/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747646891.jpg)
History of puri narendra puskarini & chapa khela or srikhetra bhaunri of srijagannath
ଉତ୍ସବ ପ୍ରିୟ ଆମ କାଳିଆ ଠାକୁର। ତାଙ୍କରି ପାଇଁ ଶ୍ରୀମନ୍ଦିରରେ ବର୍ଷସାରା ସ୍ନାନଯାତ୍ରା, ଗୁଣ୍ଡିଚା ଯାତ୍ରା, ମକର ସଂକ୍ରାନ୍ତି, ଦୋଳ ଉତ୍ସବ, ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ପରି ବିଭିନ୍ନ ପର୍ବ ପର୍ବାଣୀ ଯାନିଯାତ୍ରା ଲାଗି ରହିଥାଏ। ଭାରତରେ ଥିବା ହଜାର ହଜାର ଦେବ ମନ୍ଦିରରେ ଗରମ ଦିନେ ଆଲଟ ପଡ଼େ, ଠାକୁର ଚନ୍ଦନ ଲାଗି ହୁଅନ୍ତି। କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ସ୍ଵତନ୍ତ୍ର ଯାତ୍ରା ତଥା ଦୈବପର୍ବ ରୂପେ ଏହା ସମ୍ପୂର୍ଣ୍ଣ ଓଡ଼ିଶାରେ ହିଁ ପ୍ରସିଦ୍ଧ।
ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ବା ସ୍ନାନପୂର୍ଣ୍ଣିମାର ପୂର୍ବଦିନ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଚନ୍ଦନ ଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ପର୍ବ। ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ ଦିନ ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ।
ଶ୍ରୀକ୍ଷେତ୍ର ଭଉଁରୀ
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ ଦିନ ବ୍ୟାପି ବାହାର ଚନ୍ଦନଯାତ୍ରାର ଶେଷ ଦିନରେ ଭଉଁରୀଯାତ୍ରା ଅନୁଷ୍ଠିତ ହୋଇଥାଏ। ପରମ୍ପରା ଅନୁଯାୟୀ ମଦନମୋହନ, ବଳରାମ, କୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଓ ଶ୍ରୀକପାଳମୋଚନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାଯାଏ। ଭଉଁରୀ ଦିନ କେବଳ ଦିନଚାପ କରାଯାଏ, ରାତିଚାପ କରାଯାଏ ନାହିଁ, ଦିନଚାପରେ ନରେନ୍ଦ୍ର ପୋଖରୀର ଦୀପଦାଣ୍ଡି ଚାରିପଟେ ୨୧ ଘେରା ବୁଲା ଯାଇଥାଏ। ଠାକୁରମାନେ ନରେନ୍ଦ୍ର ପୋଖରୀରେ ୨୧ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରିଥାନ୍ତି।
ତିନି ରଥରେ ଯୋଡ଼ା ହୁଏ ଚକ-ଅଖ
ଏହି ଭଉଁରୀ ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକ ଅଖ ଡେରା ନୀତି ପାଳନ ହୁଏ। ସେଥିପାଇଁ ପରମ୍ପରା ମୁତାବକ ରଥଖଳାକୁ ବିଜେ ହୁଏ ଆଜ୍ଞାମାଳ। ତିନି ରଥରେ ଯୋଡ଼ା ହୁଏ ଚକ-ଅଖ। ବିଧି ଅନୁସାରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯାଏ।
ତିନି ପୂଜାପଣ୍ଡା ସକାଳ ଧୂପ ପରେ ତିନିଟି ଆଜ୍ଞାମାଳ ଆଣି ତିନି ରଥର ଚକ ଅଖ ନିକଟରେ ଲାଗି କରିବା ପରେ ବିଶ୍ୱକର୍ମାମାନେ ଅନୁକୁଳ କରିଥାନ୍ତି। ସେପଟେ ରଥ ଖଳାରେ ତିନି ରଥର ତିନିଟି ନାହାକା ଅଖ ଓ ଛଅଟି ଚକ ପ୍ରସ୍ତୁତ କରି ରଖାଯାଇଥିବା ବେଳେ, ଶୀତଳ ଷଷ୍ଠୀ ପୂର୍ବରୁ ୪୨ଟି ଚକକୁ ୨୧ଟି ଅଖ ସଂପୂର୍ଣ୍ଣ କରି ଡେରାଯାଏ।
ପରମ୍ପରା ଅନୁଯାୟୀ ଭଉଁରୀଦିନ ସକାଳଧୂପ ହେବାପରେ ପୂଜାପଣ୍ଡାମାନେ ଶ୍ରୀଜୀଉମାନଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ଯାଇଥାନ୍ତି। ସେଠାରେ ଶ୍ରୀଅଙ୍ଗ ଲାଗି ଏହି ଆଜ୍ଞାମାଳଗୁଡ଼ିକୁ ମହାରଣା ସେବକମାନେ ପାଇବା ପରେ ନିର୍ମାଣାଧିନ ତିନିରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରିଥାନ୍ତି।
ଭଉଁରୀ ଯାତ୍ରା ପରଦିନ ଶ୍ରୀଜୀଉମାନଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହୋଇଥାଏ। ଏଥିରେ ଆଜ୍ଞାମାଳ ପାଇବା ପରେ ବିମାନ ବିଜେ କରି ଠାକୁରମାନେ ନରେନ୍ଦ୍ର ପୁଷ୍କରିଣୀରେ ପହଞ୍ଚିବା ପରେ କେବଳ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ- ଚାପ ଡଙ୍ଗାକୁ ବିଜେ କରି ହଳଦୀ ପାଣି ପିଚକାରୀ ଖେଳିଥାନ୍ତି।
ବାହାର ଚନ୍ଦନ ଯାତ୍ରା କ’ଣ?
