• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ମହାପ୍ରଭୁ ଜଗନ୍ନାଥଙ୍କ ନବଦିନ ବ୍ୟାପି ପ୍ରସିଦ୍ଧ ରଥ ଯାତ୍ରା ଆରମ୍ଭ ହୋଇଛି । ସାରା ଓଡ଼ିଶା ଏବେ ଉତ୍ସବ ମୁଖର । ଆଧ୍ୟାତ୍ମିକତାର ସ୍ପନ୍ଦନ ଓ ବାସ୍ନାରେ ସମଗ୍ର ବାତାବରଣ ଉଲ୍ଲସିତ ଓ ଆଖପାଖର ପରିବେଶ ବେଶ୍ ପୁଲକିତ । ଏହା ମଧ୍ୟରେ ଓଡ଼ିଶାରେ ମୋହନ ମାଝିଙ୍କ ସରକାର ଏକ ବର୍ଷ ପୂରଣ କରିସାରିଛନ୍ତି ଏବଂ ବିରୋଧୀ ବିଜୁ ଜନତା ଦଳ (ବିଜେଡ଼ି) ଓ କଂଗ୍ରେସ୍‌ର ନେତା ଓ କର୍ମୀମାନେ ବି ସେମାନଙ୍କ ଘରୁ ବାହାରି ରାସ୍ତାରେ ଆନ୍ଦୋଳନ କରିବା ଆରମ୍ଭ କଲେଣି । ଗତ ୨୦୨୪ ବିଧାନସଭା ନିର୍ବାଚନ ପରେ ଓଡ଼ିଶା ରାଜନୀତି ପ୍ରାୟ ଏକ ବର୍ଷ କାଳ ଗୋଟିଏ ପ୍ରକାର ସ୍ଥିର ରହିଥିବା ଦେଖାଯାଉଥିଲା ।

ରାଜ୍ୟରେ ମହିଳାମାନଙ୍କ ଉପରେ ବର୍ଦ୍ଧିତ ଅତ୍ୟାଚାର ନେଇ ବିରୋଧୀ ଦଳମାନେ ଏବେ ରାଜନୀତିର ପାଣି ଟିକିଏ ଚହଲାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିରେ ସେମାନେ କେତେଦୂର ସଫଳ ହେବେ ଏବଂ କେତେ ପରିମାଣରେ ରାଜନୈତିକ ଫାଇଦା ହାସଲ କରିପାରିବେ, - ତାହା ସମୟ କହିବ । ହେଲେ ଗଣତନ୍ତ୍ରରେ ବିରୋଧୀମାନେ ପ୍ରସଙ୍ଗ ଉତ୍‌ଥାପନ କରି ସରକାରଙ୍କୁ ଘେରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ଏବଂ ଏଥିରେ ସେମାନେ କୌଣସି ପ୍ରକାରେ ଢିଲା ଦେବା ଉଚିତ୍ ନୁହେଁ ।

Also Read

ଗୋଟିଏ ଆନ୍ଦୋଳନ ବା ପ୍ରତିବାଦ କାର୍ଯ୍ୟକ୍ରମର ପ୍ରଭାବ ଆୟୋଜକ ବା କର୍ତ୍ତାର ନେତୃତ୍ୱ, ଭାବମୂର୍ତ୍ତି ଓ ଗ୍ରହଣୀୟତା ନେଇ ପଡ଼ିଥାଏ । ଯଦି କର୍ତ୍ତାର ଚରିତ୍ର ଠିକ୍ ଥାଏ, ତାହା ଜନସାଧାରଣରେ ଏକ ବଡ଼ ପ୍ରଭାବ ପକାଇଥାଏ । ଅନ୍ୟଥା ଏହାର ପ୍ରଭାବ ବହିଯାଉଥିବା ନଦୀର ଫେଣ ସହିତ ସମାନ ହୋଇଥାଏ । ସାମୟିକ ଭାବରେ ଏହା ଦୃଶ୍ୟମାନ ହୋଇ ପୁଣିଥରେ କିଛି ସମୟ ପରେ ପାଣିରେ ମିଳାଇଯାଏ । ଏଠାରେ କର୍ତ୍ତା ହେଲେ କଂଗ୍ରେସ ଓ ବିଜୁ ଜନତା ଦଳ । ୧୯୯୯ ମସିହା ବେଳେ ଓଡ଼ିଶାରେ ଯେଉଁଭଳି ଭାବରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇଥିଲା, ସେଥିରେ ଉକ୍ତ ଦଳ ପ୍ରତି ଲୋକମାନଙ୍କର ବିତସ୍ପୃହତା ବଢିଥିଲା ।

