• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଜି ୨୨ ଜୁଲାଇ... ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ୨୨ ଜୁଲାଇ ଖାଲି ଗୋଟିଏ ତାରିଖ ନୁହେଁ, ବରଂ ଗୋଟିଏ ବଡ଼ ଉପଲବ୍ଧିର ସାକ୍ଷୀ ।  କାରଣ ଠିକ୍ ଆଜିକୁ ୪ ବର୍ଷ ତଳେ, ଅର୍ଥାତ୍ ୨୦୧୯ ମସିହା, ୨୨ ଜୁଲାଇରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ISRO ସଫଳତାର ସହ ଉତକ୍ଷେପଣ କରିଥିଲା ଚନ୍ଦ୍ରାୟାନ୍-୨ ମିଶନ୍ । ସେଦିନ ଗୋଟିଏ ଅର୍ବିଟର୍, ଲ୍ୟାଣ୍ଡର୍ ବିକ୍ରମ ଓ ରୋଭର୍ ପ୍ରଜ୍ଞାନକୁ ନେଇ GSLV- MKIII- M1 ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଆରମ୍ଭ କରିଥିଲା ଚନ୍ଦ୍ର ଅଭିମୁଖେ ଯାତ୍ରା । ଖୁସିରେ ଝୁମି ଉଠିଥିଲା ଭାରତ । କାରଣ ପ୍ରଥମଥର ପାଇଁ ଭାରତ କୌଣସି ମୁନ୍ ମିଶନରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଥିଲା । ଖୋଜିବାର ଥିଲା, ଚନ୍ଦ୍ରମାରେ ଥିବା ସେ ଅଜଣା ରହସ୍ୟକୁ, ଯାହାକୁ ଜାଣିବା ପାଇଁ ଦୁନିଆଯାକର ସ୍ପେଶ୍ ଏଜେନ୍ସି କେବେଠୁ ଲାଗିପଡ଼ିଛନ୍ତି ସତ, କିନ୍ତୁ ମିଳିଛି କେବଳ କିଛି ହାତଗଣତି ସଫଳତା ।

୬ ସେପ୍ଟେମ୍ବର, ୨୦୧୯ର ରାତି ଗୋଟାଏ ୩୮ । ଚନ୍ଦ୍ରର ଦକ୍ଷିଣ ମେରୁରେ କଷ୍ଟସାଧ୍ୟ ଚନ୍ଦ୍ରାବତରଣର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିକ୍ରମ ଲ୍ୟାଣ୍ଡର୍ ସଫ୍ଟ ଲ୍ୟାଣ୍ଡି କରିଥାନ୍ତା ।ରୋଭର୍ ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥାନ୍ତା ଆଉ ଆରମ୍ଭ ହୋଇଥାନ୍ତା, ଜହ୍ନ ରାଇଜର ରହସ୍ୟ ଖୋଜା । ଧୀରେ ଧୀରେ ଦୂରତା କମି କମି ଲ୍ୟାଣ୍ଡର ଓହ୍ଲାଇବାର ଶେଷ ୧୫ ମିନିଟ୍ ଆସି ପହଞ୍ଚିଲା । ଆତଙ୍କର ସେଇ ଶେଷ ୧୫ ମିନିଟ୍, ଇସ୍ରୋ ଅଧ୍ୟକ୍ଷଙ୍କ ସମେତ ବେଙ୍ଗାଲୁରୁ କଣ୍ଟ୍ରୋଲ୍ ରୁମରେ ଉପସ୍ଥିତ ଥିଲେ ମିଶନର ବୈଜ୍ଞାନିକ, ଦେଶର ପ୍ରଧାନମନ୍ତ୍ରୀ, ଭିନ୍ନ ଭିନ୍ନ ଅତିଥି ଓ ଉତ୍ସାହୀ ଛାତ୍ରଛାତ୍ରୀ ।

