• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି କାଟୁରେ ବଢୁଛି କି ବିରୋଧୀଙ୍କ ଦବ୍‌ଦବା ? ଶାସକ ଦଳ ବିରୋଧରେ ବଢୁଛି କି ଜନ ଅସନ୍ତୋଷ ? ପୌର ଫଳାଫଳକୁ ଦେଖିଲେ କିଛି ଏମିତି ଜଣାପଡୁଛି । ୨୧ ୱାର୍ଡ ବିଶିଷ୍ଟ ଏହି ପୌରପାଳିକା ବିଜେଡି ଦଖଲକୁ ଯାଇଛି ସତ କିନ୍ତୁ ୨୧ଟି ୱାର୍ଡ ଭିତରୁ ଶତ ପ୍ରତିଶତ ବିଜୟ ହାସଲ କରି ପାରିନି ବିଜେଡି । ୪ଟି ୱାର୍ଡରେ ଦଳକୁ ଅକଳରେ ପକାଇ ବିଜୟୀ ହୋଇଛନ୍ତି ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀ । ଆଉ ଗୋଟିଏ ଲେଖାଏଁ ୱାର୍ଡ ଯାଇଛି ବିଜେପି ଓ କଂଗ୍ରେସ ଖାତାକୁ ।

ସେହିପରି ବିଜେପି ପ୍ରାର୍ଥୀ ସନ୍ତୋଷ ପାଣିଗ୍ରାହୀଙ୍କୁ ମାତ୍ର ୧୬୫୪ ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇ ଚେୟାରମ୍ୟାନ ହୋଇଛନ୍ତି ବିଜେଡିର ସୁବାସ ପୋଲାଇ । ଯାହାକି ବିଜେଡି ପାଇଁ ଏକ ଅପମାନ ବୋଲି କୁହାଯାଉଛି ।

ଗଞ୍ଜାମ ଜିଲ୍ଲାର ଆଉ କିଛି ପୌର ପରିଷଦରେ ମଧ୍ୟ ବିଜେଡିକୁ ପରାଜୟ ବରଣ କରିବାକୁ ପଡିଛି । ଜିଲ୍ଲା ସଦର ମହକୁମା ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ଦଖଲରେ ଥିଲେ ବି ଛତ୍ରପୁର ଆସନ ଅନ୍ତର୍ଗତ ୩ଟି ଯାକ ଏନ୍ଏସି କିନ୍ତୁ ହରେଇବାକୁ ପଡିଛି ଦଳକୁ । ଛତ୍ରପୁର ଓ ରମ୍ଭା ଏନ୍ଏସିକୁ କବ୍‌ଜା କରିଛି ବିଜେପି । ଗଞ୍ଜାମ ଏନ୍ଏସିରେ ୧୨ଟି ୱାର୍ଡରୁ ୧୦ଟି ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ ଜିତିଥିଲେ ମଧ୍ୟ ଏନ୍ଏସି ଚେୟାରମ୍ୟାନ ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ ପ୍ରତିଭା ପାଢୀ ।

ବର୍ତ୍ତମାନର ବିଧାୟକ ସୁବାସ ବେହେରା ଓ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କ ମଧ୍ୟରେ ଲାଗିଥିବା ତିକ୍ତତା ଯୋଗୁଁ ଏଭଳି ପ୍ରଦର୍ଶନ ହୋଇଥିବା ଚର୍ଚ୍ଚା ହେଉଛି । ସେମିତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଗଡ ଦିଗପହଣ୍ଡିରେ ଏନ୍ଏସି ଅଧ୍ୟକ୍ଷ ପଦ ଯାଇଛି କଂଗ୍ରେସର ପ୍ରଫୁଲ୍ଲ ପଣ୍ଡାଙ୍କ ପାଖକୁ । ଏଥିର ନିର୍ବାଚନର ମଙ୍ଗ ଧରିଥିଲେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିଳ୍ପବ ପାତ୍ର । ସେମିତି ବିଧାୟିକା ଲତିକା ପ୍ରଧାନଙ୍କ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ଏନ୍ଏସି ଅଧ୍ୟକ୍ଷ ପଦ ଯାଇଛି ବିଜେପି ହାତକୁ ।

ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷତ୍ତୋମପୁର ଏନ୍ଏସି ଅଧ୍ୟକ୍ଷ ଜିତିଛନ୍ତି ଜଣେ ସ୍ୱାଧୀନ ପ୍ରାର୍ଥୀ ପ୍ରିୟଙ୍କା ଗୌଡ଼ । ଏମିତି କି ଏହି ଫଳାଫଳକୁ ଦଳ ଗୁରୁତର ସହ ନେଇଥିବା କହିଛନ୍ତି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ସମୀକ୍ଷା ବି ଆରମ୍ଭ ହୋଇଛି । ସେପଟେ ବିଜେପି କହିଛି ଏହା ଦଳ ସପକ୍ଷରେ ବଢୁଥିବା ଜନମତର ପ୍ରମାଣ । 

ଗୋଟିଏ ମହାନଗର ନିଗମ ଏବଂ ଗୋଟିଏ ପୌରପାଳିକା ସହ ୧୬ଟି ଏନ୍ଏସି ଥିବା ଏହି ଜିଲ୍ଲାରେ କେବଳ ଗୋଟିଏ ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡିକୁ ଛାଡି ଦେଲେ ବାକି ୧୨ଟି ଯାକ ନିର୍ବାଚନ ମଣ୍ଡଳୀ ବିଜେଡି ହାତରେ । ତେବେ ୬ଟି ଏନ୍ଏସି ବିରୋଧୀଙ୍କ ହାତକୁ ଯାଇଥିବା ବେଳେ ହିଞ୍ଜିଳିକାଟୁ ପୌରପାଳିକା ମଧ୍ୟ ଟିକେ ଟିକେରେ ରହିଯାଇଛି । ଏବେ ଦେଖିବା କଥା ଗଡ ବଞ୍ଚାଇବାକୁ କେଉଁ ଷ୍ଟ୍ରାଟେଜି ଅପଣାଉଛି ଦଳ ।