Advertisment

Sudasha Brata 2025: ମାଛ ଭାବି ଚିଲ ଝାମ୍ପିନେଲା ବ୍ରାହ୍ମଣୀର ବ୍ରତ, ନଈକୁ ଡେଇଁଲା ପୋଡ଼ାମାଛ

ଏହା ହେଉଛି ସଂପୂର୍ଣ୍ଣ ଭାବେ ଓଡ଼ିଆ ଘରର ଏକ ଓଷା। ଏହା ଅନ୍ୟ କୌଣସି ସ୍ଥାନରେ ପାଳନ ହେବା ଦେଖାଯାଇ ନଥାଏ। ଓଡ଼ିଆ ନାରୀ ମାଆ ଲକ୍ଷ୍ମୀଙ୍କର ପୂଜା ଏକ ବିଶେଷ ଉପାୟରେ କରିଥାନ୍ତି, ଯେଉଁଥିରେ ୧୦ ସଂଖ୍ୟାଟି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସବୁକିଛି ୧୦ଟି ଜିନିଷ ଦରକାର ପଡ଼ିଥାଏ।

ଅଦ୍ୟତନ ହୋଇଛି
the mythological story behind sudasha brata the way odia women worship maa laxmi

the mythological story behind sudasha brata the way odia women worship maa laxmi

Advertisment

ମୌଳିକ ଓଡ଼ିଆ ବ୍ରତ

ସୌଭାଗ୍ୟ ଓ ଐଶ୍ୱର୍ଯ୍ୟର ଦେବୀ ଭାବରେ ମାଆ ଲକ୍ଷ୍ମୀଙ୍କୁ ଆମ ଦେଶରେ ପୂଜା କରାଯାଏ। ଓଡ଼ିଶାରେ ମାଆ ଲକ୍ଷ୍ମୀଙ୍କୁ ‘ସୁଦଶା ବ୍ରତ’ ଓ ମାର୍ଗଶୀର ମାସ ଗୁରୁବାରରେ ବିଶେଷ ଆରାଧନା କରାଯାଇଥାଏ। କୌଣସି ମାସରେ ଶୁକ୍ଳପକ୍ଷ ଦଶମୀ ତିଥି ଯଦି ଗୁରୁବାର ଦିନ ପଡ଼ିଲା, ତେବେ ସେହିଦିନ ‘ସୁଦଶା ବ୍ରତ’ ପାଳନ ହୋଇଥାଏ। ଏହି ବ୍ରତଟିକୁ କେବଲ ବିବାହିତା ସ୍ତ୍ରୀ ଲୋକମାନେ ହିଁ ପାଳନ କରିଥାନ୍ତି। ‘ସୁଦଶା ବ୍ରତ’ର ବିଶେଷତ୍ୱ ହେଉଛି, ଏହା ଓଡ଼ିଶାର ପର୍ବ। ଅର୍ଥାତ ଏହାକୁ କେବଳ ଓଡିଆ ହିନ୍ଦୁ ମହିଳାମାନେ ପାଳନ କରିଥାନ୍ତି। ଭାରତର ଅନ୍ୟ କୌଣସି ରାଜ୍ୟରେ କିମ୍ବା ଭାରତ ବାହାରେ ଏହି ପୂଜା କରାଯିବାର ଦେଖାଯାଏ ନାହିଁ।

Advertisment

ଅଧିକ ପଢ଼ନ୍ତୁ:ଆପଣ ପ୍ରଥମ ଥର ସୁଦଶା ବ୍ରତ କରୁଛନ୍ତି କି… ଜାଣନ୍ତୁ ମହାଲକ୍ଷ୍ମୀଙ୍କ କେଉଁ ନାମ ଧରି ବ୍ରତରେ ପକେଇବେ ୧୦ ଗଣ୍ଠି 