୧୯୮୦ ଦଶକରେ ଛବିରାଣୀ ହତ୍ୟାକାଣ୍ଡ ଏବଂ ୧୯୯୦ ଦଶକର ଶେଷ ପାଦରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା ପରେ ଓଡ଼ିଶାରେ କଂଗ୍ରେସ ଜନସାଧାରଣଙ୍କର ଅକ୍ରୋଶର ଶୀକାର ହୋଇ ୨୦୦୦ ମସିହାରୁ ଶାସନରୁ ବିଦା ହୋଇଛି । ଯେତେ ଚେଷ୍ଟା କଲେ ବି ଦଳ ଏବେ ଭଲ ପ୍ରଦର୍ଶନ କରି କ୍ଷମତାକୁ ପ୍ରତ୍ୟାବର୍ତନ କରିବା ପାଇଁ ବେଶ୍ କଷ୍ଟ ହେଉଛି । ବିଜୁ ଜନତା ଦଳର ଶାସନ ସମୟରେ ବେବିନା, ଛବିନା, ମାଧବୀଲତା, ମମିତା ମେହର, ମାହାଙ୍ଗା ଡବଲ ମର୍ଡର, ପରୀ ଓ ପିହୁ ପରି ଅନେକ ଘଟଣାରେ ଦଳର ବ୍ୟବହାର ଯେଉଁ ପରି ରହିଲା, ତାହା ନବୀନ ପଟ୍ଟନାୟକ ସରକାରଙ୍କର ଛବି ମଳିନ କଲା । ଏ ନେଇ ସୃଷ୍ଟି ହୋଇଥିବା ପୁଞ୍ଜିଭୂତ ଅସନ୍ତୋଷ ଉକ୍ତ ଦଳକୁ ୨୪ ବର୍ଷର ଶାସନ ପରେ କ୍ଷମତାଚ୍ୟୁତ କରିବା ପାଇଁ ଏକ ମୁଖ୍ୟ କାରଣ ପାଲଟିଲା ।

ଗଣତନ୍ତ୍ରର ସବୁଠାରୁ ବଡ଼ ବିଶେଷତ୍ୱ ହେଲା ଏହା ରେସ୍ପନ୍ସିଭ୍ ବା ଆପେକ୍ଷିକ ଭାବେ କ୍ରିୟାଶୀଳ ହେବା ଦରକାର । ଏହାଛଡ଼ ଆକାଉଣ୍ଟେବିଲିଟି ବା ଉତ୍ତରଦାୟୀତ୍ୱ ହେଲା ଆଉ ଏକ ଆବଶ୍ୟକତା । ମୋହନ ଚରଣ ମାଝିଙ୍କ ସରକାରଙ୍କ ସମୟରେ ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତମାନଙ୍କୁ ଅବିଳମ୍ବେ ଗିରଫ କରାଯାଇଛି । ଏହାଛଡ଼ା ଆଉ ଯେଉଁ କେତୋଟି ଘଟଣା ଘଟିଛି, କୌଣସି ଠାରେ ସରକାର ରାଜନୈତିକ ପୃଷ୍ଟପୋଷକତା ଯୋଗାଇଥିବା ଦେଖାଯାଇନାହିଁ । ଅଞ୍ଜନା ମିଶ୍ର ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବାକୁ ତତ୍‌କାଳନୀ ସରକାର ମନ୍ଥରତା ଓ କିଛିକାଂଶରେ କୁନ୍ଥୁକୁନ୍ଥୁପଣ ସେତେବେଳେ ସରକାରୀକୁ ଅପ୍ରୀୟ କରିଥିଲା ।

ସେହିପରି ବିଜେଡ଼ି ସମୟରେ କିଛି ବିଧାୟକ ଓ ମନ୍ତ୍ରୀମାନଙ୍କ ନାରୀ ନିର୍ଯ୍ୟାତନା ଓ ହତ୍ୟା ଇତ୍ୟାଦିରେ ସନ୍ଦେହଜନକ ସମ୍ପୃକ୍ତି ନବୀନ ପଟ୍ଟନାୟକ ସରକାରକୁ ଏକ ପ୍ରକାର ଜନସାଧାରଣଙ୍କ ଠାରୁ ଦୂରେଇ ନେଇଯାଇଥିଲା । ଏହି ନେତାମାନଙ୍କୁ ନବୀନ ଦଣ୍ଡ ଦେବା ବଦଳରେ ଦଳରେ ଅଧିକ କ୍ଷମତାଶାଳୀ କରିବା ସହିତ ବଡ଼ ଦାୟିତ୍ୱ ପ୍ରଦାନ କରିବା ଦେଖାଯାଇଥିଲା । କ୍ଷମତାରେ ଥିଲାବେଳେ ଅଧିକାଂଶ ସମୟରେ ଭୂଲ୍ କାର୍ଯ୍ୟଟି ଆଖିକୁ ଦେଖାଯାଏ ନାହିଁ କି ହୃଦୟ ତାକୁ ଉପଲବ୍ଧି କରିପାରେ ନାହିଁ । ଏହାଛଡ଼ା କ୍ଷମତା ଚାରିକଡ଼େ ବୁଲୁଥିବା ତୋଷାମଦକାରୀମାନେ ଭୂଲ୍ କାର୍ଯ୍ୟଟିକୁ ଛାମୁଙ୍କର ଠିକ୍ କାର୍ଯ୍ୟବୋଲି କହି ଅନ୍ୟାୟକୁ କେବଳ ଘୋଡ଼ାଇଥାନ୍ତି ତାହା ନୁହେଁ,  ଏହାକୁ ଆହୁରି ପବନ ଦେଇ ଫୁଲାଇବାକୁ ଚେଷ୍ଟା କରିଥାନ୍ତି ।

