Antarctica
ଧଳା ଭୂମୀରୁ ସବୁଜ ପାଲଟୁଛି ଆଣ୍ଟାର୍କଟିକା । ଏଭଳି ହେବା ପଛରେ ବିଶ୍ୱ ତାପମାନ ବୃଦ୍ଧି ସହ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଇଛି । ଆଣ୍ଟାର୍କଟିକା ମହାଦେଶର ପୂର୍ବରୁ ବରଫରେ ଆଚ୍ଛାଦିତ ହୋଇ ଧଳା ରଙ୍ଗ ଦେଖାଯାଉଥିବା କିଛି ଅଞ୍ଚଳ ଏବେ ସବୁଜ ରଙ୍ଗକୁ ପରିବର୍ତ୍ତନ ହୋଇଛି ।
ଏକ୍ସେଟର ଏବଂ ହର୍ଟଫୋର୍ଡଶାୟରର ବୈଜ୍ଞାନିକ ସାଟେଲାଇଟ ଇମେଜ ଅନୁଧ୍ୟାନ ସହ ଅନୁସନ୍ଧାନରୁ ଏଭଳି ଜାଣିପାରିଛନ୍ତି । ଗତ ୪୦ ବର୍ଷ ମଧ୍ୟରେ ୧୦ଗୁଣା ଅଧିକ ଭୂମୀ ଧଳାରୁ ସବୁଜ ରଙ୍ଗକୁ ପରିବର୍ତ୍ତନ ହୋଇଛି । ଯାହା ବିଶ୍ୱତାପନ ବୃଦ୍ଧିକୁ ସୂଚାଉଛି । ନେଚର ଜିଓସାଇନସ ନାମକ ପତ୍ରିକାରେ ଏନେଇ ପ୍ରକାଶ ପାଇଛି ।
୧୯୮୬ ମସିହାରେ ୦.୪ ବର୍ଗ ମାଇଲ୍ ଥିବା ସବୁଜଭୂମୀ ୨୦୨୧ ମସିହା ବେଳକୁ ଏହା ୫ ବର୍ଗ ମାଇଲକୁ ବୃଦ୍ଧି ପାଇଛି । ୨୦୧୬ରୁ ୨୦୨୧ ମଧ୍ୟରେ ଏହା ଦ୍ରୁତ ଭାବେ ବୃଦ୍ଧି ପାଇଛି । ପୃଥିବୀରେ ସବୁଠୁ ଥଣ୍ଡା ସ୍ଥାନ ଆଣ୍ଟାର୍କଟିକା ମହାଦେଶକୁ କୁହାଯାଏ । ହେଲେ ଏଠାରେ ଦ୍ରୁତ ତାପମାତ୍ରା ବୃଦ୍ଧି ପୃଥିବୀ ପ୍ରତି ବିପଦ ଆଣୁଥିବା କୁହାଯାଉଛି ।
ଅଧିକ ସବୁଜ ରଙ୍ଗ ଅଧିକ ମୃତ୍ତିକା ସୃଷ୍ଟିର କାରଣ ବୋଲି କୁହାଯାଉଛି । ଯାହା ସ୍ଥାନୀୟ ବନ୍ୟଜନ୍ତୁଙ୍କ ବିପଦରେ କାରଣ ହୋଇଛି । ଚଳିତ ବର୍ଷ ଖରାଦିନେ ଏହି ଅଞ୍ଚଳରେ ହିଟ୍ ୱେଭ୍ ରେକର୍ଡ ଭାଙ୍ଗିଥିଲା । ଜୁଲାଇ ମଧ୍ୟ ଭାଗରେ ତାପମାତ୍ରା ସ୍ୱାଭିବିକଠାରଉ ୫୦ ଡିଗ୍ରୀ ଫାରେନହାଇଟ୍ ଉପରକୁ ଉଠିଥିଲା ।
ଜୀବାଶ୍ମ ଇନ୍ଦନ ପୂରା ବିଶ୍ୱକୁ ଉତ୍ତପ୍ତ କରି ଚାଲିଥିବା ବେଳେ ଆଣ୍ଟାର୍କଟିକା ଆହୁରି ଉତ୍ତପ୍ତ ହେବ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ଫଳରେ ସବୁଜିମା ବଢ଼ିଚାଲିବ । ଯାହା ବିଶ୍ୱ ତାପନ ପାଇଁ ଆଗକୁ ଭୟାଭୟ ପରିସ୍ଥିତି ସୃଷ୍ଟି କରିପାରେ । ଅନ୍ୟପଟେ ଆଗକୁ ଏହି କ୍ଷେତ୍ର ବିଦେଶୀ ପଶୁପକ୍ଷୀଙ୍କ ପାଇଁ ଅଧିକ ଅନୁକୂଳ ହେବ ଫଳରେ ଦେଶୀ ଜୀବଜନ୍ତୁମାନେ ଲୋପ ପାଇପାରନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Antarctica_1728117211.jpg)