ଶ୍ରୀମନ୍ଦିରର ଦକ୍ଷିଣ ଘରୁ ଅଷ୍ଟଧାତୁ ନିର୍ମିତ ତିନୋଟି ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ରାମ (ବଳରାମ) ଓ ରତ୍ନସିଂହାସନ ଉପରୁ ଦୁଇଟି ଚଳନ୍ତି ପ୍ରତିମା ଲକ୍ଷ୍ମୀଙ୍କର ସୁବର୍ଣ୍ଣ ପ୍ରତିମା ଓ ସରସ୍ୱତୀଙ୍କର ରୌପ୍ୟ ପ୍ରତିମା ବାହାର ଚନ୍ଦନରେ ଭାଗ ନିଅନ୍ତି।
ଚନ୍ଦନ ଯାତ୍ରା ପଟୁଆରରେ ସମୁଦାୟ ଦଶଗୋଟି ଚଳନ୍ତି ପ୍ରତିମା, ବିମାନ ଓ ପାଲିଙ୍କିରେ ବିଜେ କରିଥାନ୍ତି। ସବୁଠୁ ସୁଦୃଶ୍ୟ ବିମାନରେ ବିଜେ କରିଥାନ୍ତି ମଦନମୋହନ, ଶ୍ରୀଦେବୀ ବା ଲକ୍ଷ୍ମୀ ଏବଂ ଭୂଦେବୀ ବା ସରସ୍ୱତୀ। ବିମାନ ପଛ ପାଲିଙ୍କିରେ ବଳରାମ ଓ କୃଷ୍ଣ ଆରୋହଣ କରିଥାନ୍ତି। ଅନ୍ୟ ପାଞ୍ଚଗୋଟି ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ ମହାଦେବ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଓ ଶ୍ରୀକପାଳମୋଚନ ବିଜେ କରିଥାନ୍ତି।
ନରେନ୍ଦ୍ର ପୋଖରୀରେ ଯୋଡ଼ିଏ ଲେଖାଁଏ ନୌକା ଯୋଡ଼ାହୋଇ ଦୁଇଗୋଟି ଚାପ ପ୍ରସ୍ତୁତ ହୋଇଥାଏ। ଗୋଟିଏ ଚାପରେ ଥିବା ରୁପା କାରୁକାର୍ଯ୍ୟ ପୂର୍ଣ୍ଣ ସିଂହାସନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ବଳରାମ ଓ କୃଷ୍ଣ ଉପବେଶନ କରନ୍ତି। ଅନ୍ୟ ଚାପରେ ବସନ୍ତି ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ ମହାଦେବମାନେ। ପ୍ରତିମାମାନଙ୍କ ସହ ଚାପ ଦୁଇଟିରେ ପୂଜାପଣ୍ଡା, ସିଂହାରୀ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ହଡ଼ପ, ଖୁଣ୍ଟିଆ ପ୍ରଭୃତି ସେବକ ରହିଥାଆନ୍ତି। ଚାପ ଦୁଇଟି ନରେନ୍ଦ୍ର ପୁଷ୍କରିଣୀରେ ଘେରାଏ ଘେରାଏ ବୁଲି ଆସନ୍ତି।
ସ୍ନାନରୀତି ପାଇଁ ତିନିଗୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତ କରାଯାଏ। ସେହି କୁଣ୍ଡରେ ବୁଡ଼ ପକାନ୍ତି ଚଳନ୍ତି ପ୍ରତିମାମାନେ। ଚନ୍ଦନ ଯାତ୍ରାର ଏକୋଇଶ ଦିନରୁ କୋଡ଼ିଏ ଦିନ ମଦନମୋହନ ପ୍ରତ୍ୟେକ ଦିନ ନୂଆ ବେଶ ଧାରଣ କରନ୍ତି। ଏହାର ଅନେକଗୁଡ଼ିଏ ବେଶ କୃଷ୍ଣଲୀଳାର ସ୍ମୃତିଚାରଣ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥାଏ।
ଚନ୍ଦନ ବେଶ
