Advertisment

ବିଜେପିରୁ ଆମଦାନୀ ନେତାଙ୍କ ସହ ନବୀନଙ୍କ ଭେଟଘାଟ, ଘଳିଆ ବନ୍ଦ ପାଇଁ ଉଦ୍ୟମ ଚର୍ଚ୍ଚା

ଦିନେ ନବୀନଙ୍କୁ ଭେଟିବା ବିଜେଡି ନେତାଙ୍କ ପାଇଁ ସ୍ବପ୍ନ ଥିଲା। ଆଉ ଏବେ ଖୋଦ୍ ନବୀନ ନେତା, ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଠୁ ଆରମ୍ଭ କରି ଗଣେଶ ପୂଜା ମଣ୍ଡପ ବି ବୁଲିଲେଣି।

author-image
Sangram Keshori Behera
ଅଦ୍ୟତନ ହୋଇଛି
undefined

Naveen meets imported leaders

ବିଜେପି ଛାଡ଼ି ବିଜେଡିକୁ ଆସିଥିବା ନେତାଙ୍କ ସହ ନବୀନଙ୍କ ଭେଟଘାଟ୍ । ଆଲୋଚନା କଲେ ଆଉ ପ୍ରତିଶ୍ରୁତି ବି ଦେଲେ। ଯାହାକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା। ବ୍ରହ୍ମପୁର ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମେତ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂ, ନୟାଗଡ଼ର ନେତ୍ରୀ ଇରାନୀ ରାୟ ଓ ତାଙ୍କ ସ୍ବାମୀ, କବିସୂର୍ଯ୍ୟନଗରର ରଞ୍ଜନ ପଲେଇ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ୧୦ରୁ ଅଧିକ ନେତା ଗତକାଲି ନବୀନଙ୍କୁ ଭେଟିଛନ୍ତି। ନବୀନଙ୍କ ସହ ଭେଟଘାଟ୍ ନେଇ ପ୍ରତିକ୍ରିୟାରେ ଇରାନୀ ରାୟ କହିଛନ୍ତି, ଏହା ସୌଜନ୍ୟମୂଳକ ସାକ୍ଷାତକାର ଥିଲା। 

Advertisment

ନିର୍ବାଚନ ପୂର୍ବରୁ ଭେଟିବାର ସୁଯୋଗ ମିଳି ନଥିବାରୁ ସମସ୍ତେ ଏକାଠି ନବୀନଙ୍କୁ ଭେଟିଲୁ। ତେବେ ନିର୍ବାଚନ ପୂର୍ବରୁ ଦଳର ସୁପ୍ରିମୋ ନେତାଙ୍କୁ ଭେଟିଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି ଇରାନୀ କହିଛନ୍ତି । ସେହିପରି ଏ ନେତାମାନେ ପୁଣି ବିଜେପିକୁ ଫେରିବା ଚର୍ଚ୍ଚାକୁ ବି ଖଣ୍ଡନ କରିଛନ୍ତି। ସେପଟେ ଗତକାଲିର ବୈଠକ ଦଳୀୟ ନେତାଙ୍କୁ ନେଇ କରାଯାଇଛି। ଯଦି କେହି ସ୍ବାର୍ଥବାଦୀ ନେତା ଯିବେ ତାହା ବିଜେଡି ପାଇଁ ଶୁଭଙ୍କର ହେବ ବୋଲି କହିଛନ୍ତି ବିଧାୟକ ଶାରଦା ଜେନା।

ଏଠି ପ୍ରଶ୍ନ କେବଳ ବିଜେପିରୁ ଆସିଥିବା ନେତାଙ୍କୁ କାହିଁକି ହଠାତ୍ ଭେଟିଲେ ନବୀନ ? ଦୁଇ ରାଜ୍ୟସଭା ସାଂସଦ ବିଜେପି ଯିବାପରେ ଏହି ନେତାଙ୍କ ମଧ୍ୟରୁ କାଳେ କେହି ନିଜ ପୁରୁଣା ଦଳକୁ ପଳାଇବ ସେନେଇ ଦଳପତିଙ୍କ ଚିନ୍ତା ବଢିଯାଇଛି କି? ଯେଉଁଥିପାଇଁ ସେମାନଙ୍କ ସହ ଆଲୋଚନା କରି ଆଶ୍ବାସନା ଦେଲେ। କଂଗ୍ରେସ୍ ଓ ଅନ୍ୟଦଳରୁ ଆସିଥିବା ନେତାଙ୍କୁ ନଭେଟିବା ଏହି ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି। ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ବିଜେପିରେ ଥିବା ବେଳେ ବିଭିନ୍ନ ପଦ ପଦବିରେ ଥିବା ଏସବୁ ନେତା ବିଜେଡିରେ ଏକ ପ୍ରକାର କୋଣଠେସା।

Advertisment

ବିଜେଡି ସଂଗଠନରେ କିପରି ଦାୟିତ୍ବ ମିଳିବ ସେଥିଲାଗି ନବୀନଙ୍କୁ କୁଆଡେ ଏସବୁ ନେତା ଅବଗତ କରିଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡି ସଂଗଠନକୁ ସଜାଡ଼ିବାକୁ ନବୀନ ଏବେ ସବୁ ନେତାଙ୍କ ସହ ଆଲୋଚନା କରି ରଣନୀତି ପ୍ରସ୍ତୁତ କରୁଛନ୍ତି । କାରଣ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ସେଥିଲାଗି କସରତ ଆରମ୍ଭ କରିଛି ଦଳ। ଦିନେ ନବୀନଙ୍କୁ ଭେଟିବା ବିଜେଡି ନେତାଙ୍କ ପାଇଁ ସ୍ବପ୍ନ ଥିଲା। ଆଉ ଏବେ ଖୋଦ୍ ନବୀନ ନେତା, ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଠୁ ଆରମ୍ଭ କରି ଗଣେଶ ପୂଜା ମଣ୍ଡପ ବି ବୁଲିଲେଣି। ଲୋକଙ୍କ ଆସ୍ଥା ଭାଜନ ଲାଗି ନବୀନଙ୍କ ଏହି ଷ୍ଟ୍ରାଟେଜି କେତେ କାମ ଦେଉଛି ତାଉପରେ ନଜର। 

Naveen Patnaik BJD BJP
Advertisment
Advertisment