ସମସ୍ତେ ଉତ୍ସାହିତ ତ ଥିଲେ, କିନ୍ତୁ ସମ୍ଭାବ୍ୟ ବିଫଳତାର ଭୟ ବି ଥିଲା ମୁଖମଣ୍ଡଳରେ । କେବଳ କଣ୍ଟ୍ରୋଲ୍ ରୁମ୍ କାହିଁକି, ଭାରତର ଚନ୍ଦ୍ର ବିଜୟର ସାକ୍ଷୀ ପାଲଟିବାକୁ ପୂରା ଦେଶ ଥିଲା ଉଜାଗର । ସମସ୍ତେ ଥିଲେ ଟିଭି ସାମ୍ନାରେ, ନିଦ ନଥିଲା ଆଖିକୁ । ୩୦ କିମି ଉଚ୍ଚତାରୁ ରଫ୍ ବ୍ରେକିଂ ଦ୍ୱାରା ଯେତେବେଳେ ବିକ୍ରମ ଲ୍ୟାଣ୍ଡରକୁ ପ୍ରାୟ ସାଢ଼େ ୭ କିଲୋମିଟର ଉଚ୍ଚତାକୁ ଅଣାଗଲା, ସେତେବେଳେ ପ୍ରଥମେ ସଫଳତାର ଖୁସିରେ, କରତାଳିରେ ଗୁଞ୍ଜରିତ ହେଲା ପୂରା କଣ୍ଟ୍ରୋଲ୍ ରୁମ୍ । ଗୋଟାଏ ୫୦ ରେ ଖୁସିଖୁସିରେ ଆରମ୍ଭ ହେଲା ପରବର୍ତ୍ତୀ ଫାଇନ୍ ବ୍ରେକିଂ ପ୍ରକ୍ରିୟା । କିନ୍ତୁ ଦୁର୍ଭାଗ୍ୟବସତଃ ଚନ୍ଦ୍ରପୃଷ୍ଠକୁ ଛୁଇଁବାର ମାତ୍ର ୨ ମିନିଟ୍ ପୂର୍ବରୁ ଲ୍ୟାଣ୍ଡରରୁ ସିଗ୍ନାଲ୍ ଆସିବା ବନ୍ଦ ହୋଇଗଲା । ଆଉ ତା’ ସହ ଅଟକିଯାଇଥିଲା ପୂରା ଦେଶର ହୃଦସ୍ପନ୍ଦନ ।

ପୂରା କଣ୍ଟ୍ରୋଲ୍ ରୁମକୁ ଯେତେବେଳେ ବିଷାଦର ଛାୟା ଗ୍ରାସିଥିଲା, ସେଠାକୁ ଆସି ବୈଜ୍ଞାନିକମାନଙ୍କୁ ସାନ୍ତ୍ୱନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତତ୍କାଳୀନ ଇସ୍ରୋ ଅଧ୍ୟକ୍ଷଙ୍କ ଆଖିରେ ଲୁହ ଥିଲା, ବିଫଳତାର ବେଦନା ବି ଥିଲା । କିନ୍ତୁ ଆଶ୍ୱାସନା ଦେଇଥିଲେ ପ୍ରଧାନମନ୍ତ୍ରୀ ।  ପରୀକ୍ଷାରେ ବିଫଳତା, ଶିକ୍ଷା ଦିଏ ଓ ଆଗକୁ ବାଟ କଢ଼େଇ ନିଏ ବୋଲି ସେଦିନ ପୂରା ଭାରତ ହୃଦୟଙ୍ଗମ କରିଥିଲା ।

କିନ୍ତୁ ୨୦୧୯, ଜୁଲାଇ ୨୨ରେ ଆରମ୍ଭ ହୋଇଥିବା ଚନ୍ଦ୍ରାୟନ୍-୨ ମିଶନ୍ ସମ୍ପୂର୍ଣ୍ଣ ବିଫଳ ନଥିଲା । ସେବର୍ଷ ସେପ୍ଟେମ୍ବର ୧ରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ଅର୍ବିଟର ଠିକ୍ ଭାବେ କାର୍ଯ୍ୟ କରିଆସିଛି । ଆଉ ଆମେ ୟା ଭିତରେ ପାଦେ ଆଗକୁ ବଢ଼ିଛି । ସେବର୍ଷର ଭୁଲ୍ ତ୍ରୁଟିକୁ ସୁଧାରି ଏଇ ୮ ଦିନ ତଳେ, ମାନେ ୧୪ ଜୁଲାଇରେ ଇସ୍ରୋ ପୁଣି ଆରମ୍ଭ କରିଛି ଚନ୍ଦ୍ର ମିଶନ୍; ଚନ୍ଦ୍ରାୟନ ୩ । ସଫଳ ଉତକ୍ଷେପଣ ପରେ ଏବେ ଅପେକ୍ଷା ଅଗଷ୍ଟ ୨୩ର ସଫ୍ଟ ଲ୍ୟାଣ୍ଡିଂକୁ ।