ନବୀନ ଏବେ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି । ଭଗବାନ ତାଙ୍କୁ ଆଶୁ ଆରୋଗ୍ୟ କରନ୍ତୁ । ତାଙ୍କର ୨୪ ବର୍ଷ ଶାସନକାଳରେ ଓଡ଼ିଶାରେ ସେ ଅନେକ ମେଡ଼ିକାଲ କଲେଜ୍ ସ୍ଥାପନା କଲେ । ଅନେକ ଛାତ୍ରଛାତ୍ରୀ ଡାକ୍ତର ହୋଇ ବାହାରିଲେ । ହେଲେ ବିଡ଼ମ୍ବନାର କଥା ହେଉଛି ଯେ ଏହି ମେଡ଼ିକାଲ କଲେଜଗୁଡ଼ିକ ମଧ୍ୟରୁ କୌଣସିଟିର ସେବା ତାଙ୍କର ବର୍ତ୍ତମାନର ରୋଗର ଉପଶମ ପାଇଁ ବୋଧହୁଏ ଯୋଗ୍ୟତା ରଖିପାରିଲେ ନାହିଁ । ଯାହାଫଳରେ କି ତାଙ୍କୁ ମୁମ୍ବାଇ ଯିବାକୁ ପଡ଼ିଲା ।

ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ନିର୍ବାଚନରେ ବିଜେପି ଏକ ପ୍ରସଙ୍ଗ କରିଥିଲା । ହେଲେ ସେତେବେଳେ ଖୋଦ୍ ନବୀନ ଓ ତାଙ୍କ ଦଳ ବିଜେଡ଼ି ଏହାକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଳି ଅଭିହିତ କରିଥିଲେ । ହେଲେ ଏବେ ନବୀନ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିଛି ବୋଲି ସ୍ୱୀକାର କରିବା ପରେ ଏବେ ରାଜନୈତିକ ସ୍ତରରେ ଏହା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଅନ୍ୟ ଏକ ଘଟଣାକ୍ରମରେ ନବୀନ ମୁମ୍ବାଇ ଯିବା ଏବଂ ସେଠାକାର ଏକ ହସ୍ପିଟାଲ ବେଡ୍‌ରୁ ଭିଡିଓ ବାର୍ତ୍ତା ପ୍ରେରଣ କରିବା ମଧ୍ୟ ଅନୂରୂପ ଭାବରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ନବୀନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଉଠାଇ ବିଜେଡ଼ି ଜନସାଧାରଣଙ୍କ ଅନୁକମ୍ପା ହାସଲ କରିବା ପାଇଁ ଚେଷ୍ଟା କରୁଥିବା ଆଲୋଚନା ଆରମ୍ଭ ହୋଇଛି ।

ନବୀନ ମୁମ୍ବାଇ ଯିବାବେଳର ଦୃଶ୍ୟ ଯେଉଁଭଳି ପ୍ରସ୍ତୁତ ତଥା ଉପସ୍ଥାପିତ ଦଳ ତରଫରୁ କରାଯାଇଥିଲା, ଏଥିରୁ ତାଙ୍କ ଦଳ ଗୋଟିଏ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲା । ତାହା ହେଲା ସେମାନେ ତାଙ୍କର ହିରୋକୁ ଯୁଦ୍ଧ ଜୟ କରିବା ପାଇଁ ପଠାଇ ପୁଣିଥରେ ତାଙ୍କର ଘରବାହୁଡ଼ାକୁ ଅପେକ୍ଷା ରଖୁଛନ୍ତି । ରାଜନୀତିରେ ପ୍ରତ୍ୟେକ କ୍ରିୟା ପ୍ରତିକ୍ରିୟା ଠିକ୍ । ହେଲେ  ଦେଖିବାର କଥା ଲୋକ ଏହାକୁ କେତେଦୂର ବିଶ୍ୱାସ କରୁଛନ୍ତି । ଲୋକମାନେ ଜଣେ ଅତି ବରିଷ୍ଠ ନାଗରିକ ତଥା ସ୍ୱାସ୍ଥ୍ୟ ସମସ୍ୟା ସହିତ ଲଢୁଥିବା ନବୀନଙ୍କ ପ୍ରତି ପୁନଃ ଆସ୍ଥା ସ୍ଥାପନା କରୁଛନ୍ତି ନା ତାଙ୍କ ତୂଳନାରେ ଅପେକ୍ଷାକୃତ ବୟସରେ ବହୁ ସାନ ଥିବା ମୋହନ ଚରଣ ମାଝି ଓ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତି ସେମାନେ ଅନୁରକ୍ତି ପ୍ରକାଶ କରୁଛନ୍ତି, ତାହା ଲକ୍ଷ୍ୟ କରିବାର କଥା ।

ଓଟିଭି ବିଜ୍ଞାପନ