• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ହିନ୍ଦୀ ହାର୍ଟଲାଣ୍ଡରେ ଜବରଦସ୍ତ ବିଜୟ ପରେ ୨୪ରେ ଓଡିଶା ଦଖଲ ପାଇଁ ରଣନୀତିରେ କି ପରିବର୍ତ୍ତନ କରିବ ବିଜେପି । ରାଜ୍ୟ ରାଜନୀତିରେ ଏବେ ୟାକୁ ନେଇ ଚର୍ଚ୍ଚା । କୁହାଯାଉଛି, ମଧ୍ୟପ୍ରଦେଶ ଏବଂ ଛତିଶଗଡ ଷ୍ଟ୍ରାଟେଜିକୁ ଦଳ ଏଠି ପ୍ରୟୋଗ କରିପାରେ । ବିଶେଷ କରି ନବୀନ ସରକାରର ମହିଳା ଭୋଟ ବ୍ୟାଙ୍କ୍ ଭାଙ୍ଗିବାକୁ ମଧ୍ୟପ୍ରଦେଶର ଲାଡଲି ବେହେନା କିମ୍ବା ଛତିଶଗଡ଼ର ମହତାରୀ ବନ୍ଦନ ସ୍କିମ ପରି କିଛି ନୂଆ ପ୍ରତିଶ୍ରୁତି ଘୋଷଣା ସହ ଭୋଟ୍ ମଇଦାନକୁ ଓହ୍ଲାଇପାରେ ଭାଜପା ।

ଓଡିଶାରେ ବିଜେପି ଆପଣାଇବ କି ମଧ୍ୟପ୍ରଦେଶ ଆଉ ଛତିଶଗଡ ବିଜୟ ଫର୍ମୂଲା ? ରାଜ୍ୟରେ କରିପାରେ କି ମଧ୍ୟପ୍ରଦେଶର ଲାଡଲି ବେହେନା ଆଉ ଛତିଶଗଡରେ ଦଳର ମହତାରୀ ବନ୍ଦନ ଭଳି ସ୍କିମ୍ ଷ୍ଟ୍ରାଟେଜି ? କୁହାଯାଉଛି ମଧ୍ୟପ୍ରଦେଶରେ ବିଜେପି ପାଇଁ ଗେମ୍ ଚେଞ୍ଜର ହୋଇଥିଲା ଲାଡଲି ବେହେନା ସ୍କିମ । ଯେଉଁଥିରେ ଗରିବ, ଅସହାୟ ଓ ଭିନ୍ନକ୍ଷମ ମହିଳାଙ୍କ ବ୍ୟାଙ୍କ ଖାତାକୁ ପ୍ରତି ମାସ ୧୨୫୦ ଟଙ୍କା ଲେଖାଁଏ ଦେଉଥିଲେ ଶିବରାଜ ସରକାର । ଭୋଟର କେଇ ମାସ ଆଗରୁ ଅର୍ଥାତ୍ ଗତ ମାର୍ଚ୍ଚ ମାସରୁ ଲଂଚ୍ ହୋଇଥିବା ଏ ସ୍କିମ୍ ମାତ୍ର ଶହେ ଦିନରେ ସଫଳତା ଆଣିବା ପରେ ଲାଡନି ବେହେନାଙ୍କ ସହ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ସେଲିବ୍ରେସନ ।