ସୁଦଶା ବ୍ରତର ପୃଷ୍ଠଭୂମି କାହାଣୀ

ମହାଭାରତର କଥା। ଉଜ୍ଜୟିନୀରେ ବାସ କରୁଥିବା ‘ସୁମନ୍ତ୍ର’ ନାମକ ଜଣେ ବ୍ରାହ୍ମଣର ‘ଦୀକ୍ଷା’ ନାମ୍ନୀ ପତ୍ନୀ ଥିଲା। ଏହି ବ୍ରାହ୍ମଣୀ ‘ସୁଦଶା ବ୍ରତ’ ପାଳନ କରୁଥିଲା। ଏକଦା ସେ ପାଣି ଆଣିବାକୁ ନଦୀ ଭିତରକୁ ପଶିବା ପୂର୍ବରୁ ବ୍ରତଟିକୁ ହାତରୁ ଫିଟାଇ କୂଳରେ ରଖିଥିଲା। ଏହି ସମୟରେ ଘଟିଲା ଅଘଟଣ। ଏକ ଚିଲ ତା ବ୍ରତଟିକୁ ମାଛ ଭାବି ଝାମ୍ପି ନେଇଗଲା। ବ୍ରାହ୍ମଣୀ ସେ ଚିଲର ପଛେପଛେ ଗୋଡ଼ାଇ ଅରଣ୍ୟରେ ପଶିଲା। ବ୍ରତ ହଜିବା ଦୁଃଖରେ ବ୍ରାହ୍ମଣୀ ଅରଣ୍ୟ ମଧ୍ୟରେ କାନ୍ଦିବାକୁ ଲାଗିଲା।

Advertisment

ରାଜା ନଳ ଏହି ସମୟରେ ଅରଣ୍ୟ ମଧ୍ୟକୁ ପାରିଧିରେ ଆସିଥିଲେ। ବ୍ରାହ୍ମଣୀର କ୍ରନ୍ଦନ ଶୁଣି ତା ପାଖକୁ ଯାଇ ତାକୁ ସାନ୍ତ୍ଵନା ଦେଇ ତା ଅଭାବ ପୂରଣ ପାଇଁ ସତ୍ୟ କଲେ। ଏହା ଶୁଣି ବ୍ରାହ୍ମଣୀ ନିଜର ଦୁଃଖ କହିଲା। ତାର ବ୍ରତ ଚିଲ ନେଇଯିବା ଓ ବ୍ରତ ନମିଳିଲେ ଘରକୁ ଫେରିବ ନାହିଁ ବୋଲି କହିଲା। ଯଦି ଦୟା ହେଉଛି ତେବେ ରାଣୀଙ୍କର ସୁଦଶା ବ୍ରତ ଆଣି ତାକୁ ଦେବା ପାଇଁ ବ୍ରାହ୍ମଣୀ ରାଜାଙ୍କୁ କହିଲା। ସତ୍ୟନିଷ୍ଠ ରାଜା ନଳ ରାଣୀ ଦମୟନ୍ତୀଙ୍କ ନିକଟରୁ ବ୍ରତ ଆଣି ବ୍ରାହ୍ମଣୀକୁ ଦେଲେ। ରାଣୀଙ୍କ ବ୍ରତ ପାଇ ବ୍ରାହ୍ମଣୀର ଧନସମ୍ପଦ ବଢ଼ିବାକୁ ଲାଗିଲା। ମାତ୍ର ବ୍ରତ ଦେଇଥିବାରୁ ନଳ ରାଜାଙ୍କ ସମ୍ପତ୍ତି ନାଶ ହେବାକୁ ଲାଗିଲା, ରାଜ୍ୟରେ ଶତ୍ରୁ ଆକ୍ରମଣ କଲେ, ଦାସଦାସୀ, ମନ୍ତ୍ରୀ ପାରିଷଦଗଣ ରାଜ ଦ୍ରୋହ କରିବାକୁ ଲାଗିଲେ। ଏପରିକି ରାଜା ରାଣୀ ରାଜ୍ୟଛଡା ହୋଇ ନିଜ ପୁତ୍ରକୁ ଧରି ରାଜ୍ୟରୁ ବାହାରି ଗଲେ।

