରମ୍ପରାର ମଜା ନେବାକୁ ଚାହିଁବେ ତେବେ ଆପଣଙ୍କ ପାଇଁ ଗୋଟିଏ ଜୀବନ ବି ନିଅଣ୍ଟ ପଡ଼ିବ ।

ତେବେ ଏହି ସବୁ ଭିତରେ ଆମେ ଆପଣଙ୍କୁ ଆଜି ଆମ ଦେଶର ଏମିତି ୬ଟି ସ୍ଥାନର କଥା କହିବୁ, ଯାହା ଜାଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ ।

କୋଡ଼ୁଙ୍ଗାଲୁର ଭଗବତୀ ମନ୍ଦିର:

କେରଳର ତ୍ରିଶୁର ଜିଲ୍ଲା କୋଡ଼ୁଙ୍ଗାଲୁରରେ ରହିଛି ଏହି ଭଗବତୀ ମନ୍ଦିର । ଏହି ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମେ । କିନ୍ତୁ କୌଣସି ଭକ୍ତ ବା ଶ୍ରଦ୍ଧାଳୁ ଏଠାକୁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଆସନ୍ତି ନାହିଁ । ସେମାନେ ଏହି ମନ୍ଦିରରେ ପୂଜା ପାଉଥିବା ଦେବୀ ମା ଭଦ୍ରକାଳୀଙ୍କୁ ପ୍ରାର୍ଥନା କରିବା ପରିବର୍ତ୍ତେ ଗାଳି କରିଥାନ୍ତି । ଖାଲି ସେତିକି ନୁହେଁ ମନ୍ଦିରରେ ଅଜବ ଗୀତ ମଧ୍ୟ ଲଗାଇଥାନ୍ତି । ଅନ୍ୟପଟେ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଖଣ୍ଡା ତଲୱାର ଧରି ଯାଇଥାନ୍ତି ଏବଂ ସେଠାରେ ନିଜ ମୁଣ୍ଡକୁ ନିଜେ ଆକ୍ରମଣ କରିଥାନ୍ତି । ଏହି ଉତ୍ସବ ବା ପରମ୍ପରା ଶେଷ ହେବା ବେଳକୁ ମନ୍ଦିରର ଚାରିଆଡ଼େ ରକ୍ତ ଛିଟା ଲାଗିଥାଏ । ଯେଉଁଠି ଦେଖିବେ ଖାଲି ରକ୍ତ ହିଁ ରକ୍ତ ଦେଖାଯାଉଥିବ । ଏହି ଉତ୍ସବକୁ ସେମାନେ ଭରଣୀ  ଉତ୍ସବ ବୋଲି କହିଥାନ୍ତି । ଏହା ମାର୍ଚ୍ଚରୁ ଏପ୍ରିଲ୍ ମଧ୍ୟରେ ପଡ଼ିଥାଏ ଏବଂ ୭ ଦିନ ଏହାକୁ ପାଳନ କରାଯାଏ । ପୂର୍ବରୁ ପଶୁମାନେ ମଧ୍ୟ ଏହି ଉତ୍ସବର ଅଂଶ ହେଉଥିଲେ । କିନ୍ତୁ ଏବେ ଏହା ଉପରେ ବ୍ୟାନ୍ ଲଗାଯାଇଛି । ହେଲେ ଏବେ ଶ୍ରଦ୍ଧାଳୁମାନେ ଏଠାକୁ ଆସି ମଦ୍ୟପାନ କରିବା ସହ ଅଶ୍ଲୀଳ ଗୀତ ଗାଇଥାନ୍ତି ।

ଅଧିକ ପଢ଼ନ୍ତୁ: ଏମିତି ମନ୍ଦିର ଯେଉଁଠି ଭୋଗ ହୁଏ ମଦ ଓ ସିଗାରେଟ୍

Kodungallur Bhagavathy Temple, Kerala(Kodungallur Bhagavathy Temple, Kerala)

ଦେବରଗଟ୍ଟୁ ମନ୍ଦିର:

