/odishatv-khabar/media/post_attachments/uploadimage/library/16_9/16_9_0/____1686628810.jpg)
Chandrayaan 3 may be launched between July 12 and 19
ଆସନ୍ତା ଜୁଲାଇ ୧୨ରୁ ୧୯ ତାରିଖ ମଧ୍ୟରେ ‘ଚନ୍ଦ୍ରଯାନ-୩’ ଲଞ୍ଚ୍ ହୋଇପାରେ। ଏନେଇ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ସୂଚନା ଦେଇଛନ୍ତି। ଯଦି ସବୁକିଛି ପରୀକ୍ଷଣ ଠିକ୍ ଠାକ୍ ରୁହେ ତା’ହେଲେ ଆସନ୍ତା ଜୁଲାଇ ୧୨ରୁ ୧୯ ତାରିଖ ମଧ୍ୟରେ ଭାରତ ନିଜର ମହତ୍ୱାକାଂକ୍ଷୀ ଚନ୍ଦ୍ରଯାନ-୩ ଲଞ୍ଚ କରିପାରେ। ଚନ୍ଦ୍ରଯାନ ଏବେ ୟୁଆର୍ ରାଓ ଉପଗ୍ରହ କେନ୍ଦ୍ରରୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ର ଲଞ୍ଚ୍ ପ୍ୟାଡ୍ ପହଞ୍ଚି ସାରିଛି। ଏବେ ଅନ୍ତିମ ପର୍ଯ୍ୟାୟ ପ୍ରସ୍ତୁତି ଚାଲିଛି।
ଚଳିତ ମାସ ଶେଷ ସୁଦ୍ଧା ବାକି ସମସ୍ତ କାମ ଶେଷ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ କହିଛନ୍ତି। ଚନ୍ଦ୍ରଯାନ-୩ ଲଞ୍ଚ ଲାଗି ରକେଟ୍ ଏଲ୍ବିଏମ୍-୩ର ବ୍ୟବହାର କରାଯାଉଛି। ରକେଟ୍କୁ ମଧ୍ୟ ପ୍ରସ୍ତୁତ କରାଯାଉଛି। ଚଳିତ ମାସ ଶେଷ ସୁଦ୍ଧା ଚନ୍ଦ୍ରଯାନ-୩କୁ ରକେଟ୍ ସହ ଯୋଡ଼ା ଯିବ ଏବଂ ବିଭିନ୍ନ ପ୍ରକାରର ଟେଷ୍ଟ କରାଯିବ। ସମସ୍ତ ଟେଷ୍ଟ ସଫଳ ହେଲେ ଚନ୍ଦ୍ରଯାନ-୩କୁ ଏହି ସମୟ ଭିତରେ ଲଞ୍ଚ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ କରିବା ପରେ ଏହା ଚନ୍ଦ୍ରପୃଷ୍ଠର ଉପର ସ୍ତର ମୃତ୍ତିକାର ଭୌତିକ ଗୁଣ ଉପରେ ଅନୁଧ୍ୟାନ କରିବ। ପୃଥିବୀରେ ଭୂକମ୍ପ ପରି ଚନ୍ଦ୍ରରେ କିପରି କମ୍ପନ ହୁଏ ତାହା ଉପରେ ଅନୁଧ୍ୟାନ କରିବ ଚନ୍ଦ୍ରଯାନ-୩। ଚନ୍ଦ୍ରର ପୃଷ୍ଠୀୟ ପରିବେଶ ଓ ପୃଷ୍ଠୀୟ ଗାଠନିକ ଉପାଦାନ ଗୁଡ଼ିକ ଉପରେ ମଧ୍ୟ ବିଶ୍ଳେଷଣ କରିବ। ୨୦୦୮ରେ ଭାରତର ପ୍ରଥମ ମୁନ୍ ମିଶନ ଚନ୍ଦ୍ରଯାନ-୧ ହୋଇଥିଲା। ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରଯାନ-୨ ମିଶନ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)