ରାଜା ରାଣୀ ଭିକାରୀ ପରି ରାସ୍ତାରେ ଚାଲିଲେ, ଖାଦ୍ୟ ଅଭାବରେ ବଣରେ ବୁଲିଲେ। ତାଙ୍କ ସହ ବହୁ ବିଚିତ୍ର ଦୁର୍ଘଟଣା ଘଟିଲା। ଯେପରିକି ରାଣୀ ମାଛ ପୋଡ଼ି ରଖିଲେ ଖାଇବା ପାଇଁ, ମାତ୍ର ପୋଡ଼ାମାଛ ସବୁ ନଦୀ ମଧ୍ୟକୁ ଡେଇଁ ପଳାଇଲେ, ରାଜା ଭିକ୍ଷା ମାଗି ଆଣିଲେ କିନ୍ତୁ ଭିକ୍ଷାଥାଳ ଶୂନ୍ୟ ହୋଇଗଲା। ଏହିପରି ରାଜାରାଣୀ ଅନ୍ନ ବସ୍ତ୍ର ଅଭାବରେ ବହୁ ଦୁର୍ଦ୍ଦଶା ଭୋଗକଲେ। ନଦୀ ପାର ହେଉ ହେଉ ତାଙ୍କର ଏକମାତ୍ର ପୁତ୍ରକୁ କୁମ୍ଭୀର ଗିଳିଦେଲା, ପରେ ରାଜା ରାଣୀ ମାୟା ବଳରେ ଅଲଗା ଅଲଗା ହୋଇଗଲେ। ରାଣୀ ବହୁ କଷ୍ଟରେ ବନ ମଧ୍ୟରେ ବୁଲିବୁଲି ନିଜ ପିତା ଭୀମ ରାଜାଙ୍କ ଘରେ ପହଞ୍ଚିଲେ, ତାଙ୍କୁ ସେଠାରେ କେହି ଚିହ୍ନି ନପାରିବାରୁ ସେଠାରେ ସେ ନଳ ରାଜାଙ୍କ ଦାସୀ ଭାବେ ପରିଚୟ ଦେଇ ଦାସୀ ହୋଇ ରହିଲେ।

Advertisment

ଅନ୍ୟପଟେ ରାଜା ନଳ ବନରେ ଘୂରି ବୁଲିବା ସମୟରେ ନିଆଁ ମଧ୍ୟରେ ପଡ଼ିଥିବା ଏକ ସର୍ପକୁ ରକ୍ଷା କରିବା ସମୟରେ ନିଜ ସୁନ୍ଦର ରୂପ ହରାଇ କୁରୂପ ଧାରଣ କଲେ। ସେଠାରୁ ସେ ଗାନ୍ଧାର ଦେଶକୁ ନିଜକୁ ନଳ ରାଜାଙ୍କ ରାନ୍ଧୁଣିଆ ଭାବେ ପରିଚୟ ଦେଇ ରହିଲେ। ଏହିପରି ମହାଲକ୍ଷ୍ମୀଙ୍କ ବ୍ରତ ହରାଇ ରାଜା ରାଣୀ ବହୁ ଦୁର୍ଦ୍ଦଶା ଭୋଗକଲେ। କିଛିଦିନ ପରେ ମାଆ ଲକ୍ଷ୍ମୀଙ୍କ ସୁଦୟା ହେବାରୁ ଭୀମରାଜାଙ୍କ ରାଣୀ ନିଜ ଝିଅ ଦମୟନ୍ତୀକୁ ଚିହ୍ନି ପାରିଲେ। ଦିନେ ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାର ଦିନ ପଡିଲା। ରାଣୀ ଏହି ବ୍ରତ ପୂଜା ଅତି ନିଷ୍ଠାର ସହ ବିଧିମତେ କରି ବ୍ରତ ବାନ୍ଧିଲେ। ରାଣୀଙ୍କ ମନସ୍କାମନା ପୂର୍ଣ୍ଣ ହେଲା। ରାଜା ନଳ ଫେରିଆସିଲେ ଓ ନିଜର ସୁନ୍ଦର ରୂପ ଫେରିପାଇଲେ। ନଳ ଦମୟନ୍ତୀ ନିଜ ରାଜ୍ୟ ଫେରି ପାଇଲେ। ନଦୀ ମଧ୍ୟ ଦେଇ ନିଜ ରାଜ୍ୟକୁ ଫେରିବା ସମୟରେ କୁମ୍ଭୀର ମଧ୍ୟ ତାଙ୍କ ପୁତ୍ରକୁ ଫେରାଇ ଦେଲା। ସୁଦଶା ବ୍ରତ ହରାଇବାରୁ ରାଜା ରାଣୀ ଦୁର୍ଦ୍ଦଶା ଭୋଗିଲେ ଓ ସୁଦଶା ବ୍ରତ ପୁଣି କରିବାରୁ ସୁଦଶା ଫେରି ପାଇଲେ।