ଏହି ମନ୍ଦିର ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲରେ ରହିଛି । ମନ୍ଦିର ବିଷୟରେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇ ବସିବେ । ଇଏ ଏମିତି ସେମିତି ମନ୍ଦିର ନୁହେଁ, ଏଠାରେ ପୂଜା ପାଠ ସହ ହୁଏ ଭୟଙ୍କର ମୃତ୍ୟୁର ଖେଳ । ମୃତ୍ୟୁ ଖେଳ ଶୁଣି ଆଶ୍ଚର୍ଯ୍ୟ ହୁଅନ୍ତୁନି । ଏହା ଏହି ମନ୍ଦିରର ଏକ ପରମ୍ପରା । ଦଶହରା ସମୟରେ ବା ଦଶହରା ରାତିରେ ମନ୍ଦିରରେ ଶତାଧିକ ଶ୍ରଦ୍ଧାଳୁ ଏକାଠି ହୋଇଥାନ୍ତି । ସମସ୍ତେ କିଛି ନା କିଛି ଅସ୍ତ୍ର ଧରି ଆସିଥାନ୍ତି । କାହା ହାତରେ ଠେଙ୍ଗା ତ କାହା ହାତରେ ରହିଥାଏ ବାଡ଼ି । ଆଉ ଆଶ୍ଚର୍ଯ୍ୟର କଥା ହେଲା ଏକାଠି ହେବା ପରେ ଚାଲେ ମୃତ୍ୟୁର ଖେଳ । ଯିଏ ଯାହାକୁ ପାରିବ ପିଟିବ । ଅର୍ଥାତ୍ ଏଠାରେ ମର ବା ମାର ଭଳି ପରିସ୍ଥିତି ଉପଜିଥାଏ । ଏହି ନୀତିକାନ୍ତି ମଧ୍ୟ ରାତ୍ରିରେ ଆରମ୍ଭ ହୋଇଥାଏ, ଯେତେବେଳେ ଭଗବାନଙ୍କ ପ୍ରସେସନ୍‌ ଶେଷ ହୋଇ ମନ୍ଦିରରେ ସମସ୍ତେ ପହଞ୍ଚିଥାନ୍ତି । ଏହି ମନ୍ଦିରରେ ମାଲାମ୍ମା (ପାର୍ବତୀ) ଏବଂ ମାଲେଶ୍ୱର ସ୍ୱାମୀ (ଶିବ)ଙ୍କର ପୂଜା କରାଯାଇଥାଏ । ପ୍ରାୟ ଶହେରୁ ଅଧିକ ବର୍ଷ ହେବ ଏଠାରେ ଏହି ପରମ୍ପରା ଚାଲି ଆସିଛି । ସ୍ଥାନୀୟ ପୋଲିସ ଅଧିକାରୀ ମଧ୍ୟ ଏନେଇ ସ୍ୱୀକାର କରିଛନ୍ତି । ବିଶ୍ୱାସ ରହିଛି ଯେ, ଭଗବାନ ଶିବ ଏଠାରେ ମଳାସୁରକୁ ବାଡ଼ିରେ ପିଟି ପିଟି ମାରିଦେଇଥିଲେ । ଗତ ବର୍ଷ ପ୍ରାୟ ଶହେ ଜଣ ଏଥିରେ ଗୁରୁତର ହୋଇଥିଲେ । ଏହି କାରଣ ପାଇଁ ସ୍ଥାନୀୟ ପ୍ରଶାସନ ଏବେ ବାଡ଼ି ବ୍ୟବହାର ନକରିବାକୁ ପରାମର୍ଶ ଦେଇଛି ।

Devaragattu Temple, Kurnool, Andhra Pradesh(Devaragattu Temple, Kurnool, Andhra Pradesh)

ବୁଲେଟ ବାବା:

ରାଜସ୍ଥାନରେ ରହିଛି ଏମିତି ଏକ ମନ୍ଦିର । ଯାହାକି ଅନ୍ୟ ସବୁ ମନ୍ଦିରଠାରୁ ଭିନ୍ନ । ଏହାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । କାରଣ ଏହି ମନ୍ଦିରରେ ଭଗବାନ ନାହାନ୍ତି । ସେଠାରେ ପୂଜା ପାଉଛି ୩୫୦ ସିସି ବିଶିଷ୍ଟ ରୟାଲ ଏନ୍‌ଫିଲ୍ଡ ବୁଲେଟ୍ । ଏଥିପାଇଁ ଲୋକମାନେ ବହୁ ଦୂରଦୂରାନ୍ତରୁ ଏହି ମନ୍ଦିରକୁ ଆସିଥାନ୍ତି । ଆଉ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି । ସ୍ଥାନୀୟ ଲୋକେ ଏହାକୁ ବୁଲେଟ୍ ବାବା ମନ୍ଦିର କହୁଥିବା ବେଳେ ବାସ୍ତବରେ ଏହାର ନାଁ ରହିଚି ଓମ୍ ବାନା ଧାମ । ଜୋଧପୁରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ପଲି ଟାଉନ୍‌ ଚୋଟିଲା ଗାଁରେ ଏହି ମନ୍ଦିର ରହିଛି । ଏହି ମନ୍ଦିର ନିର୍ମାଣର କାହାଣୀ ଅତ୍ୟନ୍ତ ରୋଚକ ।

୧୯୮୮ ଡିସେମ୍ବର ୨ ତାରିଖ । ଓମ୍‌ ବାନା ନିଜର ବୁଲେଟ୍‌ ନେଇ ପଲି ଟାଉନ୍‌ରୁ ଚୋଟିଲା ଯାଉଥିଲେ । ଏତିକିବେଳେ ସେ ଭାରସାମ୍ୟ ହରାଇ ବୁଲେଟ୍‌କୁ ଏକ ଗଛରେ ଜୋରଦାର ପିଟିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହେଲା । ବୁଲେଟ୍ ମଧ୍ୟ ସେଠାରେ ପଡ଼ିରହିଥିଲା । ସକାଳୁ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଏହାସହ ବୁଲେଟକୁ ନେଇ ଥାନାରେ ଦେଲେ ।

ଏହା ପରଠୁ ଆରମ୍ଭ ହେଲା ବୁଲେଟ ବାବାଙ୍କ କାହାଣୀ । ବୁଲେଟ୍‌କୁ ଥାନା ଜିମା ଦେଇ ଗାଁ ଲୋକ ଆସିବା ପରେ ତା’ପର ଦିନ ଥାନାରୁ ବୁଲେଟ୍ ଗାୟବ ହୋଇଗଲା । ଆଉ ସେହି ଗଛ ମୂଳେ ହିଁ ଆପେ ଆପେ ପହଞ୍ଚିଯାଇଥିଲା । ପୁଣି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏଥର ବୁଲେଟ୍‌କୁ ଥାନାକୁ ନେଇ ଶିଙ୍କୁଳି ପକାଇ, ଟାଙ୍କିରୁ ତେଲ ଖାଲି କରି ରଖିଲା । ହେଲେ ଯଥା ପୂର୍ବଂ ତଥା ପରଂ । ବୁଲେଟଟି ପୁଣି ଥାନାରୁ ଗାୟବ ହୋଇଗଲା । ଆଉ ସେହି ଗଛ ମୂଳେ ହିଁ ଯାଇ ରହିଥିବା ଗାଁ ଲୋକେ ଦେଖିଥିଲେ । ଏହାପରଠୁ ଲୋକେ ବୁଲେଟକୁ ନେଇ ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଲେ । ଧିରେ ଧିରେ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଲା ଏବଂ ସେଠାରେ ଏକ ମନ୍ଦିର ନିର୍ମାଣ କଲେ ଗାଁ ଲୋକେ । ଏହି ମନ୍ଦିର ପରିସରରେ ଓମ୍‌ ବାନାଙ୍କ ଏକ ବିରାଟ ମୂର୍ତ୍ତି ମଧ୍ୟ ରଖାଯାଇଛି ।

Bullet Baba Temple, Jodhpur, Rajasthan(Bullet Baba Temple, Jodhpur, Rajasthan)

