Dola Purnima: ଆଜି ଦୋଳ ପୂର୍ଣ୍ଣିମା, ସୁନାବେଶରେ ସଜେଇ ହେବେ ଶ୍ରୀଜୀଉ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଦୋଳବିମାନରେ ବସି ଭକ୍ତଙ୍କଠାରୁ ଭୋଗ ଖାଇବେ ଦୋଳଗୋବିନ୍ଦ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ ।

ଦୋଳ ପୂର୍ଣ୍ଣିମା

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ପୁରପଲ୍ଲୀରେ ଉତ୍ସବମୁଖର ପରିବେଶ । ଦୋଳବିମାନରେ ବସି ଭକ୍ତଙ୍କଠାରୁ ଭୋଗ ଖାଇବେ ଦୋଳଗୋବିନ୍ଦ । ଫାଲଗୁନ ମାସ ଶୁକ୍ଳ ପକ୍ଷ ଫଗୁ ଦଶମୀ ତିଥିରୁ ଓଡ଼ିଶାରେ ଆରମ୍ଭ ହୋଇଥାଏ ଦୋଳ ପର୍ବ । ଏହି ଅବସରରେ ଦୋଳ ଗୋବିନ୍ଦଙ୍କର ଯାତ୍ରା ଓ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥାଏ । ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳି ଝୁଲିବା ସହିତ ସୁସଜ୍ଜିତ ବିମାନରେ ବିଜେ କରିଥାଆନ୍ତି । ଶ୍ରୀରାଧାକୃଷ୍ଣ ବିମାନରେ ବିରାଜମାନ ହୋଇ ଘରେ ଘରେ ଭୋଗ ଖାଆନ୍ତି । 

ଅଧିକ ପଢ଼ନ୍ତୁ: ଏହି ଫଗୁଣରେ ଦୋଳଗୋବିନ୍ଦ ବୋଲାଇ, ଫଗୁ ଖେଳୁଥିବା ଆମ୍ଭେ ଚଉଦୋଳେ ରହି

ଦୋଳ ପଡ଼ିଆ ବା ମେଲଣ ପଡ଼ିଆରେ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନର ମେଳନ ହୁଏ । ସାରା ରାଜ୍ୟରେ ଦୋଳ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ପ୍ରତିବର୍ଷ ଏହି ଦିନକୁ ଶ୍ରଦ୍ଧାର ସହିତ ସମସ୍ତେ ଅପେକ୍ଷା କରି ରହିଥାନ୍ତି । ଦୋଳଯାତ୍ରାର ଅନ୍ୟତମ ପ୍ରଧାନ ବିଭବ ହେଉଛି ଅବିର ଖେଳ । ଦୋଳ ପୂର୍ଣ୍ଣିମାର ପର ଦିନ ଅର୍ଥାତ ଆସନ୍ତାକାଲି ପାଳିତ ହେବ ରଙ୍ଗର ପର୍ବ ହୋଲି । 


ସେହିପରି ଆଜି ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ ହେବ ଦୋଳପୂର୍ଣ୍ଣିମା । ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ଏଥିପାଇଁ ଶ୍ରୀମନ୍ଦିରରେ ପାରମ୍ପରିକ ଭାବରେ ପାଳନ କରାଯାଏ ଦୋଳ ଉତ୍ସବ । ଆଜି ଚତୁର୍ଦ୍ଧାମୂର୍ତ୍ତି ସୁନାବେଶ ବା ରାଜାଧିରାଜ ବେଶରେ ବିଭୂଷିତ ହେବେ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ଏବଂ ମା' ଲକ୍ଷ୍ମୀ ଓ ସରସ୍ବତୀ ଦୋଳ ବେଦୀକୁ ବିଜେ କରିବା ସହ ଫଗୁ ଅବିର ଖେଳିବେ ।

ଏଥିପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଆଶା କରାଯାଉଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଗତକାଲି ପରମ୍ପରା ଓ ରୀତିନୀତି ଅନୁସାରେ ସ୍ବତନ୍ତ୍ର ମେଣ୍ଢା ପୋଡ଼ି ନୀତି ସମ୍ପାଦିତ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଦେହରେ ଲାଗିଥାଉ ଯେମିତିକା ରଙ୍ଗ, ଏକା ଥରେ ଛାଡ଼ିବ; ଜାଣନ୍ତୁ ସହଜ ଉପାୟ