ପ୍ରତିଦିନ ଅନୁଷ୍ଠିତ ‘ଚନ୍ଦନ ଲାଗି ବେଶ’ ବ୍ୟତୀତ ଚନ୍ଦନ ଯାତ୍ରା ସମୟରେ ଠାକୁରମାନଙ୍କର ବିଶେଷ ଚନ୍ଦନ ଲାଗି ବେଶ ହୋଇଥାଏ। ଅକ୍ଷୟ ତୃତୀୟା ପୂର୍ବଦିନ ରାତି, ଚନ୍ଦନ ଲାଗି ନୀତି ଶେଷ ହେବାପରେ, ପାଳିଆ ମେକାପ ‘ରାଘବ ଦାସ ମଠ’ ଦେଇଥିବା ସାଢେ ସାତସେର ଚନ୍ଦନ, ତିନିଗୋଟି ରୂପା ପିଙ୍ଗଣରେ ଓ ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସାଢେ ସାତ ସେର ଚନ୍ଦନ ପରଖରେ ରଖି ଭୋଗମଣ୍ଡପ ପାଖକୁ ନେଇଥାନ୍ତି। ଅକ୍ଷୟ ତୃତୀୟା ଦିନ ସକାଳ ଧୂପ ସରିବା ପରେ, ରତ୍ନ ସିଂହାସନରେ ତିନି ବାଡ଼ରେ ମଇଲମ ହୋଇ ମହାସ୍ନାନ ବଢେ।
ଏହାପରେ ପୂର୍ବଦିନ ଅଧିବାସ ହୋଇଥିବା ଚନ୍ଦନଙ୍କୁ ଭୋଗମଣ୍ଡପ ଘରଠାରୁ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ଓ ଭିତର ମଇଲମ ବଢ଼ାଇଥିବା ପାଳିଆ ପୁଷ୍ପାଳକ- ଏହିପରି ୬ ଜଣ ସେବକ ଯାଇ ପିଙ୍ଗଣମାନଙ୍କୁ ଘଣ୍ଟ, ଛତା, କାହାଳି ସହିତ ତଳିଚ୍ଛ ପଟୁଆର ହୋଇ ବଡ଼ ଦେଉଳକୁ ତିନିଘେରା ପରିକ୍ରମା କରାଇ, ଭିତର ସିଂହାସନ ଉପରେ ତିନି ବାଡ଼ରେ ରଖନ୍ତି। ପରଖରେ ଥିବା ଚନ୍ଦନ ପାଳିଆ ମେକାପ ସିଂହାସନ ଉପରେ ରଖନ୍ତି। ଏହାପରେ ଭିତର ପାଣି ପଡ଼ି ଶୀତଳ ଭୋଗ ହୋଇଥାଏ। ଭୋଗ ଶେଷ ପରେ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ସମ୍ପୂର୍ଣ୍ଣ ଚନ୍ଦନ ଲାଗି ହୋଇଥାଏ। ବିଶେଷତଃ ଏହି ୪୨ ଦିନ ଯାକ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ଆଲଟ କରାଯାଏ।
ଚନ୍ଦନ ଯାତ୍ରାର ଇତିହାସ
ଐତିହାସିକ ତଥ୍ୟରୁ ଜଣାଯାଏ, ଗଙ୍ଗବଂଶର ରାଜାମାନଙ୍କ ସମୟରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ରାଜା ଦ୍ୱିତୀୟ ନରସିଂହଦେବଙ୍କ ଶାସନ ସମୟରେ ନଖପୋଡ଼ି ନରେନ୍ଦ୍ର ମହାପାତ୍ର ନରେନ୍ଦ୍ର ପୁଷ୍କରଣୀ ଖୋଳାଇଥିଲେ। ରାଜା ଚୋଡଗଙ୍ଗଦେବ ଜଗନ୍ନାଥ ବଲ୍ଲଭ ବେଣ୍ଟ ପୋଖରୀରେ ଠାକୁରଙ୍କର ନୌକାବିହାର କରାଉଥିଲେ। କୁହାଯାଏ, ଗଜପତି କପିଳେନ୍ଦ୍ର ଦେବଙ୍କ ଭାଇ ନରେନ୍ଦ୍ର ଦେବ ନିଜର ଚଉଦ ପୁଅଙ୍କ ସହିତ ଯୁଦ୍ଧରେ ପ୍ରାଣବଳି ଦେଇଥିବାରୁ ତାଙ୍କ ସ୍ମୃତି ରୂପରେ ନରେନ୍ଦ୍ର ସରୋବର ଖୋଳା ହୋଇଥିଲା। ପରେ ଏହିଠାରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା।
ଚନ୍ଦନ ଯାତ୍ରା ବିଷ୍ଣୁ ମନ୍ଦିର ଛଡ଼ା ଝଙ୍କଡ଼ର ଶାରଳା ଦେବୀଙ୍କ ପୀଠରେ ଓ ଭୁବନେଶ୍ୱରର ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ପାଳନ କରାଯାଏ। ସାଧାରଣତଃ ସମସ୍ତ ପ୍ରାଚୀନ ଦେଉଳରେ ଚନ୍ଦନ ଯାତ୍ରାର ପ୍ରଚଳନ ଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)