ସେହିଭଳି ଛତିଶଗଡରେ ବି ନିର୍ବାଚନ ପୂର୍ବରୁ ଇସ୍ତାହାରରେ ମହତାରୀ ବନ୍ଦନ ଯୋଜନା କରି ପ୍ରତି ମାସ ବିବାହିତ ମହିଳାଙ୍କୁ ୧ ହଜାର ଟଙ୍କା ଲେଖାଁଏ ଦେବାର ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏମିତିକି, ବିଜେପିର ଏ ଘୋଷଣା ପରଠୁ ଯୋଜନାରେ ସାମିଲ ହେବାକୁ ବିଜେପି ଦଳୀୟ ପୋର୍ଟାଲରେ ୮୬ ହଜାରରୁ ଅଧିକ ମହିଳା ଆବେଦନ କରିଥିଲେ । ଆଉ ଏ ଦୁଇ ଯୋଜନା, ଦୁଇ ରାଜ୍ୟରେ ବାଜି ପଲଟେଇ ଦେଇଥିଲା । ତେଣୁ ଚର୍ଚ୍ଚା ହେଉଛି ନବୀନଙ୍କ ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ବିଜେପି ଏଠି ବି ସମାନ ରଣନୀତି ଆପଣେଇବାକୁ ଯୋଜନା କରୁଛି । ନିର୍ବାଚନୀ ଇସ୍ତାହାରରେ ଓଡିଶା ମହିଳାଙ୍କ ପାଇଁ ଏମିତି କିଛି ପ୍ରତିଶ୍ରୁତି ରଖିବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

ରାଜ୍ୟରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ମହିଳା ଭୋଟ । ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର ଏସଏଚଜି ଗ୍ରୁପରେ ପ୍ରାୟ ୭୦ ଲକ୍ଷ ମହିଳା ଏସଏଚଜି ରହିଛନ୍ତି । ଯାହାକି ବିଜେଡିର ପ୍ରମୁଖ ଭୋଟ ବ୍ୟାଙ୍କ ବୋଲି କୁହାଯାଉଛି । ଗୋଟେ ପଟେ ରାଜ୍ୟରେ ସରକାରୀ ବିରୋଧୀ ହାୱା ବଢୁଥିବାରୁ ଏସଏଚଜିଙ୍କୁ ବିନା ସୁଧରେ ଋଣ, ମାଗଣା ସ୍କୁଟି ପୁଣି ମିଶନ ଶକ୍ତି କାଫେ ଏମିତି ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ମହିଳା ଭୋଟକୁ ଅକ୍ତିଆରରେ ରଖିଛି ବିଜେଡି । ଯାହାକୁ କାଉଣ୍ଟର କରିବାକୁ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ଏହାକୁ କ୍ୟାମ୍ପେନ ମୋଡରେ ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲା ରାଜ୍ୟ ବିଜେପି । ରାଜ୍ୟରେ ପ୍ରାୟ ୫୦ ହଜାର ଗାଁରେ ଛୋଟ ଛୋଟ ସଭା ସଙ୍କୀର୍ତ୍ତନ କରି ସଂରକ୍ଷଣ ବିଲ୍ ବାବଦରେ ସଚେତନ କରିଥିଲା ।

ଅନ୍ୟପଟେ ମହିଳା ବିରୋଧୀ ଅପରାଧକୁ ମଧ୍ୟ ରାଜ୍ୟରେ ମୁଖ୍ୟ ମୁଦ୍ଦା କରି ଆନ୍ଦୋଳନ ଜାରି ରଖିଛି ଦଳ । ଏମିତି ସ୍ଥିତିରେ ଯଦି ଲାଡଲି ବେହେନା କି ମହାତ୍ରୀ ବନ୍ଧନ ପରି ଯୋଜନାରେ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଦେବାକୁ ବିଜେପି ଘୋଷଣା କରେ ତାହେଲେ ବିଜେଡିର ଅଡୁଆ ବଢ଼ିପାରେ । ଚର୍ଚ୍ଚା ହେଉଛି ୩ ରାଜ୍ୟର ଫଳାଫଳକୁ ଦେଖି ବିଜେଡି ସରକାର ପୁଣି ପୂର୍ଣ୍ଣାଙ୍ଗ ବଜେଟ ବେଳେ ଭୋଟ୍ ପୂର୍ବରୁ ମହିଳାଙ୍କ ପାଇଁ ନୂଆ କିଛି ଘୋଷଣା କରିପାରେ ।

  • Reported by:
  • JAGDISH DAS , SOUMYA RANJAN SAHOO , ATULYA BOUT