ସହିଦ ବାବା ନିହାଲ ସିଂହ ଗୁରୁଦ୍ୱାରା:

ଏଠାରେ ଲୋକେ ଭଗବାନଙ୍କୁ ଖୁସି କରିବାକୁ ଖେଳନା ଏରୋପ୍ଲେନ୍‌ ଦାନ କରିଥାନ୍ତି । ଲୋକଙ୍କ ବିଶ୍ୱାସ ରହିଛି ଯେ, ଏଠାରେ ଖେଳନା ଏରୋପ୍ଲେନ୍‌ ଦାନ କଲେ ଭିସା କିମ୍ବା ପାସ୍‌ପୋର୍ଟ ମିଳିବାରେ ସମସ୍ୟା ହେବନି ଓ ଶୀଘ୍ର ଭିସା ମିଳିବ । ଯଦି କୌଣସି ସମସ୍ୟା ଉପୁଜେ ତେବେ ତାହା ଶୀଘ୍ର ସମାଧାନ ମଧ୍ୟ ହୋଇଯିବ । ତେଣୁ ଯେଉଁମାନେ ବି ବିଦେଶ ଗସ୍ତ କଥା ଚିନ୍ତା କରୁଛନ୍ତି ସେମାନେ ଏଠାକୁ ଆସି ଖେଳନା ଏରୋପ୍ଲେନ୍ ଦାନ କରିଥାନ୍ତି । ୧୫୦ ବର୍ଷ ପୁରୁଣା ଏହି ସହିଦ ବାବା ନିହାଲ ସିଂହ ଗୁରୁଦ୍ୱାରା ଖୁବ୍‌ ଲୋକପ୍ରିୟ । ପଞ୍ଚାବର ଜଳନ୍ଧରଠାରୁ ମାତ୍ର ୧୨ କିଲୋମିଟର ଦୂର ତାଲହାନ୍ ଗାଁରେ ହିଁ ରହିଛି ଏହି ଗୁରୁଦ୍ୱାରା । ଏହାକୁ ଲୋକେ ଏରୋପ୍ଲେନ୍ ଗୁରୁଦ୍ୱାରା ବା ଉଡ଼ାଜାହାଜ ଗୁରୁଦ୍ୱାରା ବୋଲି କହୁଛନ୍ତି ।

Shaheed Baba Nihal Singh Gurudwara in Jalandhar(Shaheed Baba Nihal Singh Gurudwara in Jalandhar)

ଅମିତାଭ ବଚ୍ଚନ ମନ୍ଦିର:

ଆପଣ ଫ୍ୟାନ୍ସ ଶୁଣିଥିବେ । ଜବରା ଫ୍ୟାନ୍‌ ମଧ୍ୟ ଶୁଣିଥିବେ । ଏହି ଜବ୍‌ରା ଶବ୍ଦଟି ଶାହାରୁଖ ଖାନ୍‌ଙ୍କ ଫିଲ୍ମରୁ ଆସିଛି । ତେବେ ଫ୍ୟାନ୍‌ ଆଉ ଜବ୍‌ରା ଫ୍ୟାନ୍‌ଠୁ ବି ବଡ଼ ଫ୍ୟାନ୍‌ ବଲିଉଡର ବିଗ୍‌ ବି ଅମିତାଭଙ୍କର ରହିଛନ୍ତି । ଆଉ ସେହିଭଳି କିଛି ଫ୍ୟାନ୍‌ ତାଙ୍କ ପାଇଁ ତୋଳିଛନ୍ତି ମନ୍ଦିର । ଏଠାରେ ଅମିତାଭଙ୍କ ବିଶାଳୟକାୟ ମୂର୍ତ୍ତି ପୂଜା ପାଉଛି । ଫିଲ୍ମ ସରକାର ୨ ହିଟ୍‌ ହେବା ପରେ ୨୦୧୭ରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । କୋଲକାତାର ତିଲଜଲାରେ ଅମିତାଭଙ୍କ ଏହି ମନ୍ଦିର ରହିଛି । ଯଦି ଆପଣ କେବେ କୋଲକାତା ବୁଲିବାକୁ ଯାଉଛନ୍ତି ତେବେ ଏହି ମନ୍ଦିରକୁ ନିଶ୍ଚୟ ବୁଲି ଆସିବେ । 