ଅଧିକ ପଢ଼ନ୍ତୁ:ସୁଦଶା ବ୍ରତରେ ମହାଲକ୍ଷ୍ମୀଙ୍କ କେଉଁ ୧୦ ନାଁ ସ୍ମରଣ କରିବେ… 

ଅନ୍ୟ ଏକ ପ୍ରଚଳିତ କାହାଣୀ

ସତ୍ୟଯୁଗରେ ବୀରବିକ୍ରମ ନାମରେ ଜଣେ ରାଜା ଥିଲେ ଓ ତାଙ୍କର ତ୍ରିକୁଟେଶ୍ୱର ନାମରେ ମନ୍ତ୍ରୀ ଥିଲେ। ରାଜାଙ୍କ ରାଣୀ ରତ୍ନାବତୀ ଓ ମନ୍ତ୍ରୀଙ୍କ ପତ୍ନୀ ପଦ୍ମାବତୀ ଉଭୟ ଦୁଇ ସଖି ଥିଲେ। ଦୁଇ ସଖି ନଦୀକୁ ସ୍ନାନ କରିବାକୁ ଯିବା ସମୟରେ ନଦୀ କୂଳରେ ଦେବକନ୍ୟା ମାନେ ମାଆ ଲକ୍ଷ୍ମୀଙ୍କ ପୂଜା କରୁଥିଲେ। ଯାହାର ନାମ ସୁଦଶା ବ୍ରତ। ସେମାନେ ରାଣୀ ଓ ମନ୍ତ୍ରୀ ପତ୍ନୀଙ୍କୁ ଏ ବ୍ରତ କରି ମର୍ତ୍ତ୍ୟରେ ବିଖ୍ୟାତ କରିବାକୁ କହିଲେ। ଦୁହେଁ ଏ ବ୍ରତ କଲେ। ଦିନେ ମନ୍ତ୍ରୀ ପତ୍ନୀଙ୍କର ବ୍ରତ ହଜିଲା, ତେଣୁ ସେ ଉପବାସ ରହିଲେ। ତିନିଦିନ ଉପବାସ ରହିବା ପରେ ପରେ ମନ୍ତ୍ରୀ ରାଜାଙ୍କୁ ଜଣାଇଲେ। ଯଦି ବ୍ରତ ନମିଳେ ତେବେ କାହାଠୁ ପୁରୁଣା ବ୍ରତ ମାଗି ଆଣିଲେ ଉପାସ ଭାଙ୍ଗିପାରିବେ।

ରାଜା ରାଣୀଙ୍କଠାରୁ ବ୍ରତ ଆଣି ମନ୍ତ୍ରୀଙ୍କୁ ଦେଲେ। ମନ୍ତ୍ରୀ ପତ୍ନୀ ଉପାସ ଭାଙ୍ଗିଲେ। କିଛି ଦିନ ମଧ୍ୟରେ ରାଜାଙ୍କ ରାଜ୍ୟ ସମ୍ପତ୍ତିଚ୍ୟୁତ ହେଲା। ରାଜା ରାଜ୍ୟରୁ ବାହାର ହେଲେ। ରାଜା ରାଣୀ ବଣରେ ରହିଲେ ଓ ବହୁ ସଂଘର୍ଷ ଓ ସମସ୍ୟାର ସମ୍ମୁଖୀନ ହେଲେ। ଘଟଣା ଚକ୍ରରେ ରାଜାରାଣୀ ସାଧବ ଘରେ ଯାଇ ରହିଲେ। ଦିନେ ଶୁକ୍ଳପକ୍ଷ ଦଶମୀ ଗୁରୁବାର ଦିନ ପଡ଼ିବାରୁ ରାଣୀ ସୁଦଶା ବ୍ରତ କଲେ। ଫଳରେ ରାଜା ପୁନଃ ରାଜ୍ୟ ଫେରିପାଇବା ସହ ସୁଖସୌଭାଗ୍ୟ ଲାଭ କଲେ। ଏହିପରି ଭାବେ ରାଣୀ ବ୍ରତ ଛଡା ହୋଇ ଲକ୍ଷ୍ମୀ ଛଡା ହେଲେ ଓ ପୁଣି ସୁଦଶା ବ୍ରତ କରି ସୁଖ ସୌଭାଗ୍ୟ ଫେରି ପାଇଲେ।

