• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନବ ହତ୍ୟାକାଣ୍ଡ ଓ ଜୟନାରାୟଣ-ଆଇଆଇସି ଠେଲାପେଲା ଘଟଣାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣଙ୍କୁ ବିଜେଡି ଘେରୁଥିବା ବେଳେ ସେ କିନ୍ତୁ ସରକାରଙ୍କ ବିରୋଧରେ ତାଙ୍କ ସ୍ୱରକୁ ଆହୁରି ଶାଣିତ କରିଛନ୍ତି ।

ଏପରିକି ଆଗାମୀ ବିଧାନସଭାରେ ନବ ହତ୍ୟାକାଣ୍ଡ ଏକ୍ସପୋଜ୍ ହେବ ବୋଲି ଚେତାବନୀ ଦେଇ ସରକାର ଦ୍ୱାରା ମ୍ୟାନେଜ୍ ହେଉନଥିବାରୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଥିବା ଅଭିଯୋଗ କରିଛନ୍ତି ଜୟନାରାୟଣ । ଅପରପକ୍ଷେ ବିଜେପିର ଅନ୍ୟ ନେତାମାନେ ମ୍ୟାନେଜ୍ ହେଉଥିଲେ କି ବୋଲି ପ୍ରଶ୍ନ କରି ପାଲଟା ହମଲା କରିଛି ବିଜେଡି।

ନବ ଦାସ ହତ୍ୟା ଓ ଅନ୍ୟ ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଗୁମର ଖୋଲୁଥିବାରୁ ତାଙ୍କୁ ଶାସକ ଦଳ ଟାର୍ଗେଟ କରୁଛି ବୋଲି ଜୟନରାୟଣ ଅଭିଯୋଗ କରିଛନ୍ତି । ତେବେ ଆଗକୁ ବିଧାନସଭା ବଜେଟ୍ ଅଧିବେଶନ ଥିବାରୁ ଗୃହରେ ନବ ଦାସ ହତ୍ୟାକାଣ୍ଡ ଏକ୍ସପୋଜ୍ ହେବ, ଘଟଣା ପଛରେ ରହିଥିବା ଅନେକ ରହସ୍ୟର ଖୁଲାସା କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ନେତା ।

କେବଳ ସେତିକି ନୁହେଁ ତାଙ୍କୁ ସରକାର ମ୍ୟାନେଜ୍ କରିପାରୁନଥିବାରୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବାର ଅଭିଯୋଗ ବି କରିଛନ୍ତି ଜୟନାରାୟଣ । ଯାହାର ଜବାବ ଦେଇଛି ବିଜେଡି ।

ଏପଟେ ବିଜେପି-ବିଜେଡି ଆରୋପ ପ୍ରତ୍ୟାରୋପ ଭିତରେ ଜାରି ରହିଛି ବିକ୍ଷୋଭ ରାଜନୀତି। ଆଜି ଜୟନାରାୟଣଙ୍କ ସରକାରୀ ବାସଭବନ ଆଗରେ ପ୍ରଗତି ଫାଉଣ୍ଡେସନ୍ ପକ୍ଷରୁ ଦୀପ ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯାହା ବିଜେଡି ପ୍ରାୟୋଜିତ ଥିବା ଅଭିଯୋଗ ହୋଇଛି ।

ସେପଟେ ଏହାକୁ କାଉଣ୍ଟର କରିବାକୁ ବିଜେପି ଯୁବ ମୋର୍ଚ୍ଚା, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଶିଶୁଭଭନ ଛକରେ ଆନ୍ଦୋଳନ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଗତକାଲି କିନ୍ନରଙ୍କ ଗୋଟିଏ ଗୋଷ୍ଠୀ ଜୟନରାୟଣଙ୍କ ସରକାରୀ ବାସଭବନ ଆଗରେ ତ ଅନ୍ୟ ଏକ ଗୋଷ୍ଠୀ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନ ଆଗରେ ପୃଥକ ପୃଥକ ଭାବେ ଆନ୍ଦୋଳନ କରିଥିଲେ ।

ତେବେ ବିଭିନ୍ନ ପ୍ରସଙ୍ଗରେ ଏବେ ବିଜେପି ରାଜରାସ୍ତାରେ ଯେଭଳି ବିଜେଡି ସହ ଲଢୁଛି ଆଗକୁ ଆସୁଥିବା ସାଧାରଣ ନିର୍ବାଚନରେ ସେମିତି ଲଢ଼ିବାର ଆବଶ୍ୟକତା ରହିଛି ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି । ବିଧାନସଭା ବାହାରେ ବିଜେପି-ବିଜେଡି ଏବେ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି ।

ଆଗକୁ ବିଧାନସଭା ଭିତରେ ବି ବିଜେପି ନବ ଦାସ ହତ୍ୟା ଘଟଣା ସହ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଘେରିବାକୁ ଥିବାବେଳେ ବିଜେଡି ମଧ୍ୟ ମହିଳା ଆଇଆଇସିଙ୍କୁ ଜୟନାରାୟଣଙ୍କ ଦୁର୍ବ୍ୟବହାର ଓ କେନ୍ଦ୍ର ସରକାର ଚାଉଳ କାଟିବା ପ୍ରସଙ୍ଗ ଉଠାଇବ । ତେଣୁ ଗୃହ ଆରମ୍ଭରୁ ସରଗରମ ରହିବା ଆଶଙ୍କା ରହିଛି ।