Amitabh Bachchan Temple, Kolkata(Amitabh Bachchan Temple, Kolkata)

ଚାଇନିଜ କାଳୀ ମନ୍ଦିର:

ଏହି ପ୍ରସିଦ୍ଧ ମନ୍ଦିର ମଧ୍ୟ ସେହି କୋଲକତାରେ ହିଁ ରହିଛି । ଏଠାରେ ଆପଣ ଠାକୁରଙ୍କ ପାଖରେ ଯେଉଁ ଭୋଗ କରିଥାନ୍ତି, ସେହି ଭୋଗ ବା ପ୍ରସାଦ ହୁଏ ନାହିଁ । ଏଠାରେ ଭୋଗ କରିବାକୁ ହେଲେ ବା ପୂଜା କରିବାକୁ ହେଲେ ଆପଣଙ୍କୁ ଚାଓମିନ୍‌ ତଥା ନୁଡୁଲ୍‌ସ କିମ୍ବା ଚପ୍‌ ପ୍ରଦାନ କରିବାକୁ ହେବ । ଏହା ହିଁ ଏହି ମନ୍ଦିରର ବିଶେଷତ୍ୱ । ମନ୍ଦିର ପୂଜାରୀ ମଧ୍ୟ ଆପଣଙ୍କୁ ପ୍ରସାଦ ଭାବେ ନୁଡୁଲ୍‌ସ ହିଁ ଦେବ ।

ଏହି ମନ୍ଦିର କୋଲକାତାର ଚାଇନା ଟାଉନ୍‌ର ତାଙ୍ଗରାରେ ରହିଛି । ଏହି ମନ୍ଦିରକୁ ଚାଇନିଜ୍‌ କାଳୀ ମନ୍ଦିର ବୋଲି କୁହାଯାଏ । ଦୀର୍ଘ ୮୦ ବର୍ଷ ଧରି ଲୋକଙ୍କର ଏହି ବିଶ୍ୱାସ ରହିଛି । ଏଠାରେ ଉଭୟ ପୂର୍ବ ଏସିଆ ଏବଂ ତିବ୍ଦତିଆନ୍‌ଙ୍କ  ମିଶ୍ରିତ ପରମ୍ପରା ଦେଖିବାକୁ ମିଳିବ । ଯାହାକି ଟୁରିଷ୍ଟମାନଙ୍କୁ ଅଧିକ ଆକର୍ଷିତ କରିଥାଏ ।

Chinese Kali Temple, Kolkata(Chinese Kali Temple, Kolkata)

ମନ୍ଦିର ଏବଂ ମାତା କାଳୀଙ୍କ ପ୍ରତିମୂର୍ତ୍ତି ଅନ୍ୟ ମନ୍ଦିର ଭଳି ସମାନ ରହିଛି । କେବଳ ଏହାର ପ୍ରସାଦ ହିଁ ମନ୍ଦିରକୁ ଅଧିକ ପ୍ରସିଦ୍ଧ କରିଛି । ଏଠାରେ ବିଭିନ୍ନ ପ୍ରକାର ଚାଇନିଜ୍‌ ଆଇଟମ୍‌କୁ ଭଗବାନଙ୍କ ପ୍ରସାଦ ଭାବେ ପୂଜା କରାଯାଇଥାଏ । ଆଉ ତାକୁ ଭକ୍ତ ବା ଶ୍ରଦ୍ଧାଳୁଙ୍କୁ ପ୍ରଦାନ କରାଯାଏ ।

ଜଣେ ବଙ୍ଗାଳି ବାବା ମାତା କାଳୀଙ୍କୁ ପୂଜା କରିଥାନ୍ତି । ଏଠାରେ ଦୁଷ୍ଟ ଶକ୍ତିମାନଙ୍କୁ ଘଉଡ଼ାଇବା ପାଇଁ ପେପରରେ ନିଆଁ ଲଗାଯାଇଥାଏ ।