ବ୍ରତର ପୂଜାବିଧି

‘ସୁଦଶା’ର ଅର୍ଥ ‘ଭଲ ସମୟ’। କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି। ଫଳତଃ ଉପାସନାରେ ୧୦ ବର୍ଣ୍ଣ ଫୁଲ, ୧୦ ନାଡ ଦୁବ, ୧୦ ପ୍ରକାର ଫଳ, ୧୦ ଖିଅ ସୂତାର ବ୍ରତ, ଦଶମୁଖି ଦୀପ, ୧୦ ପାଖୁଡା ପଦ୍ମ, ଲକ୍ଷ୍ମୀଙ୍କ ୧୦ ନାମ ଇତ୍ୟାଦିକୁ ନେଇ ପୂଜାବିଧି ପାଳନ କରାଯାଏ। ଶୁକ୍ଳବସନ ପରିଧାନ ପୂର୍ବକ, ଗୋମୟ ମାର୍ଜିତ ଗୃହରେ ଏହି ପୂଜା ପାଳନ ହୁଏ। ପୂଜା ସ୍ଥାନରେ ପୂର୍ଣକୁମ୍ଭ ସ୍ଥାପନ କରିବାକୁ ପଡ଼େ। ବ୍ରତ ବିଧି ସାଧନ ନିମନ୍ତେ ସକଳ ସାମଗ୍ରୀ ସହ ୧୦ ପ୍ରକାର ପୂରଯୁକ୍ତ ୧୦ ପ୍ରକାର ପିଠା, ୧୦ ଜାତି ଫୁଲ, ୧୦ ଜାତି ଫଳ ଆଦି ଅର୍ପଣ କରାଯାଏ।

ମାଆ ଲକ୍ଷ୍ମୀଙ୍କ ୧୦ଗୋଟି ନାମ

୧- ମହାଲକ୍ଷ୍ମୀ , ୨- କମଳା ,୩-ପଦ୍ମା, ୪-ହରିପ୍ରିୟା, ୫-ଦାରିଦ୍ର୍ୟଭଞ୍ଜନୀ, ୬- କୌମଦକୀ, ୭- ଗଜବାହିନୀ, ୮-ଚଞ୍ଚଳା, ୯-ଜାନକୀ, ୧୦-ରୁକ୍ମିଣୀ, ନାମ ସ୍ମରଣ ପୂର୍ବକ ୧୦ ଖିଅ ସୂତାରେ ତିଆରି ବ୍ରତରେ ୧୦ ଗୋଟି ଗଣ୍ଠି ପକାଇ ହସ୍ତରେ ଧାରଣ କରିବାକୁ ପଡ଼ିଥାଏ। ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ। ଏହି ବ୍ରତର ମୂଳମନ୍ତ୍ର ହେଉଛି ଶ୍ରଦ୍ଧା ଓ ଭକ୍ତି। ଏହି ସୁଦଶା ବ୍ରତଟି ବିଧିରେ କଲେ, ହିନ୍ଦୁ ଗୃହିଣୀ ଧନସମ୍ପତ୍ତି, ମାନମହତ୍ତ୍ଵ ଲାଭ କରେ। ଏହି ବ୍ରତ କଲେ ସନ୍ତାନହୀନା ନାରୀ ସନ୍ତାନ ଲାଭ କରିବାର ଲୋକ ବିଶ୍ୱାସ ରହିଛି।

ଅଧିକ ପଢ଼ନ୍ତୁ: ଆପଣ ପ୍ରଥମ ଥର ସୁଦଶା ବ୍ରତ କରୁଛନ୍ତି କି… ଜାଣନ୍ତୁ ମହାଲକ୍ଷ୍ମୀଙ୍କ କେଉଁ ନାମ ଧରି ବ୍ରତରେ ପକେଇବେ ୧୦ ଗଣ୍ଠି

Odisha Laxmi Puja Odia Festivals Special Story Maa Laxmi Sudarsha Brata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